Friday, October 18, 2024
29.5 C
Odisha

    କଟକରେ ରାବଣପୋଡ଼ି ମହୋତ୍ସବ ପାଇଁ ଉପଯୁକ୍ତ ବ୍ୟବସ୍ଥା କରାଯିବା ଉପରେ ହାଇକୋର୍ଟଙ୍କ ଗୁରୁତ୍ବାରୋପ

    ଆଗକୁ ପଢନ୍ତୁ

    କଟକ: ଧାର୍ମିକ ଉତ୍ସବଗୁଡ଼ିକ କିପରି ବିନା ବାଧାବିଘ୍ନରେ ପାଳନ ହେବ, ତାହା ଦେଖିବା କର୍ତ୍ତୃପକ୍ଷଙ୍କ ଦାୟିତ୍ବ ବୋଲି ହାଇକୋର୍ଟ କହିଛନ୍ତି। ଏଥି ସହିତ ବିଜୟା ଦଶମୀ ତିଥିରେ ଆୟୋଜିତ ହେବାକୁ ଥିବା ରାବଣପୋଡ଼ି ମହୋତ୍ସବ ପାଇଁ ଗଡ଼ଗଡ଼ିଆ ଘାଟ ନିକଟରେ ଚିହ୍ନିତ ସ୍ଥାନରେ ସିଏମସି, ପ୍ରଶାସନ, ପୁଲିସ ତରଫରୁ ଉପଯୁକ୍ତ ବ୍ୟବସ୍ଥା କରାଯିବା ଉପରେ ହାଇକୋର୍ଟ ଗୁରୁତ୍ବାରୋପ କରିଛନ୍ତି। ଜଷ୍ଟିସ ସଙ୍ଗମ କୁମାର ସାହୁ ଓ ଜଷ୍ଟିସ ଭି.ନରସିଂହଙ୍କୁ ନେଇ ଗଠିତ ଖଣ୍ଡପୀଠରେ କଟକ ସହର ସମସ୍ୟା ସଂପର୍କିତ ମାମଲାର ଶୁଣାଣି ହୋଇଥିଲା। ବାରବାଟୀ ସର୍ବଧର୍ମ ସାଂସ୍କୃତିକ ପରିଷଦ ତରଫରୁ ଦାୟର ଅନ୍ତରୀଣ ଆବେଦନରେ ଦର୍ଶାଯାଇଥିଲା ଯେ ୩୪ ବର୍ଷ ଧରି ଗଡ଼ଗଡ଼ିଆ ଘାଟ ନିକଟରେ ବିଜୟା ଦଶମୀ ତିଥିରେ ରାବଣ‌ ପୋଡ଼ି ଉତ୍ସବ ଆୟୋଜନ କରାଯାଉଛି। ରାବଣ‌ପୋଡ଼ି ଉତ୍ସବ ଅନୁଷ୍ଠିତ ହେଉଥିବା ସ୍ଥାନ ଏବେ ଖାଲଖମାରେ ଭର୍ତ୍ତି ଓ କାର୍ଯ୍ୟକ୍ରମ ଆୟୋଜନ ପାଇଁ ଏହା ଉପଯୁକ୍ତ ସ୍ଥିତିରେ ନାହିଁ। ପରିଷଦର ଆବାହକ ଏ ନେଇ ଗତ ସେପ୍ଟେମ୍ବର ୨ରେ ଜିଲ୍ଲା ପ୍ରଶାସନ ଓ ସିଏମସି କମିସନରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହି ସ୍ଥାନକୁ ସମତୁଳ ସହିତ ସଫେଇ କରି ଉତ୍ସବ ଆୟୋଜନ ପାଇଁ ବ୍ୟବସ୍ଥିତ କରିବା ଲାଗି ଅନୁରୋଧ କରାଯାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇ ନଥିଲା। ଏହି ପ୍ରସଂଗରେ କଣ ସ୍ଥିତି ରହିଛି ସେ ନେଇ ସିଏମସି କମିସନରଙ୍କୁ ଜଣାଇବାକୁ ହାଇକୋର୍ଟ କହିଥିଲେ। ରାବଣପୋଡ଼ି ଆୟୋଜନ କରାଯିବାକୁ ଥିବା ସ୍ଥାନ ସମତୁଲ ଓ ସଫେଇ କରିବା କାର୍ଯ୍ୟ ଆରମ୍ଭ କରାଯାଇଛି। ଅକ୍ଟୋବର ୧୦ ସୁଦ୍ଧା ଏହି କାମ ଶେଷ ହୋଇଯିବ, ଯାହା ଦ୍ବାରା ଉତ୍ସବ ନିର୍ଦ୍ଧାରିତ ଦିନ ଆୟୋଜନ ହୋଇ ପାରିବ ବୋଲି କମିସନର ଦର୍ଶାଇଥିଲେ। ରାବଣପୋଡ଼ି ଉତ୍ସବରେ ଏବେ ବାଣଫୁଟା ପ୍ରତିଯୋଗିତା ଆୟୋଜନ କରାଯାଉ ନାହିଁ। ନିୟମ ପାଳନ କରି ପାରମ୍ପରିକ ରୀତିନୀତିରେ ଏହି ଉତ୍ସବ ଆୟୋଜନ କରାଯାଉଛି ବୋଲି ଶୁଣାଣି ସମୟରେ ଆବେଦନକାରୀଙ୍କ ତରଫରୁ ଦର୍ଶାଯାଇଥିଲା। ଏହି ରାବଣପୋଡ଼ି ଉତ୍ସବ ଦେଖିବାକୁ ବହୁ ସଂଖ୍ୟାରେ ଲୋକମାନଙ୍କ ସମାଗମ ହେବାର ସମ୍ଭାବନା ରହିଥିବା ଦୃଷ୍ଟିରୁ ‌ଜନସାଧାରଣଙ୍କ ସୁରକ୍ଷା