Monday, March 23, 2026
22 C
Odisha

    ସବୁଠି ଆଳୁ ସଂକଟ: ୨ଦିନ ହେବ ଆସୁନି ଆଳୁ ଗାଡ଼ି

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ଓଡ଼ିଶା ବଜାରରେ ପୁଣିଥରେ ଆଳୁ ଅଭାବ ଦେଖାଦେଇଛି। ଗତ ୨-୩ ଦିନ ହେବ ଆଳୁ ଗାଡ଼ି ଆସି ନ ଥିବାରୁ ଦର ବଢ଼ିବା ଆଶଙ୍କା ଦେଖାଦେଇଛି। ଯେଉଁ ବ୍ୟବସାୟୀଙ୍କ ପାଖରେ ଆଳୁ ରହିଛି ସେମାନେ ଚଢ଼ା ଦରରେ ବିକ୍ରି କରିବା ଆରମ୍ଭ କରିସାରିଲେଣି। ଗତକାଲି ଖାଉଟିମାନେ ୩୫ଟଙ୍କାରେ ଆଳୁ କିଣିଥିବା ବେଳେ ଆଜି ୪୦ ଟଙ୍କା ଓ କିଛି ସ୍ଥାନରେ ଏହା ୫୦ ଛୁଇଁଲାଣି। ବେଶ୍ କିଛିଦିନ ଧରି ଚଢ଼ା ଦରରେ ଆଳୁ ବିକ୍ରି ହେବା ଖାଉଟିଙ୍କ ପାଇଁ ଚିନ୍ତା ବଢ଼ାଇଦେଇଛି।

    ପଶ୍ଚିମବଙ୍ଗ ସରକାର ଆଳୁ ରପ୍ତାନି ନେଇ କଟକଣା ଜାରି କରିବା ପରେ ଓଡ଼ିଶା ବଜାରରେ ଆଳୁ ସଂକଟ ଦେଖାଦେଇଛି। ଲୁଚାଛପାରେ ହାତଗୁଞ୍ଜା ଦେଇ ପ୍ରତିଦିନ କିଛି ଆଳୁ ଟ୍ରକ ପଶ୍ଚିମବଙ୍ଗରୁ ଓଡ଼ିଶାକୁ ଆସୁଛି। ହେଲେ ଗତ ୨ଦିନ ହେବ କୌଣସି ଆଳୁ ଗାଡ଼ି ଆସିନାହିଁ। କଟକର ଛତ୍ରବଜାରକୁ ଆଳୁ ଗାଡ଼ି ଆସି ନ ଥିବା ‌ବେଳେ ଭୁବନେଶ୍ବରର ଆଇଗିଣିଆ ଆଳୁ ଗୋଦାମ ଖାଲି ହୋଇଗଲାଣି। ଆଳୁ ସଂକଟ ଦୂର କରିବା ପାଇଁ ରାଜ୍ୟ ସରକାର ବିକଳ୍ପଭାବେ ଉତ୍ତରପ୍ରଦେଶରୁ ଆଳୁ ମଗାଉଛନ୍ତି। ମାତ୍ର ଉତ୍ତରପ୍ରଦେଶରୁ ଆସୁଥିବା ଆଳୁକୁ ନେଇ ବ୍ୟବସାୟୀମାନେ ଖୁସି ନୁହନ୍ତି। ପଶ୍ଚିମବଙ୍ଗ ଆଳୁ ତୁଳନାରେ ଦର ଅଧିକ ହେବା ସହ ଏହା ଶୀଘ୍ର ପଚି ଯାଉଥିବା ଅଭିଯୋଗ ହେଉଛି। ମାତ୍ର ରାଜ୍ୟ ସରକାର ଏହାକୁ ବାରମ୍ବାର ଖଣ୍ଡନ କରୁଛନ୍ତି। ଏପରିକି ଆବଶ୍ୟକ ପଡ଼ିଲେ ପଞ୍ଜାବରୁ ଆଳୁ ଅଣାଯିବ ବୋଲି ଗତକାଲି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଥିଲେ। ରାଜ୍ୟ ସରକାରଙ୍କ ଏ ପ୍ରକାର ଆଶ୍ବାସନା ସତ୍ତ୍ବେ ବଜାରରେ ଆଳୁ ଦର କମୁନାହିଁ। ବିଭିନ୍ନ ଶୀତଳ ଭଣ୍ଡାରରେ ଏବେ ୧୫-୧୭ ଟନ୍ ଆଳୁ ମହଜୁଦ ରହିଛି। ଏହା ଆସନ୍ତା ୨-୩ଦିନର ଚାହିଦା ପୂରଣ କରିପାରିବ। ସରକାର ତୁରନ୍ତ ବିକଳ୍ପ ବ୍ୟବସ୍ଥା ନ କଲେ ଆଗକୁ ଆଳୁ ଖୋଜିଲେ ବି ମିଳିବନି ବୋଲି ବ୍ୟବସାୟୀ ମହାସଂଘ ପକ୍ଷରୁ କୁହାଯାଇଛି।

