ଢେଙ୍କାନାଳ: ନବମ ଶ୍ରେଣୀ ଛାତ୍ରୀଙ୍କୁ ଅଶ୍ଲୀଳ ଇଙ୍ଗିତ । ସାହିତ୍ୟ ଶିକ୍ଷକଙ୍କ ନାଁରେ ସାଂଘାତିକ ଅଭିଯୋଗ । ମୁହଁ ପୋଛିବା ପାଇଁ ଛାତ୍ରୀଙ୍କୁ ମାଗୁଛନ୍ତି ଓଢ଼ଣୀ । ଜଣେ ଶିକ୍ଷକଙ୍କ ବିରୁଦ୍ଧରେ ଏଭଳି ସଙ୍ଗୀନ ଅଭିଯୋଗ କରି ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ନବମ ଶ୍ରେଣୀ ଛାତ୍ରୀ । ଛାତ୍ରୀ ଜଣଙ୍କୁ ଶିକ୍ଷକ ବାରମ୍ବାର ଅସଦାଚରଣ କରୁଥିବା ଅଭିଯୋଗ ହୋଇଛି । ଛାତ୍ରୀ ଜଣଙ୍କ ଅପମାନିତ ହୋଇ ବିଦ୍ୟାଳୟକୁ ଯିବା ବନ୍ଦ କରିଦେଇଛନ୍ତି ।
ବାପା ମା’ ପରେ ଗୁରୁ ହିଁ ପ୍ରତ୍ୟେକ ପିଲାର ମାର୍ଗ ଦର୍ଶକ ହୋଇଥାଏ । ଅଜ୍ଞାନ ରୂପକ ଅନ୍ଧକାରକୁ ଦୂର କରି ଆଲୋକ ଭଳି ସଠିକ ରାସ୍ତା ଦେଖାନ୍ତି ଗୁରୁ । ଆମ ସମାଜରେ ଗୁରୁ ଶିଷ୍ୟଙ୍କ ସମ୍ପର୍କ ଅତି ନିବିଡ଼ । ଯାହା ପ୍ରାଚୀନ କାଳରୁ ରହି ଆସିଛି । କିନ୍ତୁ ଏହି ଗୁରୁ ଶିଷ୍ୟ ପରମ୍ପରାରେ ଲାଗିଛି କଳଙ୍କ । ଢେଙ୍କାନାଳ ଭୁବନ ଥାନା ଅନ୍ତର୍ଗତ ଜମେଶ୍ବର ଉଚ୍ଚ ବିଦ୍ୟାଳୟର ଜଣେ ନବମ ଶ୍ରେଣୀ ଛାତ୍ରୀ ଏଭଳି ଅଭିଯୋଗ କରିଛନ୍ତି । ସ୍କୁଲର ଇଂରାଜୀ ଓ ସାହିତ୍ୟ ପଢ଼ାଉଥିବା ଶିକ୍ଷକ ମନୋଜ କୁମାର ବାରିକ ଛାତ୍ରୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି । ଘଟଣାକୁ ନେଇ ସ୍କୁଲରେ ଅଭିଯୋଗ ପରେ କେହି ନ ଶୁଣିବାରୁ ଜିଲ୍ଲାପାଳ ଓ ଏସ୍.ପିଙ୍କ ଦ୍ବାରସ୍ଥ ହୋଇ ଛାତ୍ରୀ ଓ ତାଙ୍କ ପରିବାର ନ୍ୟାୟ ଦାବି କରିଛନ୍ତି । ଅସଦାଚରଣକୁ ନେଇ ଛାତ୍ରୀ ମାନସିକ ଚାପରେ ଥିବା ତାଙ୍କ ବାପାଙ୍କ ଅଭିଯୋଗ ରହିଛି । ଚାପରେ ଥିବାରୁ ପାଞ୍ଚ ଦିନ ହେବ ଛାତ୍ରୀ ଜଣଙ୍କ ସ୍କୁଲ ଯାଉନଥିବା କହିଛନ୍ତି ବାପା । ସ୍କୁଲ ଯିବା ପର ଠାରୁ ଦୁଇ ମାସ ହେବ ଶିକ୍ଷକ ମନୋଜ କୁମାର ବାରିକ ଛାତ୍ରୀଙ୍କୁ ଅସଦାଚରଣ କରି ଆସୁଥିଲେ ବୋଲି ଅଭିଯୋଗ ହୋଇଛି । ସ୍କୁଲ ଶିକ୍ଷକଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବିରେ ଜିଲ୍ଲାପାଳଙ୍କୁ ଭେଟିଛନ୍ତି ପରିବାର । ଘଟଣାକୁ ନେଇ ପୋଲିସ ନିକଟରେ ଅଭିଯୋଗ କରି ନଥିବା କହିଛନ୍ତି ଛାତ୍ରୀଙ୍କ ବାପା ।
ଅଭିଯୋଗ ପରେ ଘଟଣାର ତଦନ୍ତ ପାଇଁ ଡିଇଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ ଆଶିଷ ଈଶ୍ବର ପାଟିଲ । ଅନ୍ୟପଟେ ଏସ.ପି ଅଭିନବ ସୋନକର ଘଟଣାକୁ ଗୁରୁତ୍ୱ ଦେଇ ତୁରନ୍ତ ଭୁବନ ଥାନା ଅଧିକାରୀଙ୍କୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟପଟେ ସେହି ଶିକ୍ଷକଙ୍କର କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ । ତେବେ ବାରମ୍ବାର ଏଭଳି ଛାତ୍ରୀ ଅସଦାଚରଣ ଘଟଣାକୁ ନେଇ ଅସନ୍ତୋଷ ବଢ଼ିବାରେ ଲାଗିଛି । ଘଟଣାକୁ ଗୁରୁତ୍ବର ସହ ନେଇ ତଦନ୍ତ କରାଗଲେ ପ୍ରକୃତ ସତ ସାମ୍ନାକୁ ଆସିବ ।s