Thursday, March 19, 2026
22.8 C
Odisha

    ଦିଲ୍ଲୀରେ ବିଜେପିର ଟିକେଟ କସରତ: ଖୁବ୍‌ଶୀଘ୍ର ୭୦ ବିଧାନସଭା, ୩ ଲୋକସଭାର ପ୍ରାର୍ଥୀ ଘୋଷଣା

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ନୂଆଦିଲ୍ଲୀରେ ଆଜି ବିଜେପିର କୋର୍‌ କମିଟି ଓ କେନ୍ଦ୍ରୀୟ ନେତୃବର୍ଗଙ୍କ ବୈଠକ ବସିଛି। ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିଥିବା ଏହି ବୈଠକରେ ଓଡ଼ିଶାର ୩ଟି ଲୋକସଭା ଆସନ କଟକ, କନ୍ଧମାଳ ଓ ଯାଜପୁର ଏବଂ ୧୪୭ଟି ଯାକ ବିଧାନସଭା ଆସନର ପ୍ରାର୍ଥୀଙ୍କ ବିଷୟରେ ଆଲୋଚନା ହୋଇଛି। ଖୁବ୍‌ଶୀଘ୍ର ପ୍ରାୟ ୭୦ଟି ବିଧାନସଭା ଏବଂ ବଳକା ୩ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା ହେବ। ଓଡ଼ିଶାରେ ପ୍ରଥମ ରାଜନୈତିକ ଦଳ ଭାବେ ବିଜେପି ପ୍ରାର୍ଥୀଙ୍କ ନାମ ଘୋଷଣା କରିବା ପରେ ବିଜେଡି ଆଉ ଦୁଇ ପାଦ ଆଗକୁ ଯାଇ ଦୁଇଟି ପର୍ଯ୍ୟାୟରେ ୧୫ଟି ଲୋକସଭା ଏବଂ ୭୨ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ବିଜେଡି ବିଧାୟକ ପ୍ରାର୍ଥୀଙ୍କ ତାଲିକାରେ ପ୍ରାୟ ସବୁ ସ୍ଥାନରେ ଏବେକାର ବିଧାୟକଙ୍କୁ ପ୍ରାର୍ଥୀ କରାଯାଇଥିବାରୁ ବହୁ ଆଶାୟୀ ହତାଶ ହୋଇଛନ୍ତି। ସେଥିରୁ ବହୁ ନେତା ଏବେ ବିଜେପି ନେତୃବର୍ଗଙ୍କ ସହ ଯୋଗାଯୋଗରେ ରହିଛନ୍ତି। ତେଣୁ କେଉଁଠି ବିଜେପି ନିଜ ଦଳର ନେତାଙ୍କୁ ପ୍ରାର୍ଥୀ କରିବ ନା ଦଳଡିଆଁଙ୍କୁ ସୁଯୋଗ ଦେବ ସେନେଇ ଏବେଠୁ ଦ୍ବନ୍ଦ୍ବରେ ପଡ଼ିଛି। ଏପଟେ ବିଜେପିର ବିଧାୟକ ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇନଥିବାରୁ ଆଶାୟୀ ପ୍ରାର୍ଥୀମାନେ ଭୁବନେଶ୍ବରରୁ ଦିଲ୍ଲୀ ପର୍ଯ୍ୟନ୍ତ ଲବିରେ ମାତିଛନ୍ତି। ଦଳଡିଆଁଙ୍କୁ ସୁଯୋଗ ଦେବାକୁ ଯାଇ ତାଙ୍କ ଟିକେଟ୍ କାଟି ଦିଆଯିବନି ତ ସେ ଭୟ ବି ଘାରୁଛି। ଆଜି ସଂଧ୍ୟାରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ସାଧାରଣ ସମ୍ପାଦକ (ସଂଗଠନ) ମାନସ କୁମାର ମହାନ୍ତି, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂହ ତୋମାର, ସହପ୍ରଭାରୀ ଲତା ଉସେଣ୍ଡି, ରାଜ୍ୟ ବିଜେପିର କେତେକ ବରିଷ୍ଠ ନେତା ଦିଲ୍ଲୀରେ ଆଲୋଚନା କରିଛନ୍ତି।
    ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ବିଜେଡି ଟିକେଟ୍ ନମିଳିବା ପରେ ଅସନ୍ତୁଷ୍ଟ ଥିବା କେତେକ ନେତା ବିଜେପିର ରାଜ୍ୟ ନେତୃତ୍ବଙ୍କ ସହ ସର୍ତ୍ତ ରଖିଛନ୍ତି ଯେ ସେମାନଙ୍କୁ ଯଦି ପ୍ରାର୍ଥୀ କରାଯିବ ତେବେ ସେମାନେ ବିଜେଡି ଛାଡ଼ି ବିଜେପିରେ ମିଶିବେ। ତେଣୁ ବିଜେପି ନେତୃମଣ୍ଡଳୀ ପୂର୍ବରୁ ଯେଉଁ ତାଲିକା ଚୂଡ଼ାନ୍ତ କରିଥିଲେ ତାହାକୁ ଏବେ ସ୍ଥଗିତ ରଖିଛନ୍ତି। ପ୍ରଥମ ପର୍ଯ୍ୟାୟରେ ବିଜେପି ବିଧାୟକ ଥିବା ଆସନ ଓ ଆଉ ୫୦ଟି ଆସନର ପ୍ରାର୍ଥୀଙ୍କ ନାମ ଘୋଷଣା ହେବ। ବିଜେଡି ତୃତୀୟ ପର୍ଯ୍ୟାୟ ତାଲିକା ଘୋଷଣା କରିବା ପରେ ବିଜେପି ଦ୍ବିତୀୟ ପର୍ଯ୍ୟାୟରେ କେତେକ ବିଧାନସଭା ପ୍ରା‌ର୍ଥୀଙ୍କ ନାମ ଘୋଷଣା କରିବ। ଅପରପକ୍ଷେ ଭର୍ତ୍ତୃହରି ମହତାବଙ୍କୁ କଟକରୁ ଲୋକସଭା ପ୍ରାର୍ଥୀ କରିବାକୁ ଆପାତତଃ ନିଷ୍ପତ୍ତି ନିଆଯାଇଛି। କନ୍ଧମାଳରୁ ଖାରବେଳ ସ୍ବାଇଁ ପ୍ରାର୍ଥୀ ହେବେନି ବୋଲି ମନା କରିବା ପରେ ସେଠାରେ ଦଳ କାହାକୁ ପ୍ରାର୍ଥୀ କରିବ ଦ୍ବନ୍ଦ୍ବରେ ଅଛି। କନ୍ଧମାଳ ଓ ଯାଜପୁର ଲୋକସଭା ଆସନ ପାଇଁ ବହୁ ଦାବିଦାର ନଥିବାରୁ ଦଳକୁ ନିଷ୍ପତ୍ତି ନେବାରେ ସମସ୍ୟା ହେଉନି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    22.8 ° C
    22.8 °
    22.8 °
    58 %
    3kmh
    95 %
    Thu
    23 °
    Fri
    33 °
    Sat
    34 °
    Sun
    34 °
    Mon
    35 °

    ସମ୍ବନ୍ଧିତ