Wednesday, January 29, 2025
30.4 C
Odisha

    ମିଛ ଅପହରଣ, ସତ ହତ୍ୟା

    ଆଗକୁ ପଢନ୍ତୁ

    ବାରିପଦ।: ୫୦ ଲକ୍ଷ ଟଙ୍କା ପାଇଁ ମିଛ ଅପହରଣ ନାଟକ କରି ଜୀବନ ଯାଇଛି । ସାଙ୍ଗଙ୍କ ସହିତ ମିଶି ନିଜେ ନିଜକୁ ଅପହରଣ ଯୋଜନା ରଚିଥିବା ବେଳେ ଟଙ୍କା ପାଇଁ ସାଙ୍ଗମାନେ ମିଶି ହତ୍ୟା କରିଛନ୍ତି । ବାରିପଦା ସଦର ଥାନା ଅନ୍ତର୍ଗତ ଗୁମୁଡିହି ସ୍ଥିତ ବୁଢ଼ାବଳଙ୍ଗ ନଦୀ ବାଲିରୁ ମିଳିଥିବା ଗଳିତ ମୃତଦେହ ଉଦ୍ଧାର ଘଟଣାର ପର୍ଦାଫାସ ହୋଇଛି । ମୃତକଙ୍କ ପରିଚୟ ମିଳିବା ସହିତ ପୁଲିସ ଏହି ଘଟଣାରେ ୨ ଜଣ ଅଭିଯୁକ୍ତକୁ ଗିରଫ କରିଛି । ମୃତକ ଜଣକ ହେଲେ କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଥାନା ଅନ୍ତର୍ଗତ ହିନ୍ଦୁଲିଆ ଗ୍ରାମର ଚନ୍ଦନ ସ୍ୱାଇଁ (୩୩) । ଅଭିଯୁକ୍ତ ହେଲେ ବାରିପଦା ସଦର ଥାନା ଅନ୍ତର୍ଗତ ଜାମବଣି ଗ୍ରାମର ଆଶିଷ ସିଂ ଓ କରମା ସିଂ । ସୂଚନା ଅନୁସାରେ, ଚନ୍ଦନ ସ୍ୱାଇଁ ଇଞ୍ଜିନିୟରିଂ ପାଠ ସାରିବା ପରେ ବେଙ୍ଗାଲୁରୁ ସ୍ଥିତ କକାଙ୍କ ଲୁଗା କମ୍ପାନୀରେ କାର୍ଯ୍ୟ କରୁଥିଲେ । ସେଠାରେ କାର୍ଯ୍ୟ କରୁଥିବା ଆଶିଷ ଓ କରମାଙ୍କ ସହିତ ତାଙ୍କର ସମ୍ପର୍କ ଗଢି ଉଠିଥିଲା । ଚନ୍ଦନ ନିଜର ଅପହରଣ କରି କାକାଙ୍କଠାରୁ ୫୦ଲକ୍ଷ ଟଙ୍କା ନେବାକୁ ଦୁଇ ଜଣକ ସହ ଯୋଜନା କରିଥିଲେ । ଆଶିଷ ଓ କରମାଙ୍କ ଘର ଶିମିଳିପାଳ ଲୁଲୁଙ୍ଗ ଅଞ୍ଚଳ ଜାମବଣିରେ ଚନ୍ଦନ ରହୁଥିବା ବେଳେ ଫୋନ ଯୋଗେ କାକାଙ୍କୁ ଅପହରଣ ବାବଦରେ ଟଙ୍କା ମାଗିଥିଲେ; ଯାହାକୁ ନେଇ ଭୁବନେଶ୍ୱରରେ ରହୁଥିବା କକାଙ୍କ ପରିବାର ଖାରବେଳ ନଗର ଥାନାରେ ଅଭିଯୋଗ କରିଥିଲେ । ଡିସେମ୍ୱର ୨୧ ତାରିଖରେ ଗୁମୁଡି ଗ୍ରାମ ନିକଟରେ ନଦୀ ପଠାରେ ସନ୍ଧ୍ୟାରେ ନିଶାସକ୍ତ ଅବସ୍ଥାରେ ମୁଣ୍ଡ ଜାମିନ ୫୦ ଲକ୍ଷ ଟଙ୍କା ଭାଗ କରିବାକୁ ନେଇ ୩ ଜଣ ସାଙ୍ଗଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା; ଯାହାକୁ ନେଇ ମୁଖ୍ୟ ଅଭିଯୁକ୍ତ ଆଶିଷ ସିଂ ଧାରୁଆ ମାରଣାସ୍ତ୍ରରେ ପଛ ପଟୁ ଅତର୍କିତ ଭାବେ ଚନ୍ଦନଙ୍କ ଗଳାକାଟି ହତ୍ୟା କରିଥିଲା । ପ୍ରଚୁର ରକ୍ତସ୍ରାବ ହେବା ଫଳରେ ଚନ୍ଦନଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା । ମୃତଦେହକୁ ନଷ୍ଟ କରିବା ପାଇଁ ନଦୀବାଲିରେ ପୋତିଦେଇଥିଲେ । କିନ୍ତୁ ଶରୀର ନଷ୍ଟ ନ ହେବାରୁ ଶେଷରେ ଲୁଣ ଦେଇ ପୋତିଥିଲେ । ଗୁରୁବାର ସକାଳେ କୁକୁର ମୃତଦେହ ବାଲିରୁ ବାହାର କରିବାରୁ ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ବାରିପଦା ସଦର ଏସଡିପିଓ ସୁଜିତ କୁମାର ପ୍ରଧାନ, ବାରିପଦା ସଦର ଥାନା ଅଧିକାରୀ ମଧୁସ୍ମିତା ମହାନ୍ତି ଓ ବାରିପଦା ଟାଉନ ଥାନା ଅଧିକାରୀ ସୁମିତ କୁମାର ସୋରେନ ପହଞ୍ଚି ଗଳିତ ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଥିଲେ । ତେବେ ବାରିପଦା ସଦର ଥାନା ଅଧିକାରୀ ମଧୁସ୍ମିତା ମହାନ୍ତି ମୃତଦେହ ପକେଟରୁ ଏକ କାଗଜରୁ ଆଶିଷ ନମ୍ୱର ପାଇ ଖୋଲତାଡ଼ କରିଥିଲେ । ଆଶିଷ ଫେରାର ହେଉଥିବା ବେଳେ ବାଲେଶ୍ୱର ରେଳ ଷ୍ଟେସନରୁ ପୁଲିସ ଗିରଫ କରିଥିବା ବେଳେ ଜାମବଣି ଗ୍ରାମର କରମାଙ୍କୁ ପୁଲିସ ଗିରଫ କରିଛି । ଶୁକ୍ରବାର ସକାଳେ ପୁଲିସ ଅପରାଧିକ ସିନ ରିକ୍ରିଏସନ କରିବା ସହ ଦୁଇ ଜଣକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ବାରିପଦା ସଦର ଥାନାରେ ଏକ ମାମଲା ରୁଜୁ କରାଯାଇଛି ବୋଲି ବାରିପଦା ସଦର ଏସଡିପିଓ ସୁଜିତ କୁମାର ପ୍ରଧାନ ସୂଚନା ଦେଇଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.4 ° C
    30.4 °
    30.4 °
    28 %
    1.3kmh
    2 %
    Wed
    32 °
    Thu
    33 °
    Fri
    35 °
    Sat
    36 °
    Sun
    36 °

    ସମ୍ବନ୍ଧିତ