Sunday, January 12, 2025
21.1 C
Odisha

    ମୋହନ ସରକାରଙ୍କୁ ୬ ମାସ ପୂରିଲା; କେତେ ଖୁସି ଅଛନ୍ତି ଓଡିଶାବାସୀ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ମୋହନ ଚରଣ ମାଝୀ ସରକାରଙ୍କୁ ୬ ମାସ ପୂରିଛି । ବହୁ ଆଲୋଚନା ଓ ପର୍ଯ୍ୟାଲୋଚନା ମଧ୍ୟ ହୋଇଛି। ସଫଳତା ଓ ବିଫଳତା ର ଅଙ୍କ କଷା ମଧ୍ୟ ଅନେକ ହୋଇଛି। ଆମେ ଏଠି
    ସରକାର କଣ କରିଛନ୍ତି ଓ ନକରି ଛନ୍ତି ଆଲୋଚନା କରିବୁ ନାହିଁ । କାରଣ ରାଜନୀତିରେ ଏହା ସବୁବେଳେ ବିତର୍କର ବିଷୟ । ଯେମିତିକି ବିଜେପି କହୁଛି, ଆମେ ନିର୍ବାଚନ ବେଳେ ଦେଇଥିବା ସବୁ ପ୍ରତିଶ୍ରୁତିକୁ ଅକ୍ଷରେ ଅକ୍ଷରେ ପାଳନ କରୁଛୁ । ସରକାରଙ୍କ ସଫଳତା ହାର ୧୦୦ । ସେପଟେ ବିରୋଧୀ କହୁଛନ୍ତି, ବିଜେପି ସରକାର ଲୋକଙ୍କୁ ଭଣ୍ଡେଇ ଚାଲିଛନ୍ତି । କାମ କମ, କଥା ଅଧିକ । ସରକାରଙ୍କ ସଫଳତା ହାର ଶୂନ ତେଣୁକରି ସେହି ବିତର୍କକୁ ନ ଯାଇ ଆମେ ସାଧାରଣ ଜନତାଙ୍କ ମନର କଥା ଜାଣିବାକୁ ଚେଷ୍ଟା କରିଥିଲୁ । ମୋହନ ସରକାରଙ୍କ ଉପରେ ଅଧିକାଂଶ ଖୁସି ନାହାନ୍ତି ତାହା ସ୍ପଷ୍ଟ । ସମସ୍ତଙ୍କର ଗୋଟିଏ ମତ- ଯେମିତି ସରକାର ଚାହୁଁଥିଲୁ, ସେମିତି ପାଇନୁ । ନବୀନ ସରକାରଙ୍କଠାରୁ ମୋହନ ସରକାର ଯେ ଭଲ ତାହା କାହାରି ହୃଦବୋଧ ହୋଇନାହିଁ । ଦଳମତ ନିର୍ବିଶେଷରେ ମୋହନ ସରକାରଙ୍କ ସହ ସେମାନଙ୍କର ଆବେଗ ଯୋଡି ହୋଇପାରିନି । ଓଲଟି ମୋହନ ସରକାରଙ୍କ ସହ ତୁଳନା କରି ସେମାନେ ନବୀନ ପଟ୍ଟନାୟକଙ୍କୁ ଝୁରୁଛନ୍ତି । ୨୪ ବର୍ଷର ବିଜେଡି ସରକାରଙ୍କ ଗର୍ବ ଓ ଅହଂକାରରେ ସେମାନେ ଅତିଷ୍ଠ ଥିଲେ ମଧ୍ୟ ନବୀନଙ୍କ ପ୍ରତି ଭଲ ପାଇବା ଲୋକଙ୍କର ତୁଟିନି, ବରଂ ସେହି ଭଲପାଇବା ଆହୁରି ବଢ଼ିଛି । ଏହାର ପ୍ରମୁଖ କାରଣ ହେଉଛି, ପ୍ରଶାସନିକ ବ୍ୟବସ୍ଥାରେ ସ୍ଥାଣୁତା । ନୂଆ ସରକାର ଯେମିତି ଚଳଚଞ୍ଚଳ ହେବା କଥା ତାହା ହୋଇପାରିନାହିଁ । ବ୍ଲକ୍ ଅଫିସଠାରୁ ଲୋକସେବା ଭବନ ସବୁଠି ଏକା ଅବସ୍ଥା । ରଙ୍ଗ ଓ ନାଁ ବଦଳେଇବା, ସୁଭଦ୍ରା ଯୋଜନାର ପ୍ରଚାର ଏବଂ କାର୍ଯ୍ୟକାରିତା ବ୍ୟସ୍ତତା ଛଡ଼ା ଅନ୍ୟ କୌଣସି ଯୋଜନା ବା ଉନ୍ନୟନ କାର୍ଯ୍ୟରେ ସେଭଳି ଆଗଭର ଦେଖିବାକୁ ମିଳିନି । ତଳସ୍ତରରେ ଛୋଟ ଛୋଟ କାମ ଗୁଡ଼ିକ ଅଧପନ୍ତରିଆ ଭାବେ ପଡ଼ି ରହିଥିବାରୁ ସାଧାରଣ ଜନତାଙ୍କ ପାଇଁ ବିକାଶ ଦୃଶ୍ୟମାନ ହେଉନାହିଁ । ଉପରସ୍ତରରେ ନୂଆ ନୂଆ ପ୍ରକଳ୍ପ କାର୍ଯ୍ୟରେ ବାଧକ ସୃଷ୍ଟି କରିଛି ରାଜନୈତିକ ଚାପ । ଏଥିପାଇଁ ସରକାରୀ ଅଧିକାରୀମାନେ ହାତବାନ୍ଧି ବସିଯାଇଛନ୍ତି । ଖୋଦ୍ ତୃତୀୟ ମହଲାରେ ଫାଇଲ୍ କାମରେ ଶିଥିଳତା ଦେଖିବାକୁ ମିଳୁଛି । ବ୍ୟବସ୍ଥାରେ ନିଷ୍କ୍ରିୟତା ଯୋଗୁଁ ବିଷମ ପରିସ୍ଥିତି ସୃଷ୍ଟି ହୋଇଛି ।
    ପୂର୍ବ ସରକାରରେ ଚାଲିଥିବା କୁଶାସନ ବ୍ୟବସ୍ଥା ଭଙ୍ଗାଯିବ ବୋଲି ଭାଷଣବାଜି କରାଯାଉଥିଲେ ମଧ୍ୟ ତାହା ଭାଷଣରେ ସୀମିତ ରହିଛି । ଓଡ଼ିଆ ଅସ୍ମିତା ପ୍ରଚାର ଧୂଆଁବାଣ ହୋଇଛି । ନିଜକୁ ପ୍ରଚାର କରାଇବାରେ ସରକାର ବେଶୀ ଧ୍ୟାନ ଦେଉଛନ୍ତି । ଖବରକାଗଜରେ ଫାଳ ଫାଳ ବିଜ୍ଞାପନ ଦେଇ ଆରମ୍ଭରୁ ପ୍ରଚାର ନିଶାରେ ପଡ଼ିଛନ୍ତି । ସେଥିପାଇଁ ରାଜକୋଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି ।
    ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଲୋକଙ୍କ ମୁଖ୍ୟମନ୍ତ୍ରୀ ଭାବେ ଉପସ୍ଥାପନ କରାଯାଉଥିଲେ ମଧ୍ୟ ସାଧାରଣ ଜନତାଙ୍କ ହୃଦୟକୁ ତାଙ୍କର ବ୍ୟକ୍ତିତ୍ୱ ବିଶେଷ ଛୁଇଁପାରିନି । ସଭାସମିତିରେ ସେ ଲମ୍ବା ଭାଷଣ ଦେଉଛନ୍ତି । ଜଣେ ମୁଖ୍ୟମନ୍ତ୍ରୀଙ୍କ ମୁହଁରୁ ଲମ୍ବା ଭାଷଣ ଲୋକଙ୍କୁ ବିରକ୍ତ କରଉଛି । ଏଥିସହ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବାରମ୍ବାର ଗାଳି ଦେବା ମୋହନଙ୍କ ସରଳ ବ୍ୟକ୍ତିତ୍ୱକୁ ମଳିନ କରିଦେଉଛି । ବିଭିନ୍ନ ସଭାସମିତିରେ ସେ ନିଜ ସରକାରଙ୍କ କାର୍ଯ୍ୟକ୍ରମ ଓ ଯୋଜନାରୁ ଧ୍ୟାନ ହଟାଇ ନବୀନଙ୍କୁ ବେଶୀ ଗାଳି କରୁଛନ୍ତି । ଯାହା ତାଙ୍କ ପାଇଁ ବୁମେରାଂ ହେଉଛି । ଓଡ଼ିଶାବାସୀ ତାଙ୍କ ନେତାଙ୍କ ସରଳ ଜୀବନଯାପନକୁ ଭଲ ପାଆନ୍ତି, ଭାଷଣରେ କମ୍ କଥା ଶୁଣିବାକୁ ପସନ୍ଦ କରନ୍ତି ଏବଂ ତାଙ୍କ ମୁହଁରୁ ବିରୋଧୀଙ୍କ ଗାଳିମନ୍ଦ ଶୁଣିବାକୁ ଭଲ ପାଆନ୍ତିନି । ସେହି ଗୁଣ ପାଇଁ ତ ନବୀନ ବାବୁଙ୍କୁ ୨୪ ବର୍ଷ ଧରି ସେମାନେ ଅପ୍ରତିଦ୍ୱନ୍ଦୀ ନେତା କରିଛନ୍ତି ଏବଂ ସେଇ ଭଲ ପାଇବା ଏବେ ବି ରହିଛି । ଏକଥା ମୋହନ ମାଝୀ ବୋଧହୁଏ ବୁଝିପାରିନାହାନ୍ତି । ଅନେକ ମନ୍ତ୍ରୀ ସେମାନଙ୍କ ପଦମର୍ଯ୍ୟାଦାକୁ ଏ ଯାଏଁ ବୁଝିପାରିନାହାନ୍ତି । ତେଣୁ ଦାୟିତ୍ୱହୀନ ମନ୍ତବ୍ୟ ଦେଉଛନ୍ତି । ଆଜି କହୁଥିବା କଥା କାଲିକି ବଦଳୋଉଛନ୍ତି । ସରକାର ହୋଇ ବି ବିରୋଧୀ ଦଳର ମାନସିକତାରୁ ମୁକ୍ତି ପାଇପାରିନାହାନ୍ତି । ସବୁ ଦୋଷ ଦୁର୍ବଳତା ପୂର୍ବ ସରକାରକୁ ଦେବା ମନ୍ତ୍ରୀ ଏବଂ ଶାସକ ଦଳର ବିଧାୟକମାନଙ୍କର ଅଭ୍ୟାସ ହୋଇଯାଇଛି । ବିଜେଡି ସରକାରଙ୍କ ୨୪ ବର୍ଷର ଶାସନକୁ ଦାୟୀ କରି ନିଜ ମୁଣ୍ଡରୁୁ ଦାୟିତ୍ୱ ଛଡ଼ାଇ ଦେଉଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    21.1 ° C
    21.1 °
    21.1 °
    44 %
    1.8kmh
    30 %
    Sun
    21 °
    Mon
    29 °
    Tue
    29 °
    Wed
    29 °
    Thu
    30 °

    ସମ୍ବନ୍ଧିତ