Thursday, October 1, 2026
28.5 C
Odisha

    ମାଷ୍ଟରକ୍ୟାଣ୍ଟିନ ହିଂସା ଘଟଣାରେ ୧୧୩ ଗିରଫ, ୪୦୦ ଗାଡ଼ିର ପରମିଟ୍ ହେବ ବାତିଲ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ମାଷ୍ଟରକ୍ୟାଣ୍ଟିନ ହିଂସା ଘଟଣାରେ ୧୧୩ ଗିରଫ, ୩୫୪ ଗାଡ଼ି ଜବତ । ମାଷ୍ଟରକ୍ୟାଣ୍ଟିନ ହିଂସା ଘଟଣାରେ ପୋଲିସର ବଡ଼ ଆକ୍ସନ୍ । ରାତି ସାଢ଼େ ଗୋଟାଏ ସୁଦ୍ଧା ୧୧୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଏହାସହ ଆଉ ୬୦ ଜଣଙ୍କୁ ଭଲ ବ୍ୟବହାର ପାଇଁ ବଣ୍ଡରେ ଛାଡ଼ି ଦିଆଯାଇଛି । ଘଟଣାରେ ୩୫୪ଟି ଗାଡ଼ି ଜବତ କରିଛି ପୋଲିସ । ଏନେଇ ଖାରବେଳନଗର ଥାନାରେ ୭ଟି ଏଫଆଇଆର୍ ରୁଜୁ ହୋଇଛି । ସାଧାରଣ ଲୋକଙ୍କ ଅଭିଯୋଗ ଆଧାରରେ ୨ଟି, ଆମ ବସ୍ କର୍ମଚାରୀଙ୍କ ଅଭିଯୋଗରେ ୪ଟି ଏବଂ ପୋଲିସ କର୍ମଚାରୀଙ୍କ ଅଭିଯୋଗରେ ଗୋଟିଏ ଏଫଆଇଆର୍ ରୁଜୁ ହୋଇଛି । ମାଷ୍ଟରକ୍ୟାଣ୍ଟିନରେ ଆନ୍ଦୋଳନ ବେଳେ ଆଇନଶୃଙ୍ଖଳା ପରିସ୍ଥିତି ବିଗିଡ଼ିବା ଓ ପୋଲିସ ଉପରେ ଆକ୍ରମଣ ଘଟଣା ପରେ ଆକ୍ସନ୍ ମୋଡ୍ ରେ କମିଶନରେଟ୍ ପୋଲିସ । ଆଇନକୁ ହାତକୁ ନେଇ ହିଂସା ସୃଷ୍ଟି କରୁଥିବା ଯେକୌଣସି ବ୍ୟକ୍ତିଙ୍କ ବିରୋଧରେ ଆଇନ ଅନୁସାରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

    ସେହିପରି ଗତକାଲି ଅନଲାଇନ ଟ୍ୟାକ୍ସି, ଅଟୋ ଏବଂ ବାଇକ ଚାଳକଙ୍କୁ ଭାରି ପଡ଼ିଲା ଆନ୍ଦୋଳନ । କାରଣ ବାତିଲ ହେବାକୁ ଯାଉଛି ଆନ୍ଦୋଳନରେ ସାମିଲ୍ ଥିବା ପ୍ରାୟ ୪୦୦ ଗାଡ଼ିର ପରମିଟ୍ । ବୁଧବାର ରାଜଧାନୀର ମାଷ୍ଟରକ୍ୟାଣ୍ଟିନ୍ ଛକରେ ଘଟିଥିବା ବେଆଇନ ଘେରାଉ, ବିଶୃଙ୍ଖଳା ତଥା ରାସ୍ତାରୋକ ପରେ ଭୁବନେଶ୍ବର ଆରଟିଓ-୧ ପକ୍ଷରୁ ଆରମ୍ଭ ହୋଇଛି ପରମିଟ୍ ବାତିଲ ପ୍ରକ୍ରିୟା ।

    ଭୁବନେଶ୍ବର ମାଷ୍ଟରକ୍ୟାଣ୍ଟିନ ଠାରେ ଅନଲାଇନ ଡ୍ରାଇଭରମାନଙ୍କ ଆନ୍ଦୋଳନ ଯୋଗୁ ସାଧାରଣ ଯାତାୟାତରେ ଗୁରୁତର ବ୍ୟାଘାତ ସୃଷ୍ଟି ହୋଇଥିଲା। ଏହି ସମୟରେ କ୍ରୁଟ୍ (CRUT) / ଆମ ବସ୍ ସମେତ ଅନେକ ସରକାରୀ ସମ୍ପତ୍ତି ଭଙ୍ଗାରୁଜା ଓ ନଷ୍ଟ କରାଯାଇଥିବା ଅଭିଯୋଗ ମଧ୍ୟ ହୋଇଛି । ପୋଲିସ ରେକର୍ଡ, ସିସିଟିଭି ଫୁଟେଜ୍ ଏବଂ ଜବତ ତାଲିକାର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ରାସ୍ତା ଅବରୋଧ କରିବା ପାଇଁ ୪୦୦ ରୁ ଅଧିକ ଅଟୋରିକ୍ସା ବ୍ୟବହାର କରାଯାଇଥିଲା ଏବଂ ପୋଲିସ ପ୍ରଶାସନ ଦ୍ୱାରା ଉକ୍ତ ଗାଡ଼ିଗୁଡ଼ିକୁ ଚିହ୍ନଟ କରାଯାଇ ଜବତ କରାଯାଇଛି । ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱର- ୧ ଆରଟିଓ ପକ୍ଷରୁ ସମ୍ପୃକ୍ତ ସମସ୍ତ ପଞ୍ଜୀକୃତ ମାଲିକ ତଥା ପରମିଟ୍ ଧାରୀମାନଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି। ଉକ୍ତ ଘଟଣା ସମୟରେ ଗାଡ଼ି କାହା ନିୟନ୍ତ୍ରଣରେ ଥିଲା ଏବଂ ଏହା ମାଲିକଙ୍କ ଅନୁମତି, ନିର୍ଦ୍ଦେଶ କିମ୍ବା ଅବଗତିରେ ବ୍ୟବହୃତ ହୋଇଥିଲା କି ନାହିଁ, ସେ ସମ୍ପର୍କରେ ତଥ୍ୟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    28.5 ° C
    28.5 °
    28.5 °
    71 %
    1.6kmh
    18 %
    Thu
    26 °
    Fri
    30 °
    Sat
    30 °
    Sun
    30 °
    Mon
    31 °

    ସମ୍ବନ୍ଧିତ