Monday, September 28, 2026
23.6 C
Odisha

    ଅସ୍ଥାୟୀ ଭଣ୍ଡାରକୁ ସ୍ଥାନାନ୍ତର ହେଲା ମହାପ୍ରଭୁଙ୍କ ରତ୍ନଭଣ୍ଡାର ସାମଗ୍ରୀ

    ଆଗକୁ ପଢନ୍ତୁ

    ପୁରୀ: ମହାପ୍ରଭୁଙ୍କ ଭିତର ରତ୍ନଭଣ୍ଡାର ଆଜି ଅସ୍ଥାୟୀ ଭଣ୍ଡାରକୁ ସ୍ଥାନାନ୍ତର ହୋଇଛି। ଏହି କାମ କରିବା ପାଇଁ ପ୍ରାୟ ସାଢ଼େ ୭ ଘଣ୍ଟା ସମୟ ଲାଗିଛି। ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ବନାଥ ରଥ ଗୁରୁବାର ସନ୍ଧ୍ୟାରେ ଗଣମାଧ୍ୟମକୁ ଏହି ପ୍ରତିକ୍ରିୟା ଦେଇଛନ୍ତି। ଶ୍ରୀମନ୍ଦିର ରତ୍ନଭଣ୍ଡାରରୁ ବାହାରିଲା ପରେ ଗଣମାଧ୍ୟମକୁ ସେ କହିଛନ୍ତି, ପୂର୍ବରୁ ପ୍ରଥମ ଦଫାରେ ଗତ ୧୪ ତାରିଖରେ ବାହାର ଭଣ୍ଡାର ଖୋଲାଯାଇଥିବା ବେଳେ ଆଜି ବହୁ ପ୍ରତୀକ୍ଷିତ ଭିତର ରତ୍ନଭଣ୍ଡାର ଖୋଲିଛି। ଓଡ଼ିଶାବାସୀଙ୍କର ଯେଉଁ ଆଶା ଓ ଆଶଙ୍କା ଥିଲା ତାହା ଦୂର ହୋଇଛି। ସବୁ ଅଲଙ୍କାର ସୁରକ୍ଷିତ ରହିଛି। ଏହା ଅସ୍ଥାୟୀ ଷ୍ଟ୍ରଙ୍ଗ ରୁମ୍‌କୁ ସ୍ଥାନାନ୍ତର କରାଯାଇଛି।
    ଜଷ୍ଟିସ ବିଶ୍ବନାଥ ରଥ କହିଛନ୍ତି, ମହାପ୍ରଭୁଙ୍କ ଆଶୀର୍ବାଦରୁ ଆମେ ଭିତରକୁ ପ୍ରବେଶ କରିଥିଲୁ। ସମସ୍ତେ ଦିବ୍ୟମନରେ ପ୍ରବେଶ କରିଥିଲୁ। ସିଂହଦ୍ବାର ସମ୍ମୁଖରେ ରଥାରୂଢ ମହାପ୍ରଭୁଙ୍କ ଦର୍ଶନ କରି ଆଶୀର୍ବାଦ ଲାଭ କରିଥିଲୁ। ଏହାପରେ ସମସ୍ତେ ଏକାଠି ଶ୍ରୀମନ୍ଦିରକୁ ପ୍ରବେଶ କରିଥିଲୁ। ମା ବିମଳା, ମା ଲକ୍ଷ୍ମୀଙ୍କ ସହ ପାର୍ଶ୍ବ ଦେବାଦେବୀଙ୍କ ଦର୍ଶନ କରିବା ପରେ ପାରମ୍ପରିକ ଧୋତି ଗାମୁଛା ପରିଧାନ କରିଥିଲୁ। ସମସ୍ତ କମିଟି ସଦସ୍ୟ ଏବଂ ଶୁଭ ମୁହୂର୍ତ୍ତ ଦିନ ୯ଟା ୫୧ ମିନିଟ୍ ସମୟରେ ଭଣ୍ଡାରକୁ ପ୍ରବେଶ କରିଥିଲୁ। ଭିତର ରତ୍ନଭଣ୍ଡାରରେ ୩ଟି କାଚ ଆଲମିରା, ଗୋଟିଏ ଷ୍ଟିଲ ଆଲମିରା ଥିଲା। ୩ଟି ସିନ୍ଦୁକ ମଧ୍ୟ ଥିଲା। ରାଜ୍ୟ ସରକାରଙ୍କ ଏସ୍‌ଓପି ଅନୁଯାୟୀ ରତ୍ନଭଣ୍ଡାର ପ୍ରବେଶ କରିଥିଲୁ।

