Monday, April 6, 2026
31.8 C
Odisha

    ଉତ୍ପାତ କଲେଣି ମାଫିଆ: ନଜରବନ୍ଦିରେ ଅଧିକାରୀ, ପ୍ରଭାବଶାଳୀଙ୍କ ଛତ୍ରଛାୟା‌ରେ କ୍ରସର୍‌ ମାଲିକ

    ଆଗକୁ ପଢନ୍ତୁ

    ବାଲେଶ୍ବର: ସାମ୍ନାକୁ ଆସିଛି ସାଂଘାତିକ ସତ। ମାଫିଆଙ୍କ ନଜରବନ୍ଦିରେ ସରକାରୀ ବାବୁ। ବେଧଡ଼କ ଲୁଟ୍‌ ହେଉଛି ପ୍ରାକୃତିକ ସମ୍ପଦ। ଖଣି ଅଧିକାରୀଙ୍କଠାରୁ ଆରମ୍ଭ କରି ଥାନା ଅଧିକାରୀ ଓ ତହସିଲଦାର; ସମସ୍ତେ ସତେ ଯେମିତି ଅସହାୟ ପାଲଟି ଯାଇଛନ୍ତି। ଓଡ଼ିଶା ସୀମାନ୍ତ ବାଲେଶ୍ବର ଜିଲ୍ଲାରେ ଦେଖିବାକୁ ମିଳିଛି ଏପରି ଅଭାବନୀୟ ସ୍ଥିତି।
    ବାଲେଶ୍ବର ଜିଲ୍ଲା ଅଧୀନ ସୋର ବ୍ଲକ୍‌ରେ ଅଛି ଖଞ୍ଜାମାହାଲ ପାହାଡ଼। ନୀଳଗିରିରେ ବାଘମରା, ବେଗୁନିଆ, ଖଣ୍ଡିଆହୁଡ଼ି ଓ କାଠଗୋଛି ଏବଂ ଖଇରାରେ
    ଶାରୀଶୁଆ ପାହାଡ଼ ରହିଛି। ସେହିପରି ଜଳେଶ୍ବର ଓ ଭୋଗରାଇ ତହସିଲ ଦେଇ ପ୍ରବାହିତ ହୋଇଛି ସୁବର୍ଣ୍ଣରେଖା ନଦୀ। ଦେଖାଯାଉଛି; ପାହାଡ଼ଗୁଡ଼ିକରୁ ବେଧଡ଼କ ପଥର ଚୋରା ଚାଲାଣ କରାଯାଉଛି। ନଦୀରୁ ମନଇଚ୍ଛା ବେଆଇନ ବାଲି ଉତ୍ତୋଳନ ହେଉଛି। ଜିଲ୍ଲା ଅଧୀନ ସମସ୍ତ ୧୨ଟି ଯାକ ବ୍ଲକ୍‌ରେ ମୋରମ୍‌ ଓ ମାଟି ମଧ୍ୟ ଚୋରି ଚାଲିଛି। ଏକଥା ଖଣି ଅଧିକାରୀଙ୍କଠାରୁ ଆରମ୍ଭ କରି ସଂପୃକ୍ତ ଥାନା ଅଧିକାରୀ ଓ ତହସିଲଦାରମାନେ ଜାଣୁଛନ୍ତି। କିନ୍ତୁ ବିଡ଼ମ୍ବନାର ବିଷୟ; ଚୋରା କାରବାର ଉପରେ ରୋକ୍‌ ଲାଗି ପାରୁନି। କାରଣ ସରକାରୀ ବାବୁମାନେ ଏବେ ନଜରବନ୍ଦିରେ। ଏକଥା ସେମାନଙ୍କୁ ଭଲଭାବେ ଜଣା। ହେଲେ ବଡ଼ ପଦକ୍ଷେପ ନେଇ ପାରୁନାହାନ୍ତି। ଅସହାୟତା ପ୍ରକାଶ କରିବା ଛଡ଼ା ବାବୁମାନଙ୍କ ପାଖରେ ଆଉ କିଛି ଉପାୟ ନାହିଁ

