Saturday, April 11, 2026
24 C
Odisha

    ଜନ୍ମଦାତ୍ରୀ ମାଆକୁ ଅନେକ ବର୍ଷ ଖୋଜିଲା ପୁଅ; ଭେଟିବାକୁ ଗଲା ବେ‌ଳକୁ ସେ ଗାଧୁଆଘରେ ମରି ପଡ଼ିଥିଲେ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଦୀର୍ଘ ବର୍ଷର ପ୍ରଚେଷ୍ଟା ପରେ ଜନ୍ମଦାତ୍ରୀ ମାଆର ସନ୍ଧାନ ପାଇଥିବା ଷ୍ଟିଭେନ୍‌ ସ୍ମିଥ୍‌ ନାମରେ ଜଣେ ୪୩ ବର୍ଷିୟ ବ୍ରିଟିସ୍‌ ନାଗରିକ ଦୁଃଖରେ ମ୍ରିୟମାଣ ହୋଇପଡ଼ିଛନ୍ତି ବୋଲି ଗଣମାଧ୍ୟମ ‘ବିବିସି’ ରିପୋର୍ଟ କରିଛି। ବାଲ୍ୟାବସ୍ଥାରୁ ପୋଷ୍ୟପୁତ୍ର ହୋଇଯାଇଥିବା ସ୍ମିଥ୍‌ଙ୍କ ପାଇଁ ତାଙ୍କ ଜନ୍ମଦାତ୍ରୀ ମାଆ ରହସ୍ୟମୟ ହୋଇଯାଇଥିଲା। ବର୍ଷ ବର୍ଷ ଧରି ମାଆକୁ ଖୋଜିବା ପରେ ‘ଡିଏନ୍‌ଏ’ ଟେଷ୍ଟ୍‌ କରି ସେ ଏହି ରହସ୍ୟ ଉଦ୍‌ଘାଟନ କଲେ। ଜାଣିଲେ ଦୀର୍ଘ ବର୍ଷ ହେବ ନିରୁଦ୍ଦିଷ୍ଟ ଥିବା ତାଙ୍କ ମାଆ ହେଉଛନ୍ତି ଡାଫ୍‌ନି ମୋର୍‌ଫାଇଡ୍‌। ଜନ୍ମଦାତ୍ରୀ ମାଆକୁ ତା’ ଘରେ ‘ସର୍‌ପ୍ରାଇଜ୍‌’ ଦେବେ ବୋଲି ମନରେ ଅସୁମାରି ଆଶା ନେଇ ୨୦୨୧ ମାର୍ଚରେ ସ୍ମିଥ୍‌ ବାହାରିଲେ। କିନ୍ତୁ, ମାଆ ସହିତ ପୁର୍ନମିଳନ ଲାଗି ତାଙ୍କ ଦୀର୍ଘ ବର୍ଷର ଆଶା ଦୁଃଖରେ ବିପର୍ଯ୍ୟସ୍ତ ହୋଇଗଲା। ମାଆ ଡାଫ୍‌ନି ରହୁଥିବା ବିଥ୍‌ନାଲ୍‌ ଗ୍ରିନ୍‌ ଫ୍ଲାଟ୍‌କୁ ଯାଇ ସ୍ମିଥ୍‌ ଦେଖିଲେ ଗାଧୁଆଘର ଚଟାଣରେ ତାଙ୍କର ନିଷ୍ପ୍ରାଣ ଦେହ ପଡ଼ିଛି। ଆକସ୍ମିକ ବିୟୋଗଜନିତ ଘଟଣାରେ ବିପର୍ଯ୍ୟସ୍ତ ହୋଇପଡ଼ିଥିବା ସ୍ମିଥ୍‌ଙ୍କ ଦୁଃଖକୁ ବଳିଗଲା ମାଆଙ୍କ ସହିତ ଦେଖା କରିବା ଲାଗି ସେ ଆରମ୍ଭ କରିଥିବା ଉଦ୍ୟମର ଅପୂର୍ଣ୍ଣତା।

