Monday, October 19, 2026
21.9 C
Odisha

    ଗ୍ଲୋବାଲ୍ ବାୟୋ ଇଣ୍ଡିଆ’ରେ ପ୍ରଦର୍ଶନ କରିବ ଓଡ଼ିଶା

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ଭାରତର ଅର୍ଥନୀତିକୁ ଆଗାମୀ ଦିନରେ ବାୟୋଟେକ୍ନୋଲୋଜି କ୍ଷେତ୍ର ବିଶେଷ ଭାବେ ସମୃଦ୍ଧ କରିବାକୁ ଯାଉଛି। ଏଥିରେ ଓଡ଼ିଶାର ଏକ ବଳିଷ୍ଠ ଯୋଗଦାନ ରହିବ।

    ସେପ୍ଟେମ୍ବର ୧୨ରୁ ୧୪ ତାରିଖରେ ନୂଆଦିଲ୍ଲୀର ପ୍ରଗତି ମଇଦାନଠାରେ ହେବାକୁ ଥିବା ‘ଗ୍ଲୋବାଲ ବାୟୋ ଇଣ୍ଡିଆ-୨୦୨୪’ ଅନ୍ତର୍ଜାତୀୟ କାର୍ଯ୍ୟକ୍ରମ ଓ ପ୍ରଦର୍ଶନୀରେ ଏହି ବାର୍ତ୍ତା ଦେବାକୁ ଯାଉଛି ଓଡ଼ିଶା। ବିଜ୍ଞାନ ଓ ବୈଷୟିକ ବିଭାଗର ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ନେତୃତ୍ୱରେ ବିଭାଗୀୟ ବରିଷ୍ଠ ଅଧିକାରୀ, ବୈଜ୍ଞାନିକ ଏବଂ ବିଭିନ୍ନ ଷ୍ଟାର୍ଟଅପକୁ ନେଇ ଓଡ଼ିଶା ସରକାରଙ୍କ ଏକ ଟିମ୍ ଏହି କାର୍ଯ୍ୟକ୍ରମରେ ଭାଗ ନେବାକୁ ଯାଉଛି।

    ଓଡ଼ିଶାରେ ବ୍ୟାପକ ପ୍ରାକୃତିକ ସମ୍ପଦ ସହିତ ଜୈବ ବିବିଧତାର ଅପୂର୍ବ ସମ୍ଭାର ରହିଛି। ଘଞ୍ଚ ଜଙ୍ଗଲ ଓ ଜୈବମଣ୍ଡଳ, ବିଭିନ୍ନ ଔଷଧୀୟ ବୃକ୍ଷରେ ଭରପୂର ପର୍ବତ, ହେନ୍ତାଳ ବଣ, ବିରଳ ବନ୍ୟପ୍ରାଣୀଙ୍କ ଅଭୟାରଣ୍ୟ, ଚିଲିକା ହ୍ରଦ, ସୁଦୀର୍ଘ ବେଳାଭୂମି ଏବଂ ବିସ୍ତୀର୍ଣ୍ଣ କୃଷି କ୍ଷେତ୍ର ଭଳି ପ୍ରାକୃତିକ ଉତ୍ସ ବାୟୋଟେକ୍ନୋଲୋଜି କ୍ଷେତ୍ର ପାଇଁ ବିପୁଳ ସମ୍ଭାବନା ସୃଷ୍ଟି କରିଛି। ଏହା ସହିତ ଆବଶ୍ୟକ ଗବେଷଣା, ଅତ୍ୟାଧୁନିକ ଜ୍ଞାନକୌଶଳର ପ୍ରୟୋଗ ଏବଂ ଶିଳ୍ପ ଭିତ୍ତିଭୂମିର ସୃଷ୍ଟି ଫଳରେ ବାୟୋଟେକ୍ନୋଲୋଜି ଶିଳ୍ପ ପ୍ରତିଷ୍ଠା ପାଇଁ ଓଡ଼ିଶା ଭାରତର ଏକ ପ୍ରମୁଖ ଲକ୍ଷ୍ୟସ୍ଥଳ ହେବାକୁ ଯାଉଛି।

