Sunday, October 4, 2026
28.6 C
Odisha

    ଝାରପଡ଼ା ଜେଲ୍‌ରେ ସଂଘବଦ୍ଧ ଆକ୍ରମଣ ମାମଲା: ପ୍ରମାଣ ନଷ୍ଟ ପାଇଁ ଷଡ଼୍‌ଯନ୍ତ୍ର!

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ଝାରପଡ଼ା ଜେଲ୍‌ରେ ବିଚାରାଧୀନ ବନ୍ଦୀଙ୍କୁ ଆକ୍ରମଣ ଘଟଣାର ତଦନ୍ତ ଶେଷ ହୋଇଛି। କଟକ ଡିଭିଜନ ଜେଲ୍‌ ଡିଆଇଜି ଅନୁସୂୟା ଜେନା ଆସନ୍ତା ଦିନେ ଦୁଇଦିନ ମଧ୍ୟରେ ଜେଲ୍‌ ଏଡିଜିଙ୍କୁ ରିପୋର୍ଟ ପ୍ରଦାନ କରିବେ। ହେଲେ ମାମଲାକୁ ରଫାଦଫା କରିବା ଲାଗି ଷଡ଼୍‌ଯନ୍ତ୍ର ଆରମ୍ଭ ହୋଇଥିବା ଅତିବିଶ୍ବସ୍ତ ସୂତ୍ରରୁ ସୂଚନା ମିଳୁଛି। ଏଇଥିପାଇଁ ଯେ ଯେଉଁ ସ୍ଥାନରେ ବିଚାରାଧୀନ ବନ୍ଦୀ ସୌମ୍ୟକାନ୍ତ ମହାନ୍ତିଙ୍କୁ ମାଡ଼ ମରାଗଲା, ସେ ସ୍ଥାନରେ ସିସିଟିଭି କ୍ୟାମେରା ଥିଲେ ହେଁ ତାହା ଅଚଳ ଥିବା ଜଣାପଡ଼ିଛି। ଘଟଣା ଦିନ ପ୍ରାୟ ୮୦ ଜଣ କଏଦୀ ଏକାଠି ହୋଇ ସୌମ୍ୟକାନ୍ତ ରହୁଥିବା ସେଲ୍‌କୁ ଆସୁଥିବା ଆଉ ଫେରୁଥିବାର ଭିଡିଓ ପ୍ରମାଣ ରହିଥିଲେ ସୁଦ୍ଧା ମାଡ଼ ମରାଯାଇଥିବା‌ର କୌଣସି ଭିଡିଓ ପ୍ରମାଣ ନାହିଁ। ଏହାକୁ ନେଇ ସନ୍ଦେହ ବଢ଼ିବାରେ ଲାଗିଛି। ସିସିଟିଭି ଅଚଳ ଥିବା ଜେଲ୍‌ କର୍ତ୍ତୃପକ୍ଷ କହିଛନ୍ତି। ହେଲେ କେଉଁ ପରିସ୍ଥିତିରେ ଏହି କ୍ୟାମେରା ଅଚଳ ହେଲା ନା ଅଚଳ କରିଦିଆଗଲା, ତାହା ତଦନ୍ତସାପେକ୍ଷ। ଜେଲ୍ ଭିତରେ ସିସିଟିଭି ଅଚଳ ଘଟଣାକୁ ହାଲୁକା ଭାବେ ଗ୍ରହଣ କରାଯାଇପାରିବ ନାହିଁ। ଏତିକି ହିଁ ସଙ୍କେତ ଦେଉଛି ଯେ ଜେଲ୍ ଭିତରେ କିଛି ଠିକ୍‌ଠାକ୍ ଚାଲିନାହିଁ।
    ସେହିଭଳି ତଦନ୍ତ ବେଳେ ଆହୁରି ଜଣାପଡ଼ିଛି ଯେ ଜେଲ୍‌ର ସାମର୍ଥ୍ୟ ୯୦୦ କଏଦୀ ହୋଇଥିବା ବେଳେ ଏବେ ପ୍ରାୟ ୧୨୦୦ କଏଦୀ ରହୁଛନ୍ତି। ସେମାନଙ୍କୁ ଜଗିବା ପାଇଁ ଲଗାଯାଇଥିବା ୬୪ଟି ସିସିଟିଭି କ୍ୟାମେରାରୁ ୪୦ଟି ଅଚଳ ରହିଛି। ଏତେ ସଂଖ୍ୟକ ସିସିଟିଭି କେବେଠୁ ଅଚଳ ହେଲାଣି, ତାହା ତଦନ୍ତକରୁଥିବା ଅଧିକାରୀମାନେ ଜାଣିଛନ୍ତି କି ନାହିଁ, ଏସବୁର ଉଚ୍ଚସ୍ତରୀୟ ତଦନ୍ତ ଆବଶ୍ୟକ।
    ଦ୍ବିତୀୟତଃ ଘଟଣାଦିନ ୮୦ରୁ ଅଧିକ କଏଦୀ ଏକାଠି ହେଉଛନ୍ତି। ଅଥଚ ଝାରପଡ଼ା ଜେଲ ଦାୟିତ୍ବରେ ଥିବା ଅଧିକାରୀ ଓ କର୍ମଚାରୀ ଏ ବାବଦରେ ଟେର୍‌ ପାଇଲେନି କେମିତି? ସେ ସମୟରେ ଜେଲ୍ ଅଧୀକ୍ଷକ ଓ ଜେଲର୍‌ ଥିଲେ କେଉଁଠି? ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ କି? ସେହିଭଳି ଜେଲ୍ କର୍ମଚାରୀମାନେ ଅଟକାଇବାକୁ ଚେଷ୍ଟା କରିଥିଲେ ନା ନାହିଁ, ତାହା ଉପରେ ଡିଆଇଜି କଣ ରିପୋର୍ଟ କରୁଛନ୍ତି, ଦେଖିବାର କଥା। କେବଳ ସେତିକି ନୁହେଁ, ଦିନ ୧ଟା ୪୦ରେ ଘଟଣା ଘଟିଥିଲେ ମଧ୍ୟ ରାତି ପ୍ରାୟ ୯ଟା ବେଳକୁ ଲକ୍ଷ୍ମୀସାଗର ଥାନାରେ ଜେଲର୍‌ ଏତଲା ଦେଇଛନ୍ତି। ଝାରପଡ଼ାରୁ ଲକ୍ଷ୍ମୀସାଗର ଆସିବା ପାଇଁ ଏତେ ସମୟ ଲାଗିଲା? ଏସବୁ ଘଟଣା ଝାରପଡ଼ା ଜେଲ୍‌ର ବିକଳ ଚିତ୍ରକୁ ପଦାକୁ ଆଣୁଛି।

