Friday, June 26, 2026
26.6 C
Odisha

    ମୁଖ୍ୟମନ୍ତ୍ରୀଙ୍କ ବୈଠକରେ ଯୋଗଦେଲେନି ବାଡ଼ଗ୍ରାହୀ, ଦଇତାପତି: ମୁଣ୍ଡ ଉପରେ ସ୍ନାନଯାତ୍ରା ଓ ରଥଯାତ୍ରା

    ଆଗକୁ ପଢନ୍ତୁ

    ପୁରୀ: ମୁଣ୍ଡ ଉପରେ ସ୍ନାନଯାତ୍ରା। ଜୁଲାଇ ୭ରେ ବିଶ୍ବପ୍ରସିଦ୍ଧ ରଥଯାତ୍ରା। ଚଳିତବର୍ଷ ଅଣସର ନୀତି ମାତ୍ର ୧୩ ଦିନ ପଡ଼ୁଛି। ଏଭଳି ସ୍ଥିତିରେ ମହାପ୍ରଭୁଙ୍କ ନୀତିକାନ୍ତି କିଭଳି ଶୃଙ୍ଖଳିତ ହେବ, ତାକୁ ନେଇ ଚିନ୍ତା ବଢ଼ିଛି। ଶ୍ରୀମନ୍ଦିର ଛତିଶାନିଯୋଗ ବୈଠକରେ ସ୍ନାନଯାତ୍ରା ନୀତି ଚୂଡ଼ାନ୍ତ ହୋଇସାରିଥିବା ବେଳେ ଆସନ୍ତା ୧୯ ତାରିଖରେ ଶ୍ରୀମନ୍ଦିର ପରିଚାଳନା କମିଟି ଏଥିରେ ଚୂଡ଼ାନ୍ତ ମୋହର ମାରିବେ। ପ୍ରତିବର୍ଷ ସ୍ନାନଯାତ୍ରା, ରଥଯାତ୍ରା ଆଦିର ନୀତିକାନ୍ତି ଏକକାଳୀନ ଚୂଡ଼ାନ୍ତ ହୁଏ। ଚଳିତବର୍ଷ ଅଣସର ଦିନ କମ୍‌ ଥିବାରୁ କେବଳ ସ୍ନାନଯାତ୍ରା ନୀତିକାନ୍ତି ଚୂଡ଼ାନ୍ତ ହୋଇଥିବା ବେଳେ ରଥଯାତ୍ରା ନୀତିକାନ୍ତି ଚୂଡ଼ାନ୍ତ ହୋଇପାରିନି। ଏଭଳି ଅଡ଼ୁଆ ପରିସ୍ଥିତି ଭିତରେ ଦଇତାପତି ନିଯୋଗରେ ମତଭେଦ ଦେଖାଦେବା, ସ୍ଥିତିକୁ ବିଗାଡ଼ି ଦେଇଛି। ଆଜି ମୁଖ୍ୟମନ୍ତ୍ରୀଙ୍କ ବୈଠକକୁ ଦଇତାପତି ନିଯୋଗ, ତିନି ବାଡ଼ଗ୍ରାହୀଙ୍କୁ ଡକାଯାଇଥିଲା। ହେଲେ, ଏହି ଗୁରୁତ୍ବପୂର୍ଣ୍ଣ ବୈଠକରେ ତିନି ଠାକୁରଙ୍କ ବାଡ଼ଗ୍ରାହୀ ଓ ବରିଷ୍ଠ ଦଇତାପତିମାନେ ଯୋଗ ଦେଇନାହାନ୍ତି। ଯାହା ନିଯୋଗରେ ଥିବା ମତାନ୍ତରକୁ ପଦାରେ ପକାଇଛି।
    ସୂଚନା ଅନୁସାରେ, ଆଜି ଅପରାହ୍ନରେ ଦଇତାପତି ନିଯୋଗ ସହ ମୁଖ୍ୟମନ୍ତ୍ରୀଙ୍କ ବୈଠକ ଥିଲା। ଆଇନ ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଓ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ସ୍ନାନଯାତ୍ରା, ରଥଯାତ୍ରା ଉପରେ ଆଲୋଚନା ହୋଇଥିଲା। ନୀତି କିଭଳି ଶୃଙ୍ଖଳିତ ହେବ ସେ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା। କିନ୍ତୁ ବଡ଼ଠାକୁର ଶ୍ରୀବଳଭଦ୍ରଙ୍କ ବାଡ଼ଗ୍ରାହୀ ହଳଧର ଦାମହାପାତ୍ର, ମହାପ୍ରଭୁ ଶ୍ରୀଜଗନ୍ନାଥ ଜଗନ୍ନାଥ ସ୍ବାଇଁ ମହାପାତ୍ର ଓ ଦେବୀ ସୁଭଦ୍ରାଙ୍କ ବାଡ଼ଗ୍ରାହୀ ରାମଚନ୍ଦ୍ର ଦାସମହାପାତ୍ର ଏଥିରେ ଯୋଗ ଦେଇନଥିଲେ।
    ଏ ସମ୍ପର୍କରେ ଦେବୀ ସୁଭଦ୍ରାଙ୍କ ବାଡ଼ଗ୍ରାହୀ ରାମଚନ୍ଦ୍ର ଦାସମହାପାତ୍ର କହିଛନ୍ତି, ଆଜିର ବୈଠକ ସମ୍ପର୍କରେ ଆମକୁ ପୂର୍ବ ସୂଚନା କିଛି ନଥିଲା। ଆଜି ସକାଳେ ବୈଠକ ସମ୍ପର୍କରେ ସୂଚନା ଦିଆଗଲା। ଏଣୁ ସେ ବୈଠକରେ ଯୋଗ ଦେଇନାହାନ୍ତି ବୋଲି କହିଛନ୍ତି। ବରିଷ୍ଠ ଦଇତାପତି ବିଶ୍ବାବସୁ ବିନାୟକ ଦାସମହାପାତ୍ର ବି କହିଛନ୍ତି, ଆଜିର ବୈଠକ ସମ୍ପର୍କରେ ଆମକୁ କୌଣସି ସୂଚନା ଦିଆଯାଇନଥିଲା। ଯେଉଁମାନେ ସ୍ନାନଯାତ୍ରା ଓ ରଥଯାତ୍ରାରେ ମହାପ୍ରଭୁଙ୍କ ସେବା କରିବେ, ପହଣ୍ଡିଠାରୁ ଆରମ୍ଭ କରି ଅନ୍ୟାନ୍ୟ ନୀତିକାନ୍ତି କରିବେ, ସେମାନଙ୍କୁ ଆଜିର ବୈଠକକୁ ଡକାଯାଇନଥିଲା। ଯେହେତୁ କାହାରିକୁ ଠିକ୍‌ ସୂଚନା ନ ଥିଲା, ବାଡ଼ଗ୍ରାହୀଙ୍କଠାରୁ ଆରମ୍ଭ କରି ବରିଷ୍ଠ ଦଇତାପତିମାନେ ଏହି ବୈଠକରେ ଯୋଗ ଦେଇନାହାନ୍ତି। ତାଙ୍କ ସହ ହଳଧର ଦାସମହାପାତ୍ର, ରାମଚନ୍ଦ୍ର ଦାସମହାପାତ୍ର, ଜଗନ୍ନାଥ ସ୍ବାଇଁ ମହାପାତ୍ର, ରାଜା ସ୍ବାଇଁ ମହାପାତ୍ର, ଅନାଥ ଦାସମହାପାତ୍ର, ଗଣେଶ ଦାସମହାପାତ୍ର, ରବିନାରାୟଣ ଦାସମହାପାତ୍ର, ଚନ୍ଦ୍ରଶେଖର ଦାସମହାପାତ୍ର, ବିଜୟାନନ୍ଦ ଦାସମହାପାତ୍ର, ସୂର୍ଯ୍ୟ ସ୍ବାଇଁ ମହାପାତ୍ର ଭଳି ବହୁ ବରିଷ୍ଠ ଦଇତାପତି ମଧ୍ୟ ଏହି ବୈଠକରେ ଯୋଗ ଦେଇନାହାନ୍ତି।

    ଏ ସମ୍ପର୍କରେ ଦଇତାପତି ନିଯୋଗ ସଂପାଦକ ରାମକୃଷ୍ଣ ଦାସମହାପାତ୍ର କହିଛନ୍ତି, ଆଜି ମୁଖ୍ୟମନ୍ତ୍ରୀଙ୍କ ସହ ଦଇତାପତି ନିଯୋଗ କମିଟିର ଆଲୋଚନା ବୈଠକ ଥିଲା। ଏଥିପାଇଁ କମିଟିକୁ ନିମନ୍ତ୍ରଣ କରାଯାଇଥିଲା। କମିଟି ତରଫରୁ ସେ ସମସ୍ତଙ୍କୁ ଜଣାଇଥିଲେ। ବଡ଼ଠାକୁରଙ୍କ ବାଡ଼ଗ୍ରାହୀଙ୍କ ପୁଅ ହରପ୍ରସାଦ ଦାସମହାପାତ୍ର, ରାମଚନ୍ଦ୍ର ଦାସମହାପାତ୍ରଙ୍କ ପୁଅ ନୂତନ ଦାସମହାପାତ୍ର, ବିନାୟକ ଦାସମହାପାତ୍ରଙ୍କ ଭାଇ ଗୁଣଧର ଦାମହାପାତ୍ର ପ୍ରମୁଖ ବୈଠକରେ ଯୋଗ ଦେଇଥିଲେ। ଏହି ବୈଠକରେ ସମସ୍ତ ବରିଷ୍ଠ ଦଇତାପତିଙ୍କୁ ନେବା ସମ୍ଭବପର ନ ଥିଲା। ଖୁବ୍‌ଶୀଘ୍ର ପୁରୀରେ ମୁଖ୍ୟମନ୍ତ୍ରୀଙ୍କ ସହ ଏକ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ଏଥିରେ ସମସ୍ତେ ଯୋଗଦେବେ ବୋଲି ଶ୍ରୀ ଦାସମହାପାତ୍ର କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    26.6 ° C
    26.6 °
    26.6 °
    80 %
    1.6kmh
    22 %
    Thu
    27 °
    Fri
    37 °
    Sat
    38 °
    Sun
    37 °
    Mon
    38 °

    ସମ୍ବନ୍ଧିତ