Sunday, August 23, 2026
26.5 C
Odisha

    ଛୋଟପିଲାଙ୍କ ପାଇଁ ଆକର୍ଷଣ ସାଜିଛି ‘ଆଦର୍ଶ ଅଙ୍ଗନବାଡ଼ି କେନ୍ଦ୍ର’

    ଆଗକୁ ପଢନ୍ତୁ

    ଭୁବନେଶ୍ୱର/ମୟୂରଭଞ୍ଜ: ଆଦିବାସୀ ବହୁଳ ମୟୂରଭଞ୍ଜ ଜିଲ୍ଲାରେ ଛୋଟପିଲାଙ୍କ ପାଇଁ ପ୍ରାକ୍‌ ବିଦ୍ୟାଳୟ ଶିକ୍ଷା, ଯତ୍ନ ଓ ପୋଷଣ ଲାଗି ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକୁ ଆକର୍ଷଣୀୟ କରାଯାଉଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଓମ୍ବାଡସି ପାଣ୍ଠି ସହାୟତାରେ ଜିଲ୍ଲାରେ ନିର୍ମାଣ କରାଯାଉଥିବା ଆଦର୍ଶ ଅଙ୍ଗନବାଡ଼ି କେନ୍ଦ୍ର ଏ ଦିଗରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରୁଛି। ଫଳରେ ଶିଶୁମାନଙ୍କ ମାନସିକ, ଶାରୀରିକ ଓ ବୌଦ୍ଧିକ ବିକାଶରେ ଏହି କେନ୍ଦ୍ର ବିଶେଷ ସହାୟକ ହେଉଛି। ଲୋକସଂଖ୍ୟା ଦୃଷ୍ଟିରୁ ଓଡ଼ିଶାର ତୃତୀୟ ବୃହତମ ଜିଲ୍ଲା ହେଉଛି ମୟୂରଭଞ୍ଜ। ବଣ-ପାହାଡ଼ ଘେରା ଏହି ଜିଲ୍ଲାରେ ଓମ୍ବାଡସି ସହାୟତାରେ ମୋଟ ୮୨୬ଟି ଆଦର୍ଶ ଅଙ୍ଗନବାଡି କେନ୍ଦ୍ର ନିର୍ମାଣ କରାଯାଉଛି। ସେଥିମଧ୍ୟରୁ, ବର୍ତ୍ତମାନ ସୁଦ୍ଧା ୨୭୦ରୁ ଅଧିକ କେନ୍ଦ୍ରର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି।
    ଏହି ଆଦର୍ଶ ଅଙ୍ଗନବାଡ଼ି କେନ୍ଦ୍ର ପ୍ରତି ପିଲାମାନଙ୍କୁ ଆକୃଷ୍ଟ କରିବା ପାଇଁ ଏହାର କାନ୍ଥବାଡ଼ରେ ଅଙ୍କାଯାଇଛି ବିଭିନ୍ନ ସଂଖ୍ୟା, ବାର, ଫୁଲ, ଫଳ ଏବଂ ପଶୁପକ୍ଷୀଙ୍କର ରଙ୍ଗିନ ଚିତ୍ର। ତା’ସାଙ୍ଗକୁ ବିଭିନ୍ନ ଖେଳ ଉପକରଣ ଓ ମନଲୋଭା ବହି ଆଦି ରହିଛି। କେନ୍ଦ୍ର ପରିସରରେ ଖେଳିବା ଲାଗି ଦୋଳି, ସି ଶ’ ଏବଂ ସ୍ଲାଇଡ୍ ଆଦି କରାଯାଇଛି। ଫଳରେ, ସାନ ସାନ ପିଲାମାନେ ବେଶ୍ ଖୁସିରେ ଖେଳକୁଦ କରୁଛନ୍ତି। ଓମ୍ବାଡସି ଏଥିପାଇଁ ଆର୍ଥିକ ସହାୟତା ଯୋଗାଇ ଦେଉଛି। ‘‘ଆଗରୁ ମୋ’ ଝିଆରୀ ଅଙ୍ଗନବାଡ଼ି କେନ୍ଦ୍ରକୁ ଆସିବାକୁ ଆଗ୍ରହ ଦେଖାଉ ନଥିଲା। ଏବେ ଅଙ୍ଗନବାଡ଼ି ନୂଆ ରୂପ ପାଇଛି। ଏଠାରେ ବିଭିନ୍ନ ଖେଳ ଉପକରଣ ରହିବା ସହିତ ଅଙ୍ଗନବାଡ଼ି ଦିଦି ନାଚ, ଗୀତ ମାଧ୍ୟମରେ ପିଲାମାନଙ୍କୁ ପାଠ ପଢ଼ାଉଛନ୍ତି। ଫଳରେ ମୋ’ ଝିଆରୀ ସବୁଦିନ ଅଙ୍ଗନବାଡ଼ିକୁ ଆସିବାକୁ ଆଗ୍ରହ ଦେଖାଉଛି’’, କହନ୍ତି ମୟୂରଭଞ୍ଜ ଜିଲ୍ଲାର ଜଣେ ଅଭିଭାବକ ମିନତି ପରିଡ଼ା।
    ଅତ୍ୟାଧୁନିକ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକରେ ବିଦ୍ୟୁତ ସଂଯୋଗ ସହ ଫ୍ୟାନ୍ ଓ ଆଲୋକ ବ୍ୟବସ୍ଥା କରାଯାଉଛି। ସେହିପରି ରୋଷେଇ ଘର, ବିଶୁଦ୍ଧ ପାନୀୟ ଜଳ ଓ ସ୍ୱଚ୍ଛ ଶୌଚାଳୟ ଆଦି ସୁବିଧା ଅଙ୍ଗନବାଡ଼ିକୁ ଏକ ନୂଆ ରୂପ ଦେଉଛି। ସେହିପରି କୁନି କୁନି ପିଲା, ଗର୍ଭବତୀ ଓ ପ୍ରସୂତୀ ମା’ମାନଙ୍କର ସ୍ୱାସ୍ଥ୍ୟ ଓ ପୋଷଣ ପାଇଁ ଉଲ୍ଲେଖନୀୟ ଭୂମିକା ନେଉଛି ଆଦର୍ଶ ଅଙ୍ଗନବାଡ଼ି କେନ୍ଦ୍ର। ଏଠାରେ ରହିଛି ସ୍ୱତନ୍ତ୍ର ‘ମମତା ଗୃହ’, ଯେଉଁଠି ଗର୍ଭବତୀ ଓ ପ୍ରସୂତି ମହିଳାମାନଙ୍କ ପାଇଁ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା, ପରାମର୍ଶ ଏବଂ ଟିକାକରଣ ଭଳି ସେବା ପ୍ରଦାନ କରାଯାଉଛି। କେନ୍ଦ୍ରରେ ଶିଶୁମାନଙ୍କର ଓଜନ ମାପ, ହିମୋଗ୍ଲୋବିନ ସ୍ତର ଓ ଅନ୍ୟ ସ୍ୱାସ୍ଥ୍ୟ ପରୀକ୍ଷା କରାଉଛି। ‘‘ଓମ୍ବାଡସି ସହାୟତାରେ ମୟୂରଭଞ୍ଜ ଜିଲ୍ଲାରେ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକୁ ଆଧୁନିକ ରୂପ ଦିଆଯାଉଛି। ଏହି ନୂତନ ଢାଞ୍ଚାରେ ତିଆରି ହେଉଥିବା ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକ ପିଲାମାନଙ୍କୁ ଅଧିକ ଆକର୍ଷିତ କରିବା ସହ ବିଭିନ୍ନ ସର୍ଜନାତ୍ମକ କାର୍ଯ୍ୟକଳାପ ମାଧ୍ୟମରେ ସେମାନଙ୍କ ଶାରୀରିକ ଓ ବୌଦ୍ଧିକ ବିକାଶରେ ବିଶେଷ ସହାୟକ ହେଉଛି’’, କହିଛନ୍ତି ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଅନ୍ନପୂର୍ଣ୍ଣା ସିଙ୍କୁ।

