ପୁଣେ : ଯୁବପିଢ଼ିଙ୍କୁ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ବଡ଼ ପରାମର୍ଶ । ଲୋକମାନ୍ୟ ତିଳକ ଜାତୀୟ ପୁରସ୍କାର–୨୦୨୬ରେ ସମ୍ମାନିତ ହେବା ପରେ NSA ଅଜିତ ଡୋଭାଲ ଯୁବପିଢ଼ିଙ୍କୁ ଲୋକମାନ୍ୟ ତିଳକଙ୍କ ଜୀବନ ଓ ଆଦର୍ଶରୁ ପ୍ରେରଣା ନେବାକୁ ଆହ୍ୱାନ କରିଛନ୍ତି । ଏହି ସମାରୋହରେ ଅଜିତ ଡୋଭାଲଙ୍କୁ ପ୍ରଶଂସା କରିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ । ଗୃହମନ୍ତ୍ରୀ ଅମିତ ଶାହ ଅଜିତ ଡୋଭାଲଙ୍କୁ ଲୋକମାନ୍ୟ ତିଲକ ଜାତୀୟ ପୁରସ୍କାର–୨୦୨୬ ରେ ସମ୍ମାନିତ କରିଥିଲେ ।
ପୁରସ୍କାର ଗ୍ରହଣ ପରେ ଅଭିଭାଷଣ ଦେଇ ଡୋଭାଲ କହିଥିଲେ, ଆଜିର ପିଢ଼ି ପାଇଁ ସ୍ୱାଧୀନତାର ପ୍ରକୃତ ଅର୍ଥ ବୁଝିବା ଅତ୍ୟନ୍ତ ଜରୁରୀ । ଦେଶକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୃହମନ୍ତ୍ରୀ ଅମିତ ଶାହଙ୍କ ଭଳି ଦୃଢ଼ ନେତୃତ୍ୱ ମିଳିଥିବା ସୌଭାଗ୍ୟର ବିଷୟ । ଭାରତ ବର୍ତ୍ତମାନ ଆଭ୍ୟନ୍ତରୀଣ ଓ ବାହ୍ୟ—ଉଭୟ ପ୍ରକାରର ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଥିଲେ ମଧ୍ୟ ଦ୍ରୁତ ଗତିରେ ପ୍ରଗତି କରୁଛି, ଯାହାକୁ ଅନେକ ବିରୋଧୀ ଈର୍ଷା କରୁଛନ୍ତି । ଏଣୁ ଦେଶର ପ୍ରତ୍ୟେକ ନାଗରିକଙ୍କୁ ସର୍ବପ୍ରଥମେ ଜାତୀୟ ସ୍ୱାର୍ଥକୁ ପ୍ରାଧାନ୍ୟ ଦେବା ଆବଶ୍ୟକ ବୋଲି ସେ କହିଥିଲେ ।
ଡୋଭାଲ କହିଛନ୍ତି, ଆଜିର ଯୁବପିଢ଼ି ଭାରତ ସବୁବେଳେ ଏଭଳି ଥିଲା ବୋଲି ଭାବିପାରନ୍ତି କିମ୍ବା ସ୍ୱାଧୀନତାକୁ ଇଚ୍ଛା ମୁତାବକ ଯାହା ଚାହିଁବେ ତାହା କରିବାର ସ୍ୱାଧୀନତା ବୋଲି ବୁଝିପାରନ୍ତି । କିନ୍ତୁ ସ୍ୱାଧୀନତାର ପ୍ରକୃତ ଅର୍ଥ ଏହା ନୁହେଁ । ଭାରତର ଯୁବପିଢ଼ିଙ୍କୁ ବ୍ୟକ୍ତିଗତ ସ୍ୱାର୍ଥ ଅପେକ୍ଷା ଦେଶର ସ୍ୱାର୍ଥକୁ ପ୍ରାଥମିକତା ଦେବାକୁ ଆହ୍ୱାନ ଦେଇଛନ୍ତି ।
ଭାରତକୁ ଏକ ବିଶ୍ୱଶକ୍ତି ଭାବେ ଗଢ଼ିତୋଳିବା ପାଇଁ ଯୁବପିଢ଼ିଙ୍କୁ ସକ୍ରିୟ ଭୂମିକା ଗ୍ରହଣ କରିବାକୁ ହେବ ବୋଲି କହିଛନ୍ତି ଭାରତର ଭାରତର ଜେମ୍ସ ବଣ୍ଡ ଅଜିତ ଡୋଭାଲ । ସ୍ୱାଧୀନତା ସଂଗ୍ରାମ ସମୟର ଅସୀମ ବଳିଦାନକୁ ମନେ ପକାଇବାକୁ ସେ ଯୁବପିଢ଼ିଙ୍କୁ ଅନୁରୋଧ କରିଛନ୍ତି । ବିଭିନ୍ନ କଠିନ ପରିସ୍ଥିତି ସତ୍ତ୍ୱେ ଜାତୀୟ ଚେତନା ଜାଗ୍ରତ କରିବାରେ ଲୋକମାନ୍ୟ ତିଲକଙ୍କ ଭୂମିକାକୁ NSA ଅଜିତ ଡୋଭାଲ ଉଲ୍ଲେଖ କରିଛନ୍ତି ।