    ତେବେ ସତ ଜାଣିବା ପାଇଁ ବାଲେଶ୍ବର ଖଣି ଅଧିକାରୀ ସନ୍ତୋଷୀପ୍ରଭା ସେଠୀଙ୍କ ସହ ସୋର ଥାନା ଅଧିକାରୀ ପ୍ରଭାଂଶୁ ଶେଖର ମିଶ୍ର, ନୀଳଗିରି ଥାନା ଅଧିକାରୀ ଗୋପାଳ ଚନ୍ଦ୍ର କର୍ଣ୍ଣ ଏବଂ ଜଳେଶ୍ବର ତହସିଲଦାର ଜିତେନ୍ଦ୍ର ମୁର୍ମୁଙ୍କ ପ୍ରତିକ୍ରିୟା ନିଆଯାଇଥିଲା। ସେମାନେ କହିଛନ୍ତି, ‘ମାଫିଆମାନେ ଗୋଟିଏ ଟ୍ରେଣ୍ଡ ସେଟ୍‌ କରିଛନ୍ତି। ଦିନରାତି; ସବୁବେଳେ ଆମ ଉପରେ ନଜର ରଖୁଛନ୍ତି। ଆମେ କେଉଁଠିକୁ ଯାଉଛୁ, କାହା ସହ କଥା ହେଉଛୁ; ସବୁ ଖବର ତାଙ୍କ ପାଖରେ। ଏମିତି କି ଚଢ଼ଉ ବାବଦରେ ମଧ୍ୟ ସେମାନଙ୍କ ନିକଟରେ ସୂଚନା ପହଞ୍ଚି ଯାଉଛି। ଏପରି ସମୟରେ ନା ମାଫିଆମାନେ ଧରାପଡ଼ୁଛନ୍ତି ନା ଚୋରା ସାମଗ୍ରୀ ନେଇ ଯାଉଥିବା ଗାଡ଼ିଗୁଡ଼ିକ ହାତରେ ଲାଗୁଛି!’
    ବାଲେଶ୍ବର ଜିଲ୍ଲାରେ ସରକାରୀ ଅଧିକାରୀଙ୍କ ଏପରି ଅସହାୟ ଅବସ୍ଥାକୁ ନେଇ ବୁଦ୍ଧିଜୀବୀ ମହଲରେ ଚିନ୍ତା ପ୍ରକାଶ ପାଇଛି। ଏଠାରେ ଯଦି ଏପରି ସ୍ଥିତି, ତେବେ ଖଣିଖାଦାନ ଭରା ଓଡ଼ିଶାର ଅନ୍ୟ ଜିଲ୍ଲାଗୁଡ଼ିକରେ ଯେ କି ସ୍ଥିତି ଥିବ, ତାହା ସହଜରେ ଅନୁମେୟ। ତେଣୁ ସରକାର ଏନେଇ କଡ଼ା ଆଭିମୁଖ୍ୟ ଆପଣେଇବା ଉଚିତ ବୋଲି ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ପ୍ରଧାନ ‘ସମ୍ବାଦ’କୁ କହିଛନ୍ତି। ଏହା ସହିତ ଅଭିଯୋଗ ଆଣିଛନ୍ତି, ‘ସରକାରୀ ଅଧିକାରୀ ଓ ମାଫିଆ ସଂପର୍କରେ ରହୁଛନ୍ତି। ଆଇନ ସମସ୍ତଙ୍କ ପାଇଁ ସମାନ। ନୂଆ ସରକାରରେ ଆମେ କିଛି ସଂସ୍କାର ଆଶା କରିପାରିବା।’

