Monday, August 24, 2026
23.9 C
Odisha

    ଗଞ୍ଜାମ ବିଷ ମଦମୃତ୍ୟୁ ପ୍ରସଙ୍ଗ: ଆର୍‌ଡିସିସ୍ତରୀୟ ତଦନ୍ତ ନିର୍ଦ୍ଦେଶ

    ଆଗକୁ ପଢନ୍ତୁ

    ଚିକିଟି/ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଚିକିଟିରେ ବିଷାକ୍ତ ମଦ ପିଇ ଗୁରୁତର ହୋଇଥିବା ୧୩ ଜଣ ବର୍ତ୍ତମାନ ବ୍ରହ୍ମପୁର ବଡ଼ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ସେମାନଙ୍କ ମଧ୍ୟରୁ ୫ ଜଣ ଆଇସିୟୁରେ ଓ ଜଣେ ଭେଣ୍ଟିଲେଟର୍‌‌ରେ ରହିଛନ୍ତି। କରବାଲୁଆ ଗ୍ରାମର ବାୟା ସେଠୀଙ୍କୁ ୱାର୍ଡ଼ରୁ ଆଇସିୟୁକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟ ୭ ଜଣଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ସୂଚନା ମିଳିଛି। ସରକାର ଏହି ଘଟଣାରେ ତତ୍ପରତା ପ୍ରକାଶ କରିଛନ୍ତି। ମଦମୃତ୍ୟୁ ଘଟଣାର ଆର୍‌ଡିସି ସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ଦୁଇ ମାସ ଭିତରେ ତଦନ୍ତ ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି। ଏହା ସହ ବ୍ରହ୍ମପୁର ଅବକାରୀ ଇନ୍ସପେକ୍ଟର୍ ଓ ସବଇନ୍ସପେକ୍ଟର୍‌ଙ୍କୁ ନିଲମ୍ବିତ କରାଯାଇଛି। ବ୍ରହ୍ମପୁର ଅବକାରୀ ଅଧୀକ୍ଷକଙ୍କୁ ବଦଳି କରାଯାଇଛି।
    ରାଜ୍ୟ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଆଜି ବ୍ରହ୍ମପୁର ବଡ଼ଡାକ୍ତରଖାନାକୁ ଆସି ଅସୁସ୍ଥଙ୍କୁ ଭେଟି ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି। ଗଣମାଧ୍ୟମକୁ ମନ୍ତ୍ରୀ କହିଛନ୍ତି, ଚୋରା ନକଲି ମଦ କାରବାର ଓ ବିକ୍ରିକୁ ବନ୍ଦ କରିବାକୁ ରାଜ୍ୟ ସରକାର କଡ଼ା ପଦକ୍ଷେପ ନେଇଛନ୍ତି। ରାଜ୍ୟରେ ୨୧୪ ନକଲି ମଦଭାଟି ଚିହ୍ନଟ ହୋଇଛି। ବେଆଇନ ମଦ କାରବାରରେ ଯେଉଁମାନେ ସଂପୃକ୍ତ ରହିଛନ୍ତି, ସେମାନଙ୍କ ବିରୋଧରେ ଆଗକୁ କଡ଼ା କାର୍ଯ୍ୟାନୁଷ୍ଠାନ ହେବ। ସବୁ ବେଆଇନ ମଦଭାଟି ଉପରେ ବୁଲ୍‌ଡୋଜର୍‌ ଚାଲିବ। ଆଗରୁ ରାଜନୈତିକ ପ୍ରୋତ୍ସାହନ‌ ଓ କିଛି ବିଭାଗୀୟ ଅଧିକାରୀଙ୍କ ପ୍ରୋତ୍ସାହନରେ ବେଆଇନ ମଦ କାରବାର ଚାଲିଥିଲା। ଏଦିଗରେ ଆଗକୁ କଡ଼ା ଆଭିମୁଖ୍ୟ ଗ୍ରହଣ କରାଯିବ ବୋଲି ଅବକାରୀ ମନ୍ତ୍ରୀ କହିଛନ୍ତି। ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନସାମନ୍ତରା କହିଛନ୍ତି, ଏହା ଏକ ଦୁର୍ଭାଗ୍ୟଜନକ ବିଷୟ। ମନ୍ତ୍ରୀଙ୍କ ସହ ଗଞ୍ଜାମ ଜିଲ୍ଲା ବିଜେପି ସଭାପତି ଡା.ସୁବାସ ସାହୁ ଉପସ୍ଥିତ ଥିଲେ।
    ସେହିପରି ବିଜେଡିର ଏକ ଫ୍ୟାକ୍ଟ୍ ଫାଇଣ୍ଡିଂ ଟିମ୍ ଆଜି ଜେନାପୁର ଗ୍ରାମକୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ। ପୂର୍ବତନ ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ନେତୃତ୍ୱରେ ବ୍ରହ୍ମପୁର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା, ଗଞ୍ଜାମ ଜିଲ୍ଲା ବିଜେଡି ସଭାପତି ଡା. ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ ଓ ପୂର୍ବତନ ମନ୍ତ୍ରୀ ଉଷାଦେବୀଙ୍କୁ ନେଇ ଗଠିତ ଏକ ଟିମ୍ ଦୁଇ ମୃତକଙ୍କ ପରିବାରକୁ ଭେଟିଥିଲେ। ପରିବାରବର୍ଗଙ୍କୁ ସେମାନେ ସମବେଦନା ଜଣାଇବା ସହ ସମସ୍ତ ପ୍ରକାର ସହାୟତା ଓ କ୍ଷତିପୂରଣ ପ୍ରଦାନ ପାଇଁ ରାଜ୍ୟ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରାଯିବ ‌ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଟିମ୍‌ ଗସ୍ତକୁ ନେଇ ବିଧାୟକ ଶ୍ରୀ ଦ୍ୟାନସାମନ୍ତରା ପ୍ରତିକ୍ରିୟା ରଖି କହିଛନ୍ତି, ବିଜେଡିର ପ୍ରୋତ୍ସାହନରେ ହିଁ ବେଆଇନ ମଦ କାରବାର କାୟା ବିସ୍ତାର କରିଥିଲା। ସେମାନେ କ’ଣ ଅନୁଧ୍ୟାନ କରିବେ।

