ଭୁବନେଶ୍ବର: ରାଜ୍ୟର ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରି ରାଜ୍ୟରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ହେଉଛି ରାଜ୍ୟ ସରକାରଙ୍କ ପ୍ରାଥମିକତା। ଏହିକ୍ରମରେ ଭୁବନେଶ୍ବର ୟୁନିଟ-୩ସ୍ଥିତ କ୍ୟାପିଟାଲ୍ ହାଇସ୍କୁଲ ପଡ଼ିଆଠାରେ ଫେବ୍ରୁଆରି ୭ରେ ଆୟୋଜିତ ହେବ ନିଯୁକ୍ତି ମେଳା। ଏହି ନିଯୁକ୍ତି ମେଳା ମାଧ୍ୟମରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ମୋଟ୍ ୨୭୬୭ ଜଣଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଯୁକ୍ତିପତ୍ର ପ୍ରଦାନ କରିବେ।
ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଓ ଓଡ଼ିଶା ମାଇନିଂ ଆଦର୍ଶ ବିଦ୍ୟାଳୟ ନିମନ୍ତେ ୮୯୪ ଜଣ ଅଧ୍ୟକ୍ଷ ଏବଂ ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରାଯିବାକୁ ଥିବା ବେଳେ ପୂର୍ଣ୍ଣ ଅନୁଦାନପ୍ରାପ୍ତ ବେସରକାରୀ ଉଚ୍ଚ ବିଦ୍ୟାଳୟର ୧୭୯୮ ଜଣ ଶିକ୍ଷକ-ଶିକ୍ଷୟିତ୍ରୀ, ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ୨୮ ଜଣ କନିଷ୍ଠ ସହାୟକ, ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ୨୭ ଜଣ କନିଷ୍ଠ ସହାୟକ, ମାଧ୍ୟମିକ ଶିକ୍ଷା ପରିଷଦର ୧୮ ଜଣ କନିଷ୍ଠ ସହାୟକ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ଅଧିନରେ ୨ ଜଣ ସମୀକ୍ଷକଙ୍କୁ ଏହି ଅବସରରେ ନିଯୁକ୍ତିପତ୍ର ପ୍ରଦାନ କରିବେ।
ନିଯୁକ୍ତି ମେଳା ସମାରୋହରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେବାକୁ ଥିବା ବେଳେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ବିଦ୍ୟାଳୟ ଓ ଗଣଶିକ୍ଷା, ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ସ୍ବାସ୍ଥ୍ୟ ମନ୍ତ୍ରୀ ଡଃ ମୁକେଶ ମହାଲିଙ୍ଗ, ଗୃହ ନିର୍ମାଣ ଓ ନଗରଉନ୍ନୟନ ବିଭାଗ ମନ୍ତ୍ରୀ ଡଃ କୃଷ୍ଣଚନ୍ଦ୍ର ମହାପାତ୍ର, ଦକ୍ଷତା ଓ ବୈଷୟିକ ଶିକ୍ଷା ବିଭାଗ ଶ୍ରୀଯୁକ୍ତ ସମ୍ପଦ ଚନ୍ଦ୍ର ସ୍ଵାଇଁ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଉନ୍ନୟନ କମିଶନର ତଥା ଅତିରିକ୍ତ ଶାସନ ସଚିବ ଅନୁ ଗର୍ଗଙ୍କ ସମେତ ବିଭିନ୍ନ ବିଭାଗର ସଚିବ ମଧ୍ୟ ଉପସ୍ଥିତ ରହିବେ।
ରାଜ୍ୟ ସରକାର ଆଗାମୀ ୫ ବର୍ଷରେ ଓଡିଶାର ସାମଗ୍ରିକ ବିକାଶ ଲକ୍ଷ୍ୟ ରଖିଛନ୍ତି। ସଂସ୍କାର, ପ୍ରଦର୍ଶନ ଏବଂ ରୂପାନ୍ତରଣ ଦ୍ବାରା ଓଡ଼ିଶାରେ ଦ୍ରୁତ ବିକାଶର ଧାରା ସୃଷ୍ଟି ହେବା ସହ ବିକଶିତ ଭାରତ ଗଠନ ଲକ୍ଷ୍ୟରେ ସମୃଦ୍ଧ, ସଶକ୍ତ ଓ ବିକଶିତ ଓଡ଼ିଶା ନିର୍ମାଣ ସହିତ ଯୁବଶକ୍ତିଙ୍କୁ ସୁଯୋଗ ଦେବା ପାଇଁ ନିଯୁକ୍ତି ମେଳାର ଆୟୋଜନ।