Thursday, September 10, 2026
24.1 C
Odisha

    ଆରପାରିରେ ପୂର୍ବତନ ମନ୍ତ୍ରୀ ଡାକ୍ତର କମଳା ଦାସ

    ଆଗକୁ ପଢନ୍ତୁ

    ଜଳେଶ୍ଵର: ବାଲେଶ୍ବର ଜିଲ୍ଲା ଭୋଗରାଇର ତିନି ଥରର ବିଧାୟିକା ତଥା ପୂର୍ବତନ ମନ୍ତ୍ରୀ ଡାକ୍ତର କମଳା ଦାସଙ୍କର ଗତକାଲି ରାତିରେ ପରଲୋକ ହୋଇଯାଇଛି। ଗତ ଦୁଇ ସପ୍ତାହ ତଳେ ସେ ଭୁବନେଶ୍ୱର ସହିଦନଗର ସ୍ଥିତ ବାସଭବନରେ ଅସୁସ୍ଥ ହେବା ପରେ ଭୁବନେଶ୍ୱରର ଆପୋଲୋ ହସ୍ପିଟାଲକୁ ତାଙ୍କୁ ନିଆଯାଇଥିଲା।ଏହାପରେ ସେ ଫୁସଫୁସଜନିତ ସଂକ୍ରମଣରେ ପୀଡ଼ିତ ଥିବା ଜଣା ପଡିଥିଲା। ୧୨ ଦିନ ତଳେ ତାଙ୍କୁ କଟକର ଅଶ୍ବିନୀ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା।

    ଏଠାରେ ସେ ଭେଣ୍ଟିଲେଟରରେ ଗତ ୩ ଦିନ ଧରି ଥିବାବେଳେ ଗତକାଲି ରାତି ସାଢ଼େ ୧୨ ଟା ସମୟରେ ତାଙ୍କର ପରଲୋକ ହୋଇଛି ବୋଲି ତାଙ୍କ ଜ୍ବାଇଁ ସତ୍ୟବ୍ରତ ସ୍ବାଇଁ ଓ ଭଣଜା ଅଶୋକ ଦାସ ସୂଚନା ଦେଇଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ହୋଇଥିଲା। ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ତାଙ୍କ ଗାଁ ଶଙ୍ଖାରୀ, ଜନ୍ମମାଟି ବାରବାଟିଆ ସମେତ ସମଗ୍ର ଭୋଗରାଇ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ତାଙ୍କ ମୃତ୍ୟୁରେ ଭୋଗରାଇ ବିଧାୟକ ଅନନ୍ତ ଦାସ, ପ୍ରାକ୍ତନ ବିଧାୟିକା ଉମାରାଣୀ ପାତ୍ର, ବିଜେଡି ମୁଖପାତ୍ର ଗୌତମ ବୁଦ୍ଧ ଦାସ, ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରବୀର ଗିରି, ପ୍ରାକ୍ତନ ବ୍ଲକ ଉପାଧ୍ୟକ୍ଷ ଗଣପତି ଗିରି,ବରିଷ୍ଠ ବିଜେଡି ନେତା ରମାକାନ୍ତ କରଣ,ପ୍ରାକ୍ତନ ବ୍ଲକ ଉପାଧ୍ୟକ୍ଷ ରବୀନ୍ଦ୍ର ନାଥ ପ୍ରଧାନ,ଷଡାନନ ଜେନା, ସମାଜସେବୀ ଅନିଲ ପ୍ରଧାନ ପ୍ରମୁଖ ଗଭୀର ଶୋକବ୍ୟକ୍ତ କରିଛନ୍ତି।

    ପ୍ରକାଶଯୋଗ୍ୟ ଯେ ଯେ ୧୯୯୦ ମସିହାରେ ଡାକ୍ତର କମଳା ଦାସ ଡାକ୍ତର ଚାକିରି ଛାଡ଼ି ଜନତା ଦଳ ଟିକଟରେ ଭୋଗରାଇ ବିଧାନସଭା ଆସନ ପାଇଁ ପ୍ରତିଦ୍ୱନ୍ଦ୍ବିତା କରି ବିଜୟୀ ହୋଇଥିଲେ। ଏହାପରେ ୧୯୯୫ ମସିହାରେ ସେହି ଜନତା ଦଳ ଓ ୨୦୦୦ ମସିହାରେ ବିଜୁ ଜନତା ଦଳ ଟିକଟରେ ମଧ୍ୟ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ବିଧାନସଭାକୁ ହ୍ୟାଟ୍ରିକରେ ନିର୍ବାଚିତ ହେବାରେ ଡାକ୍ତର କମଳା ଦାସ ପ୍ରଥମ ବିଧାୟିକା ଥିଲେ। କେବଳ ବିଧାୟକ ନୁହେଁ ସେ ବିଜୁ ପଟ୍ଟନାୟକ ଓ ନବୀନ ପଟ୍ଟନାୟକଙ୍କ ମନ୍ତ୍ରୀ ମଣ୍ଡଳରେ ଶିକ୍ଷା,ସ୍ବାସ୍ଥ୍ୟ ପରିବାର କଲ୍ୟାଣ ଓ ଶିଶୁ ବିକାଶ ପରି ଗୁରୁତ୍ୱପୂର୍ଣ୍ଣ ବିଭାଗରେ କ୍ୟାବିନେଟ ମନ୍ତ୍ରୀ ଭାବେ ମଧ୍ୟ ଦାୟିତ୍ୱ ତୁଲାଇଥିଲେ।କେବଳ ଭୋଗରାଇ କାହିଁକି ବାଲେଶ୍ଵର ଜିଲ୍ଲା ଏପରିକି ସମଗ୍ର ରାଜ୍ୟ ରାଜନୀତିରେ ଜଣେ ନାରୀନେତ୍ରୀ ଭାବେ କମଳା ଦାସଙ୍କ ଭୂମିକା ଗୁରୁତ୍ଵପୂର୍ଣ୍ଣ ଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.1 ° C
    24.1 °
    24.1 °
    96 %
    1.4kmh
    100 %
    Thu
    24 °
    Fri
    27 °
    Sat
    28 °
    Sun
    29 °
    Mon
    29 °

    ସମ୍ବନ୍ଧିତ