    ରତ୍ନଭଣ୍ଡାର ଭିତରେ ଗୁପ୍ତ ଭଣ୍ଡାର କି କିଛି ସୁଡ଼ଙ୍ଗ ନାହିଁ। କାନ୍ଥକୁ ଆଉଜି ଥିବା ସବୁ ଆଲମାରି, ସିନ୍ଦୁକ କଢ଼ା ଯାଇଥିଲା। ଆମ ଆଖିରେ ଆମେ ସେମିତି କିଛି ସୁଡ଼ଙ୍ଗ ଦେଖିପାରିଲୁ ନାହିଁ। ଗୁପ୍ତ ଭଣ୍ଡାର, ସୁଡ଼ଙ୍ଗ ହେଉଥିବା ଚର୍ଚ୍ଚା ତଥ୍ୟ ପର୍ଯ୍ୟବଷିତ ନୁହେଁ। କେ‌ବଳ ଗୁଜବ ବୋଲି ଜଷ୍ଟିସ ବିଶ୍ବନାଥ ରଥ କହିଛନ୍ତି।
    ସେହିପରି ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ଗଣମାଧ୍ୟମକୁ କହିଛନ୍ତି, ମହାପ୍ରଭୁଙ୍କ ଆଶୀର୍ବାଦରୁ ଆମେ ଭିତର ରତ୍ନଭଣ୍ଡାରକୁ ପ୍ରବେଶ କରିଥିଲୁ। ଭିତର ରତ୍ନଭଣ୍ଡାରରୁ ଅସ୍ଥାୟୀ ରତ୍ନଭଣ୍ଡାରକୁ ସ୍ଥାନାନ୍ତରଣ ପ୍ରକ୍ରିୟା ସରିଛି।

    ମନ୍ଦିର ପରିସରେ ସାପ ନେଇ ଯେଉଁ ସନ୍ଦେହ ସୃଷ୍ଟି ହୋଇଥିଲା, ସେସବୁ ଗୁଜ। ଭିତର ରତ୍ନ ଭଣ୍ଡାରରେ ସାପ ନାହାନ୍ତି। ସ୍ନେକ ହେଲ୍‌ପଲାଇନ ସଦସ୍ୟ ଶୁଭେନ୍ଦୁ ମଲ୍ଲିକ ଏହା କହିଛନ୍ତି। ସେ କହିଛନ୍ତି, ଆମକୁ ଷ୍ଟାଣ୍ଡବାଇ ରଖାଯାଇଥିଲା। ଆମେ ପ୍ରସ୍ତୁତ ହୋଇ ରହିଥିଲୁ। ଆମେ ବାହାରେ ବସି ରହିଥିଲୁ, ଆମକୁ ଡକା ଗଲା ନାହିଁ। ସାପ ଥିଲେ ଆମକୁ ନିଶ୍ଚିତ ଭାବେ ଡକା ଯାଇଥାନ୍ତା।

    ସୂଚନାଯୋଗ୍ୟ ଯେ, ଗତ ୧୪ ତାରିଖ ଦିନ ଭିତର ଭଣ୍ଡାର ମୁଖ୍ୟ ଦ୍ବାରରେ ଲାଗିଥିବା ୩ଟି ଯାକ ତାଲା ଟ୍ରେଜେରିରୁ ଆସିଥିବା ଦୁଇଟି ଚାବିରେ ନ ଖୋଲିବାରୁ ତାଲାଗୁଡ଼ିକୁ ଭାଙ୍ଗି କମିଟି ପ୍ରବେଶ କରିଥିଲେ। କିନ୍ତୁ ସମୟ ଅଭାବରୁ ସ୍ଥାନାନ୍ତର ପ୍ରକ୍ରିୟା ସମ୍ଭବପର ହୋଇ ପାରି ନଥିଲା। ସେହିଦିନ ଭିତର ଭଣ୍ଡାର ଦ୍ବାରରେ ଭଙ୍ଗାଯାଇଥିବା ୩ଟି ଯାକ ତାଲା ଏବଂ ପୁରୁଣା ଦୁଇଟି ଚାବିକୁ ଜିଲ୍ଲା ଟ୍ରେଜେରିରେ ଜମା କରାଯାଇଛି। ଏଥି ସହିତ ୨ଟି ନୂଆ ତାଲା ପକାଯାଇ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ସିଲ୍ କରି ତାହାର ଚାବିକୁ ମଧ୍ୟ ଟ୍ରେଜେରିରେ ଜମା କରାଯାଇଥିଲା। ସେହି ନୂଆ ତାଲାର ଚାବି ଟ୍ରେଜେରିରୁ ଆଣି ଭଣ୍ଡାର ଖୋଲାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.6 ° C
    23.6 °
    23.6 °
    88 %
    1.6kmh
    5 %
    Mon
    24 °
    Tue
    30 °
    Wed
    30 °
    Thu
    31 °
    Fri
    31 °

    ସମ୍ବନ୍ଧିତ