Sunday, September 6, 2026
24.3 C
Odisha

    ଶ୍ରୀମନ୍ଦିରରେ ଭକ୍ତଙ୍କ ଦର୍ଶନ: କାଲି ଭିଡ଼, ଆଜି ଫାଙ୍କା

    ଆଗକୁ ପଢନ୍ତୁ

    ପୁରୀ: ଦୁଇଦିନର ଅସହ୍ୟ ଯନ୍ତ୍ରଣା ପରେ ଆଜି ଶ୍ରୀମନ୍ଦିର ଦର୍ଶନ ବ୍ୟବସ୍ଥାରେ ସୁଧାର ଆସିଛି। ଗତକାଲି ଯେଉଁଠି ଶ୍ରୀମନ୍ଦିର ଚାରିଦ୍ବାରରେ ଅସମ୍ଭାଳ ଭିଡ଼ ଥିଲା, ଆଜି ସେଠାରେ ଶ୍ରଦ୍ଧାଳୁମାନେ ପ୍ରବେଶ କରି ମହାପ୍ରଭୁଙ୍କ ଦର୍ଶନ କରି ଭକ୍ତ ଫେରିଛନ୍ତି। ଗତକାଲି ପରିକ୍ରମା ମାର୍ଗ ଓ ବଡ଼ଦାଣ୍ଡରେ ଯେଉଁ ଜନସମୁଦ୍ର ଦେଖିବାକୁ ମିଳୁଥିଲା, ଆଜି ତାହା ଖାଲିପଡ଼ିଛି। କିନ୍ତୁ ଶ୍ରୀମନ୍ଦିର ଭିତର ଦର୍ଶନ ବ୍ୟବସ୍ଥାରେ ସୁଧାର ଆସିପାରିନି। ଆଜି ବି ନାଟମଣ୍ଡପ ଭିତରେ ଭକ୍ତ ଭିଡ଼ଭିତରେ ଦର୍ଶନ କରିଛନ୍ତି।
    ପୂର୍ବରୁ ସର୍ବଦା ଶନିବାର, ରବିବାର ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ଼ଲାଗେ। ଛୁଟିଦିନ ଥିବାରୁ ହଜାର ହଜାର ଭକ୍ତ ଆସି ମହାପ୍ରଭୁଙ୍କ ଦର୍ଶନ କରିଥା’ନ୍ତି। ଏଥିପାଇଁ ବଡ଼ଦାଣ୍ଡରେ ବି ମରିଚିକୋଟ ଛକ ପର୍ଯ୍ୟନ୍ତ ଭକ୍ତଙ୍କ ଭିଡ଼ଲାଗେ। ଏକାଧିକ ଧାଡ଼ିରେ ଭକ୍ତ ଦର୍ଶନ ପାଇଁ ଅପେକ୍ଷା କରନ୍ତି। ଗତ ଶନିବାର ରଜସଂକ୍ରାନ୍ତି କାରଣରୁ ସରକାରୀ ଛୁଟି ଥିଲା। ଗତକାଲି ରବିବାର ଓ ଆଜି ଇଦ୍‌ କାରଣରୁ ସରକାରୀ ଛୁଟି ରହିଥିଲା। ଏଣୁ ଗତ ଶନିବାରଠାରୁ ଶ୍ରୀକ୍ଷେତ୍ର ଓ ଶ୍ରୀମନ୍ଦିରକୁ ଭକ୍ତଙ୍କ ସୁଅ ଛୁଟିଥିଲା। ଚାରିଦ୍ବାର ଖୋଲିଥିଲେ ବି ସାତପାହାଚଠାରେ ଭକ୍ତଙ୍କୁ ଅଟକାଇ ପର୍ଯ୍ୟାୟକ୍ରମେ ଦର୍ଶନ ପାଇଁ ଛଡ଼ାଯାଉଥିବାରୁ ଶ୍ରୀମନ୍ଦିର ଭିତର ବେଢ଼ା ଓ ଶ୍ରୀମନ୍ଦିର ବାହାରେ ଚାରିଦ୍ବାରରେ ଭକ୍ତଙ୍କ ପ୍ରବଳ ଭିଡ଼ ରହିଥିଲା। ଲମ୍ବାଧାଡ଼ିରେ ରହି ଭକ୍ତ ମହାପ୍ରଭୁଙ୍କ ଦର୍ଶନ କରିଥିଲେ। ଖରାରେ ଅସହ୍ୟ ଯନ୍ତ୍ରଣା ପାଇଥିଲେ। କିନ୍ତୁ ଆଜି ଆଉ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିନି। ଯେଉଁ ଭକ୍ତମାନେ ଛୁଟି କାଟିବାକୁ ଶ୍ରୀକ୍ଷେତ୍ର ଆସିଥିଲେ ଓ ମହାପ୍ରଭୁଙ୍କ ଦର୍ଶନ କରିବାକୁ ମନସ୍ଥ କରି ଆସିଥିଲେ, ସେମାନେ ଫେରି ଯାଇଛନ୍ତି। ଫଳରେ ଚାରିଦ୍ବାରରେ ଭକ୍ତ ଶୃଙ୍ଖଳିତ ଭାବେ ପ୍ରବେଶ କରିବା ସହ ଦର୍ଶନ ସାରି ପ୍ରସ୍ଥାନ କରିଛନ୍ତି। ଆଜି ମାତ୍ର ଅଧଘଣ୍ଟା ଭିତରେ ଭକ୍ତ ଦର୍ଶନ ସାରି ଫେରିଥିବା କହିଛନ୍ତି। ଏଣୁ କୌଣସି ଅପ୍ରୀତିକର ପରିସ୍ଥିତି ଅବା ଅଘଟଣ ଘଟିବା ପୂର୍ବରୁ ଛୁଟିଦିନରେ ଭକ୍ତଙ୍କ ଦର୍ଶନ ଉପରେ ବିଶେଷ ଦୃଷ୍ଟିଦେବାକୁ ଭକ୍ତ ଓ ସେବାୟତମାନେ ଦାବି କରିଛନ୍ତି।
    କେବେ ବଦଳିବ ସାତପାହାଚ, ନାଟମଣ୍ଡପ ଦର୍ଶନ ବ୍ୟବସ୍ଥା?
    ପୁରୀ: ଭିଡ଼ ହେଉ କି ନ ହେଉ, ପ୍ରତିଦିନ ନାଟମଣ୍ଡପରେ ଭକ୍ତମାନେ ଦର୍ଶନ ପାଇଁ ସଂଘର୍ଷ କରୁଛନ୍ତି। ଯୁବକମାନେ ସଂଘର୍ଷ ଭିତରେ ମହାପ୍ରଭୁଙ୍କ ଦର୍ଶନ କରିବାରେ ସଫଳ ହେଉଛନ୍ତି। କିନ୍ତୁ ଯେଉଁ ବୃଦ୍ଧବୃଦ୍ଧା, ମହିଳା, ଯୁବତୀମାନେ ରହିଲେ, ସେମାନେ ଭୟରେ ଭିଡ଼ରେ ପଶୁନାହାନ୍ତି। ଅଧିକ କଷ୍ଟ ପାଉଛନ୍ତି ବୃଦ୍ଧବୃଦ୍ଧାମାନେ। ଫଳରେ ସଂଘର୍ଷ କରି ଭକ୍ତମାନେ ଧାଡ଼ିରେ ଯାଇ ନାଟମଣ୍ଡପରେ ପହଞ୍ଚୁଥିଲେ ବି ମହାପ୍ରଭୁଙ୍କ ଶ୍ରୀମୁଖ ଦର୍ଶନରୁ ବଞ୍ଚିତ ହେଉଛନ୍ତି। ବାକି କିଛି ଭକ୍ତ ଅଧା ଶ୍ରୀମୁଖ ଦେଖି ଫେରୁଛନ୍ତି।

