Sunday, October 4, 2026
28.6 C
Odisha

    କିଛି ଲୋକ ଆଇନର ଊର୍ଧ୍ବରେ ଅଛନ୍ତି କି: ନବୀନ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ରାଜ୍ୟପାଳଙ୍କ ପୁଅ ସରକାରୀ ଅଧିକାରୀଙ୍କୁ ଡ୍ୟୁଟି ସମୟରେ ମାଡ଼ ମାରିଲେ ଓ ଅପମାନିତ କଲେ। ଏନେଇ ଉକ୍ତ ଅଧିକାରୀ ଥାନାରେ ମାମଲା କଲେ। ହେଲେ କିଛି କାର୍ଯ୍ୟାନୁଷ୍ଠାନ ହେଲାନି। ରାଜ୍ୟପାଳଙ୍କ ପୁଅ ହୁଅନ୍ତୁ କି ମନ୍ତ୍ରୀ, ସାଂସଦ, ବିଧାୟକ ଓ ବରିଷ୍ଠ ଅଧିକାରୀଙ୍କ ପୁଅ ହୁଅନ୍ତୁ, ସେମାନଙ୍କ ପାଇଁ ଆଇନ ଅଲଗା କି? ସେମାନେ କ’ଣ ଆଇନ ଉପରେ? ଯଦି ଏହା ସତ, ତା’ହାଲେ ଲୋକଙ୍କୁ ଜଣାନ୍ତୁ ଯେ କିଛି ଲୋକ ଆଇନ ଉପରେ ଅଛନ୍ତି। ସେମାନେ ଅପରାଧ କଲେ ମଧ୍ୟ ଦଣ୍ଡିତ ହେବେ ନାହିଁ।
    ଗୃହ ବିଭାଗ ଖର୍ଚ୍ଚଦାବି ଆଲୋଚନା ବେଳେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଏମିତି ଭାବେ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି। ସେ କହିଛନ୍ତି, ମୋ ସରକାରରେ କେହି ଆଇନ ଉପରେ ନଥିଲେ। ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଗୃହ ବିଭାଗ ଦାୟିତ୍ୱରେ ଅଛନ୍ତି। ମୁଁ ଆଶା କରୁଛି ଏସବୁ ତାଙ୍କୁ ଅବଗତ କରାଯିବ। ନିକଟରେ ଜଣେ ନାବଳିକାକୁ ହୋଇଥିବା ଦୁଷ୍କର୍ମ ଓ ହତ୍ୟାଘଟଣା ଚିନ୍ତାଜନକ। ଶ୍ରୀ ପଟ୍ଟନାୟକ ଆହୁରି କହିଥିଲେ, ରଥଯାତ୍ରା ସମୟରେ ଭୁଲ ପରିଚାଳନା ପାଇଁ ବଡ଼ ଠାକୁର ବଳଭଦ୍ର ତଳେ ପଡ଼ିଗଲେ। ଏହା ଲକ୍ଷ ଲକ୍ଷ ଭକ୍ତଙ୍କୁ ଆଘାତ ଦେଇଥିଲା। ହେଲେ ଏଯାଏ ଏହି ଘଟଣାକୁ ନେଇ ତଦନ୍ତ ରିପୋର୍ଟ ନଆସିବା ବି ଦୁଃଖଦ ବିଷୟ। ସେହିପରି ବାଲେଶ୍ବର ଓ ଜଟଣୀରେ ସାମ୍ପ୍ରଦାୟିକ ହିଂସା ହୋଇଛି। ଖୋର୍ଦ୍ଧାରେ ଏହି ସାମ୍ପ୍ରଦାୟିକ ହିଂସା ଯୋଗୁଁ ହତ୍ୟା ବି ହେଲା। ଶାନ୍ତି ଓ ସୌହାର୍ଦ୍ଦ୍ୟ ପାଇଁ ଓଡ଼ିଶା ଜଣାଶୁଣା। ଯେ କୌଣସି ପରିସ୍ଥିତିରେ ଏହା ବଜାୟ ରହିବା ନିଶ୍ଚିତ ଦରକାର। ଚିକିଟି ମଦମୃତ୍ୟୁ ଘଟଣାରେ ମଧ୍ୟ ଶ୍ରୀ ପଟ୍ଟନାୟକ ଉଦ୍‌ବେଗ ପ୍ରକାଶ କରିଥିଲେ।
    ପୂର୍ବାହ୍ନରେ ଖର୍ଚ୍ଚ ଦାବି ଆଲୋଚନା ଆରମ୍ଭ କରି ପୂର୍ବତନ ଗୃହ ରାଷ୍ଟ୍ର ମନ୍ତ୍ରୀ ତଥା ବିଜେଡି ବିଧାୟକ ତୁଷାରକାନ୍ତି ବେହେରା କହିଲେ, ବିଜେପି ନେତାମାନେ ଅଧିକାରୀମାନଙ୍କୁ ଧମକଚମକ ଦେଉଛନ୍ତି। ଆମ ସରକାର, ଯାହା ଚାହିଁବୁ ତାହା କରିବୁ ବୋଲି କହୁଛନ୍ତି। ରାଜ୍ୟରେ ସାଇବର ଅପରାଧ ବଢ଼ୁଥିବାରୁ ଏହାର ମୁକାବିଲା ପାଇଁ ପେଶାଦାର ଲୋକଙ୍କୁ ନିଯୁକ୍ତି ଦେବାର ଆବଶ୍ୟକତା ରହିଛି। ଗ୍ରାମରକ୍ଷୀଙ୍କ ପାରିଶ୍ରମିକ ତୁରନ୍ତ ବଢ଼ାଯାଉ। ବିଧାୟକ ପ୍ରତାପ କେଶରୀ ଦେବ କହିଥିଲେ, ତୁମେ ଯେକୌଣସି ପ୍ରକାରର ହତ୍ୟାକାଣ୍ଡର ପୁନଃତଦନ୍ତ କରିବା କଥା କର। ଆମେ ସ୍ବାଗତ କରୁଛୁ। ହେଲେ କରିବ କରିବ ବୋଲି କହି ଚର୍ଚ୍ଚାରେ ଖାଲି ରୁହନି। ଗୋଟିଏ ଗୋଟିଏ ଥାନା ଅଧୀନରେ ୧ଲକ୍ଷ ୨୦ହଜାର ପାଖାପାଖି ଲୋକ ରହୁଛନ୍ତି। ୧୫ଜଣ କର୍ମଚାରୀ କିପରି ନିୟନ୍ତ୍ରଣ କରିବେ। ଏଥିପାଇଁ ଅଧିକ ନୂଆ ଥାନା କରାଯାଉ। ଖାଲି ଅଣଓଡ଼ିଆ ଅଣ ଓଡ଼ିଆ ହୁଅନି, ମନେରଖ ଆଗାମୀ ଦିନରେ ଏହା ତୁମ ପାଇଁ କାଳ ହେବ। ବିଜେଡି ପକ୍ଷରୁ ବିଧା‌ୟକ ଦିବ୍ୟଶଙ୍କର ମିଶ୍ର, ଶାରଦା ପ୍ରସାଦ ଜେନା ପ୍ରମୁଖ ଖର୍ଚ୍ଚ ଦାବିକୁ ବିରୋଧ କରିଥିଲେ।

    କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି କହିଲେ, ପୁଲିସ ବିଭାଗରେ ବହୁ ପଦବି ଖାଲି ପଡ଼ିଛି। ବହୁ ଥାନାର କୋଠା ବି ନଷ୍ଟ ହେଲାଣି। ଛାତରୁ ପାଣି ଗଳୁଛି। ଥାନା ଗାଡ଼ି ଠେଲିବାକୁ ପଡ଼ୁଛି। ଏମିତି ଭିତ୍ତିଭୂମି ନେଇ ଆଇନଶୃଙ୍ଖଳା ରକ୍ଷା ହେବ କିପରି? ସ୍ବାମୀ ଲକ୍ଷ୍ମଣାନନ୍ଦ, ନବ ଦାସ, ମମତା ଓ ପରୀ ହତ୍ୟାକାଣ୍ଡ ଘଟଣାର ସିବିଆଇ ତଦନ୍ତ ପାଇଁ ବିଜେପି ଆଗରୁ ଦାବି କରୁଥିଲା। ମାତ୍ର ଏବେ ଚୁପ୍ କାହିଁକି? ସେହିପରି ବିମାନବନ୍ଦରରୁ ଏତେ ପରିମାଣର ସୁନା ଧରାହେଲା। କିନ୍ତୁ ସେହି ସୁନା କାହାର? କଂଗ୍ରେସ ପକ୍ଷରୁ ଦାଶରଥୀ ଗମାଙ୍ଗ ଏହାକୁ ମଧ୍ୟ ବିରୋଧ କରିଥିଲେ। ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ କହିଥିଲେ, ପୂର୍ବ ସରକାରରେ ଜଣେ କ୍ୟାବିନେଟ୍ ମନ୍ତ୍ରୀଙ୍କୁ ଗୁଳି କରି ହତ୍ୟା କରାଗଲା। ପୁଲିସ ଆଈ ମା’ ଗପ ଶୁଣାଇଲା। ସରକାରଙ୍କ ଏଫ୍‌ବିଆଇ ତଦନ୍ତ କୁଆଡ଼େ ଗଲା? ପୁଲିସକୁ ଗତ ସରକାରରେ ରାଜନୈତିକ ଅସ୍ତ୍ର ଭାବେ ବ୍ୟବହାର କରାଯାଉଥିଲା। ଛାୟା ମୁଖ୍ୟମନ୍ତ୍ରୀଙ୍କ କଥାରେ ପୁଲିସ ଜୁଲମ ଚଳାଇଥିଲା। ଅହଙ୍କାରରେ ସରକାର ଆକାଶରେ ଉଡ଼ୁଥିଲେ। ରାଜ୍ୟବାସୀ ତାହାର ଜବାବ ଭୋଟ୍‌ରେ ଦେଲେ। ବିଜେପି ପକ୍ଷରୁ ବାବୁ ସିଂହ, ଇରାଶିଷ ଆଚାର୍ଯ୍ୟ, ଆଶ୍ରିତ ପଟ୍ଟନାୟକ, ଭାସ୍କର ମଢ଼େଇ, ଗୌରୀଶଙ୍କର ନାୟକ, ରଘୁନାଥ ଜଗଦଲା, ଅଶୋକ ମହାନ୍ତି, ଦୁଷ୍ମନ୍ତ କୁମାର ସ୍ବାଇଁ ଓ ସନ୍ତୋଷ କୁମାର ଖଟୁଆ ପ୍ରମୁଖ ଖର୍ଚ୍ଚ ଦାବିକୁ ସମର୍ଥନ କରିଥିଲେ। ଶେଷରେ ବାଚସ୍ପତି ସୁରମା ପାଢ଼ୀ ବାଚନିକ ଭୋଟ୍‌ରେ ଦୁଇଟି ବିଭାଗର ଖର୍ଚ୍ଚ ଦାବିକୁ ପାରିତ କରିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    28.6 ° C
    28.6 °
    28.6 °
    69 %
    1.5kmh
    4 %
    Sun
    26 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