Sunday, October 4, 2026
24.3 C
Odisha

    ନିଲାମ ହେବ ଅର୍ପଣ ଚାଉଳ, ଯେଉଁ ମିଲର ବା ବ୍ୟକ୍ତି ଚାହିଁବେ କିଣିପାରିବେ

    ଆଗକୁ ପଢନ୍ତୁ

    ପୁରୀ : ନିଲାମ ହେବ ଅର୍ପଣ ଚାଉଳ । ମହାପ୍ରସାଦ ପାଇଁ ଯୋଗ୍ୟ ଚାଉଳ ବ୍ୟବହାର ହୋଇଛି । ଏବେ ବଳକା ଚାଉଳକୁ ଟେଣ୍ଡର କରି ନିଲାମ କରିବାକୁ ନିଷ୍ପତି ନେଇଛି ଜିଲ୍ଲା ପ୍ରଶାସନ । ଏହି ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ – ସିଦ୍ଧାର୍ଥ ଶଙ୍କର ସ୍ୱାଇଁ । ଅର୍ପଣ ଚାଉଳକୁ ବିକ୍ରି କରି ଏହି ଟଙ୍କାକୁ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ଆକାଉଣ୍ଟରେ ଜମା କରାଯିବ । ଅର୍ପଣ ଚାଉଳକୁ ଖେଚୁଡ଼ି ଓ କାନିକା କରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ସମର୍ପଣ କରିବା ପରେ ଶ୍ରଦ୍ଧାଳୁଙ୍କୁ ବାଣ୍ଟିବା ନିଷ୍ପତ୍ତିରୁ ଓହରି ଯାଇଛି ପ୍ରଶାସନ। ଜିଲ୍ଲା ପ୍ରଶାସନ ପକ୍ଷରୁ ଅର୍ପଣ ଚାଉଳକୁ ନେଇ ପଠାଯାଇଥିବା ପ୍ରସ୍ତାବକୁ ନୂଆ ବିଜେପି ସରକାର ବିଚାର ବିମର୍ଶ କରିବା ପରେ ଶେଷରେ ଏହାକୁ ନିଲାମ କରିବାକୁ ଅନୁମୋଦନ କରିଛନ୍ତି। ଅର୍ପଣ ଚାଉଳକୁ ପରୀକ୍ଷା ପରେ ଏହା ବି ଗ୍ରେଡ୍ ବୋଲି ଜଣାପଡ଼ିଛି।

    ସେପଟେ ଏହାକୁ ସୁଆର ସେବକମାନେ ନିରୀକ୍ଷଣ କରିଥିଲେ । ପରେ ଅତିରିକ୍ତ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଗଠିତ ଏକ କମିଟି ମଧ୍ୟ ନିରୀକ୍ଷଣ କରିଥିଲେ। ଜିଲ୍ଲା ଯୋଗାଣ ଅଧିକାରୀ ମଧ୍ୟ ବିଭାଗୀୟ ଅଦିକାରୀଙ୍କ ସହ ଯାଇ ଚାଉଳର ମାନ ପରୀକ୍ଷା କରିଥିଲେ। ସମସ୍ତଙ୍କ ମତାମତ ଓ ପରାମର୍ଶ ମୁତାବକ ଏହା ଆଉ ମହାପ୍ରସାଦ ହେବା ଯୋଗ୍ୟ ନାହିଁ । ଯାହା ପରେ ଅର୍ପଣ ଚାଉଳକୁ ନିଲାମ କରିବାକୁ ନିଷ୍ପତ୍ତି ହୋଇଛି । ଆସନ୍ତା ୩ ତାରିଖରେ ଖୋଲିବ ଟେଣ୍ଡର । ନିଲାମରେ ଅଂଶଗ୍ରହଣ କରୁଥିବା ମିଲର୍‌ ତଥା ବ୍ୟକ୍ତିମାନେ ପ୍ରଥମେ ଯେଉଁ ସ୍ଥାନରେ ଚାଉଳ ଗଚ୍ଛିତ ରଖାଯାଇଛି, ସେ ସ୍ଥାନ ପରିଦର୍ଶନ କରିବେ ଓ ପରେ ସେହିଠାରେ ହିଁ ଏହାର ନିଲାମ(ସ୍ପଟ୍‌ ଅକ୍ସନ୍‌) ହେବ। ଯିଏ ଅଧିକ ଟଙ୍କା ଦେବାକୁ ରାଜି ହେବେ, ତାଙ୍କୁ ଅର୍ପଣ ଚାଉଳ ଦିଆଯିବ।

    ଯେଉଁ ମିଲର ବା ବ୍ୟକ୍ତି ଚାହିଁବେ ଏହି ଅର୍ପଣ ଚାଉଳକୁ କିଣିପାରିବେ। ଅର୍ପଣ ଚାଉଳର ବେସ୍ ପ୍ରାଇସ କ୍ବିଣ୍ଟାଲ ପିଛା ୨ ହଜାର ଟଙ୍କା ରଖାଯାଇଛି । ଏବେ ପ୍ରଶାସନ ପାଖରେ ୧୦ହଜାର ୩୨୨ କ୍ବିଣ୍ଟାଲ ବକେୟା ଚାଉଳ ରହିଛି । ଯାହାକୁ ନିଲାମ କରାଯିବ ବୋଲି ସୂଚନା ଦେଇଛନ୍ତି ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ । ଶ୍ରୀମନ୍ଦିର ପରିକ୍ରମା ମାର୍ଗ ଲୋକାର୍ପଣ କାର୍ଯ୍ୟକ୍ରମକୁ ପ୍ରଚାର ପ୍ରସାର କରିବା ପାଇଁ ପୂର୍ବରୁ ଥିବା ବିଜେଡି ସରକାର ସମସ୍ତ ପଞ୍ଚାୟତରେ ଅର୍ପଣ ରଥ ବୁଲାଇ ଚାଉଳ , ନଡ଼ିଆ ଓ ଗୁଆ ସଂଗ୍ରହ କରିଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.3 ° C
    24.3 °
    24.3 °
    75 %
    1.5kmh
    0 %
    Sun
    24 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