Monday, August 24, 2026
23.9 C
Odisha

    ଗୋଟିଏ ଆସନ ଛଡ଼ାଇ ନେଲା ବିଜେପି: ୩ଟିରେ ବିଜେଡି, ଗୋଟିଏରେ ବିଜେପି ବିଜୟୀ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ରାଜ୍ୟର ଗୋଟିଏ ଜିଲ୍ଲା ପରିଷଦ ସଭାପତି, ୩ଟି ପଞ୍ଚାୟତ ସମିତି ଅଧ୍ୟକ୍ଷ, ଗୋଟିଏ ପଞ୍ଚାୟତ ସମତି ଉପାଧ୍ୟକ୍ଷ ପଦବି ପାଇଁ ଆଜି ଉପନିର୍ବାଚନ ହୋଇଥିବାବେଳେ ବିଜେପି ଫାଇଦାରେ ରହିଛି। ବିଜେଡି କେନ୍ଦ୍ରାପଡ଼ା ଜିଲ୍ଲା ପରିଷଦ ସଭାପତି ପଦବି ବଜାୟ ରଖିବାରେ ସଫଳ ହୋଇଥିଲେ ହେଁ ଖଲ୍ଲିକୋଟ ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦ ନିଜ କବ୍‌ଜାରେ ରଖିପାରିନି। ତେବେ ବିଜେଡି ସମର୍ଥିତ ପ୍ରାର୍ଥୀ ଭାପୁର ପଞ୍ଚାୟତ ସମିତି ଅଧ୍ୟକ୍ଷ, ରାଇଘର ପଞ୍ଚାୟତ ସମିତି ଅଧ୍ୟକ୍ଷ ଜିତିବାରେ ସମର୍ଥ ହୋଇଛନ୍ତି। ସେହିପରି ହରଭଙ୍ଗା ପଞ୍ଚାୟତ ସମିତି ଉପାଧ୍ୟକ୍ଷ ପଦକୁ ବିଜେପି ନିଜ କବ୍‌ଜାରେ ରଖିବାରେ ସଫଳ ହୋଇଛି। କେନ୍ଦ୍ରାପଡ଼ା ଜିଲ୍ଲା ପରିଷଦ ସଭାପତି ଗୀତାଞ୍ଜଳି ସେଠୀ ଗତ ସାଧାରଣ ନିର୍ବାଚନରେ ବିଜେପିରୁ ପ୍ରାର୍ଥୀ ହେବାରୁ ସେ ପଦରୁ ଇସ୍ତଫା ଦେଇଥିଲେ। ଏହାପରେ ଆଜି ଉପନିର୍ବାଚନ ହୋଇଥିବାବେଳେ ବିଜେଡି ଲିଲିତା ଦାସଙ୍କୁ ପ୍ରାର୍ଥୀ କରିଥିଲା। ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିବାରୁ ସେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି। ଏଠାରେ ବିଜେଡିର ସଂଖ୍ୟା ଗରିଷ୍ଠ ଜିଲ୍ଲା ପରିଷଦ ସଭ୍ୟ ଥିବାରୁ ବିଜେପି ରିସ୍କ ‌େନଇ କାହାକୁ ପ୍ରାର୍ଥୀ କରିନଥିବା କୁହାଯାଉଛି। ହେଲେ ରାଜ୍ୟରେ ବିଜେପି ସରକାର ଥାଇ ବିଜେପି ନିର୍ବାଚନରେ ପ୍ରାର୍ଥୀ ନଦେବା ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି।
    ଅପରପକ୍ଷେ ଖଲ୍ଲିକୋଟ ପଞ୍ଚାୟତ ସମିତି ଅଧ୍ୟକ୍ଷ ଦୈତାରୀ ପ୍ରଧାନ ସାଧାରଣ ନିର୍ବାଚନ ପୂର୍ବରୁ ଇସ୍ତଫା ଦେଇଥିବାବେଳେ ଆଜି ଉପନିର୍ବାଚନ ହୋଇଥିଲା। ଆଜି ମୋଟ୍ ୨୮ଜଣ ସମିତି ସଭ୍ୟଙ୍କ ମଧ୍ୟରୁ ୨୫ଜଣ ବିଜେପି ସମର୍ଥିତ ପ୍ରାର୍ଥୀ କୁମାରୀ ଦାସଙ୍କୁ ଭୋଟ୍ ଦେଇଥିଲେ। ଦୈତାରୀ ମାତ୍ର ୩ଟି ଭୋଟ୍ ପାଇଥିଲେ। ବିଜେଡି କବ୍‌ଜାରେ ଏହି ଅଧ୍ୟକ୍ଷ ପଦବି ଗତ ୨୪ବର୍ଷ ଧରି ଥିବାବେଳେ ଚଳିତଥର ବିଜେପି ରଣନୀତି ଆଗରେ ବିଜେଡି ହାର୍‌ ମାନିଛି। ସେହିପରି ରାଇଘର ବ୍ଲକ ଅଧ୍ୟକ୍ଷା ନବିନା ନାୟକ ସାଧାରଣ ନିର୍ବାଚନ ପୂର୍ବରୁ ଇସ୍ତଫା ଦେଇ ବିଜେଡିରୁ ବିଧାୟିକା ପ୍ରାର୍ଥୀ ହୋଇଥିଲେ। କିନ୍ତୁ ନିର୍ବାଚନରେ ପରାଜୟ ବରଣ କରିଥିଲେ। ଆଜି ଉପନିର୍ବାଚନ ହୋଇଥିବାବେଳେ ବିଜେଡି ସମର୍ଥିତ ପ୍ରାର୍ଥୀ ଗୁପ୍ତପ୍ରସାଦ ଝା ୧୬ଟି ଭୋଟ୍ ପାଇ ବିଜୟୀ ହୋଇଛନ୍ତି। ବିଜେପି ସମର୍ଥିତ ପ୍ରାର୍ଥୀ ମାତ୍ର ୭ଖଣ୍ଡ ଭୋଟ୍ ପାଇଛନ୍ତି। ସେହିପରି ଭାପୁର ପଞ୍ଚାୟତ ସମିତି ଅଧ୍ୟକ୍ଷା ସାବିତ୍ରୀ ପ୍ରଧାନ ଗତ ସାଧାରଣ ନିର୍ବାଚନରେ ଖଣ୍ଡପଡ଼ାରୁ ବିଜେଡି ବିଧାୟକ ପ୍ରାର୍ଥୀ ହୋଇଥିବାରୁ ସେ ଇସ୍ତଫା ଦେଇଥିଲେ। ହେଲେ ସେ ନିର୍ବାଚନ ହାରି ଯାଇଥିଲେ। ଆଜି ଏହି ପଦବି ପାଇଁ ଉପନିର୍ବାଚନ ହୋଇଥିବାବେଳେ ସାବିତ୍ରୀ ଏକମାତ୍ର ପ୍ରାର୍ଥୀ ଭାବେ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ଆଉ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି। ଏହି ଆସନଟିକୁ ବିଜେଡି ନିଜ କବ୍‌ଜାରେ ରଖିଛି। ହରଭଙ୍ଗା ପଞ୍ଚାୟତ ସମିତି ଉପାଧ୍ୟକ୍ଷ ପଦବିରୁ ଇସ୍ତଫା ଦେଇ ବିଜେପିରୁ ବୌଦ୍ଧ ବିଧାୟକ ପ୍ରାର୍ଥୀ ହୋଇଥିବା ସରୋଜ ପ୍ରଧାନ ନିର୍ବାଚନ ଜିତିବା ପରେ ଆଜି ଏହି ପଦବି ପାଇଁ ଉପନିର୍ବାଚନ ହୋଇଥିଲା। କୁଶଙ୍ଗ ପଞ୍ଚାୟତ ସମିତି ସଭ୍ୟ କାହ୍ନୁଚରଣ ନାଥ ଉପାଧ୍ୟକ୍ଷ ପଦରେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି। ଅପରପକ୍ଷେ ହାଇକୋର୍ଟଙ୍କ ସ୍ଥଗିତାଦେଶ ଯୋଗୁ ଆଜି କଳହାଣ୍ଡିର ନର୍ଲା, ଗଞ୍ଜାମର କୁକୁଡ଼ାଖଣ୍ଡି ଓ କବିସୂର୍ଯ୍ୟନଗର ପଞ୍ଚାୟତ ସମିତି ଅଧ୍ୟକ୍ଷ ଉପନିର୍ବାଚନ ହୋଇ ପାରିନାହିଁ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    23.9 ° C
    23.9 °
    23.9 °
    97 %
    1.6kmh
    100 %
    Mon
    27 °
    Tue
    28 °
    Wed
    28 °
    Thu
    26 °
    Fri
    29 °

    ସମ୍ବନ୍ଧିତ