Wednesday, July 29, 2026
23.5 C
Odisha

    ସରକାର ଦେଲେ ଅର୍ଥ, ବସ୍‌ର ମାଲିକ ହେଲେ ବାହାର ରାଜ୍ୟର କମ୍ପାନୀ: ଅନିଲ ବିଶ୍ୱାଳ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର,ତା.୨୮/୦୨: ଓଡିଶାରେ ଦୁର୍ନୀତି କିଭଳି ଖୁଲମଖୋଲା ଚାଲିଛି ଏବଂ ଅଣଓଡ଼ିଆ ବ୍ୟବସାୟୀମାନଙ୍କୁ ଅଯାଚିତ ଅନୁଗ୍ରହ ଦେଖାଇ ସରକାରୀ ଅର୍ଥକୁ ସେମାନଙ୍କ ହାତରେ ଟେକି ଦିଆଯାଉଛି, ତାହାର ଜ୍ୱଳନ୍ତ ଉଦାହରଣ ହେଉଛି ଓଡ଼ିଶାରେ ଆରମ୍ଭ ହୋଇଥିବା ଲକ୍ଷ୍ମୀ ବସ ଯୋଜନା । ଲକ୍ଷ୍ମୀ ବସ ଯୋଜନାକୁ ନେଇ ରାଜ୍ୟ ସରକାର ବ୍ୟାପକ ପ୍ରଚାର କରିବା ସହିତ ଘରେ ଘରେ ଲକ୍ଷ୍ମୀ ଆସିବେ ବୋଲି କହୁଛନ୍ତି, କିନ୍ତୁ ବାସ୍ତବରେ ଏହି ଯୋଜନାରେ ଓଡ଼ିଶାକୁ ଲକ୍ଷ୍ମୀଛଡା କରି ଘରୋଇ ବ୍ୟବସାୟୀମାନଙ୍କ ପକେଟ୍‌ରେ ଲକ୍ଷ୍ମୀଙ୍କୁ ଯୋଗାଇ ଦିଆଯାଉଛି । ଲକ୍ଷ୍ମୀ ବସ ଯୋଜନାରେ ସରକାର ଏବେ ସୁଦ୍ଧା ୧୭୪୫ଟି ବସ୍ କିଣିଛନ୍ତି କିନ୍ତୁ ବଡ ଆଶ୍ଚର୍ଯ୍ୟଭାବରେ ସେହି ବସ୍‌ର ମାଲିକାନା ସରକାରଙ୍କ ନାଁରେ ନରହି ରହିଛି ଘରୋଇ କମ୍ପାନୀମାନଙ୍କ ନାଁରେ, ଯାହା ଏକ ବେଆଇନ କାର୍ଯ୍ୟ । ନିୟମ ଅନୁସାରେ ଯେତେବେଳେ ସରକାର କୌଣସି ସମ୍ପତି କିଣନ୍ତି ଏହାର ମାଲିକାନା ସରକାରଙ୍କ ପାଖରେ ରହିବା ଅନିର୍ବାଯ୍ୟ । କିନ୍ତୁ କେଉଁ ପରିସ୍ଥିତିରେ ସରକାରୀ ଅର୍ଥରେ କିଣାଯାଇଥିବା ବସ୍‌ର ମାଲିକାନା ଅଣଓଡ଼ିଆ ଘରୋଇ କମ୍ପାନୀମାନଙ୍କ ହାତକୁ ଗଲା ତାହା ସରକାର ସ୍ପଷ୍ଟ କରନ୍ତୁ ବୋଲି ରାଜ୍ୟ ମୁଖପାତ୍ର ଶ୍ରୀ ଅନିଲ ବିଶ୍ୱାଳ କହିଛନ୍ତି ।
    ଦିଲ୍ଲୀ ହେଉକି ପଶ୍ଚିମବଙ୍ଗ ହେଉ ସବୁ ରାଜ୍ୟରେ ସରକାର କିଣୁଥିବା ବସ୍‌ର ମାଲିକ ନିଜେ ସରକାର ହୁଅନ୍ତି । ସେହି ବାହାର ରାଜ୍ୟର ଘରୋଇ କମ୍ପାନୀମାନେ କିଛି ଅର୍ଥ ଖର୍ଚ୍ଚ ନକରି ୧୭୪୫ଟି ସରକାରୀ ବସ୍‌ର ମାଲିକ ହେଲେ ଯାହାର ମାଲିକ ସରକାର ହେବା କଥା । ବସ୍ ଚଳାଚଳ ପାଇଁ ମଧ୍ୟ ସେମାନେ କିଲୋମିଟର ପିଛା ସେତିକି ଟଙ୍କା ସରକାରଙ୍କଠାରୁ ନେଉଛନ୍ତି ଯାହା ବଜାର ଦର୍‌ଠାରୁ ଅଧିକ । ଏଠାରେ ପ୍ରଶ୍ନ ଉଠୁଛି ଯଦି ସରକାର ସେହି ବାହାର ରାଜ୍ୟର କମ୍ପାନୀମାନଙ୍କୁ ବସ୍‌ର ମାଲିକାନା ଦେଲେ, ବସ୍‌ର ସମ୍ପୂର୍ଣ୍ଣ ଭଡା ବି ଦେଲେ ତାହାଲେ ଲୋକଙ୍କଠାରୁ ଆଉ କାହିଁକି ଭଡା ଆଦାୟ କରାଯାଉଛି । ଲକ୍ଷ୍ମୀ ଯୋଜନା ଆରମ୍ଭ ହେବା ପୂର୍ବରୁ ଓଏସ୍‌ଆରଟିସି ଯେଉଁ ୩୮୧ରୁ ଉର୍ଦ୍ଧ୍ୱ ବସ୍ ଚଳାଉଥିଲା ସେ ସବୁ ବସ୍‌ର ମାଲିକାନା ଆଜିବି ଓଏସ୍‌ଆରଟିସି ପାଖରେ ଅଛି । କିନ୍ତୁ ଏବେ ଲକ୍ଷ୍ମୀ ବସ୍ ଯୋଜନାରେ କିଣାଯାଇଥିବା ୧୭୪୫ଟି ବସ୍‌ର ମାଲିକାନା କାହିଁକି ଘରୋଇ କମ୍ପାନୀମାନଙ୍କ ପାଖରେ ରହିଲା ଏହା ଉପରେ ସରକାର ସ୍ପଷ୍ଟୀକରଣ ଦିଅନ୍ତୁ । ଏହା ଏକ ବ୍ୟାପକ ପରିମାଣର ଘୋଟାଲା ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି ।
    ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ବିଶ୍ୱାଳ କହିଛନ୍ତି ଯେ, ଯଦି ସରକାରଙ୍କର ନିଜ ନାଁରେ ବସ୍ କିଣିବାର ନଥିଲା ତାହାଲେ ସରକାର ଲକ୍ଷ୍ମୀବସ୍‌କୁ ପରିଚାଳନା କରୁଥିବା ମିଶନଶକ୍ତି ନାଁରେ କିଣିପାରିଥାନ୍ତେ । ଏଭଳି କି ଓଡ଼ିଶାର ଶହ ଶହ ଘରୋଇ ବସ୍ ଚଳାଚଳ କରୁଥିବା ସଂସ୍ଥାମାନଙ୍କୁ କାହିଁକି ଲକ୍ଷ୍ମୀବସ୍ ଯୋଜନାର ପରିଚାଳନା ଦାୟିତ୍ୱ ନଦିଆଯାଇ ବାହାର ରାଜ୍ୟର ଟ୍ରାଭେଲ୍ସ ଏଜେନ୍ସୀମାନଙ୍କୁ ଦିଆଗଲା ଯାହା ପ୍ରମାଣିତ କରୁଛି ଯେ, ଓଡ଼ିଶା ସରକାର ଅଣଓଡିଆ ବ୍ୟବସାୟୀମାନଙ୍କ ସ୍ୱାର୍ଥରେ କାମ କରୁଛନ୍ତି । ଲକ୍ଷ୍ମୀ ବସ୍ ଯୋଜନାରେ ୫ଟି କ୍ଲଷ୍ଟରରେ ଯେଉଁ ୩ଟି ସଂସ୍ଥାକୁ ଦାୟିତ୍ୱ ଦିଆଯାଇଛି ସେମାନେ ମଧ୍ୟ ଓଡ଼ିଶାରେ ଅନ୍ୟ ବ୍ୟବସାୟୀ ଠିକା ପାଇଛନ୍ତି । ଅର୍ଥାତ୍ ଟେଣ୍ଡର ପ୍ରକ୍ରିୟାରେ ମଧ୍ୟ ସ୍ୱଚ୍ଛତା ନଥିଲା । ସହରାଂଚଳରେ ଚାଲୁଥିବା ମୋ ବସ୍‌କୁ ପରିଚାଳନା କରୁଥିବା “କ୍ରୁଟ୍‌ର” ଜଣେ ନିର୍ଦ୍ଦେଶକ ହେଉଛନ୍ତି ଚାଟାର୍ଡ ସ୍ପିଡ୍ ଲିମିଟେଡର ମାଲିକ ଯେଉଁ ଚାଟାର୍ଡ ସ୍ପିଡ୍ ଲକ୍ଷ୍ମୀବସ୍‌ର ୩ଟି କ୍ଲଷ୍ଟରର ଠିକା ପାଇଛି । ସେହିଭଳି ଲକ୍ଷ୍ମୀ ବସ୍‌ର ଠିକା ପାଇଥିବା ନର୍ବଦା ଟ୍ରାଭେଲ୍ସର ମାଲିକମାନେ ହେଉଛନ୍ତି ଜଗନ୍ନାଥଜୀ ସିଟି ବସ୍ ସର୍ଭିସେସ୍ ଲିମିଟେଡ୍‌ର ମାଲିକ । ଏଥିରୁ ହିଁ ସ୍ପଷ୍ଟ ହେଉଛି ଯେ, କିଭଳି ଭାବେ ଟେଣ୍ଡର ପ୍ରକ୍ରିୟାରେ ବ୍ୟାପକ ଅନିୟମିତତା କରାଯାଇ କିିଛି ନିର୍ଦ୍ଦିଷ୍ଟ ବାହାର ରାଜ୍ୟର ଘରୋଇ କମ୍ପାନୀମାନଙ୍କୁ ଲାଭାନ୍ୱିତ କରାଯାଇଛି ।
