Sunday, October 11, 2026
28.3 C
Odisha

    ଜୁଲାଇ ପହିଲାରୁ ନାଗରିକ ନ୍ୟାୟ ସଂହିତା: ହଟିବ ସିଆର୍‌ପିସି, ଆଇପିସି ଓ ଇଣ୍ଡିଆନ୍‌ ଏଭିଡେନ୍ସ ଆକ୍ଟ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ଜୁଲାଇ ପହିଲାରୁ ଦେଶରେ ଲାଗୁହେବ ନାଗରିକ ନ୍ୟାୟ ସଂହିତା। ଏହାସହିତ ୧୫୦ ବର୍ଷରୁ ଊର୍ଧ୍ବ ସମୟ ଧରି ଜାରି ରହିଥିବା ଆଇପିସି, ସିଆର୍‌ପିସି ଓ ଇଣ୍ଡିଆନ୍‌ ଏଭିଡେନ୍ସ ଆକ୍ଟ ଭଳି ବ୍ରିଟିସ୍‌ ନିୟମ ହଟିଯିବ । ଏନେଇ ଗତ ଫେବ୍ରୁଆରି ମାସରେ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ଆଜି କେନ୍ଦ୍ର ଗୃହ ସଚିବଙ୍କ ଅଧ୍ୟକ୍ଷତାରେ ଏନେଇ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ଆଭାସି ମାଧ୍ୟମରେ ସବୁ ରାଜ୍ୟର ମୁଖ୍ୟ ଶାସନ ସଚିବ ଓ ପୁଲିସ ମହାନିର୍ଦ୍ଦେଶକ ଯୋଗଦେଇ ନୂଆ ଆଇନ ଲାଗୁ କରିବା ପ୍ରସଙ୍ଗରେ ଆଲୋଚନା କରିଥିଲେ। ନୂଆ ଆଇନ ଲାଗୁକରିବା ବାବଦରେ ତାଲିମ ପ୍ରକ୍ରିୟା କେତେ ଆଗେଇଛି ଓ ଏହାକୁ ନେଇ ସରକାରୀସ୍ତରରେ କିଭଳି ପଦକ୍ଷେପ ନିଆଯାଉଛି, ସେ ସମ୍ପର୍କରେ ବୈଠକରେ ଆଲୋଚନା କରାଯାଇଛି। ‌ତେବେ ନୂଆ ଆଇନ୍‌ ଲାଗୁହେବା ପୂର୍ବରୁ ରୁଜୁ ହୋଇଥିବା ପୁରୁଣା ମାମଲାଗୁଡ଼ିକର ବିଚାର ପୁରୁଣା ଆଇପିସି ଓ ସିଆର୍‌ପିସି ଆଧାରରେ ହେବ ବୋଲି ସ୍ପଷ୍ଟ କରା ଯାଇଛି। ଏ ବିଷୟରେ ସୂଚନା ଦେଇ ପୁଲିସ ମହାନିର୍ଦ୍ଦେଶକ ଅରୁଣ ଷଡଙ୍ଗୀ କହିଛନ୍ତି, ଗତ ଡିସେମ୍ବର ମାସରେ ସଂଶୋଧିତ ହୋଇଥିବା ନୂଆ ଆଇନ ଭାରତୀୟ ନାଗରିକ ସୁରକ୍ଷା ସଂହିତା, ଭାରତୀୟ ନ୍ୟାୟ ସଂହିତା ଓ ଭାରତୀୟ ସାକ୍ଷୀ ଅଧିନିୟମକୁ ଲାଗୁକରିବା ପାଇଁ ସରକାରୀ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ତେଣୁ ଆଉ ପୁରୁଣା ଆଇପିସି ଓ ସିଆର୍‌ପିସି ଲାଗୁ ହେବନାହିଁ। ଏଥିପାଇଁ ଓଡ଼ିଶାରେ ଏଡିଜି କ୍ରାଇମବ୍ରାଞ୍ଚଙ୍କ ଅଧ୍ୟକ୍ଷତାରେ ଅଧିକାରୀମାନଙ୍କୁ ତାଲିମ ଦିଆଯାଉଛି। କାରଣ ଏହାକୁ କାର୍ଯ୍ୟକାରୀ କରିବାକୁ ପ୍ରଶିକ୍ଷଣର ଆବଶ୍ୟକତା ରହିଛି। ବିଭିନ୍ନ ପର୍ଯ୍ୟାୟରେ ଅଧିକାରୀ ଓ କର୍ମଚାରୀଙ୍କୁ ତାଲିମ ଦିଆଯାଉଛି। ଉଭୟ ଅନ୍‌ଲାଇନ ଓ ଅଫ୍‌ଲାଇନ‌୍‌ରେ ତାଲିମ ଚାଲିଛି।
    ଡିଜିପି ଷଡ଼ଙ୍ଗୀ ଆହୁରି କହିଛନ୍ତି, କ୍ରାଇମ୍ କ୍ରିମିନାଲ ଟ୍ରାକିଂ ବା ସିସିଟିଏନ୍‌ଏସ୍‌ରେ ବ୍ୟାପକ ପରିବର୍ତ୍ତନ ଆବଶ୍ୟକ। ଏଥିପାଇଁ ନ୍ୟାସନାଲ କ୍ରାଇମ ରେକର୍ଡ ବ୍ୟୁରୋ‌ ଓ ଷ୍ଟେଟ୍‌ କ୍ରାଇମ୍ ରେକର୍ଡ ବ୍ୟୁରୋରେ ବ୍ୟାପକ ପରିବର୍ତ୍ତନ କରାଯାଉଛି। ସେହିପରି ବ୍ୟବହାର କରା ଯାଉଥିବା ବିଭିନ୍ନ ଫର୍ମ ଓ ନୋଟିଫିକେସନ୍‌ରେ ମଧ୍ୟ ପରିବର୍ତ୍ତନ ହେବ। ଏହାକୁ କାର୍ଯ୍ୟକାରୀ କରିବା ସହିତ ତଦାରଖ ପାଇଁ ରାଜ୍ୟରେ ଏକ ଷ୍ଟିୟରିଂ କମିଟି ମଧ୍ୟ ଗଠନ ହୋଇଛି। ଗୃହ ସଚିବଙ୍କ ଅଧ୍ୟକ୍ଷତାରେ ପର୍ଯ୍ୟାୟକ୍ରମେ ଏହା ଉପରେ ଆବଶ୍ୟକ‌ ପଦକ୍ଷେପ ନିଆଯାଉଛି। ନୂଆ ଆଇନ ଓ ପୁରୁଣା ନିୟମ ମଧ୍ୟରେ ଅନେକ ଫରକ ରହିଛି। ପୁରୁଣା ନିୟମରେ ଅପରାଧକୁ ଗୁରୁତ୍ବ ଦିଆଯାଇଥିଲା। ହେଲେ ଲାଗୁହେବାକୁ ଯାଉଥିବା ନୂଆ ଆଇନ ବ୍ୟବସ୍ଥାରେ ନ୍ୟାୟକୁ ଅଧିକ ଗୁରୁତ୍ବ ଦିଆଯାଇଛି। ମାନବାଧିକାର ଓ ତଦନ୍ତରେ କିଭଳି ଆଧୁନିକ ଜ୍ଞାନ କୌଶଳ ବ୍ୟବହାର କରାଯିବ, ଆବଶ୍ୟକ ସମୟରେ କିପରି ଅଧିକ ଶକ୍ତି ବିନିଯୋଗ କରାଯିବ, ନୂଆ ଆଇନରେ ସେ ପ୍ରାବଧାନ ରହିଛି। ନୂଆ ଆଇନ ସମ୍ପର୍କରେ ଲୋକଙ୍କୁ ଅବଗତ କରାଯିବା ପାଇଁ ସରକାରୀ ସ୍ତରରେ ପଦକ୍ଷେପ ନିଆଯାଉଛି ବୋଲି ଶ୍ରୀ ଷଡ଼ଙ୍ଗୀ ସୂଚନା ଦେଇଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    28.3 ° C
    28.3 °
    28.3 °
    70 %
    1.4kmh
    0 %
    Sun
    26 °
    Mon
    30 °
    Tue
    30 °
    Wed
    30 °
    Thu
    29 °

    ସମ୍ବନ୍ଧିତ