Sunday, March 29, 2026
25.1 C
Odisha

    ଗ୍ୟାସ୍ ଟ୍ୟାଙ୍କର ବିସ୍ଫୋରଣ ୧୧ ମୃତ: ଜଳିଗଲା ଶତାଧିକ ଗାଡ଼ି

    ଆଗକୁ ପଢନ୍ତୁ

    ଜୟପୁର(ରାଜସ୍ଥାନ): ଜୟପୁରର ଭାଙ୍କରୋଟାସ୍ଥିତ ଏକ ପେଟ୍ରୋଲ ପମ୍ପ ନିକଟରେ ଆଜି ଏକ ଗ୍ୟାସ୍‌ ଟ୍ୟାଙ୍କର ବିସ୍ଫୋରଣ ହେବା ପରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୧୧ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪୦ରୁ ଅଧିକ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ଅଧିକାଂଶଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ସକାଳ ସାଢ଼େ ୫ଟାରେ ଏହି ଦୁର୍ଘଟଣା ଘଟିଥିବା ବେଳେ ଦୁର୍ଘଟଣାସ୍ଥଳର ୩୦୦ ମିଟର ପରିଧି ଭିତରେ ସବୁକିଛି ଜଳିଯାଇଛି। ନିଆଁକୁ ଆୟତ୍ତ କରିବା ପାଇଁ ୨୨ଟି ଦମକଳ ଗାଡ଼ି ଘଟଣାସ୍ଥଳରେ ପହଞ୍ଚିଥିଲା ଏବଂ ୪ ଘଣ୍ଟାର ପ୍ରୟାସ ପରେ ନିଆଁକୁ ଆୟତ୍ତ କରାଯାଇଥିଲା। ଅଗ୍ନିକାଣ୍ଡରେ ଶତାଧିକ ଗାଡ଼ିରେ ନିଆଁ ଲାଗିଯାଇଥିବା ବେଳେ ସେଥିରେ ୨୦ରୁ ଅଧିକ ସିଏନ୍‌ଜି ଚାଳିତ ଗାଡ଼ି ରହିଥିବାରୁ ପରିସ୍ଥିତି ଭୟାବହ ରୂପ ନେଇଥିଲା ଏହି ଅଗ୍ନିକାଣ୍ଡରେ ଏକ ଗାଡ଼ି ଭର୍ତ୍ତି ଗୋଦାମ ମଧ୍ୟ ଜଳି ଯାଇଛି।
    ଏକ ଗ୍ୟାସ୍‌ ଟ୍ୟାଙ୍କର ଓ ଅନ୍ୟ ଏକ ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାପରେ ପ୍ରଚଣ୍ଡ ବିସ୍ଫୋରଣ ହୋଇଥିଲା। ଏହି ସମୟରେ ଉକ୍ତ ରାସ୍ତା ଦେଇ ଯାଉଥିବା ଏକ ବସ୍‌ରେ ମଧ୍ୟ ନିଆଁ ଲାଗିଯାଇଥିଲା। ଯାତ୍ରୀମାନେ ତୁରନ୍ତ ଓହ୍ଲାଇ ନିଜ ଜୀବନ ବଞ୍ଚାଇଥିଲେ ମଧ୍ୟ ୨୦ରୁ ଅଧିକ ବସ୍‌ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ଅଗ୍ନିଶମ ବାହିନୀ, ସିଭିଲ ଡିଫେନ୍ସ ପୁଲିସ ଓ ସ୍ଥାନୀୟ ଲୋକଙ୍କ ସହାୟତାରେ ଗାଡ଼ିରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରାଯାଇଥିଲା। ଏହି ଅଗ୍ନିକାଣ୍ଡରେ ଉକ୍ତ ବସ୍‌ ସମେତ ଅନେକ ଟ୍ରକ୍ ଓ କାର୍‌ ଜଳି ଯାଇଛି। ୪୦ରୁ ଅଧିକ ଆହତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨୮ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ଜଣାପଡ଼ିଛି। ଅଗ୍ନିକାଣ୍ଡ ଯୋଗୁଁ ଜୟପୁର ଏକ୍ସପ୍ରେସ ହାଇୱେ ସମ୍ପୂର୍ଣ୍ଣ ଅବରୋଧ ହୋଇଯାଇଛି । ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନ ଲାଲ ଶର୍ମା ଏସ୍‌ଏମ୍‌ଏସ୍‌ ହସ୍ପିଟାଲରେ ପହଂଚି ଆହତମାନଙ୍କ ଚିକିତ୍ସା ତଦାରଖ କରିବା ସହ ପୀଡ଼ିତ ପରିବାରଙ୍କୁ ସମବେଦନା ଜଣାଇଛନ୍ତି। ୧୧ ମୃତକଙ୍କ ମଧ୍ୟରୁ କେବଳ ୬ ଜଣଙ୍କ ପରିଚୟ ମିଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଦୁର୍ଘଟଣା ନେଇ ଶୋକବ୍ୟକ୍ତ କରିବା ସହ ମୃତକଙ୍କ ପରିବାର ପାଇଁ ୨ ଲକ୍ଷ ଓ ଆହତଙ୍କ ପାଇଁ ୫୦ ହଜାର ଟଙ୍କା ସହାୟତା ଘୋଷଣା କରିଛନ୍ତି। ଭାଙ୍କରୋଟା ଥାନା ଅଧିକାରୀ ମନୀଷ ଗୁପ୍ତା କହିଛନ୍ତି, ଅଗ୍ନିକାଣ୍ଡରେ ପ୍ରାୟ ୧୨ଟି ଟ୍ରକ୍ ଜଳିଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25.1 ° C
    25.1 °
    25.1 °
    42 %
    0.9kmh
    2 %
    Sun
    39 °
    Mon
    41 °
    Tue
    38 °
    Wed
    40 °
    Thu
    41 °

    ସମ୍ବନ୍ଧିତ