Saturday, September 26, 2026
24.6 C
Odisha

    ମସ୍କଙ୍କ ଯୋଗୁଁ ତେଜିଲା ଇଭିଏମ୍‌ ବିବାଦ: ବିବାଦକୁ କୁଦିଲେ ରାହୁଲ, ଅଖିଳେଶ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ (ଇଭିଏମ୍)କୁ ହ୍ୟାକ୍ କରିବା ଏବଂ ଜାଲିଆତି କରିବା ସଂକ୍ରାନ୍ତ ସମ୍ଭାବ୍ୟ ବିପଦକୁ ନେଇ ଟେସ୍‌ଲା ମୁଖ୍ୟ ଏଲନ୍ ମସ୍କ ଏବଂ ପୂର୍ବତନ କେନ୍ଦ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ମଧ୍ୟରେ ଆଜି ‘ଏକ୍ସ’ରେ ରେ ବିତର୍କ ଦେଖିବାକୁ ମିଳିଛି। ବିଶ୍ବ ପୁଣି ବାଲଟ୍‌ ଭୋଟିଂକୁ ଫେରିବା ଉଚିତ କି ନାହିଁ ସେ ନେଇ ଉଭୟ ଯୁକ୍ତି ରଖିଥିବା ବେଳେ ଇଣ୍ଡି ମେଣ୍ଟର ଅନେକ ନେତା ମଧ୍ୟ ଏହି ବିବାଦକୁ କୁଦିଛନ୍ତି। କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଏବଂ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଇଭିଏମ୍‌ ହ୍ୟାକ୍‌ ହୋଇପାରେ ବୋଲି ମସ୍କଙ୍କ ଆଶଙ୍କାକୁ ସମର୍ଥନ କରିଛନ୍ତି।
    ସୂଚନାଯୋଗ୍ୟ, ଆମେରିକାର ପୁର୍ଟୋ ରିକୋ ନିର୍ବାଚନରେ ଶତାଧିକ ଇଭିଏମ୍‌ରେ ମତଦାନ ଅନିୟମିତତା ହୋଇଥିବା ନେଇ ଗଣମାଧ୍ୟମରେ ପ୍ରକାଶିତ ଖବରକୁ ଉଲ୍ଲେଖ କରି ମସ୍କ ଇଭିଏମ୍‌ର ବିଶ୍ୱସନୀୟତା ଉପରେ ପ୍ରଶ୍ନ ଉଠାଇଥିଲେ। ଆମେରିକାର ସ୍ୱାଧୀନ ରାଷ୍ଟ୍ରପତି ପ୍ରାର୍ଥୀ ରବର୍ଟ ଏଫ୍ କେନେଡି ଜୁନିୟର ଏକ ପୋଷ୍ଟରେ ଗତକାଲି କହିଥିଲେ ଯେ ସୌଭାଗ୍ୟବଶତଃ ପେପର୍‌ ଟ୍ରେଲ ଯୋଗୁଁ ସମସ୍ୟାକୁ ଚିହ୍ନଟ କରାଯାଇ ଭୋଟ ଗଣତିକୁ ସୁଧାରି ଦିଆଯାଇଥିଲା। ଯେଉଁଠାରେ କାଗଜ ସ୍ଲିପ୍‌ ବାହାରିବା ବ୍ୟବସ୍ଥା ନାହିଁ ସେଠାରେ ଏହି ତ୍ରୁଟି ସୁଧାରିବା ପାଇଁ କୌଣସି ସମ୍ଭାବନା ନାହିଁ ବୋଲି ସେ କହିଥିଲେ। ଏହାକୁ ମସ୍କ ସମର୍ଥନ କରି ହ୍ୟାକ୍‌ ସମ୍ଭାବନା ଯୋଗୁଁ ଇଭିଏମ୍‌କୁ ସଂପୂର୍ଣ୍ଣ ହଟାଇ ଦିଆଯିବା ସପକ୍ଷରେ ଯୁକ୍ତି ରଖିଥିଲେ। ମସ୍କଙ୍କ ଏଭଳି ବୟାନକୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତା ଚନ୍ଦ୍ରଶେଖର କଡ଼ା ବିରୋଧ କରିଛନ୍ତି। ମସ୍କଙ୍କୁ ତାଙ୍କ ଉତ୍ତରରେ ଦର୍ଶାଇଛନ୍ତି ଯେ ‘ଏକ୍ସ ମାଲିକଙ୍କ ମନ୍ତବ୍ୟରୁ ଏହା ଜଣାପଡ଼ୁଛି ଯେ କେହି ବି ସୁରକ୍ଷିତ ଡିଜିଟାଲ ହାର୍ଡୱେୟାର ତିଆରି କରିପାରିବେ ନାହିଁ। ସୁରକ୍ଷିତ ଇଭିଏମ୍ କିପରି ତିଆରି କରାଯିବ ସେ ନେଇ ମସ୍କଙ୍କ ପାଇଁ ଟ୍ୟୁଟୋରିଆଲ୍ ଚଳାଇ ସେ ଖୁସି ହେବେ।’ ଆଉ ଏକ ପୋଷ୍ଟ୍‌ରେ ଚନ୍ଦ୍ରଶେଖର କହିଥିଲେ, ଏହା ମସ୍କଙ୍କ ଏଭଳି ସାର୍ବଜନୀନ ବିବୃତି ଯାହାକି ଭୁଲ୍‌ ତଥ୍ୟ ଉପରେ ପର୍ଯ୍ୟବସିତ। ମସ୍କଙ୍କ ମତ ଆମେରିକା ଏବଂ ଅନ୍ୟ ସ୍ଥାନ ପାଇଁ ଲାଗୁ ହୋଇପାରେ – ଯେଉଁଠାରେ ସେମାନେ ଇଣ୍ଟରନେଟ୍ ସଂଯୋଜିତ ଭୋଟିଂ ମେସିନ୍ ନିର୍ମାଣ ପାଇଁ ନିୟମିତ କମ୍ପ୍ୟୁଟର ପ୍ଲାଟଫର୍ମ ବ୍ୟବହାର କରନ୍ତି।’ ଚନ୍ଦ୍ରଶେଖର ତାଙ୍କ ବୟାନରେ ଭାରତର ଇଭିଏମ୍‌ କିଭଳି କୌଣସି ଇଣ୍ଟରନେଟ୍‌ ସଂଯୋଜିତ ମେସିନ୍‌ ନୁହେଁ ତାହା ସ୍ପଷ୍ଟ କରିବା ସହ ମସ୍କ୍‌ଙ୍କ ବୟାନକୁ ବିରୋଧ କରିଛନ୍ତି।

