Friday, February 27, 2026
30.3 C
Odisha

    ଉଷୁନା ଚାଉଳରେ ମହାପ୍ରସାଦ ରାନ୍ଧି ମହାପାପ କରିଛନ୍ତି ରାଜ୍ୟ ସରକାର: ମନମୋହନ ସାମଲ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର,ତା.୦୬/୦୨: ଗତ ୨ଦିନ ଧରି ପୁରୀ ଶ୍ରୀମନ୍ଦିରରୁ ଚାଂଚଲ୍ୟକର ତଥ୍ୟ ପଦାକୁ ଆସିଛି ଯାହା ଅଗଣିତ ଜଗନ୍ନାଥପ୍ରେମୀଙ୍କ ଆସ୍ଥା, ବିଶ୍ୱାସ ଉପରେ କୁଠାରାଘାତ କରିବା ସହିତ ପବିତ୍ର ଜଗନ୍ନାଥ ସଂସ୍କୃତି ଏବଂ ପରମ୍ପରାକୁ ଧୂଳିସାତ କରିଛି । ଏନେଇ ସାରା ଓଡ଼ିଶାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଉଛି । ପରିକ୍ରମା ପ୍ରକଳ୍ପ ସମୟରେ ବିଜୁ ଜନତା ଦଳ ତରଫରୁ ଯେଉଁଭଳି ଭାବରେ ଚାଉଳ ସଂଗ୍ରହ କରାଗଲା, ପରବର୍ତୀ ସମୟରେ ସେହି ବାରମିଶା (ଅରୁଆ / ଉଷୁନା)ଚାଉଳ କାହିଁକି ସଂଗୃହିତ କରାଯାଉଛି ସେ ନେଇ ମଧ୍ୟ ପ୍ରଶ୍ନ ଉଠିଥିଲା । ଗଜପତି ମହାରାଜା ସେହି ଚାଉଳ ସଂଗ୍ରହରେ ମନ୍ଦିର ପରିଚାଳନା ସମିତିର ସହମତି ନାହିଁ ବୋଲି ପ୍ରକାଶ କରିଥିଲେ । ସେହି ବାରମିଶା (ଅରୁଆ / ଉଷୁନା)ଚାଉଳକୁ ସରକାର ଏବେ ଶ୍ରୀମନ୍ଦିରରେ ମହାପ୍ରସାଦ ଆକାରରେ ଭୋଗ ଲଗାଉଛନ୍ତି । ଏହା ମନ୍ଦିର ପ୍ରଶାସନର ନିର୍ଦ୍ଦେଶରେ ହେଉଥିବାବେଳେ ହଜାର ହଜାର ବର୍ଷର ମନ୍ଦିର ନୀତି ଓ ପରମ୍ପରାକୁ ନଷ୍ଟ କରିଛି । ପ୍ରଶ୍ନ ହେଉଛି ଯେ, ଏତେ ବଡ ଭୁଲ୍ ନିଷ୍ପତି କାହାର ନିର୍ଦ୍ଦେଶରେ ଏବଂ କେଉଁ ସ୍ୱାର୍ଥରେ ଏବଂ କିଏ ଏବଂ କାହା ମାଧ୍ୟମରେ ନିଆଯାଇଛି? ଏହା ଉପରେ ରାଜ୍ୟ ସରକାର ସ୍ପଷ୍ଟୀକରଣ ଦେବା ଦରକାର ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି ।
    ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ସାମଲ କହିଛନ୍ତି ଯେ, ମନ୍ଦିର ପରମ୍ପରାର ବ୍ୟତିକ୍ରମ ଘଟାଇ “ଅର୍ପଣ ରଥ” ମାଧ୍ୟମରେ ନିଜର ରାଜନୈତିକ ସ୍ୱାର୍ଥ ସାଧନ ପାଇଁ ଯେଉଁଭଳି ଭାବରେ ମହାପ୍ରଭୁଙ୍କୁ ସାଧନ କରି ଚାଉଳ ଏବଂ ଦକ୍ଷିଣା ଆଦାୟ କରାଯାଇଥିଲା ସେତେବେଳେ ଉଷୁନା ଚାଉଳ ସଂଗ୍ରହ କରାଯାଇଥିବାର ଖବର