Sunday, October 4, 2026
28.6 C
Odisha

    ବିଜେପିକୁ ପୁଣି ସମସ୍ୟାରେ ପକାଇଲେ କଙ୍ଗନା, କହୁକହୁ ଏଭଳି କହିଲେ…

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ପାର୍ଟି ହାଇକମାଣ୍ଡଙ୍କ ଦ୍ବାରା ଜାରି ହୋଇଥିବା କଡ଼ା ନିର୍ଦ୍ଦେଶ ସତ୍ତ୍ବେ ବଲିଉଡ ଅଭିନେତ୍ରୀ ତଥା ମଣ୍ଡି ସାଂସଦ କଙ୍ଗନା ରାନାୱତ ବିଜେପି ପାଇଁ ସମସ୍ୟା ସୃଷ୍ଟି କରିଛନ୍ତି।  ଏବେ ପୁଣି ଥରେ ସେ ଏକ ବିବୃତି ଦେଇଛନ୍ତି ଯାହା ଦ୍ବାରା ହରିୟାଣା ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟିର ବଡ଼ ଧରଣର କ୍ଷତି କରିପାରେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।

    ହରିୟାଣା ଏବଂ ଜମ୍ମୁ-କଶ୍ମୀରରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେଉଛି। ଅକ୍ଟୋବର ୫ରେ ହରିୟାଣାର ସମସ୍ତ ୯୦ଟି ବିଧାନସଭା ଆସନ ପାଇଁ ମତଦାନ ଅନୁଷ୍ଠିତ ହେବ। ଏଥର ହରିୟାଣାରେ କ୍ଷମତା ଦଖଲର ରାସ୍ତା କୌଣସି ରାଜନୈତିକ ଦଳ ପାଇଁ ସହଜ ହେବ ନାହିଁ ବୋଲି କୁହାଯାଉଛି। ବିଜେପିର ସମସ୍ତ ବରିଷ୍ଠ ନେତାମାନେ ରାଜ୍ୟ ସପକ୍ଷରେ ବାତାବରଣ ସୃଷ୍ଟି କରିବାରେ ନିୟୋଜିତ ଅଛନ୍ତି। ଅନ୍ୟପକ୍ଷରେ, କଙ୍ଗନା ଗୋଟିଏ ବିବୃତି ଦେଇ ସେମାନଙ୍କ ପ୍ରୟାସକୁ ନଷ୍ଟ କରିଛନ୍ତି ବୋଲି ଆଲୋଚନା ହେଉଛି।

    ଭାରତୀୟ ରାଜନୀତିର ମୂଳରେ ଥିବା ଜାତି ସମୀକରଣ ବ୍ୟତୀତ ପଞ୍ଜାବ, ହରିୟାଣା, ମହାରାଷ୍ଟ୍ର ଏବଂ ଉତ୍ତରପ୍ରଦେଶ କୃଷକ ପ୍ରାଧାନ୍ୟ ରାଜନୀତି ପାଇଁ ଜଣାଶୁଣା। ଜାତି ପରେ, ସେସବୁ ରାଜ୍ୟର ରାଜନୀତି କୃଷକ ଏବଂ ସେମାନଙ୍କ ସମ୍ବନ୍ଧୀୟ ପ୍ରସଙ୍ଗରେ ଘେରି ରହିଥିବା ପରି ମନେହୁଏ। ଏହି କାରଣରୁ ପ୍ରତି ଦଳ ଏସବୁ ରାଜ୍ୟଗୁଡ଼ିକରେ ନିର୍ବାଚନ ପ୍ରତିଶ୍ରୁତିରେ କୃଷକମାନଙ୍କୁ ଉପଯୁକ୍ତ ସ୍ଥାନ ଦେଇଥାନ୍ତି।