    ଉଲ୍ଲେଖଥାଉକି; ସୋର ଖଞ୍ଜାମାହାଲ ପାହାଡ଼ରେ ୬୩ଟି ପଥର ଖଣି ରହିଛି। ପରିବେଶ ମଞ୍ଜୁରୀ ସମସ୍ୟା ଓ ହାତୀ ଚଲାପଥ କାରଣରୁ କୌଣସି ଖଣି ଚାଲିବା ନେଇ ଅନୁମତି ନାହିଁ। ହେଲେ ମାଫିଆମାନେ ଏଠାରୁ ବେଆଇନ ପଥର ଚୋରା ଚାଲାଣ କରୁଛନ୍ତି। ସେହିପରି ନୀଳଗିରିରେ ଥିବା ବାଘମରା, ବେଗୁନିଆ, ଖଣ୍ଡିଆହୁଡ଼ି ଓ କାଠଗୋଛି ପାହାଡ଼ରେ ମୋଟ ୮ଟି ଖଣି ରହିଥିବା ବେଳେ ପରିବେଶ ମଞ୍ଜୁରି ଅଭାବ ଯୋଗୁଁ ୭ଟି ବନ୍ଦ ପଡ଼ିଛି। ତଥାପି ପଥର ଚୋରା ଚାଲାଣ ଉପରେ ରୋକ୍‌ ଲାଗି ପାରୁନି। ଖଇରା ଶାରୀଶୁଆ ପାହାଡ଼ରେ ମୋଟ ୯୪ଟି ପଥର ଖଣି ଅଛି। ସେଠାରେ ମଧ୍ୟ ପରିବେଶ ମଞ୍ଜୁରି ସମସ୍ୟା କାରଣରୁ ୫୮ଟି ଖଣିକୁ ବନ୍ଦ କରିଦିଆଯାଇଛି। ଖଣି ସିନା ବନ୍ଦ ଅଛି, ପଥର ଚୋରି କିନ୍ତୁ ରିତିମତ୍‌ ଚାଲିଛି। ଅନ୍ୟପଟେ ଏନ୍‌ଜିଟି ନିର୍ଦ୍ଦେଶକ୍ରମେ ଜଳେଶ୍ବର ଓ ଭୋଗରାଇ ତହସିଲ ଅଧୀନ ସୁବର୍ଣ୍ଣରେଖା ନଦୀରେ ଥିବା ୩୨ଟି ବାଲି ସୈରାତ ନିଲାମ ଦିଆଯାଇନି। କିନ୍ତୁ ଓଡ଼ିଶା ସହ ପଶ୍ଚିମବଙ୍ଗ ମାଫିଆମାନେ ଉକ୍ତ ସୈରାତଗୁଡ଼ିକରୁ ଅହରହ ବେଆଇନ ବାଲି ଉତ୍ତୋଳନ ସହ ଚୋରା ଚାଲାଣ କରିବାରେ ଲାଗି ପଡ଼ିଛନ୍ତି।

    ବଲାଙ୍ଗୀର: ଦୁଇ ଦଶନ୍ଧି ତଳେ ଥିଲା ଅଢ଼େଇ କିଲୋମିଟର ଲମ୍ବ ପାହାଡ଼। ଆଖପାଖ ଗାଁ ଲୋକ ଏବଂ ଗୃହପାଳିତ ପ୍ରାଣୀଙ୍କ ପାଇଁ ଏହି ପାହାଡ଼ ଖାଦ୍ୟ ଦେଉଥିଲା। ପାହାଡ଼ରୁ ବନଜାତ ଦ୍ରବ୍ୟ ସଂଗ୍ରହ କରି ଲୋକେ ଗୁଜୁରାଣ ମେଣ୍ଟାଉଥିଲେ। କିନ୍ତୁ ଏବେ ପାହାଡ଼ର ଆକାର ମାତ୍ର ଦୁଇ ଶହ ମିଟର। ସବୁ ପାହାଡ଼କୁ ଖୋଳି ଖାଲ କରି
    ଦେଇଛନ୍ତି କ୍ରସର୍‌ ମାଲିକ। ବଲାଙ୍ଗୀର ଜିଲ୍ଲା ଲୋଇସିଂହା ବ୍ଲକ୍‌ ସରଗାଡ଼ ନିକଟସ୍ଥ ଉଚ୍ଛବପାଲିରେ ଏଭଳି ସାଂଘାତିକ ଦୃଶ୍ୟ ଦେଖିବାକୁ ମିଳିଛି। ଉଚ୍ଛବପାଲି ପାଖରେ ରହିଛି ଆଡ଼େନ ଡଙ୍ଗର। ଦୁଇ ଦଶନ୍ଧି ତଳେ ଏହି ଡଙ୍ଗର ଅଢ଼େଇ କିଲୋମିଟର ଦୂରତା ଯାଏ ଲମ୍ବିଥିଲା। କ୍ରମଶଃ ନିରନ୍ତର ପଥର ଖୋଳିବା ଦ୍ବାରା ଏହି ଡଙ୍ଗର ନିଶ୍ଚିହ୍ନ ହେବା ଉପରେ। ଏବେ ମାତ୍ର ୨ ଶହ ମିଟର ଡଙ୍ଗର ବଞ୍ଚି ରହିଛି। ଏହି ଅଞ୍ଚଳରେ ଥିବା ତିନୋଟି କ୍ରସର୍‌ କ୍ରମାଗତ ଭାବେ ଆଡ଼େନ ଡଙ୍ଗରକୁ ଗିଳି ଚାଲିଛି। କ୍ରସର୍‌ ମାଲିକମାନେ କ୍ରମାଗତ ଭାବେ ଅନୁମତିଠାରୁ ଅଧିକ ବେଆଇନ ଖନନ ଓ ପରିବହନ କରି ପାହାଡ଼କୁ ଖାଇ ଦେଲେଣି।