    ଅପରପକ୍ଷରେ ରାଜ୍ୟରେ ଆଳୁ ସଂକଟ ଘନେଇବା ପରେ ରାଜ୍ୟ ସରକାର ଆଜି ଜରୁରିକାଳୀନ ବୈଠକ ଡାକିଛନ୍ତି। ମନ୍ତ୍ରୀ ଶ୍ରୀ ପାତ୍ରଙ୍କ ଅଧ୍ୟକ୍ଷତାରେ ରାଜ୍ୟ ଅତିଥି ଭବନରେ ବସିଥିବା ଏହି ବୈଠକରେ ବ୍ୟବସାୟୀ ଓ ଶୀତଳଭଣ୍ଡାର ସଂଘର କର୍ମକର୍ତ୍ତା ସାମିଲ ହୋଇଥିଲେ। ବୈଠକ ପରେ ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି ଯେ ଉତ୍ତର ପ୍ରଦେଶରୁ ଧୀରେ ଧୀରେ ଆଳୁ ଆସିବା ପ୍ରକ୍ରିୟା ତ୍ବରାନ୍ୱିତ ହୋଇଛି। ଆଗାମୀ ଦିନରେ ଏହା ବୃଦ୍ଧି ହେବ। ରାଜ୍ୟର ଅନେକ ସ୍ଥାନରେ ଉତ୍ତରପ୍ରଦେଶ ଆଳୁ ଉପଲବ୍ଧ ହେଉଛି। ଉତ୍ତରପ୍ରଦେଶରୁ ଆଳୁ ଭର୍ତ୍ତି ଟ୍ରକ ଗୁଡ଼ିକ ରାଜ୍ୟର ବିଭିନ୍ନ ବ୍ୟାବସାୟିକ ପେଣ୍ଠସ୍ଥଳୀରେ ପହଞ୍ଚୁଥିବାରୁ ଉଭୟ ବ୍ୟବସାୟୀ ଓ ଖାଉଟି ମାନଙ୍କ ପାଇଁ ଆଶ୍ବସ୍ତି ଆଣିଛି। ଏହି ଆଳୁ ଉଚ୍ଚ ମାନର ଓ ରାଜ୍ୟର ବଜାରକୁ ସୁହାଇବ। ଖାଉଟିଙ୍କ ସୁବିଧା ନିମନ୍ତେ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। ଆଳୁ ଯୋଗାଣକୁ ନେଇ ପଶ୍ଚିମବଙ୍ଗ ସରକାର ଅନେକ ସମୟରେ ମନମୁଖୀ କାର୍ଯ୍ୟ କରୁଥିବାରୁ ରାଜ୍ୟ ସରକାର ଏହି ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଏହାବାଦ୍ ନାଫେଡ୍‌ ମାଧ୍ୟମରେ ଉତ୍ତରପ୍ରଦେଶ ଓ ଅନ୍ୟାନ୍ୟ ରାଜ୍ୟରୁ ଆଳୁ ଆଣି ଓଡ଼ିଶାରେ ଉପଲବ୍ଧ କରାଇବା ପାଇଁ ରାଜ୍ୟ ସରକାର ବ୍ୟବସ୍ଥା କରୁଛନ୍ତି। ତେଣୁ ଗୋଦାମ ମାଲିକ ଓ ବ୍ୟବସାୟୀ ମାନେ ସହଯୋଗ କରିବାକୁ ବୈଠକରେ ପରାମର୍ଶ ଦିଆଯାଇଛି।

    ବିଭାଗୀୟ ପ୍ରମୁଖ ଶାସନ ସଚିବ ବୀର ବିକ୍ରମ ଯାଦବ କରିଥିଲେ, ଅନାବଶ୍ୟକ ଭାବେ ଦରଦାମ ବୃଦ୍ଧି କରୁଥିବା ଅସାଧୁ ବେପାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଦରଦାମ ବୃଦ୍ଧି ନିୟନ୍ତ୍ରଣ ନେଇ ବିଭାଗ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯାଉଥିବା ସେ କହିଥିଲେ। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସହାୟକ ମଧୁସୂଦନ ବେହେରା, ନାଫେଡ୍‌ ଓଡ଼ିଶା ମୁଖ୍ୟ ଅନିନ୍ଦିତା ଗୁହା, ବିଭାଗୀୟ ଉପନିର୍ଦ୍ଦେଶକ ଦୀପକ ଶତପଥୀ, ଓଡ଼ିଶା ବ୍ୟବସାୟୀ ସଂଘ ମହାସଚିବ ସୁଧାକର ପଣ୍ଡା, ରାଜ୍ୟ ଶୀତଳଭଣ୍ଡାର ସଂଘ ସଭାପତି ରଞ୍ଜିତ କୁମାର ଵାଲା, ସାଧାରଣ ସମ୍ପାଦକ ଶୁଭେନ୍ଦୁ କୁମାର ସାହୁ ଓ ଯୋଗାଣ ବିଭାଗ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22 ° C
    22 °
    22 °
    34 %
    1.4kmh
    1 %
    Sun
    22 °
    Mon
    33 °
    Tue
    36 °
    Wed
    38 °
    Thu
    39 °

    ସମ୍ବନ୍ଧିତ