    ଅନ୍ୟପକ୍ଷରେ କାର୍ଯ୍ୟରେ ଅବହେଳା ଓ ଓଡ଼ିଶା ସରକାରଙ୍କ କର୍ମଚାରୀ ଆଚରଣବିଧି ନିୟମ ୧୯୫୯ ଧାରା-୩ର ଉଲ୍ଲଂଘନ କରିବା ଅଭିଯୋଗରେ ବ୍ରହ୍ମପୁର ଅବକାରୀ ଜିଲ୍ଲାରେ କାର୍ଯ୍ୟରତ ଅବକାରୀ ଇନ୍‌ସପେକ୍ଟର୍ ରମେଶ ଚନ୍ଦ୍ର ମହାନ୍ତି ଓ ସବ୍‌ଇନ୍‌ସପେକ୍ଟର୍ ପ୍ରସନ୍ନ କୁମାର ଜାଲିଙ୍କୁ ନିଲମ୍ବିତ କରାଯାଇଛି। ଏନେଇ ଅବକାରୀ କମିସନର୍‌ ନରସିଂହ ଭୋଳ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଏହି ନିଲମ୍ବନ ସମୟ ଅବଧି ମଧ୍ୟରେ ଉଭୟଙ୍କ ମୁଖ୍ୟାଳୟ ଅବକାରୀ ଡେପୁଟି କମିସନର୍‌ (ଦକ୍ଷିଣାଞ୍ଚଳ ଜୋନ୍‌) ସ୍ଥିର କରାଯିବା ସହ ବିନା ଅନୁମତିରେ ମୁଖ୍ୟାଳୟ ନଛାଡ଼ିବାକୁ ନିର୍ଦ୍ଦେଶନାମା ଜାରି ହୋଇଛି। ସେହିପରି ବ୍ରହ୍ମପୁରର ଅବକାରୀ ଅଧୀକ୍ଷକ ପ୍ରଦୀପ କୁମାର ପାଣିଗ୍ରାହୀଙ୍କୁ ବଦଳି କରାଯିବା ସହ ତୁରନ୍ତ ଅବକାରୀ କମିସନରଙ୍କ କାର୍ଯ୍ୟାଳୟ କଟକରେ ଯୋଗଦେବାକୁ ଅବକାରୀ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି । କେନ୍ଦୁଝରର ଉପଅଧୀକ୍ଷକ ପ୍ରବୀଣ କୁମାର ପ୍ରଧାନଙ୍କୁ ବ୍ରହ୍ମପୁର ଅବକାରୀ ଅଧୀକ୍ଷକ ଭାବେ ଦାୟିତ୍ୱ ନେବା ପାଇଁ ଉକ୍ତ ନିର୍ଦ୍ଦେଶନାମାରେ ଉଲ୍ଲେଖ ହୋଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    23.9 ° C
    23.9 °
    23.9 °
    97 %
    1.6kmh
    100 %
    Mon
    27 °
    Tue
    28 °
    Wed
    28 °
    Thu
    26 °
    Fri
    29 °

    ସମ୍ବନ୍ଧିତ