    ଅଙ୍ଗନବାଡ଼ି କେନ୍ଦ୍ରରେ ପ୍ରତି ଶନିବାର କିଶୋର କିଶୋରୀମାନଙ୍କୁ ନେଇ ଆୟୋଜିତ ହେଉଛି ‘ଅଦ୍ୱିକା’ କାର୍ଯ୍ୟକ୍ରମ। ଏଠାରେ ବାଲ୍ୟବିବାହ ଭଳି ସାମାଜିକ ସମସ୍ୟା ସମ୍ପର୍କରେ ସେମାନଙ୍କୁ ସଚେତନ କରାଯାଉଛି। ଏହାସହ ମାସିକ ଋତୁସ୍ରାବ ସମୟରେ ପରିଷ୍କାର ପରିଚ୍ଛନ୍ନତା ଲାଗି କିଶୋରୀମାନଙ୍କୁ ପରାମର୍ଶ ଦିଆଯାଉଛି। ଆଦର୍ଶ ଅଙ୍ଗନବାଡ଼ି କେନ୍ଦ୍ରରେ ‘ପୋଷଣ ବଗିଚା’ କରାଯାଉଛି। ଏଠାରୁ ଅମଳ ହେଉଥିବା ପନିପରିବା ଶିଶୁମାନଙ୍କ ଖାଦ୍ୟରେ ସାମିଲ ହେଉଛି। ଏହାସହ ଅଙ୍ଗନବାଡ଼ିରେ ଶିଶୁମାନଙ୍କୁ ଅଣ୍ଡା ଓ ଛତୁଆ ଭଳି ବିଭିନ୍ନ ପୁଷ୍ଟିଯୁକ୍ତ ଖାଦ୍ୟ ଦିଆଯାଉଛି। ମୟୂରଭଞ୍ଜ ଜିଲ୍ଲାରେ ବିଭିନ୍ନ ମାତୃ ଓ ଶିଶୁ ମଙ୍ଗଳ ସେବାକୁ ରୂପାୟନ କରିବାରେ ପ୍ରମୁଖ ଭୂମିକା ନେଉଛି ଆଦର୍ଶ ଅଙ୍ଗନବାଡ଼ି କେନ୍ଦ୍ର। ଆଦିବାସୀ ବହୁଳ ଅଞ୍ଚଳରେ ମା’ ଓ ଶିଶୁ ଏବଂ କିଶୋରୀମାନଙ୍କ ପୋଷଣ ତଥା ସ୍ୱାସ୍ଥ୍ୟର ସୁରକ୍ଷା ସହିତ ସାନ ସାନ ପିଲାଙ୍କର ସର୍ଜନାତ୍ମକ ବିକାଶକୁ ସୁନିଶ୍ଚିତ କରିବା ଦିଗରେ ଏହା ବିଶେଷ ସହାୟକ ହୋଇପାରୁଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    26.5 ° C
    26.5 °
    26.5 °
    92 %
    0.2kmh
    100 %
    Sun
    26 °
    Mon
    28 °
    Tue
    26 °
    Wed
    26 °
    Thu
    26 °

    ସମ୍ବନ୍ଧିତ