Sunday, October 4, 2026
24.3 C
Odisha

    ଧାନ ଅମଳ ପୂର୍ବରୁ ବାତ୍ୟା ଭୟ

    ଆଗକୁ ପଢନ୍ତୁ

    ବ୍ରହ୍ମପୁର: ଜଳବାୟୁ ପରିବର୍ତ୍ତନ ଯୋଗୁ ଗଞ୍ଜାମ ଜିଲ୍ଲାରେ ଦିନକୁ ଦିନ ବର୍ଷା ପରିମାଣ କମୁଛି। ଏବେ ଗଛରେ ଧାନ ପୁଡ଼ା ଧରିବା ସମୟ। ଏହି ସମୟରେ ଯଦି ପାଣି ନମିଳିବ ଚାଷ ନଷ୍ଟ ହୋଇଯିବ ବୋଲି ଚାଷୀ ମହଲରେ ଆଶଙ୍କା ପ୍ରକାଶ ପାଇଛି। ଅକ୍ଟୋବର ମାସ ୩ ସପ୍ତାହ ସରିବାକୁ ବସିଥିବା ବେଳେ ବର୍ତ୍ତମାନ ସୁଦ୍ଧା ମାତ୍ର ହାରାହାରି ୨୫ ପ୍ରତିଶତ ବର୍ଷା ରେକର୍ଡ କରାଯାଇଛି। ଗଞ୍ଜାମ ଜିଲ୍ଲାର ଚାଷୀ ନିଅଣ୍ଟିଆ ବର୍ଷାର ମୁକାବିଲା କରି ଚାଷ ବଞ୍ଚାଇ ରଖିବାକୁ ସଂଘର୍ଷ ଜାରି ରଖିଛନ୍ତି। ଏଭଳି ସ୍ଥିତିରେ ଆଗକୁ ବାତ୍ୟା ଭୟ ରହିଥିବାରୁ ଚାଷୀଙ୍କୁ ପୁଣି ଚିନ୍ତା ଘାରିଛି। ଚାଷ ପାଇଁ ପାଣି ଆବଶ୍ୟକ ପଡ଼ୁଥିବା ବେଳେ ବଡ଼ବର୍ଷା ହେଲେ ଚାଷ ନଷ୍ଟ ହୋଇଯିବା‌ ସମ୍ଭାବନା ଦେଖାଗଲାଣି। ଏଣୁ ଚାଷୀ ମହଲରେ ଭାଳେଣି ପଡ଼ିଛି।

    ଗଞ୍ଜାମ ଜିଲ୍ଲାରେ ଚଳିତ ବର୍ଷ ମୋଟ ୪ଲକ୍ଷ ୫ହଜାର ୭୫୦ ହେକ୍ଟର୍‌ ଜମିରେ ଚାଷ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ତନ୍ମଧ୍ୟରୁ ୧ଲକ୍ଷ ୭୮ହଜାର ୯୦୦ ହେକ୍ଟର୍‌ ଜମିରେ ଧାନ ଓ ୧ଲକ୍ଷ ୨୬ହଜାର ୮୫୦ ହେକ୍ଟର୍‌ ଜମିରେ ଅଣଧାନ ଫସଲ କରିବା ପାଇଁ ଖସଡ଼ା ପ୍ରସ୍ତୁତ କରାଯାଇଥିଲା। ଜୁନ୍‌ ମାସରେ ନିଅଣ୍ଟିଆ ବର୍ଷା ଯୋଗୁଁ ଚାଷ କାର୍ଯ୍ୟ ବିଳମ୍ବରେ ଆରମ୍ଭ ହୋଇଥିଲା। ଗଞ୍ଜାମ ଜିଲ୍ଲାରେ ସେପ୍ଟେମ୍ବର ମାସରେ ହାରାହାରି ୨୨୧.୪ ମିମି ସ୍ବାଭାବିକ ବର୍ଷା ହୋଇଥାଏ। କିନ୍ତୁ ଚଳିତ ସେପ୍ଟେମ୍ବରରେ ୧୮୯.୪୭ ମିମି ବର୍ଷା ହୋଇଥିବା ରେକର୍ଡ଼ କରାଯାଇଛି। ବର୍ଷା ନଥିବାରୁ ବିଭିନ୍ନ ଉଚ୍ଚ ସ୍ଥାନରେ ଥିବା ଜମିକୁ ପାଣି ମିଳିପାରୁ ନାହିଁ। କେନାଲ ଦ୍ବାରା ପାଣି ଛଡ଼ା ଯାଉଥିଲେ ସୁଦ୍ଧା ତାହା ଯଥେଷ୍ଟ ହୋଇପାରୁ ନାହିଁ। ଡ୍ୟାମ୍‌ଗୁଡ଼ିକରେ ମଧ୍ୟ ଆବଶ୍ୟକତା ଅନୁସାରେ ପାଣି ନାହିଁ। ଏଣୁ ଗଞ୍ଜାମ ଜିଲ୍ଲାର ଚାଷୀଙ୍କ ପାଇଁ ବର୍ଷା ହିଁ ଏକମାତ୍ର ଭରସା ହୋଇଛି ବୋଲି ଋଷିକୁଲ୍ୟା ରୟତ ମହାସଭାର ସମ୍ପାଦକ ସୀମାଞ୍ଚଳ ନାହାକ କହିଛନ୍ତି।

