Monday, August 24, 2026
27.4 C
Odisha

    ବିଦ୍ୟୁତ୍ ଝଟ୍‌କାରେ ଟଳିଲେ ୩ ହାତୀ

    ଆଗକୁ ପଢନ୍ତୁ

    ନାକଟିଦେଉଳ: ବାର୍‌ହା ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ୍ ତାର ଫାଶରେ ପଡ଼ି ଏକାଥରକେ ୩ଟି ହାତୀ ଆଖି ବୁଜିଛନ୍ତି। ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବନାଞ୍ଚଳ ଅନ୍ତର୍ଗତ ବୁରମାଳ ଜଙ୍ଗଲର ବୁଢ଼ାତଇଲାଠାରେ ଏହି ଅଘଟଣ ଘଟିଛି। ଘଟଣାସ୍ଥଳରେ ବନ ବିଭାଗ ଅଧିକାରୀମାନେ ପହଞ୍ଚିଥିବା ବେ‌ଳେ ଭୁବନେଶ୍ୱରରୁ ଓୟୁଏଟି ଟିମ୍ ଆସିଲେ ବ୍ୟବଚ୍ଛେଦ ପରେ ଶବ ପୋତାଯିବ ବୋଲି ବନ ବିଭାଗ କହିଛି। ଏହି ଘଟଣାରେ ୪ ଜଣଙ୍କୁ ବନ ବିଭାଗ ଅଟକ ରଖିଛି। ବନ ବିଭାଗର ସୂଚନା ମୁତାବକ, ରେଢ଼ାଖୋଲ ବନଖଣ୍ଡ ନାକଟିଦେଉଳ ବନାଞ୍ଚଳ ଘୋଷରାମାଳ ସେକ୍ସନ୍‌ ବୁରମାଲ ଜଙ୍ଗଲରେ ଥିବା କ୍ଷେତ ପାଖରେ ଦୁର୍ବୃତ୍ତମାନେ ବାର୍‌ହା ଶିକାର ପାଇଁ ବିଦ୍ୟୁତ୍‌ ତାର ବିଛାଇ ସେଥିରେ କରେଣ୍ଟ ଚାର୍ଜ କରିଥିଲେ। ଗତରାତିରେ ରେଢ଼ାଖୋଲରୁ ନାକଟିଦେଉଳ ଅଞ୍ଚଳକୁ ୧୧ଟି ହାତୀ ଯାଉଥିଲେ। ବୁରମାଳ ଗାଁ ନିକଟ ଜଂଗଲ ଅତିକ୍ରମ କରୁଥିବା ସମୟରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୩ଟି ହାତୀଙ୍କର ମୃତ୍ୟୁ ହୋଇ ଯାଇଥିଲା। ମୃତ ୩ ହାତୀଙ୍କ ମଧ୍ୟରେ ୨ଟି ମାଈହାତୀ ଓ ଗୋଟିଏ ଛୁଆ ଅଛନ୍ତି। ୨ଟି ମାଈ ହାତୀର ବୟସ ୨୫ରୁ ୩୦ବର୍ଷ ଏବଂ ଛୁଆ ହାତୀର ବୟସ ୩ ବର୍ଷ ହେବ ବୋଲି ଆରସିସିଏଫ୍‌ ଟି. ଅଶୋକ କୁମାର କହିଛନ୍ତି। ଆଜି ସକାଳେ ହାତୀ ମୃତ୍ୟୁ ଖବର ପାଇ ବନ୍ୟପ୍ରାଣୀ ବିଭାଗ ସିସିଏଫ୍‌ ଗଜାନନ ଲାଡେ, ରେଢ଼ାଖୋଲ ଡିଏଫ୍‌ଓ ଅରବିନ୍ଦ ମହାନ୍ତି, ନାକଟିଦେଉଳ ରେଞ୍ଜ ଅଧିକାରୀ ଅଶ୍ୱିନୀ ବେହେରା ଏବଂ ବିଭାଗର ଅନ୍ୟ କର୍ମଚାରୀମାନେ ପହଞ୍ଚିଥିଲେ। ଏହି ଘଟଣା ଜଣାପଡ଼ିବା ପରେ ବନ୍ୟପ୍ରାଣୀ ମୁଖ୍ୟାଳୟ ପକ୍ଷରୁ ଏକ ଯୁଗ୍ମ ଟାସ୍କଫୋର୍ସ (ଜେଟିଏଫ୍‌) ଗଠନ କରାଯାଇଥିଲା। ଜେଟିଏଫ୍‌ର ଅଧିକାରୀମାନେ ଘଟଣାସ୍ଥଳ‌ରେ ପହଞ୍ଚି ସ୍ଥିତି ନିରୀକ୍ଷଣ କରିଛନ୍ତି।

