Monday, September 14, 2026
28.8 C
Odisha

    ମୁଖ୍ୟମନ୍ତ୍ରୀ ରାଜନୀତି କରନ୍ତି ନାହିଁ; ଲୋକଙ୍କ ସେବା କରନ୍ତି: ପାଣ୍ଡିଆନ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ଜୀବନକାଳରେ କେବେ ବି ରାଜନୀତି କରି ନାହାନ୍ତି; ବରଂ ସେ ରାଜନୀତିରେ ରହି ଲୋକଙ୍କ ସେବା କରୁଛନ୍ତି। ଦୁଇ ଦଶନ୍ଧି ପୂର୍ବେ ରାଜ୍ୟର ଶାସନଭାର ଗ୍ରହଣ କରିବା ସମୟରେ ସେ ଯେଉଁ ନବୀନ ପଟ୍ଟନାୟକ ଥିଲେ, ଆଜି ମଧ୍ୟ ତାହା ଅଛନ୍ତି। ଓଡ଼ିଶାର ଜନସାଧାରଣ ବହୁତ ବୁଦ୍ଧିମାନ। ସେମାନେ ଭଲ ଭାବେ ଜାଣିଛନ୍ତି ଯେ ସେମାନଙ୍କ କଲ୍ୟାଣ ପାଇଁ କିଏ ଦିନରାତି କାମ କରୁଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କାମ ହିଁ କଥା କହେ। ସେ କାମ କରନ୍ତି, ଆଉ ପରିଣାମ ଈଶ୍ୱରଙ୍କ ଉପରେ ଛାଡ଼ି ଦିଅନ୍ତି। ସେଥିପାଇଁ ଓଡ଼ିଶାର ଜନସାଧାରଣ ବାରମ୍ବାର ନବୀନ ପଟ୍ଟନାୟକଙ୍କୁ ଆଶୀର୍ବାଦ କରି ଚାଲିଛନ୍ତି। କ୍ରମାଗତ ଭାବେ ଦେଶର ୧ ନମ୍ବର ମୁଖ୍ୟମନ୍ତ୍ରୀ ଆଖ୍ୟା ବଜାୟ ରଖିଛନ୍ତି। ଏଥର ନିର୍ବାଚନରେ ଓଡ଼ିଶାବାସୀ ମୁଖ୍ୟମନ୍ତ୍ରୀଙ୍କୁ ବିପୁଳ ବିଜୟ ଦେବେ। ବିଜୁ ଜନତା ଦଳ ଇତିହାସ ସୃଷ୍ଟି କରିବ। ଗତକାଲି ଭୁବନେଶ୍ୱରରେ ଇଣ୍ଡିଆ ଟୁଡେ ଗ୍ରୁପ୍‌‌ ପକ୍ଷରୁ ଆୟୋଜିତ ଷ୍ଟେଟ୍‌‌ ଅଫ୍‌‌ ଦ ଷ୍ଟେଟ୍‌‌ କନକ୍ଲେଭ୍‌‌ରେ ଯୋଗଦେଇ ଏକ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ‘୫-ଟି’ ଓ ‘ନବୀନ ଓଡ଼ିଶା’ ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଏହା କହିଛନ୍ତି।

    ଜନତାଙ୍କ ଦୁଃଖକୁ ମୁଖ୍ୟମନ୍ତ୍ରୀ କେତେମାତ୍ରାରେ ଅନୁଭବ କରନ୍ତି, ତାହାର ଉଦାହରଣ ରଖି ଶ୍ରୀ ପାଣ୍ଡିଆନ କହିଥିଲେ, ବହୁବର୍ଷ ପୂର୍ବେ ମୁଁ ଗଞ୍ଜାମ ଜିଲ୍ଲାପାଳ ଥିବା ସମୟରେ ରାୟଗଡ଼ାର କାଶୀପୁରରେ ଝାଡ଼ାବାନ୍ତି ବ୍ୟାପିଥିଲା। ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହିତ ମୁଖ୍ୟମନ୍ତ୍ରୀ କାଶୀପୁର ଗସ୍ତରେ ଯାଇଥିଲେ। ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ନିର୍ଜଳା ଉପବାସ ରହିଥିଲେ। ଫେରିବା ପଥରେ ବ୍ରହ୍ମପୁରରେ ମୁଖ୍ୟମନ୍ତ୍ରୀ ଏବଂ ଅନ୍ୟମାନଙ୍କ ପାଇଁ ମଧ୍ୟାହ୍ନଭୋଜନ ବ୍ୟବସ୍ଥା ହୋଇଥିଲା। ସେଠାରେ ସମସ୍ତେ ଭୋଜନ କରିଥିଲେ ସୁଦ୍ଧା ମୁଖ୍ୟମନ୍ତ୍ରୀ ଖାଇବା ଥାଳି ପାଖରେ ବସିଥିଲେ ବି ଆଦୌ ଖାଦ୍ୟ ଗ୍ରହଣ କରିନଥିଲେ। ମୁଁ ଏହାର କାରଣ ପଚାରିବାରୁ ସେ କହିଥିଲେ, ଯେତେବେଳେ ମୋ ରାଜ୍ୟର ଲୋକେ ଝାଡ଼ାବାନ୍ତିରେ ମରୁଛନ୍ତି, ସେତେବେଳେ ମୋ ପାଟିକୁ ଖାଦ୍ୟ ଯିବ କିପରି? ଅନୁରୂପ ଭାବେ ଏତେବର୍ଷ ପରେ ୨୦୨୩ରେ ବାହାନଗାରେ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଲା। ଜୋରସୋରରେ ଉଦ୍ଧାର କାର୍ଯ୍ୟ ଚାଲିଲା। କିନ୍ତୁ ଗୋଟିଏ ଦୁର୍ଘଟଣାଗ୍ରସ୍ତ ବଗିରୁ ମୃତାହତଙ୍କୁ ଉଦ୍ଧାର କରିବା ସମ୍ଭବ ହୋଇନଥିଲା। ଏହି ଖବର ଜାଣିବା ପରେ ସେହି ରାତିରେ ମୁଖ୍ୟମନ୍ତ୍ରୀ ଖାଦ୍ୟ ଗ୍ରହଣ କରିପାରି ନଥିଲେ। କେମିତି ରାତି ପାହିବ ଆଉ ସେ ଦୁର୍ଘଟଣାସ୍ଥଳ ପରିଦର୍ଶନ କରିବେ, ତାହା ତାଙ୍କ ପାଇଁ ଖାଦ୍ୟ ଗ୍ରହଣଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ଥିଲା। ସେ କେବଳ ଲୋକଙ୍କ ସେବା କରିବା ପାଇଁ ରାଜନୀତିରେ ଅଛନ୍ତି। ସେ ହେଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    28.8 ° C
    28.8 °
    28.8 °
    73 %
    0.4kmh
    58 %
    Mon
    31 °
    Tue
    31 °
    Wed
    31 °
    Thu
    31 °
    Fri
    31 °

    ସମ୍ବନ୍ଧିତ