Sunday, September 6, 2026
24.3 C
Odisha

    ବ୍ଲକ୍‌ କାର୍ଯ୍ୟାଳୟରେ ପଶିଲା ପୋଲିଂପାର୍ଟି ଗାଡ଼ି: ଧର୍ମଶାଳାରେ ଉତ୍ତେଜନା, ପୁଲିସକୁ ମାଡ଼

    ଆଗକୁ ପଢନ୍ତୁ

    ଧର୍ମଶାଳା: ଯାଜପୁର ଜିଲ୍ଲା ଧର୍ମଶାଳା ଅଞ୍ଚଳରେ ଭୋଟ ପରେ ରାତିରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ଇଭିଏମ୍‌ ବଦଳ ସନ୍ଦେହରେ ଧର୍ମଶାଳା ସ୍ବାଧୀନ ପ୍ରାର୍ଥୀ ହିମାଂଶୁ ଶେଖର ସାହୁଙ୍କ ସମର୍ଥକମାନେ ବ୍ୟାପକ ଭଙ୍ଗାରୁଜା କରିଛନ୍ତି। ରାତି ପ୍ରାୟ ୧୧ଟା ବେଳେ ଘଟଣାସ୍ଥଳରେ ଏସ୍‌ପି ଭିନୀତ ଅଗ୍ରୱାଲ ପହଞ୍ଚିଛନ୍ତି। ପୁଲିସ ପକ୍ଷରୁ ଲାଠିଚାର୍ଜ ହୋଇଛି। ଏଠାରେ ବ୍ୟାପକ ଫୋର୍ସ ମୁତୟନ କରାଯାଉଥିବା ସୂଚନା ମିଳିଛି। ଆଜି ରାତି ପ୍ରାୟ ସାଢ଼େ ୮ଟାରେ ୨ଟି ପୋଲିଂ ପାର୍ଟି ଗାଡ଼ି ସ୍ଥାନୀୟ ବିଜେଡି କାର୍ଯ୍ୟାଳୟ ଆଡ଼କୁ ଯାଇଥିଲା। ଏହାକୁ ନେଇ ସ୍ବାଧୀନପ୍ରାର୍ଥୀଙ୍କ ସମର୍ଥକମାନେ ସନ୍ଦେହ କରି ଗାଡ଼ି ଦୁଇଟିର ପିଛା କରିଥିଲେ। ପରେ ସେହି ଗାଡ଼ି ଦୁଇଟି ଜାରକାସ୍ଥିତ ଧର୍ମଶାଳା ବ୍ଲକ କାର୍ଯ୍ୟାଳୟରେ ପ୍ରବେଶ କରିଥିଲା।

