Sunday, April 12, 2026
36.4 C
Odisha

    ବିଜେଡି-ବିଜେପି ନେତାଙ୍କୁ ମେଣ୍ଟ ଚିନ୍ତା: ଫାଇଦା ନେବା ଲକ୍ଷ୍ୟରେ କଂଗ୍ରେସ

    ଆଗକୁ ପଢନ୍ତୁ

    ରାୟଗଡ଼ା: ଏକଦା କଂଗ୍ରେସର ଗଡ଼ ଥିଲା କୋରାପୁଟ ଲୋକସଭା ଆସନ। ୨୦୦୯ ନିର୍ବାଚନ ପରଠାରୁ ବିଜୁ ଜନତା ଦଳ କଂଗ୍ରେସ ବିଜୟରେ ରୋକ୍ ଲଗାଇଥିଲା। ହେଲେ ୨୦୧୯ ନିର୍ବାଚନରେ କଂଗ୍ରେସ ଏହି ଆସନକୁ ଅକ୍ତିଆର କରିବା ପରେ ରାଜନୀତି ଅଙ୍କ ବଦଳିଛି। ବିଶେଷକରି ବିଜେଡି-ବିଜେପି ମଧ୍ୟରେ ପୁଣି ଥରେ ମେଣ୍ଟ ହେବ ବୋଲି ଚର୍ଚ୍ଚା ହେବା ପରେ ରାଜନୀତି ଅଙ୍କ ଗୋଳିଆ ଧରିଛି।ଏଣୁ ଆସନ୍ତା ସାଧାରଣ ନିର୍ବାଚନରେ ଏହି ଆସନର ଭାଗ୍ୟ କଣ ହେବ, ସେ ନେଇ ଏବେଠାରୁ ଅବଗଣନା ଆରମ୍ଭ ହୋଇଗଲାଣି।
    ମେଣ୍ଟ ଚର୍ଚ୍ଚା ପୂର୍ବରୁ ରାୟଗଡ଼ା ଜିଲ୍ଲାରେ ତିନି ପ୍ରମୁଖ ଦଳ ବିଜେଡି-ବିଜେପି-କଂଗ୍ରେସର ଆଶାୟୀ ନେତା ‌ଟିକେଟ୍ ହାତେଇବା ପାଇଁ ଶକ୍ତି ପ୍ରଦର୍ଶନ କରିବା ଆରମ୍ଭ କରି ଦେଇଥିଲେ। ରାୟଗଡ଼ା, ବିଷମକଟକ, ଗୁଣପୁର ନିର୍ବାଚନ ମଣ୍ଡଳୀରେ ମିଶ୍ରଣ ପର୍ବ, ସଭା ସମିତି, କ୍ରିକେଟ୍, ଫୁଟବଲ୍, ଭଲିବଲ୍ ଟୁର୍ନାମେଣ୍ଟ୍ ଆୟୋଜନରେ ମାତିଥିଲେ ନେତା। ମେଣ୍ଟ ଚର୍ଚ୍ଚା ପରେ ନିର୍ବାଚନ ମଇଦାନରୁ ବିଜେଡି-ବିଜେପି ନେତା ହଠାତ୍ ଉଭାନ୍ ହୋଇଯାଇଛନ୍ତି। କଂଗ୍ରେସ ଏହି କ୍ଷେତ୍ରରେ ଆଗୁଆ ରହିଛି। କୋରାପୁଟ ସାଂସଦ ସପ୍ତଗିରି ଉଲାକାଙ୍କ ନେତୃତ୍ବରେ ଆଶାୟୀ ପ୍ରାର୍ଥୀ ଲୋକଙ୍କ ନିକଟକୁ ଯାଇ ଜନସଂପର୍କ ରଖୁଛନ୍ତି।
    ୨୦୦୯, ୨୦୧୪ରେ ପରାଜୟ ମୁହଁ ଦେଖିଥିବା କଂଗ୍ରେସ ୨୦୧୯ ନିର୍ବାଚନରେ ଓଡ଼ିଶାରେ ଏକ ମାତ୍ର କୋରାପୁଟ ଲୋକସଭା ଆସନରୁ ବିଜୟୀ ହୋଇଥିଲା। ହେଲେ କୋରାପୁଟ, ଜୟପୁର, ପଟାଙ୍ଗି, ଲକ୍ଷ୍ମୀପୁର, ରାୟଗଡ଼ା, ବିଷମକଟକ, ଗୁଣପୁର ବିଧାନସଭା ଆସନ ମଧ୍ୟରୁ କେବଳ ଜୟପୁରକୁ ଛାଡ଼ିଲେ ଅନ୍ୟ ୬ ଆସନରେ କଂଗ୍ରେସ ପ୍ରାର୍ଥୀ ଜିତି ପାରିନଥିଲେ. ୨୦୨୪ରେ ଏହାର ପୁନରାବୃତ୍ତି ନ କରିବାକୁ ସପ୍ତଗିରିଙ୍କ ନେତୃତ୍ବରେ କଂଗ୍ରେସ ସ୍ବତନ୍ତ୍ର ରଣନୀତି କରିଛି। ପୂର୍ବ ଅପେକ୍ଷା ଜୟପୁର, କୋରାପୁଟ, ଗୁଣପୁର, ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀରେ ଦଳ ଅଧିକ ସକ୍ରିୟ ହୋଇଛି।

    ଅନ୍ୟପକ୍ଷରେ ୨୦୧୯ ନିର୍ବାଚନରେ ବିଜେପି କୌଣସି ବିଧାନସଭା ଆସନରେ ବିଜୟୀ ହୋଇନଥିଲା। ହେଲେ ବିଜେଡି ସାଂସଦ ପ୍ରାର୍ଥୀଙ୍କୁ ହରାଇବାରେ ପ୍ରମୁଖ ଭୂମିକା ନେଇଥିଲା। ୨୦୧୪ ନିର୍ବାଚନରେ ବିଜେପି ସାଂସଦ ପ୍ରାର୍ଥୀ ୮୯ ହଜାର ଭୋଟ ପାଇଥିବା ବେଳେ ୨୦୧୯ରେ ଦଳୀୟ ଭୋଟ ୨ଲକ୍ଷ ୮ ହଜାରକୁ ବୃଦ୍ଧି ପାଇଥିଲା। ବିଜେପିର ଭୋଟ ହାର ବୃଦ୍ଧି ପ୍ରଭାବ ରାୟଗଡ଼ା ବିଧାନସଭା ଆସନରେ ପଡ଼ିବା କାରଣରୁ ଦଳୀୟ ପ୍ରାର୍ଥୀ ମାତ୍ର ୩ହଜାର ଭୋଟରେ ହାରିଥିଲେ। ୨୦୨୪ ନିର୍ବାଚନରେ ପରାଜୟ ଏଡ଼ାଇବାକୁ ବିଜେଡି ପୂର୍ବତନ ରାଜ୍ୟସଭା ସାଂସଦ ଏନ୍ ଭାସ୍କର ରାଓଙ୍କ ନେତୃତ୍ବରେ ସ୍ବତନ୍ତ୍ର ରଣନୀତି ଆରମ୍ଭ କରିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    36.4 ° C
    36.4 °
    36.4 °
    11 %
    1.2kmh
    0 %
    Sun
    39 °
    Mon
    41 °
    Tue
    42 °
    Wed
    44 °
    Thu
    44 °

    ସମ୍ବନ୍ଧିତ