    ଏବେ ସେ ଚାହୁଁଛନ୍ତି ତାଙ୍କ ଜନ୍ମଦାତା ବାପାଙ୍କୁ ଭେଟିବା ପାଇଁ।

    ‘ବିବିସି’କୁ ସେ କହିଛନ୍ତି: ୧୯୮୦ରେ ମୁଁ ‘ସେଣ୍ଟ୍‌ ଡେଭିଡ୍‌ସ୍‌ ହସ୍ପିଟାଲ୍‌’ରେ ଜନ୍ମ ହୋଇଥିଲି। ୩ ମାସର ହୋଇଥିବା ବ‌େଳେ ମାଆ ସହିତ ପୂର୍ବ ଲଣ୍ଡନ୍‌କୁ ଚାଲିଆସିଥିଲି। ତା’ର ଅଳ୍ପ ଦିନ ପରେ ମତେ ‘କେୟାର୍‌’ରେ ଛାଡ଼ି ଦିଆଯାଇଥିଲା। କିଶୋର ବୟସରେ ଉପନୀତ ହେବ ପରେ ମୁଁ ଏକଥା ଜାଣିଲି।

    ମୋ ମୂଳ ନାଁ ଜେସନ୍‌ ଜୋନ୍‌ସ୍‌ ବୋଲି ‘ଜନ୍ମ ପ୍ରମାଣପତ୍ର’ରୁ ଜଣାପଡ଼ିଲା। ସେଥିରୁ ଜଣାପଡ଼ିଲା ମୋ ଜନ୍ମଦାତ୍ରୀ ମାଆ ହେଉଛନ୍ତି ଡାଫ୍‌ନି। ମତେ ଭାରି ବାଧିଲା। ତା’ଛଡ଼ା ‌ମୋତେ ପୋଷ୍ୟ କରି ନିଆଯାଇଥିବା କାଗଜପତ୍ର ଫାଇଲ୍‌ ହଜିଯାଇଥିବାରୁ ମାଆକୁ ଖୋଜି ପାଇବା କଷ୍ଟକର ହୋଇଗଲା। ୨୦୨୧ରେ ମୁଁ ‘ଡିଏନ୍‌ଏ’ ପରୀକ୍ଷା କଲି। ଜଣାପଡ଼ିଲା ଯେ, ମୋର ଜଣେ ସାବତ ଭାଇ ବି ଅଛି। ସେ ମଧ୍ୟ ‘ଡିଏନ୍‌ଏ’ ପରୀକ୍ଷା କରି ଏ କଥା ଜାଣିଲା। ବଡ଼ କଥା ହେଲା ସେ ମୋ ଘରଠାରୁ ମାତ୍ର ୩୦ ମିନିଟ୍‌ ଦୂର ସ୍ଥାନରେ ରହୁଥିଲେ ବି ମୁଁ ତାକୁ ଜାଣି ନ ଥିଲି। ତା’ର ଜଣେ ସାବତ ଭଉଣୀ ଥିବା କଥା ସେ ଜାଣିଥିଲା। ଆଉ ଜାଣିଥିଲା ମୋ ଜନ୍ମଦାତ୍ରୀ ମାଆର ଠିକଣା।

    ମତେ ବିଥ୍‌ନାଲ୍‌ ଗ୍ରିନ୍‌ ଅନ୍ତର୍ଗତ ଟାୱାର୍‌ ହାମ୍‌ଲେଟ୍‌ର ଏକ ଠିକଣା ଦିଆଗଲା। କିନ୍ତୁ, ସେଠାକୁ ଯିବା ଲାଗି ମତେ କୋଭିଡ୍‌ କଟକଣା ଉଠିଲା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିଲା। ମାଆକୁ ଖୁସି କରାଇବା ଲାଗି ମୁଁ ସୁଟ୍‌ ପିନ୍ଧି କିଛି ଫୁଲ କିଣି ସେଠାକୁ ଗଲି। କିନ୍ତୁ, ତା’ ଆପାର୍ଟମେଣ୍ଟ୍‌ରେ ପହଞ୍ଚି ‘ଡୋର୍‌ବେଲ୍‌’ ବଜାଇବାରୁ କେହି ଆସି କବାଟ ଖୋଲିଲେ ନାହିଁ। ବାହାରେ ଖୋଲା ଯାଇ ନ ଥିବା ଗଦାଏ ଚିଠି ବି ଜମା ହୋଇଥିଲା। ଆପାର୍ଟମେଣ୍ଟ୍‌ ପଛ ପଟକୁ ଯାଇ ଦେଖିଲି, ପଛ କବାଟ ମେଲା। ଭିତରେ ପଶି ଦେଖିଲି ଗାଧୁଆଘର ଚଟାଣରେ ମାଆ ମରିପଡ଼ିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24 ° C
    24 °
    24 °
    48 %
    1.4kmh
    0 %
    Sat
    38 °
    Sun
    40 °
    Mon
    42 °
    Tue
    43 °
    Wed
    43 °

    ସମ୍ବନ୍ଧିତ