    କୃଷକଙ୍କ ଆନ୍ଦୋଳନ ପରେ ହରିୟାଣାରେ ଅନୁଷ୍ଠିତ ହେବାକୁଥିବା ବିଧାନସଭା ନିର୍ବାଚନରେ ​​ବିଜେପିର ରାସ୍ତା କଷ୍ଟସାଧ୍ୟ ଦେଖାଯାଉଛି ବୋଲି ରାଜନୈତିକ ସମୀକ୍ଷକ ମତପୋଷଣ କରୁଛନ୍ତି। ଅନ୍ୟପକ୍ଷରେ, ହିମାଚଳପ୍ରଦେଶ ମଣ୍ଡିର ବିଜେପି ସାଂସଦ କଙ୍ଗନା ରାନାୱତ ପ୍ରତିଦିନ କୃଷକଙ୍କ ସହ ଜଡିତ ନକାରାତ୍ମକ ବିବୃତି ଦେଇ ବିଜେପିର ପ୍ରଗତିରେ ବାଧା ସୃଷ୍ଟି କରୁଥିବା ଦଳୀୟ ନେତୃତ୍ବ ଅନୁଭବ କରୁଥିବା କୁହାଯାଉଛି। କଙ୍ଗନାଙ୍କ ବିବୃତି ପରେ କଂଗ୍ରେସ ସୋସିଆଲ ମିଡ଼ିଆ ଏକ୍ସରେ ଏକ ପୋଷ୍ଟ କରି କହିଛି ଦେଶର ୭୫୦ରୁ ଅଧିକ ଚାଷୀ ସହିଦ ହୋଇଥିଲେ, ସେତେବେଳେ ହିଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାର ନିଦ ଭାଙ୍ଗିଥିଲା। ଏହାପରେ ଏହି କଳା ନିୟମ ପ୍ରତ୍ୟାହାର କରାଯାଇଥିଲା। ବର୍ତ୍ତମାନ ବିଜେପି ସାଂସଦମାନେ ଏହି ଆଇନ ପୁଣି ଫେରାଇ ଆଣିବାକୁ ଯୋଜନା କରୁଛନ୍ତି। କଂଗ୍ରେସ ଚାଷୀଙ୍କ ସହ ଅଛି। ନରେନ୍ଦ୍ର ମୋଦୀ ଏବଂ ତାଙ୍କ ସାଂସଦମାନେ ଯେତେ ଚେଷ୍ଟା କଲେ ମଧ୍ୟ ଏହି କଳା ନିୟମର ପ୍ରତ୍ୟାବର୍ତ୍ତନ ହେବ ନାହିଁ।

    କଂଗ୍ରେସ ଯେପରି କଙ୍ଗନାଙ୍କ ଏହି ବିବୃତିକୁ ନେଇ ରାଜନୀତି ଆରମ୍ଭ କରିଛି, ଏଥିରୁ ସ୍ପଷ୍ଟ ଜଣାପଡୁଛି ହରିୟାଣାରେ ବିଜେପିକୁ ବଡ଼ ଧରଣର କ୍ଷତି ହେବାକୁ ଯାଉଛି ବୋଲି ରାଜନୈତିକ ସମୀକ୍ଷକ ମତପୋଷଣ କରିଛନ୍ତି। ଅପରପକ୍ଷରେ, କୃଷକମାନଙ୍କ ସମ୍ପର୍କରେ କଙ୍ଗନା ଦେଇଥିବା ବିବୃତି ନେଇ ବିଜେପି ସମସ୍ୟାରେ ପଡ଼ିଛି।  ଏହି କାରଣରୁ ରାଜନୈତିକ ସମୀକ୍ଷକ କଙ୍ଗନା ରାନାୱତଙ୍କୁ ବିଜେପି ପାଇଁ ଏକ  ଗୁଡ଼ ବୋଲା ଦାଆ ବୋଲି କହୁଛନ୍ତି। ଯାହାକୁ ଗିଳି ହେଉ ନାହିଁ ଅବା କାଢ଼ି ହେଉ ନାହିଁ ବୋଲି କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    28.6 ° C
    28.6 °
    28.6 °
    69 %
    1.5kmh
    4 %
    Sun
    26 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