    ବାୟୋଟେକ୍ନୋଲୋଜି କ୍ଷେତ୍ରରେ ଭାରତର ବର୍ତ୍ତମାନ ଏବଂ ଭବିଷ୍ୟତର ରୂପରେଖ ଉପସ୍ଥାପନ କରିବା ପାଇଁ ଭାରତ ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରାଳୟ ଅଧୀନରେ ପ୍ରତିବର୍ଷ ‘ଗ୍ଲୋବାଲ ବାୟୋ ଇଣ୍ଡିଆ’ କାର୍ଯ୍ୟକ୍ରମ ଓ ପ୍ରଦର୍ଶନୀର ଆୟୋଜନ କରାଯାଉଛି। ଏହି କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ବିଜ୍ଞାନ ଓ ବୈଷୟିକ ବିଭାଗ ଭାଗନେଇ ବାୟୋଟେକ୍ନୋଲୋଜି କ୍ଷେତ୍ରରେ ଓଡ଼ିଶାର ବିପୁଳ ସମ୍ଭାବନାକୁ ପ୍ରଦର୍ଶନ କରିବାକୁ ଯାଉଛି।

    ‘ଜୈବ ସମ୍ଵଳରେ ସମୃଦ୍ଧ ଓଡ଼ିଶା ବାୟୋଟେକ୍ନୋଲୋଜି କ୍ଷେତ୍ର ପାଇଁ ଏକ ବିରାଟ ସମ୍ଭାବନା ସୃଷ୍ଟି କରିଛି। ରାଜ୍ୟରେ ନିବେଶକୁ ତ୍ୱରାନ୍ୱିତ କରିବା ପାଇଁ ବାୟୋଟେକ୍ନୋଲୋଜିକୁ ଶିଳ୍ପ ନୀତି-୨୦୨୨ରେ ରାଜ୍ୟ ସରକାର ଏକ ଅଗ୍ରାଧିକାର କ୍ଷେତ୍ର ଭାବେ ଘୋଷଣା କରିଛନ୍ତି। ତା’ ସହିତ ସ୍ୱତନ୍ତ୍ର ବାୟୋଟେକ୍ନୋଲୋଜି ନୀତି ପ୍ରସ୍ତୁତ କରାଯାଇ ଏ କ୍ଷେତ୍ରରେ ଷ୍ଟାର୍ଟଅପ୍ ଓ ବୃହତ୍ ଉଦ୍ୟୋଗ ପ୍ରତିଷ୍ଠା ଲାଗି ପ୍ରୋତ୍ସାହନ ଦିଆଯାଉଛି। ଆଗାମୀ ଦିନରେ ଅର୍ଥନୈତିକ ବିକାଶ ସହ ରାଜ୍ୟରେ ନିଯୁକ୍ତି କ୍ଷେତ୍ରରେ ଏହା ନୂତନ ସମ୍ଭାବନା ସୃଷ୍ଟି କରିବ ବୋଲି ଏହି ଅବସରରେ ବିଜ୍ଞାନ ଓ ବୈଷୟିକ ବିଭାଗର ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି।.ଏହି କାର୍ଯ୍ୟକ୍ରମରେ ୧୩ ତାରିଖ ଦିନ ହେବାକୁ ଥିବା ‘ଷ୍ଟେଟ୍ ରାଉଣ୍ଡ ଟେବଲ୍’ ସମ୍ମିଳନୀରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଚିତ୍ରା ଆରୁମୁଗମ୍ ଯୋଗଦେବେ। ଓଡ଼ିଶାର ବାୟୋଟେକ୍ନୋଲୋଜି କ୍ଷେତ୍ରର ବିପୁଳ ସମ୍ଭାବନା ଏବଂ ଶିଳ୍ପ ସ୍ଥାପନ ପାଇଁ ଓଡ଼ିଶା ସରକାର ଦେଉଥିବା ବିଭିନ୍ନ ପ୍ରୋତ୍ସାହନ ବିଷୟରେ ସେ ଉପସ୍ଥାପନ କରିବେ।

    ସେହିପରି ୧୪ ତାରିଖରେ ଭାରତର ସାମୁଦ୍ରିକ ସମ୍ବଳକୁ ନେଇ ‘ବ୍ଲୁ ଇକୋନମି’ ଶୀର୍ଷକରେ ଏକ ବିଶେଷ ଅଧିବେଶନ କରାଯିବ। ଏଥିରେ ବିଭାଗୀୟ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଯୋଗଦେଇ ବାୟୋଟେକ୍ନୋଲୋଜି କ୍ଷେତ୍ରର ପ୍ରସାର ଦିଗରେ ଓଡ଼ିଶାର ସୁଦୀର୍ଘ ବେଳାଭୂମି ଏବଂ ସାମୁଦ୍ରିକ ସମ୍ପଦର ଉପଯୋଗ ସମ୍ପର୍କରେ ତାଙ୍କର ଭିତ୍ତି ବକ୍ତବ୍ୟ ଉପସ୍ଥାପନ କରିବେ।