    ୨୦୨୩ ବଜେଟ୍‌ରେ ଲକ୍ଷ୍ମୀ ବସ୍ ଯୋଜନାରେ ସରକାର ୧୦୦କୋଟି ଟଙ୍କା ବଜେଟ୍ ପ୍ରାବଧାନ କରିଥିଲେ । କିନ୍ତୁ ହଠାତ୍ କାହିଁକି ଏହାର ବଜେଟ୍ ରାଶିକୁ ବହୁଗୁଣା ବଢ଼ାଯାଇ ୩ହଜାର କୋଟି ଟଙ୍କା କରାଗଲା ଏହା ପଛରେ କେବଳ ବାହାର ରାଜ୍ୟର ବ୍ୟବସାୟୀମାନଙ୍କୁ ଖୁସି କରିବାର ଏକମାତ୍ର ଲକ୍ଷ୍ୟ କି? ୨୦୧୪ ମସିହାରେ ସରକାର “ବିଜୁ ଗାଁ ଗାଡି ଯୋଜନା” କରିଥିଲେ ଯାହାର ବାର୍ଷିକ ଖର୍ଚ୍ଚ ଥିଲା ମାତ୍ର ୮କୋଟି ଟଙ୍କା । ୧୦ବର୍ଷ ପରେ ସେହି ସମାନ ଶୈଳୀର ଯୋଜନାର ଖର୍ଚ୍ଚ ହଠାତ୍ କାହିଁକି ଏତେ ଗୁଣା ବଢ଼ିଯିବା ଅତ୍ୟନ୍ତ ସନ୍ଦେହଜନକ । ସରକାର ଯାହାବି ଲକ୍ଷ୍ମୀବସ୍ ଯୋଜନାରେ ବସ୍ କିଣା ବାବଦରେ ଅର୍ଥ ଖର୍ଚ୍ଚ କରିଛନ୍ତି ଏଥିରେ ଯଦି ଓଡ଼ିଶାର ଘରୋଇ ବସ୍ ମାଲିକ ଓ ମିଶନଶକ୍ତି ଗ୍ରୁପ୍‌କୁ ସାମିଲ କରାଯାଇଥାନ୍ତା ତାହାଲେ ହୁଏତ ବିଜେପି ଏ ଘଟଣାକୁ ନେଇ ଏତେ ଚିନ୍ତିତ ହୋଇ ନଥାନ୍ତା କିନ୍ତୁ ଯେତେବେଳେ ପୂରା ସାଢ଼େ ୩ହଜାର କୋଟି ଟଙ୍କାକୁ କିଛି ଅଣଓଡିଆ ବ୍ୟବସାୟୀଙ୍କ ହାତରେ ଟେକି ଦିଆଯାଉଛି ତାହାକୁ ଓଡ଼ିଶାବାସୀ କେବେ ବି ବରଦାସ୍ତ କରିବ ନାହିଁ ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି ।
    ଲକ୍ଷ୍ମୀ ବସ୍ ଯୋଜନାରେ ହୋଇଥିବା ଘୋଟାଲା ଦିଲ୍ଳୀର ଅବକାରୀ ଦୁର୍ନୀତି, ଲାଲୁ ଯାଦବଙ୍କ ଚାରା ଘୋଟାଲାଠାରୁ ବଡ ଦୁର୍ନୀତି ଓ ସରକାରୀ ନିୟମର ଉଲଘଂନ କରି କିଭଳି ସରକାରୀ ଅର୍ଥକୁ ହରିଲୁଟ୍ କରାଯାଇପାରେ ତାହାର ଏକ ଜ୍ୱଳନ୍ତ ଉଦାହରଣ । ଏ ପୂରା ଦୁର୍ନୀତିରେ ଲୋକାୟୁକ୍ତ ଏବଂ ଇଡି ନିଜ ଆଡୁ ହସ୍ତକ୍ଷେପ କରି ଘଟଣାର ତଦନ୍ତ କରି ପୂରା ଦୁର୍ନୀତି ଉପରୁ ପରଦା ହଟାଇବା ଦରକାର ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି ।
    ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଗଣମାଧ୍ୟମ ସଂଯୋଜକ ଶ୍ରୀ ସୁଜିତ୍ କୁମାର ଦାସ ଉପସ୍ଥିତ ଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    23.5 ° C
    23.5 °
    23.5 °
    94 %
    5.8kmh
    100 %
    Wed
    25 °
    Thu
    28 °
    Fri
    30 °
    Sat
    29 °
    Sun
    30 °

    ସମ୍ବନ୍ଧିତ