ଗଣମାଧ୍ୟମରେ ପ୍ରକାଶ ପାଇଥିଲା । ଶ୍ରୀମନ୍ଦିରର ଅନେକ ସେବାୟତମାନେ ଏକଥା କହିଥିଲେ ଯେ, ସଂଗୃହିତ ବାରମିଶା ଚାଉଳରେ ମହାପ୍ରଭୁଙ୍କ ପାଖରେ ଭୋଗ ଲାଗିପାରିବ ନାହିଁ । ନୀତି ଅନୁଯାୟୀ ମନ୍ଦିରରେ କେବଳ ଗୋଟି ଚାଉଳ (ଏକପ୍ରକାର ଅରୁଆ ଚାଉଳ) ବ୍ୟବହାର କରାଯାଏ । ତଥାପି ଏ ସମସ୍ତ ବିଷୟକୁ ଅଣଦେଖା କରି ସରକାରୀ ଦଳର ରାଜନୈତିକ ଚାପରେ ଉଷୁନା ଚାଉଳକୁ ମନ୍ଦିରରେ ଭୋଗ ଲଗାଗଲା । ସାରା ଓଡ଼ିଶାରୁ କେହି ଜଣେ ହେଲେ ବି ଭକ୍ତ ଦାବି କରିନଥିଲେ ଯେ, ବାରମିଶା ଚାଉଳକୁ ମହାପ୍ରଭୁଙ୍କ ପାଖରେ ଭୋଗ ଲଗାଯାଉ । ଗଣମାଧ୍ୟମରେ ସେବାୟତମାନଙ୍କର ପ୍ରତିକ୍ରିୟା ଆସୁଛି ଯେଉଁଥିରେ ସେମାନେ ଶ୍ରୀମନ୍ଦିରରେ ଉଷୁନା ଚାଉଳ ପ୍ରବେଶକୁ କଡା ବିରୋଧ କରୁଛନ୍ତି । ସରକାର ଗଠନ କରିଥିବା ଯାଂଚ୍ କମିଟିର ସଦସ୍ୟ କହି ସାରିଲେଣି ଯେ, ଉଷୁନା ଚାଉଳରେ ମହାପ୍ରସାଦ ରନ୍ଧା ଯାଇଛି । ଉଷୁନା ଚାଉଳରେ ମହାପ୍ରସାଦ ରାନ୍ଧିବାର ଦୁର୍ବୁଦ୍ଧି କାହାର? ସେ ଲୋକ ଯିଏ ବି ହେଉନା କାହିଁକି ତାକୁ ବାନ୍ଧି ଜେଲ୍‌ରେ ପୁରାଇବା ଦରକାର ବୋଲି ଶ୍ରୀ ସାମଲ ଦାବି କରିଛନ୍ତି ।
    ଅର୍ପଣ ଯାତ୍ରାବେଳେ ଲୋକମାନେ ମନଖୋଲି ଟଙ୍କା ମଧ୍ୟ ଦାନ କରିଥିଲେ । ସେ ଟଙ୍କା ଗଲା କୁଆଡେ? ସରକାର ମଧ୍ୟ ନିଜେ ଘୋଷଣା କରିଥିଲେ ଯେ, ସଂଗୃହିତ ଟଙ୍କାକୁ ଶ୍ରୀମନ୍ଦିର ହୁଣ୍ଡିରେ ଜମା କରିବେ ବୋଲି । ଗୋଟିଏ ଦିନ ମାତ୍ର ୫୦ହଜାର ଟଙ୍କା ଜମା କରାଯାଇଥିଲା ବୋଲି ଗଣମାଧ୍ୟମରେ ସରକାରଙ୍କ ତରଫରୁ ବିବୃତି ପ୍ରକାଶ କରାଯାଇଥିଲା । ବାକି ଟଙ୍କା ଗଲା କୁଆଡେ? ଗୋଟିଏ ଗୋଟିଏ ବ୍ଲକରୁ ଲକ୍ଷାଧିକ ଟଙ୍କା ଭକ୍ତମାନେ ଦାନ ଦେଇଥିଲେ । ସେହି ଟଙ୍କା ମହାପ୍ରଭୁ ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ଦାନ କରାଯାଇଥିଲା । କିନ୍ତୁ, ସେହି ଟଙ୍କାକୁ ବିଜେଡି ଦଳର କର୍ମୀମାନେ ହଡପ କରି ନେଇ ଭୋଜି, ଭାତ, ମଦ, ମାଂସ କରି ମଉଜ କରିବାର ଖବର ମଧ୍ୟ ପଦାକୁ ଆସିଛି । ବିଜୁ ଜନତା ଦଳ ଓ ତାଙ୍କ ସରକାର ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦାନ ଅର୍ଥକୁ ମଧ୍ୟ ଚଳୁ କଲେ ବୋଲି ଶ୍ରୀ ସାମଲ କହିଛନ୍ତି ।