    ବାୟୋଟେକ୍ନୋଲୋଜି କ୍ଷେତ୍ରରେ ବିଭିନ୍ନ ଗବେଷଣା ଓ ବୈଜ୍ଞାନିକ ପରୀକ୍ଷା ନିରୀକ୍ଷା ପାଇଁ ସହାୟତା ଦିଆଯିବା ସହ ରାଜ୍ୟରେ ଥିବା ବିଭିନ୍ନ ବାୟୋ-ଇନକ୍ୟୁବେଟର ତଥା ଅଭିନବ ବାୟୋଟେକ୍ନୋଲୋଜି ଷ୍ଟାର୍ଟଅପଗୁଡ଼ିକୁ ପ୍ରୋତ୍ସାହନ ଦିଆଯାଉଛି। ଏହାସହିତ ରାଜ୍ୟ ସରକାର ଯେଉଁ ବାୟୋଟେକ୍ନୋଲୋଜି ନୀତି ଆଣିଛନ୍ତି, ତାହା ଏ କ୍ଷେତ୍ରରେ ଆଧୁନିକ ଶିଳ୍ପ ବିକାଶ ପାଇଁ ସହାୟକ ହେବ।

    ଗ୍ଲୋବାଲ ବାୟୋ ଇଣ୍ଡିଆ ଭଳି ଅନ୍ତର୍ଜାତୀୟ କାର୍ଯ୍ୟକ୍ରମରେ ଓଡ଼ିଶାର ଏହି ସମ୍ଭାବନାକୁ ଉପସ୍ଥାପନ କରାଯିବ ବୋଲି ବିଜ୍ଞାନ ଓ ବୈଷୟିକ ବିଭାଗର ପ୍ରମୁଖ ଶାସନ ସଚିବ ଚିତ୍ରା ଆରୁମୁଗମ୍ କହିଛନ୍ତି।

    ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ବାୟୋଟେକ୍ନୋଲୋଜି କ୍ଷେତ୍ରରେ କାମ କରୁଥିବା ଉଚ୍ଚଶିକ୍ଷା ଓ ଗବେଷଣା ଅନୁଷ୍ଠାନର ମୁଖ୍ୟ, ଅଧ୍ୟାପକ ଏବଂ ବୈଜ୍ଞାନିକମାନଙ୍କର ଏକ ପ୍ରତିନିଧି ଦଳ ଯୋଗଦେବେ। ଭାରତରେ ଆଜି ଏ କ୍ଷେତ୍ରରେ ହେଉଥିବା ବିଭିନ୍ନ ବୈଜ୍ଞାନିକ ଗବେଷଣା ଓ ଔଦ୍ୟୋଗିକ ପରୀକ୍ଷା ନିରୀକ୍ଷା ବିଷୟରେ ସେମାନେ ଅନୁଭୂତି ହାସଲ କରିବେ।
    ବାୟୋଟେକ୍ନୋଲୋଜି ଆଗାମୀ ଦିନରେ ପୃଥିବୀ ପାଇଁ ଏକ ବଡ଼ ସମ୍ଭାବନା ହେବାକୁ ଯାଉଛି। ଅଭିନବ ଜ୍ଞାନକୌଶଳର ପ୍ରୟୋଗ ଫଳରେ କୃଷି, ଖାଦ୍ୟ ପ୍ରକ୍ରିୟାକରଣ, ଔଷଧ ପ୍ରସ୍ତୁତି, ସ୍ୱାସ୍ଥ୍ୟସେବା, ସାମୁଦ୍ରିକ ଉତ୍ପାଦ ଏବଂ ଆନୁଷଙ୍ଗିକ ଶିଳ୍ପ କ୍ଷେତ୍ରରେ ଏହା ଏକ ବିପ୍ଲବ ଆଣିବାକୁ ଯାଉଛି। ୨୦୩୦ ସୁଦ୍ଧା ଭାରତର ବାୟୋ-ଅର୍ଥନୀତି ୨୪୦ ହଜାର କୋଟି ଟଙ୍କାରେ ପହଞ୍ଚିବ ବୋଲି ବିଶେଷଜ୍ଞମାନେ ଆକଳନ କରୁଛନ୍ତି। ଏଥିରେ ଓଡ଼ିଶା ପ୍ରମୁଖ ଭୂମିକା ଗ୍ରହଣ କରିବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    21.9 ° C
    21.9 °
    21.9 °
    90 %
    1.5kmh
    57 %
    Sun
    22 °
    Mon
    30 °
    Tue
    30 °
    Wed
    30 °
    Thu
    29 °

    ସମ୍ବନ୍ଧିତ