Saturday, March 21, 2026
32.6 C
Odisha

    ହରେକୃଷ୍ଣ ମହତାବଙ୍କ ୧୨୫ତମ ଜୟନ୍ତୀ ଉତ୍ସବକୁ ଉଦ୍‌ଘାଟନ କରିବେ ରାଷ୍ଟ୍ରପତି

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ/ଭୁବନେଶ୍ବର: ଉତ୍କଳ କେଶରୀ ଡ. ହରେକୃଷ୍ଣ ମହତାବଙ୍କ ୧୨୫ତମ ଜୟନ୍ତୀ ଉତ୍ସବ ଗୁରୁବାର ପୂର୍ବାହ୍ନ ସାଢ଼େ ୧୧ଟାରୁ ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଅନୁଷ୍ଠିତ ହେବ। ଏହି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ଏହି କାର୍ଯ୍ୟକ୍ରମରେ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉପସ୍ଥିତ ରହିବେ।

    ଏହାବ୍ୟତୀତ ସଂସ୍କୃତି ମନ୍ତ୍ରଣାଳୟ ତରଫରୁ ତାଙ୍କ ଜୀବନ ଓ ପରମ୍ପରା ଉପରେ ଏକ ପ୍ରଦର୍ଶନୀ ରଖାଯାଇଛି। ସଂସ୍କୃତି ମନ୍ତ୍ରଣାଳୟ ଅଧୀନରେ ଥିବା ସ୍ୱୟଂଶାସିତ ଅନୁଷ୍ଠାନ ଲଳିତ କଳା ଏକାଡେମୀ ଦ୍ୱାରା ଆୟୋଜିତ ଜାତୀୟ ଚିତ୍ରକଳା ଶିବିରରେ ଅଂଶଗ୍ରହଣ କରି ଗତ କିଛି ଦିନ ହେବ ଦିଲ୍ଲୀରେ ରହିଥିବା ଓଡ଼ିଆ କଳାକାରଙ୍କ କୃତିକୁ ମଧ୍ୟ ଏହି ପ୍ରଦର୍ଶନୀରେ ପ୍ରଦର୍ଶିତ କରାଯିବ। ସୁସ୍ମିତା ଦାସ ଏକ ସଙ୍ଗୀତ କାର୍ଯ୍ୟକ୍ରମ ମାଧ୍ୟମରେ ଓଡ଼ିଶାର ସମୃଦ୍ଧ ଇତିହାସ ଓ ସଂସ୍କୃତିପ୍ରତି ସମ୍ମାନ ଅର୍ପଣ କରିବେ।

    “ଉତ୍କଳ କେଶରୀ” ନାମରେ ପରିଚିତ ଡକ୍ଟର ହରେକୃଷ୍ଣ ମହତାବ ୧୮୯୯ ମସିହା ନଭେମ୍ବର ୨୧ ତାରିଖରେ ଓଡ଼ିଶାର ଆଗରପଡ଼ାଠାରେ ଜନ୍ମଗ୍ରହଣ କରିଥିଲେ। ସେ ଭାରତ ଇତିହାସରେ ଜଣେ ବହୁମୁଖୀ ନେତା ଥିଲେ। ସେ ଜଣେ ସ୍ୱାଧୀନତା ସଂଗ୍ରାମୀ, ରାଜନେତା, ଐତିହାସିକ, ଲେଖକ, ସମାଜ ସଂସ୍କାରକ ଏବଂ ସାମ୍ବାଦିକ ଭାବରେ ପରିଚିତ ଥିଲେ। ସ୍ୱାମୀ ବିବେକାନନ୍ଦ, ରାମକୃଷ୍ଣ ପରମହଂସ ଏବଂ ମହାତ୍ମା ଗାନ୍ଧୀଙ୍କ ଭଳି ବ୍ୟକ୍ତିତ୍ୱଙ୍କ ଦ୍ୱାରା ସେ ଗଭୀର ଭାବରେ ପ୍ରଭାବିତ ହୋଇଥିଲେ। କଲେଜ ଜୀବନରୁ ସେ ସ୍ୱାଧୀନତା ଆନ୍ଦୋଳନରେ ଯୋଗ ଦେଇଥିଲେ। ଅସହଯୋଗ ଆନ୍ଦୋଳନ, ଲବଣ ସତ୍ୟାଗ୍ରହ ଇତ୍ୟାଦି କାର୍ଯ୍ୟକ୍ରମରେ ସକ୍ରିୟ ଭାବରେ ଅଂଶଗ୍ରହଣ କରିଥିଲେ। ସ୍ଵାଧୀନତା ଆନ୍ଦୋଳନରେ ସକ୍ରିୟତା ପାଇଁ ସେ ଏକାଧିକ ଥର ଗିରଫ ହୋଇଥିଲେ ଏବଂ ଓଡ଼ିଶାକୁ ଭାରତରେ ମିଶ୍ରଣ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

