Tuesday, September 29, 2026
23.6 C
Odisha

    ପରଲୋକରେ କମଳା ଦାସ: ଶଙ୍ଖାରୀରେ ହେଲା ଶେଷକୃତ୍ୟ

    ଆଗକୁ ପଢନ୍ତୁ

    ଜଳେଶ୍ବର/ଭୋଗରାଇ: ବାଲେଶ୍ବର ଜିଲ୍ଲା ଅନ୍ତର୍ଗତ ଭୋଗରାଇର ପୂର୍ବତନ ବିଧାୟିକା ତଥା ପୂର୍ବତନ ମନ୍ତ୍ରୀ ଡା. କମଳା ଦାସଙ୍କର ଗୁରୁବାର ରାତି ସାଢ଼େ ୧୨ଟା ବେଳେ ପରଲୋକ ହୋଇଯାଇଛି। ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ଡା. କମଳା ଦାସ ଭୁବନେଶ୍ବର ସହିଦନଗରସ୍ଥିତ ବାସଭବନରେ ରହୁଥିଲେ। ଦୁଇ ସପ୍ତାହ ତଳେ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ଭୁବନେଶ୍ୱରର ଆପୋଲୋ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ଫୁସ୍‌ଫୁସ୍‌ ରୋଗରେ ସଂକ୍ରମିତ ଥିବା ଜଣାପଡ଼ିବାରୁ ଅଧିକ ଚିକିତ୍ସା ପାଇଁ ୧୨ ଦିନ ତଳେ ଅଶ୍ବିନୀ ହସ୍‌ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଥିଲା। ଶେଷରେ, ଚିକିତ୍ସାଧୀନ ଅବସ୍ଥାରେ ସେ ପ୍ରାଣତ୍ୟାଗ କରିଛନ୍ତି। ମୃତ୍ୟୁଶଯ୍ୟା ନିକଟରେ ଝିଅ ଲିଜା ଦାସ ଓ ଜ୍ବାଇଁ ସତ୍ୟବ୍ରତ ସ୍ୱାଇଁ, ଭଣଜା ଅଶୋକ ଦାସ, ପୁତୁରା ଚନ୍ଦନ ଦାସ, ସପନ ଦାସ, ଉତ୍ତମ ଦାସ ଓ ଅଶ୍ବିନୀ ଦାସ, ନାତି ଓମ୍‌ ଦାସ ଓ ଆଦିଦେବ ଦାସ ଏବଂ ଆତ୍ମୀୟସ୍ୱଜନମାନେ ଉପସ୍ଥିତ ଥିଲେ।

    ଏନେଇ ଖବର ପ୍ରଚାରିତ ହେବାପରେ ବାଲେଶ୍ବର ଜିଲ୍ଲା ଓ ଭୋଗରାଇ ବ୍ଲକ୍‌ରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ତାଙ୍କ ମରଶରୀର ଜନ୍ମମାଟି ଭୋଗରାଇର ବାରବାଟିଆ ଏବଂ ଶାଶୂଘର ଶଙ୍ଖାରି ଗ୍ରାମରେ ପହଞ୍ଚିବାପରେ ବହୁ ବିଶିଷ୍ଟ ବ୍ୟକ୍ତି ଶେଷଦର୍ଶନ କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଥିଲେ। ଶାଶୂଘର ଗ୍ରାମ ମଶାଣିରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିବା ବେଳେ ଝିଅ ଲିଜା ଦାସ ମୁଖାଗ୍ନି ଦେଇଛନ୍ତି। ଉଲ୍ଲେଖଥାଉକି; ୧୯୪୫ ମସିହାରେ ଡା. କମଳା ଦାସ ଭୋଗରାଇ ବ୍ଲକ୍‌ ବାରବାଟିଆ ଗ୍ରାମରେ ଜନ୍ମ ହୋଇଥିବା ବେଳେ ଶଙ୍ଖାରୀ ଗ୍ରାମର ବିଶିଷ୍ଟ ଶିକ୍ଷାବିତ୍ ଡ. କାଳିକୁମାର ଦାସଙ୍କୁ ବିବାହ କରିଥିଲେ। କଟକ ଏସ୍‌ସିବି ମେଡିକାଲ୍‌ କଲେଜ ଚକ୍ଷୁ ବିଭାଗର ସେ ପ୍ରଫେସର ଥିଲେ। ପରେ ଚାକିରି ଛାଡ଼ି ସେ ରାଜନୀତିରେ ପାଦ ଥାପିଥିଲେ। ୧୯୯୦ ଓ ୧୯୯୫ରେ ଜନତା ଦଳ ଏବଂ ୨୦୦୦ରେ ବିଜେଡି ଟିକେଟରେ ନିର୍ବାଚନ ଲଢ଼ି ଭୋଗରାଇର ବିଧାୟିକା ହୋଇଥିଲେ। ସେହିପରି ଶିକ୍ଷା ଓ ଯୁବ ସେବା, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ଓ ମହିଳା ଓ ଶିଶୁ ବିକାଶ ଭଳି ଗୁରୁତ୍ବପୂର୍ଣ୍ଣ ବିଭାଗର ମନ୍ତ୍ରୀପଦ ବି ସମ୍ଭାଳି ଥିଲେ। ବିଜେଡି ସହ ସଂପର୍କ ଛିଡ଼ିବା ପରେ କମଳା ୨୦୦୪ରେ କଂଗ୍ରେସ ଟିକେଟ୍‌ରେ ଭୋଗରାଇ ବିଧାନସଭା ଆସନରୁ ନିର୍ବାଚନ ଲଢ଼ିଥିଲେ। ହେଲେ, ତାଙ୍କୁ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା। ପରେ ସେ ପୁଣିଥରେ ବିଜେଡିକୁ ଫେରିଥିଲେ ମଧ୍ୟ ରାଜନୀତିରେ ଆଉ ସେତେଟା ସକ୍ରିୟ ନଥିଲେ। ସେ ମଧ୍ୟ ଜଣେ ଶିକ୍ଷାବିତ୍‌ ଭାବେ ଜଣାଶୁଣା। ତାଙ୍କ ଦ୍ବାରା ରଚିତ କିଛି ପାଠ୍ୟପୁସ୍ତକ ବିଇଡି ଓ ଯୁକ୍ତଦୁଇ ପାଠ୍ୟକ୍ରମରେ ସାମିଲ ହୋଇଛି।
    ମତଦାନରେ ନିୟୋଜିତ କର୍ମଚାରୀଙ୍କୁ ମିଳିବ ଅଂଶୁଘାତ ଚିକିତ୍ସା ସୁବିଧା