    ଉଲ୍ଲେଖଥାଉକି, ଜେଲ୍‌ ଏଡିଜି ଅମିତାଭ ଠାକୁର କହିଛନ୍ତି, ସଂପୂର୍ଣ୍ଣ ରିପୋର୍ଟ ଆସିବା ପରେ ଦୋଷୀଙ୍କ ବିରୋଧରେ କଡ଼ା‌ କାର୍ଯ୍ୟାନୁଷ୍ଠାନ ନିଆଯିବ। ସେହିଭଳି ମାମଲା ଉପରେ ନଜର ରଖିଛି ଜିଲ୍ଲା ଆଇନ ସେବା ପ୍ରାଧିକରଣ(ଡିଏଲ୍‌ଏସ୍‌ଏ)। ମାମଲାକୁ ଡିଏଲ୍‌ଏସ୍‌ଏ ଗୁରୁତ୍ୱର ସହ ନେଇ ତଦନ୍ତ କରୁଛନ୍ତି। ଏଣେ ଆଇନ ଅନୁଯାୟୀ ମାମଲାର ତଦନ୍ତ କରାଯାଉଥିବା ଭୁବନେଶ୍ବର ଡିସିପି ପ୍ରତୀକ ସିଂହ କହିଛନ୍ତି।
    ଏନ୍‌ଏଚ୍‌ଆର୍‌ସିରେ ମାମଲା
    ଝାରପଡ଼ା ଜେଲ୍‌ରେ ବିଚାରାଧୀନ କଏଦୀଙ୍କୁ ମାଡ଼ ମରାଯିବା ଘଟଣାକୁ ନେଇ ଜାତୀୟ ମାନବାଧିକାର କମିସନରେ ଏକ ମାମଲା ରୁଜୁ କରାଯାଇଛି। ଝାରପଡ଼ା ଜେଲ ଅଧୀକ୍ଷକ ମନୋରଞ୍ଜନ ପ୍ରତିହାରୀଙ୍କ ନାଁରେ ଅଭିଯୋଗ କରାଯାଇଛି। ସୌମ୍ୟକାନ୍ତ ମହାନ୍ତିଙ୍କୁ ୨୦ ଲକ୍ଷ ଟଙ୍କ‌ା ସହ ଚିକିତ୍ସା ପାଇଁ ସମସ୍ତ ପ୍ରକାରର ସୁବିଧା ସୁଯୋଗ ଯୋଗାଇ ଦେବାକୁ କମିସନଙ୍କ ନିକଟରେ ଆଇନଜୀବୀ ସୁନୀଲ କୁମାର ରଥ ଅନୁ‌ରୋଧ କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    28.6 ° C
    28.6 °
    28.6 °
    69 %
    1.5kmh
    4 %
    Sun
    26 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