    ଟିପିଡବ୍ଲ୍ୟୁର ଡିଭିଜନାଲ ମୁଖ୍ୟ ରାଜୀବ ରଞ୍ଜନ ମଧ୍ୟ ସେଠାରେ ପହଞ୍ଚି ହାତୀ ମୃତ୍ୟୁର କାରଣ ଖୋଜିଥିଲେ। ସୂଚନାଯୋଗ୍ୟ, ୨୦୦୬ରେ ନାକଟିଦେଉଳ ଅନ୍ତର୍ଗତ ଚମ୍ପାଳି ନାଳ ପାଖରେ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ୩ଟି ହାତୀର ଜୀବନ ଯାଇଥିଲା। ୨୦୨୪ ଅଗଷ୍ଟ ୧୮ ତାରିଖରେ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଏକ ମାଈହାତୀର ମୃତ୍ୟୁ ହୋଇଥିଲା l ବାରମ୍ବାର ଏଭଳି ଅଘଟଣ ଘଟୁଥିଲେ ସୁଦ୍ଧା ବନବିଭାଗ ଓ ବିଦ୍ୟୁତ୍‌ ବିଭାଗ ଏହାକୁ ହାଲୁକା ଭାବେ ନେଉଥିବା ଅଭିଯୋଗ ହୋଇଛି। ବିଦ୍ୟୁତ୍‌ ତାର ଲାଗି ହାତୀ ମୃତ୍ୟୁ ହୋଇଥିବା ଏବଂ ହାତୀ ଦେହରୁ ରକ୍ତ ବାହାରିଥିବା ଜେଟିଏଫ୍‌ ପକ୍ଷରୁ ସୂଚନା ଦିଆଯାଇଛି। ଅପରପକ୍ଷେ ଏହି ଘଟଣାରେ ୪ ଜଣଙ୍କୁ ବନ ବିଭାଗ ଅଟକ ରଖିଛି। ଉଲ୍ଲେଖଯୋଗ୍ୟ ଯେ କିଛିଦିନ ତଳେ ସମ୍ବଲପୁର ଜିଲ୍ଲା ଯୁଯୁମୁରା ବ୍ଲକ୍‌ ଅଞ୍ଚଳରେ ଏକ ହାତୀଛୁଆର ମୃତ୍ୟୁ ଘଟିଥିଲା।
    ଅନୁସନ୍ଧାନ ପାଇଁ ଜେଟିଏଫ୍‌ ଗଠିତ

    ୪ ବନ କର୍ମଚାରୀ ନିଲମ୍ବିତ

    ଭୁବନେଶ୍ବର: ସମ୍ବଲପୁର ଫରେଷ୍ଟ ସର୍କଲର ରେଢ଼ାଖୋଲ ଡିଭିଜନ୍‌ ଅଧୀନ ନାକଟିଦେଉଳ ରେଞ୍ଜରେ ବିଦ୍ୟୁତ୍‌ ଆଘାତରେ ତିନି ହାତୀଙ୍କ ମୃତ୍ୟୁ ଘଟଣାକୁ ବନ ବିଭାଗ ଗୁରୁତ୍ୱର ସହ ନେଇଛି। ପ୍ରାଥମିକ ରିପୋର୍ଟ ଆସିବା କ୍ଷଣି କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ଆରମ୍ଭ ହୋଇଛି। କାର୍ଯ୍ୟରେ ଅବହେଳା ପ୍ରଦର୍ଶନ କରିଥିବା ୪ଜଣଙ୍କୁ ଚିହ୍ନଟ କରାଯିବା ସହ ନିଲମ୍ବନ କରାଯାଇଛି। ତିନିଜଣଙ୍କୁ ଗିରଫ କରାଯାଇଥିବା ବେଳେ ଜଣେ ଫେରାର୍‌ ଥିବା ଜଣାପଡ଼ିଛି। ପୁଲିସ ସହାୟତାରେ ବନ ବିଭାଗ ପକ୍ଷରୁ ଅଭିଯୁକ୍ତଙ୍କୁ ଧରିବାକୁ ପ୍ରୟାସ ଜାରି ରହିଛି। ଡିଏଫ୍‌ଓ ଓ ରେଞ୍ଜ ଅଫିସରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ବନ ବିଭାଗ ପକ୍ଷରୁ ରାଜ୍ୟ ସରକାରଙ୍କୁ ସୁପାରିସ କରାଯାଇଛି। ମଙ୍ଗଳବାର ସେମାନଙ୍କ ବିରୋଧରେ ବଡ଼ଧରଣର କାର୍ଯ୍ୟାନୁଷ୍ଠାନ ହୋଇପାରେ। ଆରସିସିଏଫ୍‌ଙ୍କ ତଦନ୍ତ ରିପୋର୍ଟ ଆଧାରରେ କାର୍ଯ୍ୟାନୁଷ୍ଠାନ ହେଉଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି। ସେପଟେ ୩ଟି ହାତୀ ମୃତ୍ୟୁ ଘଟଣା ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦ୍‌ବେଗ ପ୍ରକାଶ କରିଛନ୍ତି। ବିଦେଶ ଗସ୍ତରେ ଥିଲେ ମଧ୍ୟ ବିଭାଗୀୟ ଅଧିକାରୀମାନଙ୍କ ସହ ଆଲୋଚନା କରି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ପରାମର୍ଶ ଦେଇଛନ୍ତି। ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ମଧ୍ୟ ଏଭଳି ଘଟଣାକୁ ନେଇ ଚିନ୍ତାପ୍ରକଟ କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    27.4 ° C
    27.4 °
    27.4 °
    84 %
    2.6kmh
    99 %
    Mon
    29 °
    Tue
    30 °
    Wed
    30 °
    Thu
    27 °
    Fri
    28 °

    ସମ୍ବନ୍ଧିତ