    ଭାରତରେ ଇଭିଏମ୍ ସବୁଠୁ ସୁରକ୍ଷିତ: ଚନ୍ଦ୍ରଶେଖର
    ବିବାଦକୁ କୁଦିଲେ ରାହୁଲ, ଅଖିଳେଶ
    ଭାରତର ଇଭିଏମ୍‌ ଏକ ବ୍ଲାକ୍‌ବକ୍ସ: ରାହୁଲ
    ସୂଚନାଯୋଗ୍ୟ, ନିକଟରେ ଅନୁଷ୍ଠିତ ଲୋକସଭା ନିର୍ବାଚନରେ ଭାରତ ଇଭିଏମ୍ ବ୍ୟବହାର କରିଥିଲା ଏବଂ ଅଧିକାଂଶ ବିରୋଧୀ ଦଳ ନେତା ଇଭିଏମ୍ ବଦଳରେ ବାଲଟ୍‌ ପେପର ଦ୍ବାରା ଭୋଟିଂ ହେବା ଆବଶ୍ୟକ ବୋଲି କହିଥିଲେ। ଭୋଟର୍‌ଙ୍କ ମନରେ କୌଣସି ସନ୍ଦେହ ହେଲେ ସମଗ୍ର ଗଣତାନ୍ତ୍ରିକ ପ୍ରକ୍ରିୟା ଉପରେ ପ୍ରଶ୍ନ ଚିହ୍ନ ଲାଗିଯିବ ବୋଲି ରାହୁଲ ଗାନ୍ଧୀ ଓ ଅଖିଳେଶ ଯାଦବ ଆଜି ମତ ରଖିଛନ୍ତି। ଭାରତରେ ଇଭିଏମ୍ ଏକ ‘ବ୍ଲାକ୍ ବକ୍ସ’ଏବଂ ଏହାକୁ ଯାଞ୍ଚ କରିବାକୁ କାହାକୁ ଅନୁମତି ନାହିଁ ବୋଲି ରାହୁଲ କହିଛନ୍ତି। ଅନ୍ୟପକ୍ଷରେ ଭାରତୀୟ ଇଭିଏମ୍‌ର ପାରଦର୍ଶିତା ଉଲ୍ଲେଖ କରି ଚନ୍ଦ୍ରଶେଖର କହିଛନ୍ତି ଯେ ଏହା କଷ୍ଟମ ଡିଜାଇନ୍ ଏବଂ ଯେ କୌଣସି ପ୍ରକାର ନେଟୱର୍କ କିମ୍ବା ମିଡିଆଠାରୁ ଅଲଗା ଅଟେ । ଏହି ଇଭିଏମ୍‌ ସହିତ କୌଣସି ବ୍ଲୁଟୁଥ୍ ନାହିଁ, ୱାଇ-ଫାଇ ନାହିଁ କି ଇଣ୍ଟରନେଟ୍ ନାହିଁ। ଅର୍ଥାତ୍ କୌଣସି ଉପାୟରେ ଏହାକୁ ପୁନଃ ପ୍ରୋଗ୍ରାମ୍ କରାଯାଇପାରିବ ନାହିଁ। ଭାରତର ଏହି ସଫଳତାକୁ ପୂରା ବିଶ୍ବ ଗ୍ରହଣ କରିସାରିଛି ବୋଲି ସେ କହିଛନ୍ତି। ଏହାର ଜବାବରେ ମସ୍କ କହିଛନ୍ତି, ଯେକୌଣସି ଜିନିଷ ହ୍ୟାକ୍ ହୋଇପାରେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.6 ° C
    24.6 °
    24.6 °
    90 %
    2.2kmh
    100 %
    Sat
    31 °
    Sun
    30 °
    Mon
    29 °
    Tue
    30 °
    Wed
    30 °

    ସମ୍ବନ୍ଧିତ