Sunday, April 5, 2026
25.5 C
Odisha

    ଡାକ୍ତର ଅଭାବକୁ ନେଇ ବିଧାନସଭାରେ ଉଦ୍‌ବେଗ: ୫ ହଜାର ଡାକ୍ତର, ୩ ହଜାର ପାରା ମେଡିକାଲ କର୍ମଚାରୀ ନିଯୁକ୍ତ ହେବେ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ଡାକ୍ତର ଅଭାବକୁ ନେଇ ଆଜି ବିଧାନସଭାର ପ୍ରଶ୍ନକାଳରେ ଉଦ୍‌ବେଗ ପ୍ରକାଶ ପାଇଥିଲା। ବିଧାୟକମାନେ ନିଜ ନିଜ ଅଞ୍ଚଳରେ ଡାକ୍ତର ଅଭାବ ସମ୍ପର୍କରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ପୁଣି କିଛି ଜାଗାରେ ଡାକ୍ତରଙ୍କୁ ନିଯୁକ୍ତି ଦିଆଯାଇଥିଲେ ବି ସେମାନଙ୍କୁ ଲମ୍ବା ସମୟ ପାଇଁ ଡେପୁଟେସନ୍‌ରେ ପଠାଯାଉଥିବା ନେଇ କ୍ଷୋଭ ପ୍ରକାଶ ପାଇଥିଲା। ବିଧାୟକମାନଙ୍କ ଉଦ୍‌ବେଗ ସହ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ସହମତି ପ୍ରକାଶ କରିଥିଲେ। ତେବେ ଏଥି ପାଇଁ ପୂର୍ବ ସରକାରଙ୍କୁ ଦୋଷ ଠେଲିଥିଲେ। ଏହି ଡାକ୍ତର ସମସ୍ୟା ପୂର୍ବ ସରକାର ଠାରୁ ଉତ୍ତରାଧିକାରୀ ସୂତ୍ରରେ ମିଳିଛି ବୋଲି କହିଥିଲେ। ମନ୍ତ୍ରୀ କହିଥିଲେ, ଖୁବ୍ ଶୀଘ୍ର ୫ ହଜାର ଡାକ୍ତର ଓ ୩ ହଜାର ପାରା ମେଡିକାଲ କର୍ମଚାରୀ ନିଯୁକ୍ତି ପାଇଁ ବିଜ୍ଞାପନ ପ୍ରକାଶ ପାଇବ। ପ୍ରତି ଜିଲ୍ଲାରେ ନିଶ୍ଚିତ ଭାବେ ଗୋଟିଏ ଗୋଟିଏ ମେଡିକାଲ କଲେଜ ଖୋଲିବ। ପ୍ରତି ୧୦୦ ସିଟ୍ ବିଶିଷ୍ଟ କଲେଜ ପାଇଁ ୨୫୦ରୁ ୩୦୦ କୋଟି ଟଙ୍କା ଖର୍ଚ୍ଚ ହେବ। କେନ୍ଦ୍ର ସରକାରଙ୍କ ସହ ସହଭାଗିତାରେ ଏହି କଲେଜ ଖୋଲାଯିବ।

    ଟଙ୍କଧର ତ୍ରିପାଠୀଙ୍କ ମୂଳ ପ୍ରଶ୍ନ ଉପରେ ମନ୍ତ୍ରୀ କହିଥିଲେ, ରାଜ୍ୟରେ ୧୩ଟି ସରକାରୀ ମେଡିକାଲ କଲେଜ(କ୍ୟାପିଟାଲ ହସ୍ପିଟାଲ ପିଜି ଇନଷ୍ଟିଚ୍ୟୁଟ୍‌କୁ ମିଶାଇ) ପାଇଁ ୩୪୯ଟି ମଞ୍ଜୁରିପ୍ରାପ୍ତ ପ୍ରଫେସର ପଦବି ରହିଛି। ଏଥିରେ ୨୬୩ଜଣ କାର୍ଯ୍ୟରତ ଅଛନ୍ତି। ୨୫% ପଦବି ଖାଲି ପଡ଼ିଛି। ସେହିପରି ଆସୋସିଏଟ୍ ପ୍ରଫେସର ପାଇଁ ୫୩୫ ପଦବି ଥିବା ବେଳେ ତହିଁରେ ୩୭୨ଜଣ ନିଯୁକ୍ତି ପାଇଛନ୍ତି। ଅର୍ଥାତ୍ ୩୦% ପଦବି ଖାଲି ରହିଛି। କେବଳ ସହକାରୀ ପ୍ରଫେସର ପଦବିରେ ଅଳ୍ପ ଖାଲି ରହିଛି। ସବୁ ମେଡିକାଲ କଲେଜରେ ହଜାର ସହକାରୀ ପ୍ରଫେସର ପଦବି ଥିବା ବେଳେ ଏଥିରେ ୯୧୭ଜଣ କାର୍ଯ୍ୟ କରୁଛନ୍ତି। ନବକିଶୋର ମଲ୍ଲିକ, ପ୍ରତାପ କେଶରୀ ଦେବ, ଅଶୋକ ଦାସ, ଆକାଶ ଦାସନାୟକ, ସୋଫିଆ ଫିର୍ଦୋସ, ଦିବ୍ୟଶଙ୍କର ମିଶ୍ର, ରଘୁନାଥ ଜଗଦ୍ଦଲା, ପବିତ୍ର ସାଉଁନ୍ତା, ନୀଳମାଧବ ହିକ୍‌କା, ଅମରେନ୍ଦ୍ର ଦାସ, ଗଣେଶ୍ବର ବେହେରା, ସଞ୍ଜୀବ ମଲ୍ଲିକ ଓ ଆଶ୍ରିତ ପଟ୍ଟନାୟକ ପ୍ରମୁଖ ଅତିରିକ୍ତ ପ୍ରଶ୍ନ କରିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    25.5 ° C
    25.5 °
    25.5 °
    65 %
    3.2kmh
    72 %
    Sun
    25 °
    Mon
    38 °
    Tue
    37 °
    Wed
    38 °
    Thu
    36 °

    ସମ୍ବନ୍ଧିତ