    ଡକ୍ଟର ହରେକୃଷ୍ଣ ମହତାବ ଗଡ଼ଜାତ ରାଜ୍ୟର ଶେଷ ପ୍ରଧାନମନ୍ତ୍ରୀ ଥିଲେ। ପରବର୍ତ୍ତୀ ସମୟରେ ସ୍ୱାଧୀନ ଭାରତର ମୁଖ୍ୟମନ୍ତ୍ରୀ ଭାବରେ ସେ ଓଡ଼ିଶାର ଶିଳ୍ପାୟନ ଉପରେ ଗୁରୁତ୍ୱାରୋପ କରିଥିଲେ ଏବଂ ରାଜ୍ୟର ଆର୍ଥିକ ବିକାଶ ପାଇଁ ପରାମର୍ଶ ଦେଇଥିଲେ। ହରେକୃଷ୍ଣ ମହତାବ ଉଭୟ ଓଡ଼ିଆ ଓ ଇଂରାଜୀ ଭାଷାରେ ବ୍ୟାପକ ଭାବରେ ଲେଖିଥିଲେ। ରାଜ୍ଯର ଐତିହାସିକ ବିବରଣୀ ‘ଓଡ଼ିଶାର ଇତିହାସ’ ସମେତ ତାଙ୍କର ଅନ୍ୟନ୍ୟ କୃତି ପାଇଁ ସେ ପ୍ରଶଂସିତ ହୋଇଥିଲେ ଏବଂ ୧୯୮୩ ମସିହାରେ ‘ଗାଁ ମଜଲିସ’ ପାଇଁ ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ। ସେ କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ ଏବଂ ୧୯୬୨ରେ ବିନା ପ୍ରତିଦ୍ୱନ୍ଦ୍ୱିତାରେ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ଡକ୍ଟର ହରେକୃଷ୍ଣ ମହତାବ ତାଙ୍କ ଦୃଢ଼ ଇଚ୍ଛାଶକ୍ତି, ସଂକଳ୍ପ ଓ ପ୍ରଭାବ ପାଇଁ ସ୍ମରଣୀୟ ହୋଇ ରହିଛନ୍ତି। ରାଜ୍ୟର ଅନ୍ୟତମ ଅଗ୍ରଣୀ ନେତା ଭାବରେ ସେ ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି।

    ରାଜ୍ୟର ପ୍ରଥମ ମୁଖ୍ୟମନ୍ତ୍ରୀ ତଥା ସ୍ୱାଧୀନତା ସଂଗ୍ରାମୀ ଡ. ହରେକୃଷ୍ଣ ମହତାବଙ୍କ ୧୨୫ତମ ଜନ୍ମ ବାର୍ଷିକୀକୁ ଉତ୍ସବ ସହକାରେ ପାଳନ କରିବା ପାଇଁ ଭାରତ ସରକାର ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି। ଏହି କମିଟିରେ ଗୃହ ଓ ସମବାୟ ବ୍ୟାପାର ମନ୍ତ୍ରୀ ଅମିତ୍ ଶାହ ଅଧ୍ୟକ୍ଷ ଭାବରେ ରହିଛନ୍ତି। କମିଟିର ଅନ୍ୟ ପ୍ରମୁଖ ସଦସ୍ୟମାନଙ୍କ ଭିତରେ ରହିଛନ୍ତି ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରେଳବାଇ, ସୂଚନା ଏବଂ ପ୍ରସାରଣ ତଥା ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ  ଅଶ୍ବିନୀ ବୈଷ୍ଣବ, ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ୍, ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ସାଂସଦ ଭର୍ତ୍ତୃହରି ମହତାବ, ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ ଏବଂ ପୁସ୍ତକାଳୟର ଅଧ୍ୟକ୍ଷ ନୃପେନ୍ଦ୍ର  ମିଶ୍ର, ଗୃହ ସଚିବ ଗୋବିନ୍ଦ ମୋହନ, ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ସଚିବ ଶ୍ରୀ ସଞ୍ଜୟ ଯାଜୁ, ସଂସ୍କୃତି ସଚିବ, ଅରୁନିଶ୍ ଚାୱଲା, ଏବଂ ପିଏମ୍ଓ ଆର୍ଥିକ ପରାମର୍ଶ ପରିଷଦ ସଦସ୍ୟ  ସଞ୍ଜୀବ ସାନୟାଲ ପ୍ରମୁଖ ସାମିଲ ରହିଛନ୍ତି। ଏହାଙ୍କ ସହ ଏହି କମିଟିରେ ମଧ୍ୟ ପ୍ରସିଦ୍ଧ ସାହିତ୍ୟିକ ଓ ମାନ୍ୟଗଣ୍ୟ ବ୍ୟକ୍ତିମାନେ ସଦସ୍ୟ ଭାବେ ରହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    32.6 ° C
    32.6 °
    32.6 °
    30 %
    0.6kmh
    7 %
    Sat
    32 °
    Sun
    33 °
    Mon
    34 °
    Tue
    37 °
    Wed
    38 °

    ସମ୍ବନ୍ଧିତ