    ସ୍ବାଧୀନ ପ୍ରାର୍ଥୀ ଶ୍ରୀ ସାହୁଙ୍କ ସମର୍ଥକମାନେ ଏହାକୁ ବିରୋଧ କରିଥିଲେ। ଏନ୍‌ସି କଲେଜ ଷ୍ଟ୍ରଙ୍ଗ ରୁମ୍‌କୁ ଇଭିଏମ୍‌ ଯିବା ପରିବେର୍ତ୍ତ ଏଠାକୁ କାହିଁକି ଅଣାଯାଇଛି ବୋଲି ସେମାନେ ପ୍ରଶ୍ନ କରିବା ସହ ପ୍ରତିବାଦ ଜଣାଇଥିଲେ। ବିଜେଡି ପ୍ରାର୍ଥୀ ପ୍ରଣବ ବଳବନ୍ତରାୟଙ୍କ ଭାଇ ପ୍ରଭାତ ବଳବନ୍ତରାୟ ଧର୍ମଶାଳା ପଞ୍ଚାୟତ ସମିତି ଅଧ୍ୟକ୍ଷ ଥିବାରୁ ଏଠାରେ ଇଭିଏମ୍‌ ଅଦଳବଦଳ କରାଯାଉଥିବା ନେଇ ସ୍ବାଧୀନପ୍ରାର୍ଥୀଙ୍କ ସମର୍ଥକମାନେ ସନ୍ଦେହ ପ୍ରକାଶ କରିଛନ୍ତି। ଏହି କାରଣରୁ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିବା ଜଣାପଡ଼ିଛି। ଏହି ଗାଡ଼ିରେ ଇଭିଏମ୍‌ ଥିଲା କି ନାହିଁ ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇ ନାହିଁ। ଏ ଗୁଡ଼ିକ ରିଜର୍ଭ ପୋଲିଂ ପାର୍ଟି ଗାଡ଼ି ବୋଲି ବ୍ଲକ ପକ୍ଷରୁ ସଫେଇ ଦିଆଯାଇଥିଲେ ମଧ୍ୟ ଏହାକୁ ସେମାନେ ବିଶ୍ବାସକୁ ନେଇନାହାନ୍ତି। ଏହା ଗଡ଼ମଧୁପୁର ପଞ୍ଚାୟତ ଭୁବନପୁର ସ୍କୁଲ ଓ ଗଙ୍ଗାଧରପୁର ପଞ୍ଚାୟତର ଇମାମନଗର ବୁଥ୍‌ର ପୋଲିଂଗାଡ଼ି ବୋଲି ସ୍ବାଧୀନ ପ୍ରାର୍ଥୀଙ୍କ ସମର୍ଥକମାନେ ଅଭିଯୋଗ କରିଛନ୍ତି।

    ହୋହଲ୍ଲା ହେବାରୁ ଖବର ପାଇ ପୁଲିସ ସେଠାରେ ପହଞ୍ଚିଥିବା ବେଳେ କେହି ପୁଲିସ ଗାଡ଼ିକୁ ଢେଲାପଥର ମାଡ଼ କରିଛି। ଫଳରେ ଗାଡ଼ିର କାଚ ଭାଙ୍ଗିଯାଇଛି। ଖବର ପାଇ ଯାଜପୁରରୋଡ ଏସ୍‌ଡିପିଓ ଏବଂ ପରେ ଏସ୍‌ପି ପହଞ୍ଚିଛନ୍ତି। ରାତିରେ ବ୍ଲକ କାର୍ଯ୍ୟାଳୟ ପରିସରରେ ୪ଟି ଗାଡ଼ି ରହିଥିବା ଦେଖିବାକୁ ମିଳିଛି। ଏହି ଘଟଣାର ପ୍ରତିବାଦରେ ବ୍ଲକ୍‌ କାର୍ଯ୍ୟାଳୟ ସାମ୍‌ନାରେ ଥିବା କଳ୍ପତରୁ ଦାସ ନ୍ୟାସନାଲ ଫାଉଣ୍ଡେସନ କାର୍ଯ୍ୟାଳୟ ଉପରେ ମଧ୍ୟ ଢେଲା ମାଡ଼ ହୋଇଛି। ଧର୍ମଶାଳା ମିସନ୍‌ ଶକ୍ତିର ବ୍ଲକ୍‌ସ୍ତରୀୟ କାର୍ଯ୍ୟାଳୟକୁ ଭଙ୍ଗାରୁଜା କରାଯାଇଛି। ରାସ୍ତାରେ ଟାୟାର ଜାଳିଛନ୍ତି। ଭିଡ଼କୁ ନିୟନ୍ତ୍ରଣ ପାଇଁ ପୁଲିସ ପକ୍ଷରୁ ଲାଠିଚାର୍ଜ ହୋଇଛି। ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିବାରୁ ବ୍ୟାପକ ପୁଲିସ ମୁତୟନ କରାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    24.3 ° C
    24.3 °
    24.3 °
    89 %
    1.1kmh
    11 %
    Sun
    31 °
    Mon
    31 °
    Tue
    31 °
    Wed
    31 °
    Thu
    27 °

    ସମ୍ବନ୍ଧିତ