Saturday, July 27, 2024
24.5 C
Odisha

    ବିଜେଡିର ୫୬ ଲକ୍ଷ ନିଯୁକ୍ତିର ନିର୍ବାଚନ ପ୍ରତିଶୃତି କୁଆଡେ ଗଲା : ଅନିଲ ବିଶ୍ୱାଳ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର,ତା.୧୩/୦୨: ଗତକାଲି ରାଜ୍ୟ ସରକାର କ୍ୟାବିନେଟରେ ଯେଉଁ ପ୍ରମୁଖ ଦୁଇଟି ନିଷ୍ପତି ନେଇଛନ୍ତି ଦୁଇଟି ଯାକ ନିଷ୍ପତି ମିଥ୍ୟା ଓ ଛଳନାରେ ପରିପୂର୍ଣ୍ଣ । କେନ୍ଦ୍ରୀୟ ଯୋଜନାକୁ ହଡପ କରି ଲେବଲ ଲଗାଇ ଲୋକଙ୍କୁ ଠିକ ନିର୍ବାଚନ ଆଗରୁ କିଭଳି ଭୁଆଁ ବୁଲାଯାଏ ତାହା ବିଜେଡି ସରକାରଙ୍କୁ ଭଲ ଭାବରେ ଜଣାଅଛି । ଯୁବକ ଯୁବତୀମାନଙ୍କ ପାଇଁ ଆରମ୍ଭ ହୋଇଥିବା “ସ୍ୱୟମ” ଯୋଜନା ହେଉଛି କେନ୍ଦ୍ର ସରକାରଙ୍କ “କ୍ରେଡିଟ ଗ୍ୟାରେଂଟି ଫଣ୍ଡ ଫର ମାଇକ୍ରୋ ଆଣ୍ଡ ସ୍ମଲ ଏଂଟରପ୍ରାଇଜେସ” ଯୋଜନାର କପି ପେଷ୍ଟ । ଏଥିରେ ସମସ୍ତ ଅର୍ଥ କେନ୍ଦ୍ର ସରକାର ଦେଉଥିବା ବେଳେ ମାତ୍ର ୧୫% ଅର୍ଥ ଦେଇ ରାଜ୍ୟ ସରକାର ଏହାକୁ ନିଜର ନୂଆ ଯୋଜନା ବୋଲି କହୁଛନ୍ତି । କେନ୍ଦ୍ର ସରକାରଙ୍କ ଲଘୁ ଓ ମଧ୍ୟମ ଉଦ୍ୟମିତା ମନ୍ତ୍ରଣାଳୟର ଯୋଜନାକୁ ରାଜ୍ୟ ସରକାର ଚୋରି କରି ଏହାକୁ “ସ୍ୱୟମ” ଯୋଜନା ନାଁରେ ନାମକରଣ କରିଛନ୍ତି । ଯଦି ସତରେ ବିଜେଡି ସରକାରଙ୍କର ଓଡିଶାର ଯୁବକ ଯୁବତୀମାନଙ୍କ ନିଯୁକ୍ତି ଓ ଆତ୍ମ ନିଯୁକ୍ତି ପ୍ରତି ଚିନ୍ତା ଅଛି ତାହେଲେ ସେମାନେ ସ୍ପଷ୍ଟ କରନ୍ତୁ ବିଗତ ତିନୋଟି ନିର୍ବାଚନରେ ଯେଉଁ ସର୍ବମୋଟ ୫୬ ଲକ୍ଷ ନିଯୁକ୍ତି ଓ ଆତ୍ମ ନିଯୁକ୍ତି ଦେବେ ବୋଲି ବିଜେଡି ଘୋଷଣା କରିଥିଲା ତାହା କୁଆଡେ ଗଲା ? ୨୦୨୪ ନିର୍ବାଚନରେ ଓଡିଶାର ଯୁବଗୋଷ୍ଠୀ ବିଜେଡି ସରକାରଙ୍କର ସବୁ ପ୍ରତାରଣାର ଜବାବ ଦେବେ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ମୁଖପାତ୍ର ଅନିଲ ବିଶ୍ୱାଳ କହିଛନ୍ତି ।
    ଶ୍ରୀ ବିଶ୍ୱାଳ କହିଛନ୍ତି ଯେ, ୨୦୧୯ ନିର୍ବାଚନ ଇସ୍ତାହାରରେ ମୁଖ୍ୟମନ୍ତ୍ରୀ ନବୀନ ବାବୁ ୩୦ ଲକ୍ଷ ନିଯୁକ୍ତି ସୃଷ୍ଟି କରିବେବୋଲି ଘୋଷଣା କରିଥିଲା । ସେହିଭଳି ୨୦୧୪ ନିର୍ବାଚନ ଇସ୍ତାହାରରେ ମଧ୍ୟ ବିଜେଡି ପ୍ରତି ପଂଚାୟତରେ ୧୫୦ ଯୁବକ ଯୁବତୀଙ୍କ ପାଇଁ ନିଯୁକ୍ତି ସୃଷ୍ଟି କରିବ ବୋଲି ପ୍ରତିଶୃତି ଦେଇଥିଲା । ୨୦୦୯ ନିର୍ବାଚନ ସମୟରେ ବିଜେଡି ଦଳ ତାର ଇସ୍ତାହାରରେ ରାଜ୍ୟରେ ୧୫ ଲକ୍ଷ ଲୋକଙ୍କୁ ନିଯୁକ୍ତି ଦେବ ବୋଲି ଘୋଷଣା କରିଥିଲା । କୁଆଡେ ଗଲା ସେହି ୩ଟି ନିର୍ବାଚନରେ ବିଜେଡି ତାର ଦଳୀୟ ଇସ୍ତାହାରରେ କହିଥିବା ୫୬ ଲକ୍ଷ ନିଯୁକ୍ତିର ପ୍ରତିଶୃତି । କୁଆଡେ ଗଲା ମୁଖ୍ୟମନ୍ତ୍ରୀ କର୍ମ ନିଯୁକ୍ତି ସୃଷ୍ଟି ଯୋଜନା ? କାହିଁକି ରାଜ୍ୟ ସରକାର ବିଜୁ ଆତ୍ମ ନିଯୁକ୍ତି ଯୋଜନା – ବାଣି କୁ ବନ୍ଦ କରିଦେଲେ ? ଏବେ କେବଳ କେନ୍ଦ୍ରୀୟ ଯୋଜନାରେ ଲୋଗ ମାରି ବଂଚିଛନ୍ତି ରାଜ୍ୟ ସରକାର । ବାସ୍ତବରେ ଓଡିଶା ସରକାର ରାଜ୍ୟର ଏକ କୋଟି ଯୁବକ ଯୁବତୀମାନଙ୍କ ନିଯୁକ୍ତି ଓ ଆତ୍ମନିଯୁକ୍ତି ପାଇଁ କିଛି କରିନାହାନ୍ତି । ଓଡିଶାରେ ଏତେ ପ୍ରାକୃତିକ ସମ୍ପଦ ଥିବା ସତ୍ୱେ ରାଜ୍ୟର ୩୦ ଲକ୍ଷ ଯୁବକ ଯୁବତୀ ବାହାର ରାଜ୍ୟରେ କାମ କରିବା ହିଁ ଦର୍ଶାଉଛି ରାଜ୍ୟ ସରକାରଙ୍କର ପାରିବା ପଣିଆ ।
    ସେହିଭଳି ବ୍ୟାଗ ଓ ଟଙ୍କା ବାଂଟିବା ନେଇ କ୍ୟାବିନେଟ୍‌ରେ ହୋଇଥିବା ନିଷ୍ପତି ଉପରେ ଶ୍ରୀ ବିଶ୍ୱାଳ କହିଛନ୍ତି ଯେ, ନିର୍ବାଚନ ଆଗରୁ ଭୋଟରକୁ ଲାଂଚ ଦେବା ପାଇଁ ଏହି ଯୋଜନା ଆରମ୍ଭ କରାଯାଇଛି । କେନ୍ଦ୍ର ସରକାର ଓଡିଶାର ୩ କୋଟି ୨୬ ଲକ୍ଷ ଲୋକଙ୍କୁ ମାଗଣା ଚାଉଳ ଦେଉଛନ୍ତି । ନବୀନ ବାବୁଙ୍କର ସରକାର କେବଳ ମିଛ କହିଆସୁଛି । ଲୋକମାନେ “ଆମ ଓଡିଶା ନବୀନ ଓଡିଶା” ଲୋଗ ଥିବା ବ୍ୟାଗକୁ ସେଥିପାଇଁ ଅନେକ ସ୍ଥାନରେ ପୋଡିଦେଲେ । ଅନେକ ସ୍ଥାନରେ ବ୍ୟାଗକୁ ଲୋକମାନେ ନେଲେ ନାହିଁ । ଯେଉଁଥିରେ ସରକାର ଡରିଯାଇ ଏବେ ବ୍ୟାଗ ସହିତ ହଜାରେ ଟଙ୍କା ଲାଂଚ ଦେବା ପାଇଁ ନିଷ୍ପତି ନେଇଛନ୍ତି । ଭୋଟ ପାଇଁ ସରକାର ଲାଂଚ ଦେବା ହିଁ ପ୍ରମାଣିତ କରୁଛି ଯେ ବିଜେଡି ୨୦୨୪ ନିର୍ବାଚନରେ ହାରୁଛି ।
    ଶ୍ରୀ ବିଶ୍ୱାଳ କହିଛନ୍ତି, ବଂଟାଯାଉଥିବା ବ୍ୟାଗର ବଜାର ଦାମ ମାତ୍ର ୩୦ ରୁ ୪୦ ଟଙ୍କା ହୋଇଥିବା ବେଳେ ଏହାକୁ ୨୦୦ ଟଙ୍କା ଦରରେ କିଣାଯାଇଛି । ଯାହା କ୍ୟାବିନେଟରେ ସରକାର ଦେଇଥିବା ଅର୍ଥ ହିସାବରୁ ବୁଝାପଡୁଛି । ଓଡିଶାରେ ଝୋଟ କାରଖାନା ନଥିବା ବେଳେ ଏତେ ସଂଖ୍ୟାରେ ଝୋଟ ବ୍ୟାଗ କେଉଁ ତାମିଲନାଡୁ ସଂସ୍ଥାରୁ କିଣାଯାଇଛି ଓ ଏଥିରେ କେତେ ଟଙ୍କା କମିଶନି କାରବାର ହୋଇଛି ଏହା ଉପରେ ମଧ୍ୟ ସତ୍ୟ ସାମ୍ନାକୁ ଆସିବା ଦରକାର ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.5 ° C
    24.5 °
    24.5 °
    97 %
    2.6kmh
    100 %
    Fri
    24 °
    Sat
    25 °
    Sun
    29 °
    Mon
    30 °
    Tue
    30 °

    ସମ୍ବନ୍ଧିତ