    ବିଶାଳକାୟ ମେସିନ୍‌ ଏବଂ ଡମ୍ପର ଦ୍ବାରା ଏହି ଡଙ୍ଗରରୁ ପଥର ଉତ୍ତୋଳନ ବର୍ଷତମାମ ଜାରି ରହିଛି। ଖଣି ବିଭାଗ ଅଧିକାରୀ ବି ଏଠାରେ ପାଦ ପକାଉନାହାନ୍ତି। କାରଣ କ୍ରସର୍‌ ମାଲିକମାନେ ପ୍ରଭାବଶାଳୀ ବ୍ୟକ୍ତିଙ୍କ ଛତ୍ରଛାୟା ତଳେ ରହିଛନ୍ତି। ପୂର୍ବରୁ ଉଚ୍ଛବପାଲି ଗ୍ରାମବାସୀ ପାହାଡ଼ରୁ ଖନନ ବନ୍ଦ କରିବା ପାଇଁ ଆନ୍ଦୋଳନ କରିଥିଲେ। କିନ୍ତୁ କ୍ରସର୍‌ ମାଲିକମାନେ ଗାଁର ପାଖାପାଖି ୩୦ରୁ ଅଧିକ ଲୋକଙ୍କୁ ମିଥ୍ୟା ମାମଲାରେ ଫସାଇ ଜେଲ୍‌ ପଠାଇ ଦେଇଥିବା ଅଭିଯୋଗ ହୋଇଛି। ପ୍ରଶାସନିକ ଅଧିକାରୀ କ୍ଷେତ୍ର ପରିଦର୍ଶନ କରି ଫେରି ଆସିଲେ। କିନ୍ତୁ ଆଡ଼େନ ଡଙ୍ଗରକୁ କେହି ବି ବଞ୍ଚାଇ ପାରିଲେ ନାହିଁ। ଆଉ ଅତି ବେଶିରେ ଦୁଇ ମାସ ଭିତରେ ଆଡ଼େନ ଡଙ୍ଗର ନିଶ୍ଚିହ୍ନ ହୋଇଯିବ। ପୂର୍ବରୁ ଡଙ୍ଗର ଥିବା ସ୍ଥାନରେ ଏବେ ୫୦-୬୦ ମିଟରର ଗଭୀର ଖାତ ରହିଛି। କ୍ରସର୍‌ ମାଲିକମାନେ ସ୍ଥାନୀୟ ଅଞ୍ଚଳବାସୀଙ୍କ ଦାବିକୁ ଖାତିର କରୁନାହାନ୍ତି। ପ୍ରଶାସନ ଏବଂ ଖଣି ଅଧିକାରୀ ବି ଆଖିବୁଜି ଦେଇଥିବାରୁ ଏହି ଡଙ୍ଗର ଯେ ଅତି ଶୀଘ୍ର ନିଶ୍ଚିହ୍ନ ହୋଇଯିବ, ତାହା ଜଳଜଳ ଦେଖାଯାଉଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    31.8 ° C
    31.8 °
    31.8 °
    38 %
    6kmh
    61 %
    Mon
    30 °
    Tue
    37 °
    Wed
    39 °
    Thu
    39 °
    Fri
    39 °

    ସମ୍ବନ୍ଧିତ