Monday, March 2, 2026
26.9 C
Odisha

    ଲାଲକିଲ୍ଲା ଉପରେ ଅଧିକାର ଦାବି: ଦିଲ୍ଲୀ ହାଇକୋର୍ଟରେ ଅଗ୍ରାହ୍ୟ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଶେଷ ମୋଗଲ ବାଦଶାହ ବାହଦୁର ଶାହ ଜାଫର-୨ଙ୍କ ଉତ୍ତରାଧିକାରୀ ବୋଲି ଦାବି କରି ଲାଲକିଲ୍ଲା ଉପରେ ମାଲିକାନାସ୍ବତ୍ବ ନିମନ୍ତେ ସୁଲତାନା ବେଗମ ନାମ୍ନୀ ମହିଳା ଦିଲ୍ଲୀ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ଦାଏର କରିଥିଲେ। ଏହାର ବିଚାର କରି ଆଜି ଦିଲ୍ଲୀ ହାଇକୋର୍ଟ ଆବେଦନକୁ ଖାରଜ କରିଛନ୍ତି। କାର୍ଯ୍ୟକାରୀ ମୁଖ୍ୟବିଚାରପତି ବିଭୂ ବାଖ୍ରୁ ଓ ବିଚାରପତି ତୁଷାର ରାଓ ଗେଡେଲାଙ୍କୁ ନେଇ ଖଣ୍ଡପୀଠ ଆଜି ସୁଲତାନାଙ୍କ ଆବେଦନର ବିଚାର କରିଥିଲେ। ଡିସେମ୍ବର ୨୦୨୧ରେ ଦିଲ୍ଲୀ ହାଇକୋର୍ଟର ଜଣିକିଆ ଖଣ୍ଡପୀଠର ରାୟକୁ କାଏମ ରଖିବା ସହ ସୁଲତାନାଙ୍କ ଆବେଦନକୁ ଖାରଜ କରିଥିଲେ। ଖାରଜର କାରଣ ଦର୍ଶାଇ ଖଣ୍ଡପୀଠ କହିଛନ୍ତି, ଜଣକିଆ ଖଣ୍ଡପୀଠର ଖାରଜ ବିରୋଧରେ ନିର୍ଦ୍ଧାରିତ ସମୟ ମଧ୍ୟରେ ପୁନର୍ବାର ଆବେଦନ କରିବା ନିୟମ ରହିଛି। କିନ୍ତୁ ନିର୍ଦ୍ଧାରିତ ସମୟ ଠାରୁ ୨ ବର୍ଷ ୬ ମାସ ପରେ ଆବେଦନକାରୀ କୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ଏଣୁ ଏହି ବିଳମ୍ବକୁ ଗ୍ରହଣ କରାଯାଇପାରିବ ନାହିଁ।
    ସୂଚନାଯୋଗ୍ୟ, ସୁଲତାନା ନିଜକୁ ମୋଗଲ ବାଦଶାହଙ୍କ ବଂଶଧର ବୋଲି ଦାବି କରି ଲାଲକିଲ୍ଲାର ମାଲିକାନାସ୍ବତ୍ବ ପ୍ରଦାନ କରିବା ଓ ଆବଶ୍ୟକ କ୍ଷତିପୂରଣ ଦେବା ପାଇଁ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଏଥିରେ ସେ ଦର୍ଶାଇଥିଲେ ଯେ ୧୮୫୭ରେ ବାହାଦୁର ଶାହ ଜାଫର-୨ଙ୍କୁ ବ୍ରିଟିଶ୍‌ ଇଷ୍ଟ ଇଣ୍ଡିଆ କମ୍ପାନି ବାଦଶାହତ୍ବରୁ ହଟାଇଦେଇଥିଲା। ୧୯୬୦ରେ ଭାରତ ସରକାର ଏକ ବିଜ୍ଞପ୍ତି ଜରିଆରେ ବେଦାର ବଖ୍‌ତଙ୍କୁ ବାହାଦୁର ଶାହ ଜାଫର-୨ଙ୍କ ପିଢ଼ି ବୋଲି ସ୍ପଷ୍ଟ କରିଥିଲା ଓ ତାଙ୍କୁ ପେନ୍‌ସନ ପ୍ରଦାନ କରିଥିଲା। ‌ସୁଲତାନା ବେଦାର ବଖ୍‌ତଙ୍କ ବିଧବା ପତ୍ନୀ ଅଟନ୍ତି। ବେଦାରଙ୍କ ମୃତ୍ୟୁ ପରେ ୧୫ ଅଗଷ୍ଟ ୧୯୮୦ ଠାରୁ ସୁଲତାନାଙ୍କୁ ଭାରତ ସରକାର ପେନ୍‌ସନ ପ୍ରଦାନ କରି ଆସୁଛନ୍ତି। ଏହି ଅର୍ଥ ତାଙ୍କ ପାଇଁ ଯଥେଷ୍ଟ ନୁହେଁ। ଭାରତ ସରକାର ଲାଲକିଲ୍ଲାକୁ ବେଆଇନ ଭାବେ ଅଧିକୃତ କରି ରଖିଛନ୍ତି, କିନ୍ତୁ ଏହି ବାବଦକୁ କୌଣସି ଆର୍ଥିକ ଭରଣା କରିନାହାନ୍ତି। ସୁଲତାନାଙ୍କ ଏହି ଆବେଦନକୁ ଦିଲ୍ଲୀ ହାଇକୋର୍ଟ ଡିସେମ୍ବର ୨୦୨୧ରେ ଖାରଜ କରିଦେଇଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    26.9 ° C
    26.9 °
    26.9 °
    23 %
    1.5kmh
    1 %
    Mon
    29 °
    Tue
    36 °
    Wed
    37 °
    Thu
    38 °
    Fri
    39 °

    ସମ୍ବନ୍ଧିତ