Thursday, April 2, 2026
26 C
Odisha

    ଆନ୍ତଃମହାଦେଶୀୟ ବାଲାଷ୍ଟିକ୍ କ୍ଷେପଣାସ୍ତ୍ର ପରୀକ୍ଷଣ କଲା ଚୀନ୍

    ଆଗକୁ ପଢନ୍ତୁ

    ବେଜିଂ: ଚୀନ୍ ପ୍ରଥମ ଥର ପାଇଁ ପ୍ରଶାନ୍ତ ମହାସାଗରରେ ଏକ ଆନ୍ତଃମହାଦେଶୀୟ ବାଲାଷ୍ଟିକ୍ କ୍ଷେପଣାସ୍ତ୍ରକୁ ସଫଳତାର ସହ ପରୀକ୍ଷଣ କରିଛି ବୋଲି ସର୍ବସାଧାରଣରେ ସ୍ୱୀକାର କରିଛି। ଚୀନ୍‌ର ପ୍ରତିରକ୍ଷା ମନ୍ତ୍ରଣାଳୟ ଏକ ବିବୃତିରେ କହିଛି ଆନ୍ତଃମହାଦେଶୀୟ ବାଲାଷ୍ଟିକ୍ କ୍ଷେପଣାସ୍ତ୍ରକୁ ଏକ ଡମ୍ମି ୱାରହେଡ୍ ସହିତ ସଂଯୁକ୍ତ କରାଯାଇଥିଲା। ସ୍ଥାନୀୟ ସମୟ ସକାଳ ୮ଟା ୪୪‌ରେ ପିପୁଲ୍ସ ଲିବରେସନ୍ ଆର୍ମି ରକେଟ୍ ଫୋର୍ସ ଦ୍ୱାରା ଏହା ଉତ୍‌କ୍ଷେପଣ କରାଯାଇଛି। ଆଶା କରାଯାଉଥିବା ସ୍ଥାନରେ ଏହି କ୍ଷେପଣାସ୍ତ୍ର ସମୁଦ୍ରରେ ପଡିଥିଲା। ଚୀନ୍‌ର ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସରକାର ଏକ ବିବୃତିରେ କହିଛନ୍ତି ଯେ ଏହି ପରୀକ୍ଷା ଦେଶର ବାର୍ଷିକ ତାଲିମ ଯୋଜନାର ଏକ ଅଂଶ ଏବଂ କୌଣସି ଦେଶକୁ ଟାର୍ଗେଟ କରି ଏହି ଲଞ୍ଚ କରାଯାଇ ନାହିଁ।

    ଏହି ରିପୋର୍ଟରେ କ୍ଷେପଣାସ୍ତ୍ରର ଗତିପଥ କିମ୍ବା ପ୍ରଶାନ୍ତ ମହାସାଗରରେ କେଉଁଠାରେ ପଡିଛି ସେ ସମ୍ବନ୍ଧରେ ସୂଚନା ଦିଆଯାଇ ନାହିଁ।

    ଚୀନ୍‌ର ସୈନ୍ୟବାହିନୀ ପିଏଲଏର ରକେଟ୍ ଫୋର୍ସ, ଦେଶର ପାରମ୍ପରିକ ଏବଂ ଆଣବିକ କ୍ଷେପଣାସ୍ତ୍ରର ସଂଚାଳନ ଏବଂ ରକ୍ଷାଣବେକ୍ଷଣ କରୁଛି। ଆମେରିକାର କ୍ଷେପଣାସ୍ତ୍ର ପ୍ରତିରକ୍ଷା, ଉନ୍ନତ ନୀରିକ୍ଷଣ କ୍ଷମତା ଏବଂ ଦୃଢ଼ ସହଯୋଗୀଙ୍କର ମୁକାବିଲା ପାଇଁ ଚୀନ୍‌ର ଆଣବିକ ଶକ୍ତିକୁ ଆଧୁନିକୀକରଣ କରିବା ପାଇଁ ଏହି ରକେଟ୍ ଫୋର୍ସକୁ ଦାୟିତ୍ବ ଦିଆଯାଇଛି।
    ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ନେତୃତ୍ୱରେ କେନ୍ଦ୍ରୀୟ ସାମରିକ ଆୟୋଗ ହେଉଛି ଚୀନ୍‌ର ଏକମାତ୍ର ଆଣବିକ କମାଣ୍ଡ କର୍ତ୍ତୃପକ୍ଷ। ଆଣବିକ ଅସ୍ତ୍ରଶସ୍ତ୍ର ଭଣ୍ଡାର ଚୀନ୍‌ ବୃଦ୍ଧି କରୁଥିବା ନେଇ ଆମେରିକା ଲଗାତାର କଡ଼ା ସମାଲୋଚନା ମଧ୍ୟ କରୁଛି। ଜୁଲାଇରେ ୱାଶିଂଟନ୍ ସହ ଚୀନ୍ ମଧ୍ୟ ଆଣବିକ ଆଲୋଚନାକୁ ବାତିଲ କରିଦେଇଥିଲା। ବାସ୍ତବରେ ତାଇୱାନକୁ ଆମେରିକାର ଅସ୍ତ୍ର ବିକ୍ରୟକୁ ନେଇ ଚୀନ୍ ଅସନ୍ତୋଷ ବ୍ୟକ୍ତ କରିଥିଲା।

    ପେଣ୍ଟାଗନ୍ ରିପୋର୍ଟ ଅନୁଯାୟୀ, ଚୀନ୍‌ରେ ୫୦୦ରୁ ଅଧିକ ପରମାଣୁ ଯୁଦ୍ଧ ହେଡ୍ ଅଛି। ସେଥିମଧ୍ୟରୁ ପ୍ରାୟ ୩୫୦ ଟି ଆଇସିବିଏମ୍ (ଆନ୍ତଃମହାଦେଶୀୟ ବାଲାଷ୍ଟିକ୍ କ୍ଷେପଣାସ୍ତ୍ର)। ୨୦୩୦ ସୁଦ୍ଧା ଚୀନ୍ ପାଖରେ ୧୦୦୦ ରୁ ଅଧିକ ଆଣବିକ ଯୁଦ୍ଧ ହେଡ୍ ରହିବ ବୋଲି କୁହାଯାଉଛି।

    ଅପରପକ୍ଷରେ ଚୀନ୍ ଏବଂ ତାଇୱାନ ମଧ୍ୟରେ ତିକ୍ତତା ବୃଦ୍ଧି ପାଇଛି। ଗତ ପାଞ୍ଚ ବର୍ଷ ମଧ୍ୟରେ ଚୀନ୍ ପକ୍ଷରୁ ତାଇୱାନରେ ନିଜର ସାମରିକ କାର୍ଯ୍ୟକଳାପ ବୃଦ୍ଧି କରାଯାଇଛି। ଯେଉଁ କାରଣରୁ ଏହି ଅଞ୍ଚଳରେ ଉତ୍ତେଜନା ବୃଦ୍ଧି ପାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    26 ° C
    26 °
    26 °
    46 %
    1.3kmh
    0 %
    Thu
    39 °
    Fri
    41 °
    Sat
    38 °
    Sun
    37 °
    Mon
    35 °

    ସମ୍ବନ୍ଧିତ