ଭୁବନେଶ୍ବର : ଆଜି କୋରାପୁଟ ଜିଲ୍ଲାର ସୁନାବେଡ଼ା ଆସିବେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । HALରେ ‘ଶକ୍ତି’ ଇଞ୍ଜିନ୍ ପାଇଁ ନୂଆ ସୁବିଧାର କରିବେ ଶିଳାନ୍ୟାସ । ବିଶାଖାପାଟଣାର ହିନ୍ଦୁସ୍ତାନ ସିପ୍ ୟାର୍ଡରେ କାର୍ଯ୍ୟକ୍ରମ ସାରି ଅପରାହ୍ନରେ ରାଜନାଥ ସିଂହ ସୁନାବେଡ଼ାରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି । ତାଙ୍କ ଗସ୍ତକୁ ନେଇ HAL ସହ ସୁନାବେଡ଼ା ଅଞ୍ଚଳରେ ପ୍ରସ୍ତୁତି ଶେଷ ହୋଇଛି । ଦେଶର ସାମରିକ ବିମାନ ଇଞ୍ଜିନ୍ କ୍ଷେତ୍ରରେ ସୁନାବେଡ଼ା HALର ରହିଛି ବଡ଼ ଭୂମିକା । ଦୀର୍ଘ ବର୍ଷ ଧରି ଏଠାରେ ବିଭିନ୍ନ ସାମରିକ ବିମାନର ଇଞ୍ଜିନ୍ ନିର୍ମାଣ, ମରାମତି ଓ ପୁନଃସଜ୍ଜୀକରଣ କାମ ହୋଇଆସୁଛି । ବିଶେଷ କରି ଭାରତୀୟ ବାୟୁସେନାର ପ୍ରମୁଖ ଯୁଦ୍ଧବିମାନ ସୁଖୋଇ-୩୦ MKIର AL-31FP ଇଞ୍ଜିନ୍ ସହ ସୁନାବେଡ଼ା HALର ସିଧା ସମ୍ପର୍କ ରହିଛି ।
ଏଠାରେ ସୁଖୋଇ ଇଞ୍ଜିନ୍ ନିର୍ମାଣ ସହ ଏହାର ମରାମତି ଓ ପୁନଃସଜ୍ଜୀକରଣ କରାଯାଉଛି । ସୁଖୋଇ-୩୦ MKI ପାଇଁ ୨୪୦ଟି AL-31FP ଇଞ୍ଜିନ୍ ଯୋଗାଇବାକୁ HAL ସହ ୨୬ ହଜାର କୋଟି ଟଙ୍କାରୁ ଅଧିକ ମୂଲ୍ୟର ଚୁକ୍ତି ହୋଇଛି । ଏହି ଇଞ୍ଜିନ୍ ଗୁଡ଼ିକ କୋରାପୁଟ ଡିଭିଜନରେ ତିଆରି ହେବ । ବର୍ଷକୁ ୩୦ଟି କରି ଇଞ୍ଜିନ୍ ଯୋଗାଣର ଲକ୍ଷ୍ୟ ରହିଛି । ଏହାରି ଭିତରେ ଏବେ ‘ଶକ୍ତି’ ଇଞ୍ଜିନ୍ ସହ ଜଡ଼ିତ ନୂଆ ସୁବିଧା ସୁନାବେଡ଼ା HALର ଗୁରୁତ୍ୱକୁ ଆହୁରି ବଢ଼ାଇବ । ଦେଶରେ ବିମାନ ଇଞ୍ଜିନ୍ ପ୍ରଯୁକ୍ତି ଓ ଉତ୍ପାଦନ କ୍ଷମତା ବଢ଼ାଇବା ସହ ବିଦେଶୀ ନିର୍ଭରଶୀଳତା କମାଇବା ଦିଗରେ ଏହାକୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ଦେଖାଯାଉଛି । ଅନ୍ୟପଟେ ରାଜନାଥ ସିଂହଙ୍କ ଗସ୍ତ ପାଇଁ ସୁନାବେଡ଼ାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ପ୍ରମୁଖ ସ୍ଥାନରେ ସୁରକ୍ଷାକର୍ମୀ ମୁତୟନ ହୋଇଥିବା ବେଳେ କାର୍ଯ୍ୟକ୍ରମ ସ୍ଥଳକୁ ଯାଉଥିବା ରାସ୍ତାଗୁଡ଼ିକରେ ଯାଞ୍ଚ କରାଯାଇଛି ।