ସୁନିଶ୍ଚିତ କରିବାକୁ କମିସନରେଟ ପୁଲିସ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଥି ସହିତ ଟ୍ରାଫିକ ଓ ଗାଡ଼ି ପାର୍କିଂ ପରିଚାଳନା ପ୍ରସଂଗରେ ମଧ୍ୟ ପୁଲିସ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବ। କୌଣସି ପ୍ରକାର ଅପ୍ରୀତିକର ଘଟଣାକୁ ଏଡ଼ାଇବା ପାଇଁ ସଂପୃକ୍ତ ସ୍ଥାନରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ସଜାଗ କରି ରଖାଯିବ ବୋଲି ହାଇକୋର୍ଟ କହିଛନ୍ତି। ବାୟୁ ଓ ଶବ୍ଦ ପ୍ରଦୂଷଣ ନିୟମାବଳୀ ଅନୁପାଳନ କରି ସୁରୁଖୁରୁରେ ଓ ସୁରକ୍ଷିତ ଭାବେ କିଭଳି ଭାବେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତହେବ ତାହା ସୁନିଶ୍ଚିତ କରିବା ପାଇଁ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ବୟ ରକ୍ଷା କରାଯିବ ବୋଲି ଶୁଣାଣି ସମୟରେ ଉପସ୍ଥିତ ଥିବା ଜିଲ୍ଲା ପ୍ରଶାସନର ନୋଡାଲ ଅଧିକାରୀ ଏଡିଏମ ଉମାକାନ୍ତ ରାଜ କହିଥିଲେ।
    ତାଳଦଣ୍ଡା କେନାଲ ବୋଟିଂ କ୍ଲବ କଂପ୍ଲେକ୍ସରେ ଉପଯୁକ୍ତ ଅଲୋକ ବ୍ୟବସ୍ଥା ନଥିବାରୁ ଲୋକମାନେ ଏହି ସ୍ଥାନର ସୌନ୍ଦର୍ଯ୍ୟ ଉପଭୋଗ କରି ପାରୁ ନାହାନ୍ତି ବୋଲି ଶୁଣାଣି ସମୟରେ ହାଇକୋର୍ଟ ବାର୍ ଆସୋସିଏସନ ସଭାପତି ବିଜୟ କୁମାର ଦାଶ ଦର୍ଶାଇଥିଲେ। ଏଥି ସହିତ ତାଳଦଣ୍ଡା କେନାଲ ପାର୍ଶ୍ବରେ ଯୋବ୍ରା ଠାରୁ କଲେଜ ଛକ ମଧ୍ୟରେ ଲଗାଯାଇଥିବା ତାର ଜାଲି ନିକଟରେ ଗାଡ଼ି ଗୁଡ଼ିକ ବେଆଇନ ଭାବେ ପାର୍କିଂ କରାଯାଉଛି। ଯାହା ଦ୍ବାରା ସରକାରୀ ତହବିଲରୁ କୋଟି‌ କୋଟି ଟଙ୍କା ଖର୍ଚ୍ଚରେ କରାଯାଇଥିବା ତାଳଦଣ୍ଡା କେନାଲ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଜନସାଧାରଣ ଦେଖିବା ସମ୍ଭବ ହେଉ ନାହିଁ ବୋଲି ଶ୍ରୀ ଦାଶ ଦର୍ଶାଇଥିଲେ। ଏହି ସମସ୍ୟା ସମାଧାନ ପାଇଁ ତଥା ତୁରନ୍ତ ବୋଟିଂ କ୍ଲବ ଅଞ୍ଚଳରେ ଆଲୋକ ବ୍ୟବସ୍ଥା ଲାଗି ପର୍ଯ୍ୟଟନ ବିଭାଗ ସହିତ ସମନ୍ବୟ ରକ୍ଷା କରି ପଦକ୍ଷେପ ଗ୍ରହଣ କରାଯିବ ବୋଲି ସିଏମସି କମିସନର ଓ ଏଡିଏମ ଶ୍ରୀ ରାଜ ଦର୍ଶାଇଥିଲେ। ଏଥି ସହିତ ତାଳଦଣ୍ଡା କେନାଲ ପାର୍ଶ୍ବରେ ଯେପରି ଗାଡ଼ି ବେଆଇନ ପାର୍କିଂ ଆଉ ହେବ ନାହିଁ ସେଥି ପାଇଁ ଟ୍ରାଫିକ ଏସିପିଙ୍କ ସହିତ ସମନ୍ବୟ ରକ୍ଷା କରି ପଦକ୍ଷେପ ଗ୍ରହଣ କରାଯିବ ବୋଲି ଉଭୟ ଅଧିକାରୀ ଦର୍ଶାଇଥିଲେ। ପରବର୍ତ୍ତୀ ଶୁଣାଣି ସମୟରେ ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ ପ୍ରସଂଗରେ ରିପୋର୍ଟ ଦାଖଲ କରିବାକୁ ହାଇକୋର୍ଟ କହିଛନ୍ତି।
