Wednesday, March 18, 2026
23.6 C
Odisha

    ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରଶ୍ନକୁ ସାମ୍ନା କରିନପାରି ବିଜେଡି ମିଥ୍ୟା ପ୍ରଳାପ କରୁଛି : ଅନିଲ ବିଶ୍ୱାଳ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର, ତା.୧୪/୦୫: ନିର୍ବାଚନ ପରାଜୟରୁ ବର୍ତିବା ପାଇଁ ବିଜେଡି ପ୍ରତ୍ୟେକ ଦିନ ମିଛ ପ୍ରଚାର ଆରମ୍ଭ କରିଛି । ମିଥ୍ୟା ପ୍ରଚାରର ସାହାରା ନେଉଥିବା ବିଜେଡି ଦଳ ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପରେ ପ୍ରଶ୍ନ ଉଠାଉଛି । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ରାଜ୍ୟର ବିଭିନ୍ନ ସମ୍ବେଦନଶୀଳ ଘଟଣା ଯଥା ଦାଦନ ଶ୍ରମିକ ସମସ୍ୟା, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସଂସ୍କୃତିକୁ ନଷ୍ଟ ପାଇଁ ଷଡଯନ୍ତ୍ର, ରତ୍ନଭଣ୍ଡାର ଲୁଟ୍‌, ଓଡ଼ିଆ ଅସ୍ମିତା, ପିଇବା ପାଣି ସମସ୍ୟା ଏବଂ ପିଇବା ପାଣି ପାଇଁ ଲୋକେ ଭୋଟ ବର୍ଜନ କରିବା ଭଳି ଚରମ ନିଷ୍ପତି କଥା ଉଠାଇଥିଲେ । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଏତେ ସବୁ ପ୍ରସଙ୍ଗ ଉଠାଇଥିଲେ, ଯାହାର ଉତର ବିଜେଡି ଦେଇପାରିଲା ନାହିଁ । ବିଜେଡି କେବଳ ଗୋଟିଏ ପ୍ରସଙ୍ଗରେ ଅଟକିଗଲା ତାହା ହେଉଛି, ନବକଳେବର ସମୟରେ “ପ୍ରସାଦ ଯୋଜନା”ରେ ମିଳିଥିବା ୫୦କୋଟି ଟଙ୍କାର କଥା । କାହିଁକି ୪୦କୋଟି ମିଳିଲା ନାହିଁ ବୋଲି ପ୍ରଶ୍ନ କରୁଥିବା ବିଜେଡି ଦଳ ଓ ତାଙ୍କର ଅଣଓଡ଼ିଆ ମାଲିକ ପ୍ରଥମେ ସ୍ପଷ୍ଟ କରନ୍ତୁ ଯେ, ମିଳିଥିବା ୧୦କୋଟି ଟଙ୍କାର ୟୁଟିଲାଇଜେସନ ସାର୍ଟିଫିକେଟ୍ ସେମାନେ କାହିଁକି ଦେଲେ ନାହିଁ । ବିଜେଡି ଭାବୁଛି ବୋଧହୁଏ ଯେପରି ୫-ଟି ଲାଗିବା ପରେ ଓଡ଼ିଶାରେ ସରକାରୀ ଅର୍ଥ ଖର୍ଚ୍ଚର କୌଣସି ଉତର ଦାୟିତ୍ୱ ନାହିଁ ସେଭଳି କେନ୍ଦ୍ର ସରକାରଙ୍କ ଅର୍ଥରେ ମଧ୍ୟ ଉତର ଦାୟିତ୍ୱ ନାହିଁ ବୋଲି । ମୋଦି ସରକାରରେ ପ୍ରତିଟି ଟଙ୍କାର ହିସାବ ଦେବାକୁ ପଡେ । ଆଜି ପାଣ୍ଡିଆନ ବାବୁଙ୍କର ଯଦି ସତ୍‌ସାହସ୍ ଅଛି ତାହାଲେ ସେମାନେ “ପ୍ରସାଦ ଯୋଜନା”ରେ ଯେଉଁ ୧୦କୋଟି ଟଙ୍କା ପାଇଥିଲେ ତାହାର ବିନିଯୋଗ ପ୍ରମାଣ ପତ୍ର ଗଣମାଧ୍ୟମ ସାମ୍ନାରେ ଦେଖାନ୍ତୁ । କେନ୍ଦ୍ରକୁ ବିନିଯୋଗ ପ୍ରମାଣ ପତ୍ର ନଦେଇ କେନ୍ଦ୍ର ଦେଲାନି ବୋଲି କହି କୁମ୍ଭୀର କାନ୍ଦଣା କାନ୍ଦିବା ନବୀନ ବାବୁଙ୍କ ପୁରୁଣା ଅଭ୍ୟାସ ଥିଲା, ଯାହାକୁ ପାଣ୍ଡିଆନ ବାବୁ କପି କରୁଛନ୍ତି ବୋଲି ରାଜ୍ୟ ମୁଖପାତ୍ର ଶ୍ରୀ ଅନିଲ ବିଶ୍ୱାଳ କହିଛନ୍ତି ।