    ଭୁବନେଶ୍ବର,୧୨/୪(ଇମିସ): ମତଦାନରେ ନିୟୋଜିତ କର୍ମଚାରୀମାନଙ୍କ ସମସ୍ତ ସୁବିଧା ପାଇଁ ରାଜ୍ୟ ସରକାର ବ୍ୟବସ୍ଥା କରିଛନ୍ତି। ଏହି କର୍ମଚାରୀମାନଙ୍କୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା(ବିଏସ୍‌କେୱାଇ) ଜରିଆରେ କ୍ୟାସଲେସ ଚିକିତ୍ସା ଯୋଗାଇ ଦିଆଯିବ। ତେବେ ଖରା ପାଇଁ ଅଂଶୁଘାତ ଚିକିତ୍ସା ମଧ୍ୟ ଦିଆଯିବ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସଚିବ ଶାଳିନୀ ପଣ୍ଡିତ ବିଏସ୍‌କେୱାଇରେ ଅନୁବନ୍ଧିତ ରାଜ୍ୟର ସମସ୍ତ ଘରୋଇ ଡାକ୍ତରଖାନାକୁ ଏ ସଂକ୍ରାନ୍ତରେ ପତ୍ର ଲେଖିଛନ୍ତି। ଏଥିରେ କୁହାଯାଇଛି ଯେ ଚଳିତବର୍ଷ ଫେବ୍ରୁଆରି ୧୫ ତାରିଖରେ ବିଭାଗ ପକ୍ଷରୁ ମତଦାନରେ ନିୟୋଜିତ କର୍ମଚାରୀଙ୍କ ବିଏସ୍‌କେୱାଇ ପ୍ୟାକେଜ୍‌ ଅନୁଯାୟୀ ସମସ୍ତ ଚିକିତ୍ସା ଯୋଗାଇ ଦିଆଯିବା ନେଇ ସ୍ପଷ୍ଟ କରାଯାଇଛି। ତେବେ ଅଂଶୁଘାତର ଶିକାର ହେଉଥିବା କର୍ମଚାରୀଙ୍କୁ ମଧ୍ୟ କ୍ୟାସ୍‌ଲେସ୍‌ ସୁବିଧା ଦିଆଯିବାକୁ ନିଷ୍ପତ୍ତି ହୋଇଛି। କର୍ମଚାରୀଙ୍କ ନିର୍ବାଚନ ଡ୍ୟୁଟି ସଂପର୍କିତ ନିଯୁକ୍ତି ପତ୍ର ଦାଖଲ ପରେ ଏହି ସୁବିଧା ମିଳିବ। ତେବେ ଯେଉଁ ଡାକ୍ତରଖାନାରେ ତାଙ୍କର ଚିକିତ୍ସା କରାଯିବ ବିଏସକେୱାଇ ପ୍ୟାକେଜ୍‌ ଅନୁଯାୟୀ ଅଫ୍-ଲାଇନ୍ ମାଧ୍ୟମରେ ବିଲ୍ ପ୍ରଦାନ କରାଯିବ ବୋଲି ପତ୍ରରେ କୁହାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.6 ° C
    23.6 °
    23.6 °
    88 %
    1.6kmh
    5 %
    Mon
    24 °
    Tue
    30 °
    Wed
    30 °
    Thu
    31 °
    Fri
    31 °

    ସମ୍ବନ୍ଧିତ