Saturday, September 19, 2026
24.6 C
Odisha

    ପ୍ରଭାବିତ ହେବ ଆଳୁ ଉତ୍ପାଦନ: ତାପମାତ୍ରା ସ୍ବାଭାବିକଠାରୁ ଅଧିକ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ଜଳବାୟୁ ପରିବର୍ତ୍ତନ ସାଙ୍ଗକୁ ବିଳମ୍ବିତ ଶୀତ, ଦିନ ଓ ରାତିର ତାପମାତ୍ରା ସ୍ବାଭାବିକଠାରୁ ଅଧିକ ରହିବା ହେତୁ ଓଡ଼ିଶାରେ ଆଳୁ ଚାଷ ପ୍ରଭାବିତ ହେବାକୁ ଯାଉଛି। ବର୍ତ୍ତମାନ ରାଜ୍ୟର ପାଣିପାଗ ସ୍ଥିତିକୁ ଦେଖି କୃଷି ବୈଜ୍ଞାନିକମାନେ ଏଭଳି ଆକଳନ କରିଛନ୍ତି। ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକଙ୍କ କହିବାନୁଯାୟୀ ଆଳୁ ଏକ ଶୀତଦିନିଆ ଫସଲ। ଭଲ ଅମଳ ପାଇଁ ରାତିର ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରି ଏବଂ ଦିନର ତାପମାତ୍ରା ୩୦ ଡିଗ୍ରି ରହିବା କଥା। ରାତିର ସର୍ବନିମ୍ନ ତାପମାତ୍ରା ୨୦ ଡିଗ୍ରିରୁ ଅଧିକ ରହିଲେ ଆଳୁ ଅମଳ କମିଥାଏ, ଯାହାକି ଚଳିତଥର ଦେଖିବାକୁ ମିଳୁଛି। ଓଡ଼ିଶାରେ ‌ନଭେମ୍ବର ୧୫ରୁ ଆଳୁ ଲଗା ଆରମ୍ଭ ହୋଇଥାଏ। ଡିସେମ୍ବର ପ୍ରଥମ ସପ୍ତାହରେ ସବୁଠାରୁ ବେଶି ଲଗାଯାଇଥାଏ। ଚଳିତବର୍ଷ ନଭେମ୍ବରରୁ ବର୍ତ୍ତମାନ ପର୍ଯ୍ୟନ୍ତ ସର୍ବାଧିକ ତାପମାତ୍ରା ଅନେକ ସ୍ଥାନରେ ୩୦ ଡିଗ୍ରି କିମ୍ବା ତା’ଠାରୁ ଅଧିକ ରହୁଛି। କେତେକ ସ୍ଥାନରେ ପ୍ରାୟ ୧୮ ଡିଗ୍ରି ଥିବା ବେଳେ ଅନ୍ୟ ସ୍ଥାନରେ ୨୦ ଡିଗ୍ରିରୁ ଅଧିକ ରହୁଛି।
    ଗୋଟିଏ ଆଳୁ ଗଛରୁ ୪ରୁ ୫ଟି ଆଳୁ ଫଳିଥାଏ। ସର୍ବନିମ୍ନ ତାପମାତ୍ରା ଅଧିକ ରହିଥିବାରୁ ଏହା ୨ରୁ ୩କୁ କମେ। ପରବର୍ତ୍ତୀ ସମୟରେ ତାପମାତ୍ରା ଅଧିକ ରହିଲେ ଆଳୁର ସାଇଜ୍‌ କମିବ। ସର୍ବାଧିକ ତାପମାତ୍ରା ୩୦ ଡିଗ୍ରିରୁ ଅଧିକ ରହିଲେ ଲଗାଇବା ପରେ ଆଳୁ ପଚିଯାଏ। ଏଥର ତାପମାତ୍ରା ଅଧିକ ଥିବାରୁ ଆଳୁ ଚାଷ ପ୍ରଭାବିତ ହେବାର ସମ୍ଭାବନା ରହିଛି। ତାପମାତ୍ରା ଅଧିକ ହେତୁ ଚଳିତବର୍ଷ ଅମଳ ୩୦% କମିବାର ଆଶଙ୍କା କରାଯାଉଛି। ଆକଳନ କରାଯାଉଛି ଯେ ନୂଆ ଆଳୁ ବଜାରକୁ ଆସିଲା ପରେ ମଧ୍ୟ ଦାମ୍‌ ଅଧିକ ରହିବ। ଓଡ଼ିଶାରେ ବାର୍ଷିକ ଆବଶ୍ୟକତାର ପ୍ରାୟ ଏକ-ଚତୁର୍ଥାଂଶ ଆଳୁ ଉତ୍ପାଦନ ହୋଇଥାଏ। କୁଫ୍ରି ଜ୍ୟୋତି ‌ହେଉଛି ଏକ ପ୍ରମୁଖ କିସମ, ଯାହାକି ୭୫ ଦିନରେ ଅମଳ ହୋଇଥାଏ। ବିହନ ପାଇଁ ଅନ୍ୟ ରାଜ୍ୟ ଉପରେ ନିର୍ଭର କ‌ରିବାକୁ ପଡ଼େ। ବର୍ତ୍ତମାନ ସମୟରେ ଶୀତ ଦିନ କମ୍‌ ହେତୁ ଆଳୁ ଲଗାଇବା ସମୟ ସୀମିତ ହୋଇଥାଏ। ଡିସେମ୍ବର ପ୍ରଥମ ସପ୍ତାହ ପରେ ଆଳୁ ଲଗାଇଲେ ଅମଳ ବହୁତ କମିଯାଏ। ଆମ ରାଜ୍ୟରେ ଏକର ପିଛା ଆଳୁ ଅମଳ ଜାତୀୟହାରର ଅଧା।

    ଆଳୁ ଚାଷ ବଢ଼ାଇବାକୁ ହେଲେ ମୁଖ୍ୟତଃ ଦୁଇ ବିଷୟକୁ ଗୁରୁତ୍ବ ଦେବାକୁ ପଡ଼ିବ। ପ୍ରଥମତଃ ପ୍ରଚଳିତ କିସମ ବଦଳରେ ଅଧିକ ଅମଳକ୍ଷମ, ତାପ ସହନଶୀଳ, କମ୍‌ ଅବଧିର କିସମର ପ୍ରସାର କରିବାକୁ ହେବ। ଦ୍ବିତୀୟତଃ ଜଳବାୟୁ ପରିବର୍ତ୍ତନ ହେତୁ ଶୀତ ଅବଧି କମୁଥିବାରୁ ନଭେମ୍ବର ୧୫ ସୁଦ୍ଧା ବିହନ ଗଚ୍ଛିତ ରଖିବାକୁ ପଡ଼ିବ। ପାଗ ଓ ତାପମାତ୍ରା ଦେଖି ଠିକ୍‌ ସମୟରେ ବିହନ ଦେବା ଦରକାର। ମାଟିରେ ଅଣୁସାର ‘ବୋରୋନ୍‌’ କମ୍‌ ହେଲେ ଅମଳ କମିଥାଏ। ତେଣୁ ମାଟିର ପରୀକ୍ଷା ହିସାବରେ ବିହନ ସହ ‘ବୋରୋନ୍‌’ ମଧ୍ୟ ଯୋଗାଇବା ଆବଶ୍ୟକ। ରାଜ୍ୟର କନ୍ଧମାଳ, ଗଞ୍ଜାମରେ ସ୍ଥାନୀୟ କିସମ ଚାଷ କରାଯାଇଥାଏ। କୋରାପୁଟରେ ମଧ୍ୟ ଖରିଫ ଆଳୁ କରାଯାଏ। ରୋଗପୋକ ସହନଶୀଳ ପ୍ରଜାତି ଜୁଲାଇ ମାସରେ ଲଗାଇ ସେପ୍ଟେମ୍ବର ୧୫ ସୁଦ୍ଧା ଅମଳ ହେଲେ ନଭେମ୍ବର ଶେଷ ସୁଦ୍ଧା ଗଜା ବାହାରି ବିହନ ଯୋଗ୍ୟ ହୋଇପାରିବ। ‌ତେଣୁ ଏହାର ଗବେଷଣା ଆବଶ୍ୟକତା ରହିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.6 ° C
    24.6 °
    24.6 °
    93 %
    1.8kmh
    100 %
    Sat
    25 °
    Sun
    31 °
    Mon
    30 °
    Tue
    28 °
    Wed
    27 °

    ସମ୍ବନ୍ଧିତ