    ଅକ୍ଟୋବର ମାସରେ ହରାହାରି ୧୮୭.୯ ମିମି ସ୍ବାଭାବିକ ବର୍ଷା ହୋଇଥାଏ। କିନ୍ତୁ ଚଳିତ ମାସରେ ବର୍ତ୍ତମାନ ସୁଦ୍ଧା ପ୍ରାୟ ୨୫ ମିମି ବର୍ଷା ରେକର୍ଡ କରାଯାଇଛି। ଚଳିତ ବର୍ଷ ଅଗଷ୍ଟ ମାସରେ ମଧ୍ୟ ନିଅଣ୍ଟିଆ ବର୍ଷା ରେକର୍ଡ କରାଯାଇଥିଲା। ଅଗଷ୍ଟ ମାସରେ ଜିଲ୍ଲାରେ ସାଧାରଣତଃ ୨୬୦.୫ ମିମି ସ୍ବାଭାବିକ ହୋଇଥାଏ। କିନ୍ତୁ ଚଳିତ ଅଗଷ୍ଟରେ ହରାହାରି ୨୩୮ ମିମି ବର୍ଷା ରେକର୍ଡ କରାଯାଇଥିଲା। ବର୍ଷା ନଥିବାରୁ ଚାଷୀକୁଳ ନିରାଶ ହୋଇ ପଡ଼ିଛନ୍ତି। ଗଞ୍ଜାମ ଜିଲ୍ଲାରେ ଆବଶ୍ୟକତା ଅନୁସାରେ ଜଳସେଚନ ସୁବିଧା ମଧ୍ୟ ନାହିଁ। ବହୁ ଉଠାସେଚ ପ୍ରକଳ୍ପ ଠିକ୍‌ ଭାବେ କାମ କରୁ ନାହିଁ। ବିଭିନ୍ନ ସ୍ଥାନରେ ଚାଷ ଜମି ଶୁଖି ଫାଟିବା ଭଳି ସ୍ଥିତି ଦେଖା ଦେଲାଣି। ଚାଷ ବଞ୍ଚାଇବା ପାଇଁ ଚାଷୀ ପମ୍ପ ଜରିଆରେ ଜମିକୁ ପାଣି ଯୋଗାଣ କରୁଛନ୍ତି। ଯେନତେନ ପ୍ରକାରେ ଚାଷୀ ନିଜର କଷ୍ଟୋପାର୍ଜିତ ଫସଲକୁ ବଞ୍ଚାଇବାକୁ ସଂଘର୍ଷ କରୁଥିବା ବେଳେ ସମ୍ଭାବ୍ୟ ବାତ୍ୟା ପୁଣି ଚାଷୀଙ୍କ ପାଇଁ ଏକ ବଡ଼ ସମସ୍ୟା ଉଭା ହୋଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.3 ° C
    24.3 °
    24.3 °
    75 %
    1.5kmh
    0 %
    Sun
    24 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