Tuesday, September 29, 2026
23.2 C
Odisha

    ଚଡ଼କ ମେଳା: ୫ଲକ୍ଷ ଭକ୍ତଙ୍କ ସମାଗମ

    ଆଗକୁ ପଢନ୍ତୁ

    ଭୋଗରାଇ/ଚନ୍ଦନେଶ୍ୱର: ଆନନ୍ଦଉଲ୍ଲାସ ମଧ୍ୟରେ ବିଶ୍ୱ ପ୍ରସିଦ୍ଧ ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ୍‌ ଚନ୍ଦନେଶ୍ୱର ଚଡ଼କ ମେଳା ଆଜି ପାଟପର୍ବ ପାଳନ ପୂର୍ବକ ଉଦ୍‌ଯାପିତ ହୋଇଯାଇଛି। ଏଥିରେ ୫ ଲକ୍ଷ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଥିବା ବେଳେ ଭିଡ଼ରେ ଅଣନିଶ୍ବାସୀ ହୋଇ ଜଣେ ମହିଳା ଭକ୍ତ ଆଖିବୁଜିଛନ୍ତି। ସେହିପରି ୧୭ ଜଣ ଭକ୍ତ ଅସୁସ୍ଥ ହୋଇଥିବା ଜଣାପଡ଼ିଛି। ଚଡ଼କ ମେଳାର ଆଜି ଥିଲା ଶେଷ ତଥା ୧୨ତମ ଦିବସ ଏବଂ ପାଟପର୍ବ। ଏହିସମୟରେ ଭକ୍ତଙ୍କ ପ୍ରବଳ ସମାଗମ ଯୋଗୁ ଦଳଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା। ସେଠାରେ ଉପସ୍ଥିତ ଥିବା ଭକ୍ତମାନେ ଅଣନିଶ୍ବାସୀ ହୋଇପଡ଼ିଥିଲେ। ଫଳରେ, ମହିଳା ଭକ୍ତ ତୁଳସୀ ମିର୍ଦ୍ଧା (୫୦) ନାମକ ଜଣେ ମହିଳା ଭକ୍ତଙ୍କର ମୃତ୍ୟୁ ହୋଇଯାଇଥିଲା ବେଳେ ୧୭ଜଣ ଅସୁସ୍ଥ ହୋଇପଡ଼ିଥିଲେ। ମୃତ ମହିଳାଙ୍କ ଘର ପଶ୍ଚିମବଙ୍ଗ ରାଜ୍ୟ ଖଡ଼ଗପୁର ନିକଟ ବୁନ୍ଦିଆପୁରରେ ବୋଲି ଜଣାପଡ଼ିଛି। ଅସୁସ୍ଥମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ, ସମସ୍ତେ ବିପଦମୁକ୍ତ ଥିବା ଜଳେଶ୍ୱରପୁର ଡାକ୍ତରଖାନାର ଡାକ୍ତର କମଳାକାନ୍ତ ଜେନା ସୂଚନା ଦେଇଛନ୍ତି।

    ଅନ୍ୟପକ୍ଷରେ, ବାଡ଼ସରିଷା ଗ୍ରାମରେ ଥିବା ହାକାଣ୍ଡ ପୋଖରୀରେ ବିଶେଷ ପୂଜାର୍ଚ୍ଚନା କରାଯିବା ସହ ପ୍ରଭୁ ଚନ୍ଦନେଶ୍ୱର ଓ ମା’ ପାର୍ବତୀଙ୍କ ସ୍ବରୂପ ଘଟ ଶୋଭାଯାତ୍ରାରେ ମନ୍ଦିର ଅଣାଯାଇଥିଲା। ଏହିସମୟରେ ୫୦ ଜଣରୁ ଅଧିକ ଦଶନଖୀ ଭକ୍ତ ନିଜ ଶରୀରର ଜିଭ, ପେଟ, ଛାତି ଆଦି ସ୍ଥାନରେ କଣ୍ଟା ଫୋଡ଼ି ନୃତ୍ୟ କରିଥିଲେ। ୨,୮୫୦ଟି କଣ୍ଟା ଫୋଡ଼ି ନୃତ୍ୟ କରିଥିବା ଭୋଗରାଇ ରଣକୋଠାର ସୁକୁମାର ଦେହୁରୀ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲେ। ସେହିପରି, ଅନେକ ଭକ୍ତ ବିଭିନ୍ନ ବିପଜ୍ଜନକ କଳାକୌଶଳ ପ୍ରଦର୍ଶନ କରିଥିଲେ। ଝୁଣା ଓ ଧୂପ ଧୂଆଁରେ ସ୍ଥାନୀୟ ଅଞ୍ଚଳ ସୁଗନ୍ଧମୟ ଏବଂ ହର ହର ମହାଦେବ ଧ୍ବନିରେ ଗଗନପବନ ପ୍ରକମ୍ପିତ ହୋଇଉଠିଥିଲା। ପ୍ରଭୁ ଚନ୍ଦନେଶ୍ୱର ଓ ମା’ ପାର୍ବତୀଙ୍କ ସ୍ବରୂପ ଘଟ ମନ୍ଦିରରେ ପହଞ୍ଚିବା ପରେ ସ୍ବତନ୍ତ୍ର ପୂଜା ଏବଂ ଶେଷ ଅର୍ଘ୍ୟ ଅର୍ପଣ କରାଯାଇଥିଲା।
    ଭୋଗରାଇ ବିଧାୟକ ଅନନ୍ତ ଦାସ, ମୌରସୀ ତପନ କୁମାର ପଣ୍ଡା, ଭୋଗରାଇ ତହସିଲଦାର ହିମାଂଶୁ ଶେଖର ଗିରି, ସମାଜସେବୀ ଗୌତମବୁଦ୍ଧ ଦାସ, ସମାଜସେବୀ ବିଶ୍ୱଜିତ ଦାସ, ଭୋଗରାଇ ବ୍ଲକ୍‌ ଅଧ୍ୟକ୍ଷ ପ୍ରବୀର କୁମାର ଗିରି, ପୂର୍ବତନ ବ୍ଲକ୍‌ ଅଧ୍ୟକ୍ଷ ଗଣପତି ଗିରି, ପାଟଭକ୍ତ ହରିଶ୍ଚନ୍ଦ୍ର ସାହୁ, ଶ୍ରୀବେକିଡ଼ି ନିରଞ୍ଜନ ଲେଙ୍କା, ଦେଉଳିଆ ଭକ୍ତ ହେମନ୍ତ ରାଉଳ, ଉପମୌରସୀ ବୁଦ୍ଧଦେବ ପଣ୍ଡା ପ୍ରମୁଖଙ୍କ ଦ୍ବାରା ସମସ୍ତ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.2 ° C
    23.2 °
    23.2 °
    87 %
    1.3kmh
    4 %
    Mon
    23 °
    Tue
    30 °
    Wed
    30 °
    Thu
    29 °
    Fri
    30 °

    ସମ୍ବନ୍ଧିତ