Tuesday, September 29, 2026
22.7 C
Odisha

    B-52 ବୋମାବର୍ଷୀ ବିମାନ କ୍ରାସ୍, ୮ ମୃତ

    ଆଗକୁ ପଢନ୍ତୁ

    ଆମେରିକା : ଆମେରିକା ଏୟାରଫୋର୍ସର B-52 ବୋମାବର୍ଷୀ ବିମାନ ଦୁର୍ଘଟଣା ଘଟିଛି । ବିମାନଟି ଦକ୍ଷିଣ କାଲିଫୋର୍ନିଆରେ ଅବସ୍ଥିତ ଏଡୱାର୍ଡସ୍ ଏୟାର ଫୋର୍ସ ବେସରୁ ଉଡ଼ାଣ ଭରିବାର କେବଳ କିଛି ମିନିଟ୍ ପରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି । ଏହି ଭୟାବହ ଦୁର୍ଘଟଣାରେ ସମସ୍ତ ୮ ଜଣ କ୍ରୁ ସଦସ୍ୟଙ୍କର ମୃତ୍ୟୁ ହୋଇଛି । ସୋମବାର ସ୍ଥାନୀୟ ସମୟ ପ୍ରାୟ ସକାଳ ୧୧ଟା ୨୦ ମିନିଟରେ ଏଡୱାର୍ଡସ ଏୟାରଫୋର୍ସ ବେସରୁ ଉଡ଼ାଣ ଭରିବା ମାତ୍ରେ ଏହି ଦୁର୍ଘଟଣା ଘଟିଥିଲା। ଏକ ନିୟମିତ ଟେଷ୍ଟ ମିଶନ ରାଡାର ଆଧୁନିକୀକରଣ ପ୍ରୋଗ୍ରାମ/AESA ରାଡାର ଅପଗ୍ରେଡ୍ ସମୟରେ ବିମାନଟି ରନୱେ ଛାଡ଼ିବା କ୍ଷଣି ଏଥିରେ ହଠାତ୍ ନିଆଁ ଲାଗିଯାଇଥିଲା। ବିମାନରେ ଥିବା ୮ ଜଣ ଯାକ କ୍ରୁ ସଦସ୍ୟଙ୍କ ମୃତ୍ୟୁ ଘଟିଛି। କର୍ତ୍ତୃପକ୍ଷଙ୍କ କହିବା ଅନୁସାରେ ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ କାହାରି ବଞ୍ଚିବା ସମ୍ଭବ ନଥିଲା। ମୃତକଙ୍କ ମଧ୍ୟରେ ସାମରିକ କର୍ମଚାରୀ, ସରକାରୀ ଅଧିକାରୀ ଏବଂ ବୋଇଂ କମ୍ପାନୀର ଦୁଇଜଣ ବେସରକାରୀ କଣ୍ଟ୍ରାକ୍ଟର ମଧ୍ୟ ସାମିଲ ଅଛନ୍ତି। ଏଡୱାର୍ଡସ ଏୟାରଫୋର୍ସ ବେସର ଡେପୁଟି କମାଣ୍ଡର କଲୋନେଲ ଜେମ୍ସ ହେସ୍ ଏହାକୁ ଏକ “ମର୍ମନ୍ତୁଦ ଟ୍ରାଜେଡି” ବୋଲି କହିବା ସହ ପ୍ରାଣ ହରାଇଥିବା ୮ ଜଣ ଦେଶପ୍ରେମୀଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି। ଦୁର୍ଘଟଣା ପରେ କିଛି ସମୟ ପାଇଁ ଏୟାରଫିଲ୍ଡକୁ ବନ୍ଦ କରି ଦିଆଯାଇଥିଲା ଏବଂ ଭିଜିଟର ପାସ୍ ସସପେଣ୍ଡ କରାଯାଇଥିଲା । ପରେ ଏହାକୁ ପୁଣି ଖୋଲାଯାଇଛି।

    ଏହି ଦୁର୍ଘଟଣାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ବିଶେଷଜ୍ଞଙ୍କ ମତରେ ଉଡ଼ାଣ ଆରମ୍ଭ ବେଳେ କୌଣସି ଯାନ୍ତ୍ରିକ ତ୍ରୁଟି, ଇଞ୍ଜିନ ସମସ୍ୟା କିମ୍ବା ଟେଷ୍ଟିଂ ଉପକରଣ ଫେଲ୍ ହେବା ଯୋଗୁଁ ଏମିତି ହୋଇଥାଇପାରେ। ସମ୍ପୂର୍ଣ୍ଣ ରିପୋର୍ଟ ଆସିବାକୁ ପ୍ରାୟ ୬ ମାସ ସମୟ ଲାଗିପାରେ। ୨୦୧୬ ମସିହା ପରେ B-52 ବିମାନର ଏହା ହେଉଛି ପ୍ରଥମ ମାରାତ୍ମକ ଦୁର୍ଘଟଣା। ୧୯୫୦ ଦଶକରୁ ଆମେରିକା ବାୟୁସେନାରେ ସେବା ଯୋଗାଇ ଆସୁଥିବା ଏହି ଦୂରଗାମୀ ବୋମାବର୍ଷୀ ବିମାନ ପରମାଣୁ ଏବଂ ପାରମ୍ପରିକ ଅସ୍ତ୍ରଶସ୍ତ୍ର ବହନ କରିବାରେ ସକ୍ଷମ। ଦୁର୍ଘଟଣାସ୍ଥଳ ବାହାରେ ଅନ୍ୟ କୌଣସି ବାହ୍ୟ କ୍ଷୟକ୍ଷତି କିମ୍ବା କେହି ଆହତ ହୋଇନଥିବା ସୂଚନା ମିଳିଛି। ବୋଇଂ କମ୍ପାନୀ ଏବଂ ସମଗ୍ର ପ୍ରତିରକ୍ଷା ବିଭାଗ ପକ୍ଷରୁ ଏହି ଘଟଣାରେ ଗଭୀର ଶୋକ ପ୍ରକାଶ କରାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.7 ° C
    22.7 °
    22.7 °
    86 %
    1.4kmh
    3 %
    Tue
    30 °
    Wed
    30 °
    Thu
    29 °
    Fri
    30 °
    Sat
    31 °

    ସମ୍ବନ୍ଧିତ