Thursday, July 30, 2026
29.7 C
Odisha

    ଖଣ୍ଡଗିରି-ଉଦୟଗିରି ମହୋତ୍ସବ ଆରମ୍ଭ

    ଆଗକୁ ପଢନ୍ତୁ

    ପ୍ରସିଦ୍ଧ କୁମ୍ଭମେଳା ଅବସରରେ ଖଣ୍ଡଗିରି-ଉଦୟଗିରି ମହୋତ୍ସବ ଶନିବାର ଖଣ୍ଡଗିରି ପାନ୍ଥିକାଠାରେ ଆରମ୍ଭ ହୋଇଯାଇଛି। ଭୁବନେଶ୍ୱର ସାଂସ୍କୃତିକ ପରିଷଦ ଏବଂ ସ୍ବେଚ୍ଛାସେବୀ ଅନୁଷ୍ଠାନ କଲ୍ୟାଣ ପକ୍ଷରୁ ଆୟୋଜିତ ଏହି ମେହାତ୍ସବ ସାକୁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଉଦ୍‌ଘାଟନ କରିଥିଲେ। ବିଧାୟକ ଅନନ୍ତ ନାରାୟଣ ଜେନା, ମେୟର ସୁଲୋଚନା ଦାସ, କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର, କୃଷି ଉନ୍ନୟନ ନିଗମ ଉପାଧ୍ୟକ୍ଷ ଡ଼ ସନ୍ତୋଷ ବେଜ, କର୍ପୋରେଟର ସଂଯୁକ୍ତା ସୁନ୍ଦରାୟ, ଅନୁଷ୍ଠାନର ସମ୍ପାଦକ ଦୀପକ ମହାପାତ୍ର, ଦାଶରଥି ଗରାବଡୁ, ଅଶ୍ୱିନୀ ସୁନ୍ଦରାୟ, ହୃଦୟ ବଲ୍ଲଭ ସାମନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ। ଉତ୍ସବରେ କୋକିଳା ଡାନ୍ସ ଏକାଡେମୀ ପକ୍ଷରୁ ଓଡ଼ିଶୀ ନୃତ୍ୟ ଷଡ଼ଋତୁ ଏବଂ କୁନି କୁନି ପିଲାଙ୍କ ଦ୍ୱାରା ଦେଶାତ୍ମକ ବୋଧକ ନୃତ୍ୟ ପରିବେଷିତ ହୋଇଥିଲା। ପରେ ସୁର ସାଗର ମ୍ୟୁଜିକାଲ ଗ୍ରୁପ୍‌ ଦାରା ବର୍ଣ୍ଣାଢ଼୍ୟ ସଙ୍ଗୀତ କାର୍ଯ୍ୟକ୍ରମରେ କଣ୍ଠଶିଳ୍ପୀ ଅନ୍ତରା ଚକ୍ରବର୍ତ୍ତୀଙ୍କ ଗୀତ ଦର୍ଶକଙ୍କୁ ମୁଗ୍ଧ କରିଥିଲା।

    ଆଜିଠୁ ଯାତ୍ରା ମହାସମର:

    ଖଣ୍ଡଗିରି କୁମ୍ଭମେଳାରେ ଅନନ୍ୟ ଆକର୍ଷଣ ହେଉଛି ଖଣ୍ଡଗିରି ଯାତ୍ରା। ରବିବାରଠାରୁ ପାହାଡ଼ ପାଦଦେଶରେ ଆରମ୍ଭ ହେଉଛି ଯାତ୍ରା ମହାସମର। ୨୯ ତାରିଖ ପର୍ଯ୍ୟନ୍ତ ଯାତ୍ରା ମହାସମରରେ ୧୨ ଅପେରା ପାର୍ଟି ଲୋକଙ୍କ ମନୋରଞ୍ଜନ କରିବେ। ଦମଦାର ଡାଏଲଗ, ମନଛୁଆଁ କାହାଣୀ, ମେଲୋଡିରେ ପୂରା ଅଞ୍ଚଳ କମ୍ପିବ। ଆଇଗିଣିଆ ଗ୍ରାମ ପକ୍ଷରୁ ମହତାବ ପେଣ୍ଡାଲରେ ୧୮ରୁ ୨୦ ତାରିଖ ପର୍ଯ୍ୟନ୍ତ ସାଇ ସମ୍ରାଟ, ୨୧ରୁ ଅଶୋକ ସମ୍ରାଟ, ୨୫ରୁ ୨୯ ପର୍ଯ୍ୟନ୍ତ ତୁଳସୀ ଗଣନାଟ୍ୟ ପଡ଼ିବ। ଘାଟିକିଆ ଗ୍ରାମ ପକ୍ଷରୁ ସନାତନ ମଣ୍ଡପରେ ୧୮ରୁ ୨୩ ତାରିଖ ପର୍ଯ୍ୟନ୍ତ କୋଣାର୍କ ଗଣନାଟ୍ୟ ଓ ୨୪ରୁ ୨୯ ପର୍ଯ୍ୟନ୍ତ ଅପେରା ସୂର୍ଯ୍ୟମନ୍ଦିର ଚାଲିବ। ଜାଗମରା ଗ୍ରାମ ପକ୍ଷରୁ ଇନ୍ଦିରା ସାଂସ୍କୃତିକ ମଣ୍ଡପରେ ୧୮ରୁ୨୨ ପର୍ଯ୍ୟନ୍ତ କଳିଙ୍ଗ ଗଣନାଟ୍ୟ ଓ ୨୩ରୁ ୨୯ ଶିବାନୀ ଗଣନାଟ୍ୟ ନାଟକ ପରିବେଷଣ କରିବ। କେସିସି ପଡ଼ିଆ ମା’ ମଙ୍ଗଳା ମଣ୍ଡପରେ ୧୮ରୁ ୨୩ ପର୍ଯ୍ୟନ୍ତ ଦୁର୍ଗା ମନ୍ଦିର ଏବଂ ୨୪ରୁ ୨୯ ପର୍ଯ୍ୟନ୍ତ ସ୍ବର୍ଣ୍ଣ ମହଲ ଚାଲିବ। ଜୟଦୁର୍ଗା ମଣ୍ଡପରେ ୧୮ରୁ ୨୩ ପର୍ଯ୍ୟନ୍ତ ଗୌରୀ ଗଣନାଟ୍ୟ ଏବଂ ୨୪ରୁ ୨୯ ପର୍ଯ୍ୟନ୍ତ ସ୍ବପ୍ନ ମହଲ ଚାଲିବା ସାଇ ନୀଳାଦ୍ରି ଯାତ୍ରା କମିଟି ପକ୍ଷରୁ ୨୪ରୁ ୨୯ ପର୍ଯ୍ୟନ୍ତ ରଙ୍ଗମହଲ ଯାତ୍ରା ପରିବେଷଣ କରିବ।