    ଅର୍ପଣ ଯାତ୍ରାବେଳେ ଟଙ୍କା ଆଦାୟ କରିବା ପାଇଁ କିଏ କହିଥିଲା? ସରକାରୀ ଆୟୋଜନରେ କରାଯାଇଥିବା ଅର୍ପଣ ଯାତ୍ରାରେ ସଂଗୃହିତ ହୋଇଥିବା ଅର୍ଥ ପାଇଁ କାହିଁକି ରସିଦ୍ ବ୍ୟବସ୍ଥା କରାଗଲା ନାହିଁ ତାହା ଏକ ବଡ ପ୍ରଶ୍ନ । ଶ୍ରୀମନ୍ଦିର ପରିଚାଳନା ନିୟମ ଓ ହିନ୍ଦୁ ଦେବତ୍ୱୋର ଆଇନ ଅନୁସାରେ ମନ୍ଦିରକୁ ଆସୁଥିବା ପ୍ରତିଟି ଦାନର ରସିଦ୍ ଭକ୍ତମାନଙ୍କୁ ଦେବା ବାଧ୍ୟତାମୂଳକ ହୋଇଥିଲାବେଳେ ଏଭଳି ବ୍ୟତିକ୍ରମ କିଭଳି କରାଗଲା? ରସିଦ୍ ଦିଆନଯିବାର ଏକମାତ୍ର କାରଣ ଏହା ଯେ, ବିଜୁ ଜନତା ଦଳର ନେତାମାନେ ଦାନ ଟଙ୍କାକୁ ପକେଟ୍‌ରେ ପୂରାଇ ଚଳୁ କରିବା । “ଖଟୁଳି ଖାଇ ଦିଅଁ ଖାଇବା” ଦଳ ହେଉଛି ବିଜୁ ଜନତା ଦଳ । ଯେଉଁମାନେ ନିକଟ ଅତୀତରେ ଗୋମାଂସ ଭକ୍ଷଣକାରୀଙ୍କୁ ପ୍ରବେଶ କରାଇଥିଲେ ସେମାନେ ଆଜି ମନ୍ଦିରରେ ଉଷୁନା ଚାଉଳ ପ୍ରବେଶ କରାଇଲେ ଏବଂ ଦାନ ଅର୍ଥକୁ ହଡପ କରିବାର ଦୁଃସାହସ କଲେ । ଶ୍ରୀମନ୍ଦିର ଇତିହାସରେ ଏଭଳି କୁକର୍ମ ନା କେବେ ହେଇଥିଲା ନା ଓଡ଼ିଶାର ଲୋକ କେବେ ଏଭଳି ଦୁଃଖଦ ଖବର ଦେଖିଥିଲେ । ତୁରନ୍ତ ଏହି ଅପରାଧରେ ସଂପୃକ୍ତ ବ୍ୟକ୍ତିଙ୍କ ଉପରେ IPC Section 295(A )ରେ ମାମଲା ରୁଜୁ କରାଯାଉ । ଆଗାମୀ ଦିନରେ ଭାରତୀୟ ଜନତା ପାର୍ଟି ଏ ପ୍ରସଙ୍ଗକୁ ଏକ ପ୍ରମୁଖ ପ୍ରସଙ୍ଗ ଭାବରେ ନେଇ ଲୋକଙ୍କ ପାଖକୁ ଯିବ ବୋଲି ଶ୍ରୀ ସାମଲ କହିଛନ୍ତି ।
    ଏହି ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି, ବିଧାୟକ ଜୟନ୍ତ ଷଡଙ୍ଗୀ, ରାଜ୍ୟ ଉପସଭାପତି ବିରଂଚି ନାରାୟଣ ତ୍ରିପାଠୀ, ରାଜ୍ୟ ସାଧାରଣ ସମ୍ପାଦକ ଡ.ଯତୀନ ମହାନ୍ତି, ରାଜ୍ୟ ମୁଖପାତ୍ର ଅନୀଲ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.3 ° C
    30.3 °
    30.3 °
    17 %
    1kmh
    4 %
    Fri
    33 °
    Sat
    35 °
    Sun
    37 °
    Mon
    37 °
    Tue
    38 °

    ସମ୍ବନ୍ଧିତ