Monday, April 6, 2026
28.1 C
Odisha

    ଆଗ ଚିକିତ୍ସା, ପରେ ଭାଷଣ: ମଂଚ ତଳେ ଚେତା ହରାଇଥିବା ସାମ୍ବାଦିକଙ୍କ ପାଇଁ ବ୍ୟକ୍ତିଗତ ଡାକ୍ତରୀ ଟିମ ପଠାଇଲେ ମୋଦୀ

    ଆଗକୁ ପଢନ୍ତୁ

    ବାରିପଦା: ଅଧାରେ ଅଟକାଇଦେଲେ ଭାଷଣ, ଆଉ ନିଜ ବ୍ୟକ୍ତିଗତ ଡାକ୍ତରୀ ଟିମଙ୍କୁ ପଠାଇଲେ ମୋଦୀ। ଏବେ ଆପଣ ଭାବୁଥିବେ ଭାଷଣ କାହିଁକି ଅଧା କହିଲେ? ଆଉ କାହା ପାଖକୁ ଡାକ୍ତରୀ ଟିମ ପଠାଇଲେ? ବାସ୍ତବରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାରିପଦା ଜନସଭାରେ ଖବର ସଂଗ୍ରହ ବେଳେ ଅସୁସ୍ଥ ହୋଇ ପଡ଼ିଥିଲେ ସାମ୍ବାଦିକ। ସମୟ ପାଖାପାଖି ୧ ଟା ୪୫ ହେବ। ବାରିପଦାରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ ଆରମ୍ଭ ହେବାର ମାତ୍ର କିଛି ମିନିଟ ହୋଇଥାଏ। ଟେଣ୍ଟ ଭିତରେ ଅସହ୍ୟ ଗରମ ଓ ଗୁଳଗୁଳି ଯୋଗୁଁ ସମସ୍ତେ ଆଉଟୁପାଉଟୁ ହେଉଥାନ୍ତି। ତଥାପି ମୋଦୀଙ୍କ ଗସ୍ତ ପାଇଁ ଫୁଲ ଜୋସରେ ଥିଲେ ଲକ୍ଷାଧିକ କର୍ମକର୍ତ୍ତା ଓ ଜନତା। ହେଲେ ଠିକ୍ ଏତିକିବେଳେ ଗରମ ଓ ଗୁଳୁଗୁଳି ଯୋଗୁଁ ହଠାତ୍ ଅସୁସ୍ଥ ହେବା ସହ ସଂଜ୍ଞାହୀନ ହୋଇ ତଳେ ପଡ଼ିଗଲେ କନକ ନ୍ୟୁଜର ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି ଦୋଳଗୋବିନ୍ଦ ବାରିକ। ମଞ୍ଚ ସାମ୍ନାରେ ମିଡ଼ିଆ ଗ୍ୟାଲେରୀ ଥିବାରୁ ଏ ଦୃଶ୍ୟ ପ୍ରଧାନମନ୍ତ୍ରୀଙ୍କ ନଜରରେ ପଡ଼ିଥିଲା। ଯାହାକୁ ଦେଖି ତୁରନ୍ତ ମିଡ଼ିଆ ଗ୍ୟାଲେରୀକୁ ନିଜ ଟିମ୍ ପଠାଇ ଅସୁସ୍ଥ ସାମ୍ବାଦିକଙ୍କ ଚିକିତ୍ସା କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ମୋଦୀ। ତୁରନ୍ତ ଡାକ୍ତର ଟିମ୍ ଆସି ଦୋଳଗୋବିନ୍ଦଙ୍କ ଚିକିତ୍ସା ଆରମ୍ଭ କରି ଦେଇଥିଲେ। ସବୁ ଦୃଶ୍ୟ ପ୍ରଧାନମନ୍ତ୍ରୀ ନିଜେ ମଞ୍ଚ ଉପରୁ ଥାଇ ଦେଖୁଥିଲେ ।

    ସାମ୍ବାଦିକ ଜଣକ ଅସୁସ୍ଥ ହେବା ଦେଖି ବ୍ୟସ୍ତ ହୋଇଯାଇଥିଲେ ପ୍ରଧାନମନ୍ତ୍ରୀ। ଏପରିକି କିଛି ସମୟ ଧରି ଭାଷଣ ବନ୍ଦ କରି ସାମ୍ବାଦିକଙ୍କ ଚିକିତ୍ସା ଅନୁଧ୍ୟାନ କରୁଥିଲେ ପ୍ରଧାନମନ୍ତ୍ରୀ। ପ୍ରାଥମିକ ଚିକିତ୍ସା ସରିବା ପରେ ସଙ୍ଗେ ସଙ୍ଗେ ଦୋଳଗୋବିନ୍ଦଙ୍କୁ ବାରିପଦା ମେଡିକାଲ କଲେଜକୁ ନିଆଯାଇଥିଲା। ତେବେ ପ୍ରଧାନମନ୍ତ୍ରୀ ଏତିକିରେ ଅଟକି ଯାଇନଥିଲେ। କାର୍ଯ୍ୟକ୍ରମ ଶେଷ ହେବା ପରେ ଏସପିଜି ଅଫିସରଙ୍କୁ ଫୋନ ମାଧ୍ୟମରେ ଦୋଳଗୋବିନ୍ଦଙ୍କ ସ୍ବାସ୍ଥ୍ୟ ଅବସ୍ଥା ପଚାରି ବୁଝିବାକୁ ନିର୍ଦ୍ଦେଶ ଦେଇଥିଲେ ମୋଦୀ। ପ୍ରଧାନମନ୍ତ୍ରୀଙ୍କ ଅଫିସରୁ ଫୋନ ଆସିଥିଲା ବୋଲି କହିଛନ୍ତି ଦୋଳଗୋବିନ୍ଦ । ଏହାସହ ମୟୂରଭଞ୍ଜ ଏସପି ଏବଂ ଡିଆଇପିଆରଓଙ୍କୁ ମଧ୍ୟ ସାମ୍ବାଦିକ ଦୋଳଗୋବିନ୍ଦଙ୍କ ସ୍ବାସ୍ଥ୍ୟ ସ୍ଥିତି ବୁଝିବାକୁ ନିର୍ଦ୍ଦେଶ ଦିଆଯାଇଛି । ଦୋଳଗୋବିନ୍ଦଙ୍କ ଚିକିତ୍ସା କେମିତି ହେଉଛି, ସେ ନେଇ ମେଡିକାଲ ଯାଇ ସ୍ଥିତି ଅନୁଧ୍ୟାନ କରିବା ପାଇଁ ମୋରଡା ବିଧାୟକ ପ୍ରାର୍ଥୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କୁ ନିର୍ଦ୍ଦେଶ ଦେଇଥିଲେ ପ୍ରଧାନମନ୍ତ୍ରୀ। କୃଷ୍ଣଚନ୍ଦ୍ର ମହାପାତ୍ର ଏବଂ ବିଧାୟକ ବୁଧାନ ମୁର୍ମୁ ମେଡିକାଲ ଆସି ଡାକ୍ତରଙ୍କ ସହିତ ଆଲୋଚନା କରିବା ସହ ଦୋଳଗୋବିନ୍ଦଙ୍କ ସ୍ବାସ୍ଥ୍ୟ ଅବସ୍ଥା ପଚାରି ବୁଝିଥିଲେ। ତେବେ ଜଣେ ପ୍ରଧାନମନ୍ତ୍ରୀଙ୍କ ଏଭଳି ଉଦାରତା ଏବଂ ସହାୟତା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ସାମ୍ବାଦିକ ଦୋଳଗୋବିନ୍ଦ।

    ତେବେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମ୍ବେଦନଶୀଳତାକୁ ନେଇ ଏକ୍ସରେ ପୋଷ୍ଟ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଧର୍ମେନ୍ଦ୍ର ଲେଖିଛନ୍ତି ଯେ ମୟୂରଭଞ୍ଜରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନସଭା ସମୟରେ କନକ ନ୍ୟୁଜ ପ୍ରତିନିଧି ଦୋଳଗୋବିନ୍ଦ ବାରିକଙ୍କ ସ୍ୱାସ୍ଥ୍ୟବସ୍ଥା ହଠାତ୍ ଖରାପ ହୋଇଯାଇଥିଲା। ଲକ୍ଷ ଲକ୍ଷ ଜନସମାଗମ ମଧ୍ୟରେ ବି ମୋଦିଜୀ ତାଙ୍କ ଅବସ୍ଥା ଦେଖି ନିଜର ଡାକ୍ତରୀ ଟିମକୁ ପଠାଇ ତାଙ୍କର ସହାୟତା କରିବା ପାଇଁ ପରାମର୍ଶ ଦେଇଥିଲେ। ଏହି ସମ୍ବେଦନଶୀଳତା, ସମସ୍ତଙ୍କ ପାଇଁ ଚିନ୍ତା କରିବା ତଥା ସେବା ମନୋଭାବ କାରଣରୁ ସମଗ୍ର ଭାରତ ମୋଦୀଜୀଙ୍କ ପରିବାର ମାନିଥାଏ । ସାଧାରଣ ଜୀବନରେ ମୋଦିଜୀଙ୍କ ଏପରି ବ୍ୟବହାର ସମସ୍ତଙ୍କ ପାଇଁ ପ୍ରେରଣାର ସ୍ରୋତ ହୋଇଛି। ତୁରନ୍ତ ମେଡିକାଲ ସହାୟତା ପରେ ଦୋଳଗୋବିନ୍ଦ ବାରିକଙ୍କୁ ଜିଲ୍ଲା ହସ୍ପିଟାଲ, ବାରିପଦାରେ ଭର୍ତ୍ତି କରାଯାଇଛି । ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଏବେ ସ୍ଥିର ରହିଛି ବୋଲି ଏକ୍ସରେ ଲେଖିଛନ୍ତି କେନ୍ଦ୍ର ମନ୍ତ୍ରୀ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    28.1 ° C
    28.1 °
    28.1 °
    55 %
    4kmh
    100 %
    Mon
    28 °
    Tue
    37 °
    Wed
    39 °
    Thu
    38 °
    Fri
    39 °

    ସମ୍ବନ୍ଧିତ