Monday, October 12, 2026
30 C
Odisha

    ଦାଉ ସାଧିଛି ଘନଘନ ବିଦ୍ୟୁତକାଟ୍‌: ୨୧ ଘଣ୍ଟାଧରି ଅନ୍ଧାରରେ ଗୋଲ୍‌ଘର ଅଞ୍ଚଳବାସୀ

    ଆଗକୁ ପଢନ୍ତୁ

    ରାଉରକେଲା: ରାଉରକେଲାବାସୀଙ୍କୁ ଘନଘନ ବିଜୁଳିକାଟ୍‌ ଅତିଷ୍ଠ କଲାଣି। ଶୁକ୍ରବାର ସନ୍ଧ୍ୟାରେ କାଳବୈଶାଖୀପରେ ବିଭିନ୍ନ ଅଞ୍ଚଳରେ ବିଦ୍ୟୁତବିଭ୍ରାଟ ଦେଖିବାକୁ ମିଳିଛି। ‌ରାଉରକେଲା ମହାନଗର ନିଗମ ଅଞ୍ଚଳ, ‌ଇସ୍ପାତ ସହରାଞ୍ଚଳରେ ସମସ୍ୟା ଅସହ୍ୟ ହୋଇଛି। ଏମିତିକି ବିଭିନ୍ନ ଅଞ୍ଚଳରେ ୨୦/୨୧ ଘଣ୍ଟା ଯାଏ ବିଦ୍ୟୁତ ସରବରାହ ସ୍ବାଭାବିକ୍‌ ହୋଇନି।