    ରାଜ୍ୟ କାର୍ଯ୍ୟାଳୟରେ ପ୍ରେସ ବିଜ୍ଞପ୍ତିରେ ଶ୍ରୀ ବିଶ୍ୱାଳ କହିଛନ୍ତି ଯେ, ବିଜେଡି ଅଣଓଡ଼ିଆ ଠିକାଦାର ପୋଷିବା ଜାଣେ । ଠିକାଦାର ଟଙ୍କା ନେଲେ, କିନ୍ତୁ ରାଜ୍ୟ ସରକାର ସେହି ଖର୍ଚ୍ଚର ହିସାବ କେନ୍ଦ୍ରକୁ ଦେଇପାରିଲେ ନାହିଁ । ସେହି ପ୍ରକଳ୍ପରେ କୋଷ୍ଟାଲ ମ୍ୟାନେଜମେଂଟ ଅଥୋରିଟି ଠାରୁ ଅନୁମତି ଆଣିବା କଥା, ଯାହା ରାଜ୍ୟ ସରକାର କରିଲେ ନାହିଁ । ଏବେ ହଠାତ୍ ୯ବର୍ଷ ପରେ ପାଣ୍ଡିଆନ ବାବୁଙ୍କ ନିଦ ଭାଙ୍ଗିବା ଦର୍ଶାଉଛି ବିଜେଡି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଲୋକପ୍ରିୟତାରେ ଡରିଯାଉଛି ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି ।
    ବିରୋଧୀଙ୍କୁ ମିଛୁଆ କହୁଥିବା ବିଜେଡିର ୧୦ଟି ମିଛ ଆଜି ଆମେ ଗଣମାଧ୍ୟମ ସାମ୍ନାରେ ରଖୁଛୁ । ନବୀନ ବାବୁ ୨୦୧୩ ମସିହାରେ କହିଥିଲେ ଚିଟ୍‌ଫଣ୍ଡ ଟଙ୍କା ଫେରାଇବେ ବୋଲି ଆଜିପର୍ଯ୍ୟନ୍ତ ଫେରାଇଲେ ନାହିଁ । ୨୦୧୮ ମସିହାରେ ମହାନଦୀରେ ବ୍ୟାରେଜ ନିର୍ମାଣ କରିବା କଥା ମୁଖ୍ୟମନ୍ତ୍ରୀ କହିଥିଲେ କିନ୍ତୁ ଇଟା ଖଣ୍ଡେ ପକାଇ ପାରିଲେ ନାହିଁ । ୨୦୧୯ ମାନିଫେଷ୍ଟୋରେ କହିଲେ ଝିଅମାନଙ୍କୁ ପିଜିରୁ କେଜି ମାଗଣାରେ ପାଠ ପଢ଼ାଇବୁ କିନ୍ତୁ ଆଜି ପର୍ଯ୍ୟନ୍ତ ତାହା ହୋଇପାରିଲା ନାହିଁ । ସେହିପରି ଓଡ଼ିଶା ବାହାର ରାଜ୍ୟରୁ ଆଳୁ ଓ ପିଆଜ କିଣିବନି ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ । କୁଆଡେ ଗଲା ସେହି ଆଳୁ ମିଶନ ଓ ପିଆଜ ମିଶନ । ସବୁ ବ୍ଲକରେ ଶୀତଳ ଭଣ୍ଡାର ନିର୍ମାଣ କଥା ମୁଖ୍ୟମନ୍ତ୍ରୀ କହଇଥିଲେ । ଏପର୍ଯ୍ୟନ୍ତ ତାହା ହେଲା ନାହିଁ । ମୁଖ୍ୟମନ୍ତ୍ରୀଙ୍କ ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରେ ବି ଶୀତଳ ଭଣ୍ଡାର ନାହିଁ । ମେକ୍ ଇନ୍ ଓଡ଼ିଶାରେ ୧୬ଲକ୍ଷ ଚାକିରି ଦେବେ ବୋଲି କହିଥିଲେ । କୁଆଡେ ଗଲା ଚାକିରି? ବିଜୁ ବାବୁଙ୍କ ଭାରତ ରତ୍ନ ଦେବା ପାଇଁ ନବୀନ ବାବୁ ଏବେ ନିର୍ବାଚନ ପୂର୍ବରୁ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । କିନ୍ତୁ ବିଜୁ ବାବୁଙ୍କ ଜୀବନର ଶେଷ ସମୟରେ ନବୀନ ବାବୁ ତାଙ୍କୁ ପାଣି ମୁନ୍ଦାଏ ଦେଇନଥିଲେ । ୨୦୧୯ନିର୍ବାଚନ ମାନିଫେଷ୍ଟୋରେ ବିଜେଡି କହିଥିଲା ୦% ସୁଧ ହାରରେ ଶିକ୍ଷା ଋଣ ଦେବୁ । ଆଜି ପର୍ଯ୍ୟନ୍ତ ତାହା ଲାଗୁ ହେଲା ନାହିଁ । ଘରୋଇ ଚାକିରିରେ ୭୫% ସଂରକ୍ଷଣ ଓଡ଼ିଆ ପିଲାଙ୍କ ପାଇଁ କରିବୁ । କିନ୍ତୁ ତାହା ହେଲା ନାହିଁ । ଓଡ଼ିଶାର ୫୦ଭାଗ ଜନସଂଖ୍ୟା ପଛୁଆବର୍ଗରୁ ଆସନ୍ତି । ଶିକ୍ଷାନୁଷ୍ଠାନରେ ପଛୁଆ ବର୍ଗଙ୍କୁ ସଂରକ୍ଷଣ ଦେବା କଥା ଆଜି ପର୍ଯ୍ୟନ୍ତ ନବୀନ ବାବୁଙ୍କ ସରକାର ଦେଲା ନାହିଁ । ଏହା ହେଉଛି ବିଜେଡିର ୧୦ଟି ମିଛ । ପରବର୍ତୀ ସମୟରେ ବିଜେଡିର ଆହୁରି ଅନେକ ମିଛର ତାଲିକା ଲୋକଙ୍କ ସାମ୍ନାରେ ଅଣାଯିବ ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି ।
    କେନ୍ଦମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପରେ ପ୍ରଶ୍ନ ଉଠାଇଥିବା ବିଜେଡି ନେତାମାନେ ଜାଣି ରଖିବା ଉଚିତ ଯେ, ଶ୍ରୀ ପ୍ରଧାନଙ୍କ ପ୍ରଚେଷ୍ଟାରେ ଓଡ଼ିଶାର ୩ଟି ବିଶ୍ୱସ୍ତରୀୟ ସ୍କିଲ ଡେଭଲପମେଂଟ ଅନୁଷ୍ଠାନ ହୋଇଛି । ସେହିପରି ପାଇକ ସଂଗ୍ରାମକୁ ଦିଲ୍ଲୀ ଦରବାରରେ ସ୍ୱୀକୃତି ଦେବାରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଅବଦାନ ଅତୁଳନୀୟ । ଓଡ଼ିଶାକୁ ଅଧିକ କେନ୍ଦ୍ରୀୟ ଅନୁଦାନ ଆଣିବା, ସମ୍ବଲପୁରରେ ଆଇଆଇଏମ୍ ପ୍ରତିଷ୍ଠା କରିବା, ବ୍ରହ୍ମପୁର ଆଇଜରର ସମ୍ପୂର୍ଣ୍ଣ କ୍ୟାମ୍ପସର ପ୍ରତିଷ୍ଠା, ଓଡ଼ିଶାରେ ୧୪ରୁ ଅଧିକ ନୂତନ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନା ଏସବୁରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରଚେଷ୍ଟା ଓ ପାରଦର୍ଶିତା ଓଡ଼ିଶାର ଲୋକଙ୍କ ସାମ୍ନାରେ ଅଛି ।
    ସାମ୍ବାଦିକମାନଙ୍କ ପ୍ରଶ୍ନର ଉତର ଦେଇ ଶ୍ରୀ ବିଶ୍ୱାଳ କହିଛନ୍ତି ଯେ, ଗତକାଲି ବିଜେପିର ୫ଜଣ ବରିଷ୍ଠ ନେତୃତ୍ୱମାନେ ସାମ୍ବାଦିକ ସମ୍ମିଳନୀ କରିବା ବେଳେ ବିଜେଡିର ସଂଗଠନ ସାଧାରଣ ସମ୍ପାଦକ ଓ ସାଂସଦ ଲେଖିଲେ ଯେ, ବିଜେପି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବ । ଏହା ଆମ ପାଇଁ ଖୁସିର କଥା । କାରଣ ନିର୍ବାଚନରେ ଜିତୁଥିବା ଦଳ ହିଁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରେ । ବିଜେଡିର ସଂଗଠନ ସାଧାରଣ ସମ୍ପାଦକ ଓ ସାଂସଦ ସ୍ୱୀକାର କରି ସାରିଲେଣି ଯେ, ବିଜେପି ଏଥର ଓଡ଼ିଶାରେ ସରକାର କରିବ ।
    ଏହି ଅବସରରେ ରାଜ୍ୟ ଗଣମାଧ୍ୟମ ସଂଯୋଜକ ସୁଜିତ୍ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    23.6 ° C
    23.6 °
    23.6 °
    50 %
    2.1kmh
    72 %
    Tue
    25 °
    Wed
    35 °
    Thu
    35 °
    Fri
    36 °
    Sat
    34 °

    ସମ୍ବନ୍ଧିତ