    ଯାତ୍ରାରେ ଅଶ୍ଳୀଳତା ମନା

    ଯାତ୍ରା ପରିବେଷଣ ସମୟରେ ଯେଭଳି କୌଣସି ଅଶ୍ଳୀଳତା ପ୍ରଦର୍ଶନ ନ ହୁଏ କିମ୍ବା କୌଣସି ଅପ୍ରୀତିକର ପରିସ୍ଥିତି ନ ହୁଏ, ସେ ନେଇ ବିଏମ୍‌ସି ପକ୍ଷରୁ ଏସ୍‌ଓପି ଜାରି କରାଯାଇଛି। କୌଣସି ଯାତ୍ରାପାର୍ଟି ଲୋକଙ୍କ ଭାବାବେଗକୁ ଆଘାତ ଦେବାଭଳି କିମ୍ବା ଅଶ୍ଳୀଳ ନୃତ୍ୟ କିମ୍ବା ଯାତ୍ରା ପରିବେଷଣ କରିପାରିବେ ନାହିଁ। ସେହିପରି ଲୋକଙ୍କ ଗହଳିକୁ ଦେଖି ଯାତ୍ରାପାର୍ଟି ମାଲିକମାନେ ଆବଶ୍ୟକ ସଂଖ୍ୟକ ସ୍ବେଚ୍ଛାସେବୀ ବା ସିକ୍ୟୁରିଟି ଗାର୍ଡ ନିୟୋଜିତ କରିବେ। ଯେପରି କୌଣସି ଆପରାଧିକ ଘଟଣା ନ ଘଟେ ତାହା ଉପରେ ମଧ୍ୟ ନଜର ରଖିବେ। ଯାତ୍ରା ପାଇଁ ପ୍ରଚାର ସମୟରେ ଅତ୍ୟଧିକ ସାଉଣ୍ଡ କରିବେ ନାହିଁ। ଯାତ୍ରା ପେଣ୍ଡାଲ ପାଖରେ ପର୍ଯ୍ୟାପ୍ତ ଅଗ୍ନିନିର୍ବାପକ ଯନ୍ତ୍ର ରଖିବା, ଆବଶ୍ୟକ ସଂଖ୍ୟକ ସିସିଟିଭି ଓ ଅସ୍ଥାୟୀ ଶୌଚାଳୟ ବ୍ୟବସ୍ଥା କରିବା, ଦର୍ଶକଙ୍କ ପାଇଁ ପେଣ୍ଡାଲ ପାଖରେ ପାନୀୟଜଳ ବ୍ୟବସ୍ଥା କରିବା, ଡଷ୍ଟବିନ୍‌ ରଖିବା ଆଦି ବିଭିନ୍ନ ଦିଗ ପ୍ରତି ଧ୍ୟାନ ଦେବାକୁ ନିର୍ଦ୍ଦେଶ ରହିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    29.7 ° C
    29.7 °
    29.7 °
    76 %
    2.7kmh
    98 %
    Thu
    29 °
    Fri
    30 °
    Sat
    30 °
    Sun
    30 °
    Mon
    31 °

    ସମ୍ବନ୍ଧିତ