    ଭକ୍ତ ଓ ସେବାୟତଙ୍କ କହିବା କଥା, ଭକ୍ତଙ୍କ ପାଇଁ ଚାରିଦ୍ବାର ଖୋଲିବା ଦାବି ପୂରଣ ହୋଇଛି। ଭକ୍ତମାନେ ଚାହିଁଲେ ସୁବିଧାରେ ମହାପ୍ରସାଦ ଆଣି ପାରୁଛନ୍ତି, ବେଢ଼ା ପରିକ୍ରମା କରି ପାରୁଛନ୍ତି। କିନ୍ତୁ ସାତପାହାଚଠାରୁ ନାଟମଣ୍ଡପ, ବାହାର କାଠ ଓ ଭିତର କାଠ ଦର୍ଶନ ବ୍ୟବସ୍ଥିତ ହୋଇପାରିନି। ପୁରୁଣା ବ୍ୟବସ୍ଥାରେ ଭକ୍ତଙ୍କୁ ଦର୍ଶନ ପାଇଁ ଛଡ଼ାଯାଉଛି। ସାତପାହାଚଠାରୁ ଭକ୍ତଙ୍କୁ ଏକକାଳୀନ ଦର୍ଶନ ପାଇଁ ଛଡ଼ାଯାଉଛି। ନାଟମଣ୍ଡପ ଭିତରେ ଭକ୍ତମାନେ ମହାପ୍ରଭୁଙ୍କ ଆଗରେ ଛିଡ଼ା ହୋଇ ରହୁଥିଲେ ବି କେହି ହଟାଇବାକୁ ନାହାନ୍ତି। ଏଣୁ ଯଦି ସାତପାହାଚଠାରୁ ଭକ୍ତଙ୍କୁ ମାନବଶୃଙ୍ଖଳ ଜରିଆରେ ଧାଡ଼ିରେ ଦର୍ଶନ ପାଇଁ ଛଡ଼ାଯାଆନ୍ତା, ନାଟମଣ୍ଡପ ଭିଡ଼ ରୁହନ୍ତାନି କି ଭକ୍ତ କଷ୍ଟ ପାଆନ୍ତେନି। ସମସ୍ତେ ଶ୍ରୀମୁଖ ଦର୍ଶନ ସୌଭାଗ୍ୟ ପାଇପାରନ୍ତେ। କିନ୍ତୁ ଶ୍ରୀମନ୍ଦିର ପ୍ରଶାସନ, ପୁଲିସ ପ୍ରଶାସନ ଏହି ବ୍ୟବସ୍ଥା କରିବାକୁ ନାରାଜ। କାହିଁ ବି ଏହି ବ୍ୟବସ୍ଥା ଆପଣା ଯାଉନି, ତାହ ବି ସନ୍ଦେହ ଲାଗୁଛି। ଭିଡ଼ ବଢ଼ାଇବା ପାଇଁ ଏହା ଯୋଜନାବଦ୍ଧ ଷଡ଼୍‌ଯନ୍ତ୍ର ବୋଲି ସେବାୟତ ଓ ଭକ୍ତମାନେ ଅଭିଯୋଗ କରିଛନ୍ତି। ତୁରନ୍ତ ଏହି ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବାକୁ ଭକ୍ତ ଓ ସେବାୟତ ମହଲ ଦାବି କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    24.3 ° C
    24.3 °
    24.3 °
    89 %
    1.1kmh
    11 %
    Sun
    31 °
    Mon
    31 °
    Tue
    31 °
    Wed
    31 °
    Thu
    27 °

    ସମ୍ବନ୍ଧିତ