    ସହରରେ କାଳବୈଶାଖୀ ଦେଖିବାକୁ ମିଳିଥିଲା। ବର୍ଷା ସହ ପ୍ରବଳ ବେଗରେ ପବନ ବୋହିଥିଲା। ଫଳରେ ରିଂ ରୋଡ୍‌ କଡ଼ରେ ଥିବା ତଥା ବିଭିନ୍ନ ଅଞ୍ଚଳରେ ଥିବା ଗଛ ଭାଙ୍ଗିଯାଇଥିଲା। କେତେକ ଅଞ୍ଚଳରେ ଗଛ ପଡ଼ିବାରୁ ବିଦ୍ୟୁତ ତାର, ପୋଲ ଭାଙ୍ଗିଯାଇଥିଲା। ଫଳରେ ଶୁକ୍ରବାର ରାତିସାରା ବିଦ୍ୟୁତର ଦେଖାଦର୍ଶନ ମିଳିନଥିଲା। ବିଶେଷକରି ସେକ୍ଟର-୪ ଇ’ ବ୍ଳକ ଅଞ୍ଚଳବାସୀ ଗତକାଲି ଅନ୍ଧାରରେ ରହିଥିଲେ। ସେହିଭଳି ସେକ୍ଟର-୨, ଏଚ୍‌’ ବ୍ଲକରେ ରାତି ୧୨ଟାରେ ବିଦ୍ୟୁତ ଆସିଥିଲା। କେବଳ ଗତକାଲି ନୁହେଁ, ଆଜି ମଧ୍ୟ ଏହି ଅଞ୍ଚଳରେ ବାରମ୍ବାର ବିଦ୍ୟୁତ କାଟ୍‌ ହୋଇଛି। ମଝିରେ ମଝିରେ ଘଣ୍ଟାଏ ପାଇଁ ବିଦ୍ୟୁତ ଆସିଥିବାବେଳେ ଲଗାତାର ୨/୩ ଘଣ୍ଟାଯାଏ ବିଦ୍ୟୁତ୍‌କାଟ୍‌ ହୋଇଥିଲା।
    ଯୁଦ୍ଧକାଳୀନ ଭିତ୍ତିରେ ମରାମତି କାର୍ଯ୍ୟ ସମ୍ପନ୍ନ କରାନଯିବାରୁ ଲୋକେ ହନ୍ତସନ୍ତ ହୋଇଥିଲେ। ସେକ୍ଟର-୫ ଗୋଲ୍‌ଘର ଅଞ୍ଚଳବାସୀଙ୍କୁ ମଧ୍ୟ ଘନଘନ ବିଦ୍ୟୁତକାଟ୍‌ ନାକେଦମ କରିଛି। ଶୁକ୍ରବାର ରାତି ପ୍ରାୟ ୮ଟାରୁ ବିଦ୍ୟୁତ କଟିଥିବାବେଳେ ଶନିବାର ସନ୍ଧ୍ୟା ୫ଟାରେ ବିଦ୍ୟୁତ ସରବରାହ ପୂର୍ବବତ୍‌ ହୋଇଥିଲା। ପ୍ରାୟ ୨୧ ଘଣ୍ଟାଧରି ବିଦ୍ୟୁତ ନ ଆସିବାରୁ ଗୋଲ୍‌ଘର ସମେତ ଆଖପାଖ ଅଞ୍ଚଳ, ଯଥା-କବିସମ୍ରାଟପଲ୍ଲୀ, ନାରାୟଣପଲ୍ଲୀ, ନୂଆବସ୍ତି, ରାମେଶ୍ବରପଲ୍ଲୀ, ମଙ୍ଗଳା କଲୋନିର ପ୍ରାୟ ହଜାରେରୁ ଉର୍ଦ୍ଧ୍ବ ପରିବାର ଯାବତୀୟ ସମସ୍ୟାର ସମ୍ମୁଖୀନ ହୋଇଥିଲା। ଏହାକୁ ପ୍ରତିବାଦକରି ଆଜି ଦିନ ପ୍ରାୟ ୧ଟାରେ ବାସିନ୍ଦା ସ୍ଥାନୀୟ ଟିପିଡବ୍ଲ୍ୟୁଓଡିଏଲ୍‌ କାର୍ଯ୍ୟାଳୟ ଘେରାଉ କରିଥିଲେ। ଅଘୋଷିତ ବିଦ୍ୟୁତକାଟ୍‌ର କାରଣ ପଚାରିଥିଲେ। ଦୀର୍ଘସମୟଧରି ଅଞ୍ଚଳରେ ଅସନ୍ତୋଷ ଲାଗିରହିଥିଲା। ଶେଷରେ ଅପରାହ୍ନ ପ୍ରାୟ ୫ଟାରେ ବିଦ୍ୟୁତ‌ ସଂଯୋଗ ଦିଆଯାଇଥିଲା। ଏତଦ୍‌ବ୍ୟତୀତ ଡେଲିମାର୍କେଟ ଅଞ୍ଚଳରେ ରହୁଥିବା ଲୋକ ମଧ୍ୟ ଲୋ’ଭୋଲ୍‌ଟେଜ୍‌ ସମସ୍ୟାର ଘାଣ୍ଟିହେଉଛନ୍ତି। ବୀର୍ସା ଛକରୁ ସିଂହ ବିଲ୍‌ଡିଂ ପର୍ଯ୍ୟନ୍ତ, ଏହି ସମସ୍ୟା ଦେଖିବାକୁ ମିଳିଛି। ଗତ ତିନି ମାସ ହେଲା ସମସ୍ୟା ଲାଗିରହିଛି। ନୂଆ ଟ୍ରାନ୍ସଫର୍ମର ସ୍ଥାପନ ପାଇଁ ଅଞ୍ଚଳବାସୀ ଦାବି କରୁଥିଲେ ମଧ୍ୟ ଟିପିଡବ୍ଲ୍ୟୁଓଡିଏଲ୍‌ କର୍ତ୍ତୃପକ୍ଷ ଦୃଷ୍ଟି ଦେଉନଥିବା ଅଭିଯୋଗ କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30 ° C
    30 °
    30 °
    51 %
    2.8kmh
    9 %
    Mon
    30 °
    Tue
    30 °
    Wed
    30 °
    Thu
    31 °
    Fri
    31 °

    ସମ୍ବନ୍ଧିତ