Saturday, October 3, 2026
29.5 C
Odisha

    ୫-ଟି ଅଧ୍ୟକ୍ଷଙ୍କ ପ୍ରତିଶ୍ରୁତି ପରେ ସମାବେଶ ସ୍ଥଗିତ ରଖିଲା କେନ୍ଦୁପତ୍ର କର୍ମଚାରୀ ସଂଘ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ଆସନ୍ତା ୧୯ ତାରିଖରେ ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ ପକ୍ଷରୁ ହେବାକୁ ଥିବା ସମାବେଶକୁ ସ୍ଥଗିତ ରଖାଯାଇଛି। ସଂଘ ପକ୍ଷରୁ ୧୪ଦଫା ଦାବି ନେଇ ଏକ ବିଶାଳ ସମାବେଶ ପାଇଁ ଯୋଜନା କରାଯାଇଥିଲା। ମାତ୍ର ‘୫-ଟି’ ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍‌‌ଙ୍କ ପ୍ରତିଶ୍ରୁତିକୁ ଲକ୍ଷ୍ୟ କରି ସଂଘ ପକ୍ଷରୁ ଏହି ଆନ୍ଦୋଳନକୁ ସ୍ଥଗିତ ରଖାଯାଇଛି।
    ସମାବେଶ ପୂର୍ବରୁ ଗତ ଜାନୁଆରୀ ୧୩ ତାରିଖରେ ସଂଘର ରାଜ୍ୟ ସଭାପତି ବିଜୟ କୁମାର ମହାନ୍ତି ଓ ଏହା ପୂର୍ବରୁ ୧୨ ତାରିଖରେ ସଂଘର ରାଜ୍ୟ ସାଙ୍ଗଠନିକ ସମ୍ପାଦକ ତଥା ରାଜ୍ୟ ସରକାରଙ୍କ କେନ୍ଦୁପତ୍ର କଲ୍ୟାଣ ବୋର୍ଡ ଉପଦେଷ୍ଟା ସଞ୍ଜିତ ମହାନ୍ତି ‘୫-ଟି’ ଅଧ୍ୟକ୍ଷଙ୍କୁ ସମ୍ୱଲପୁର ସର୍କିଟ୍‌ ହାଉସରେ ସାକ୍ଷାତ କରି ସଂଘର ଦାବି ସମ୍ପର୍କରେ ଅବଗତ କରାଇଥିଲେ। ଏହାସହ ସମ୍ୱଲପୁର, ରେଙ୍ଗାଲି, କୁଚିଣ୍ଡା ଓ ରେଢ଼ାଖୋଲରେ ଅନୁଷ୍ଠିତ ସାଧାରଣ ସଭାଗୁଡ଼ିକରେ କେନ୍ଦୁପତ୍ର ତୋଳାଳି କର୍ମଚାରୀମାନେ ସେମାନଙ୍କ ଦାବି ସମ୍ପର୍କରେ ଶ୍ରୀ ପାଣ୍ଡିଆନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଆଗାମୀ ୧୫ଦିନ ମଧ୍ୟରେ କେନ୍ଦୁପତ୍ର ତୋଳାଳି ଓ କର୍ମଚାରୀମାନଙ୍କ ଦାବି ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଏକ ବଡ଼ ଘୋଷଣା କରିବେ ଏବଂ ବହୁ ଦିନର ଦାବି କନ୍ୟା ବିବାହ ଆର୍ଥିକ ସହାୟତା ମଧ୍ୟ ପୁନର୍ବାର ପ୍ରଚଳନ କରାଯିବ, ଜିଏସଟିର ରାଜ୍ୟ ସରକାର ଅଂଶକୁ ମଧ୍ୟ କେନ୍ଦୁପତ୍ର ସଂସ୍ଥାକୁ ଦିଆଯିବା ନେଇ ଶ୍ରୀ ପାଣ୍ଡିଆନ ରେଢ଼ାଖୋଲ ସାଧାରଣ ସଭାରେ ଘୋଷଣା କରିଥିଲେ। ଏହି ଘୋଷଣାକୁ ସମ୍ମାନ ଜଣାଇ ଏବଂ ମୁଖ୍ୟମନ୍ତ୍ରୀଙ୍କ ଉପରେ ଆସ୍ଥା ପ୍ରକଟ କରି ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ ଜାନୁଆରୀ ୧୯ ତାରିଖରେ ଭୁବନେଶ୍ୱରରେ ହେବାକୁ ଥିବା ସମାବେଶକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛି ବୋଲି ସଂଘ ପକ୍ଷରୁ କୁହାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29.5 ° C
    29.5 °
    29.5 °
    57 %
    1.5kmh
    2 %
    Sat
    30 °
    Sun
    30 °
    Mon
    31 °
    Tue
    31 °
    Wed
    31 °

    ସମ୍ବନ୍ଧିତ