    ସିଡିଏ ସେକ୍ଟର-୧୧ ବିଜୁ ପଟ୍ଟନାୟକ ପାର୍କର ନବୀକରଣ କାର୍ଯ୍ୟ ପାଇଁ ପ୍ରାୟ ୨୭ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ନେଇ ପ୍ରକାଶିତ ଗଣମାଧ୍ୟମ ରିପୋର୍ଟ ଶ୍ରୀ ଦାଶ ଶୁଣାଣି ସମୟରେ ଉପସ୍ଥାପନ କରିଥିଲେ। ସରକାରୀ ତହବିଲରୁ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଥିଲେ ମଧ୍ୟ ଜନସାଧାରଣଙ୍କ କାମରେ ଏହା ଆସୁ ନାହିଁ। ଏତ‌େ ପରିମାଣର ଟଙ୍କାରେ ପାର୍କରେ ଟଏ ଟ୍ରେନ ବ୍ୟବସ୍ଥା ହୋଇ ପାରିଥାନ୍ତା ବୋଲି ଶ୍ରୀ ଦାଶ କହିଥିଲେ। ଏହି ପ୍ରସଂଗରେ ରିପୋର୍ଟ ଦାଖଲ କରିବାକୁ ସିଏମସି ଓ ଜିଲ୍ଲା ପ୍ରଶାସନର ନୋଡାଲ ଅଧିକାରୀ ଶ୍ରୀ ରାଜଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଅନୁମୋଦିତ ଯୋଜନା ଅନୁସାରେ ଏହି ପାର୍କ କାମ ସଂପୂର୍ଣ୍ଣ ହୋଇଛି କି ନାହିଁ, ଯଦି ହୋଇଛି ତେବେ ଜନସାଧାରଣଙ୍କ ପାଇଁ ଏହା କାହିଁକି ଖୋଲା ଯାଉ ନାହିଁ ସେ ନେଇ ରିପୋର୍ଟରେ ଉଲ୍ଲେଖ କରିବାକୁ ହାଇକୋର୍ଟ କହିଛନ୍ତି।
    ସହର ଭିତରେ ‘ମୋ ବସ୍’ ବେପରୱା ଢଙ୍ଗରେ ଚଳାଚଳ କରୁଥିବା ଘଟଣା ନଜରକୁ ଆସୁଛି ବୋଲି ଆଡଭୋକେଟ କମିଟି ତରଫରୁ ଦର୍ଶାଯାଇଥିଲା। ଏପରି ଅସାବଧାନ ଗାଡ଼ି ଚାଳନା ଯୋଗୁଁ ଅତୀତରେ ମୋ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଥିବା ନେଇ ଶୁଣାଣି ସମୟରେ ହାଇକୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଏହି ପ୍ରସଂଗରେ ସଂଶୋଧନମୂଳକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସରକାରୀ ଓକିଲ ଓ ନୋଡାଲ ଅଫିସର ପ୍ରତିଶ୍ରୁତି ଦେଇଥିଲେ। ସହର ଭିତରେ ଭିଡ଼କୁ ଦୃଷ୍ଟିରେ ରଖି ଉପଯୁକ୍ତ ଗତିରେ ଗାଡ଼ି ଚଳାଇବା ପ୍ରସଂଗରେ ମୋ ବସ୍ ଡ୍ରାଇଭରଙ୍କୁ ସଚେତନ କରାଯିବ ବୋଲି ଉଭୟ ଦର୍ଶାଇଥିଲେ। ଏହି ପ୍ରସଂଗରେ କାର୍ଯ୍ୟକାରୀ ରିପୋର୍ଟ ପରବର୍ତ୍ତୀ ଶୁଣାଣି ସମୟରେ ଦାଖଲ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆଇନଜୀବୀ ବିଜୟ କୁମାର ଦାଶ, ସୁଜାତା ଜେନା, ବିଭୁତି ଭୂଷଣ ଚୌଧୁରୀ ଓ ସରକାରଙ୍କ ତରଫରୁ ଜିଏ ଜ୍ୟୋତିପ୍ରକାଶ ପଟ୍ଟନାୟକ ମାମଲା ପରିଚାଳନା କରୁଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    29.5 ° C
    29.5 °
    29.5 °
    72 %
    1.4kmh
    91 %
    Fri
    29 °
    Sat
    31 °
    Sun
    25 °
    Mon
    29 °
    Tue
    29 °

    ସମ୍ବନ୍ଧିତ