Tuesday, June 24, 2025
26.7 C
Odisha

    ଚଳିତ ବଜେଟ୍‌ରେ ବିକଶିତ ଓଡିଶାର ମୂଳଦୁଆ ସ୍ଥାପନା ହୋଇଛି: ମନମୋହନ ସାମଲ

    ଆଗକୁ ପଢନ୍ତୁ

    ରାୟଗଡା/ଭୁବନେଶ୍ୱର, ତା.୦୩/୦୮: ଜଙ୍ଗଲ, ଖଣିଜ, ଜଳସମ୍ପଦ, ସୁଦୀର୍ଘ ବେଳାଭୂମି ଇତ୍ୟାଦି ପ୍ରାକୃତିକ ସମ୍ପଦରେ ଭରପୁର ଓଡ଼ିଶା ରାଜ୍ୟ । ଓଡ଼ିଶା ଧନୀ କିନ୍ତୁ ବିଗତ ସରକାରଗୁଡିକର ଅପାରଗତା ଓ ବିଫଳତା କାରଣରୁ ଓଡ଼ିଶାର ଲୋକେ ଗରିବ ହୋଇ ରହିଗଲେ । ପ୍ରାକୃତିକ ଓ ଖଣିଜ ସଂପଦ ଭରପୁର ଓଡିଶା ରାଜ୍ୟରେ ବିକାଶର ଅପାର ସମ୍ଭାବନା ରହିଛି । ରାଜ୍ୟରେ ପ୍ରଥମ ଥର ପାଇଁ ବିଜେପି ଏକାକୀ ସରକାର ଗଠନ କରିଛି । କୃଷି, ମହିଳା, ଯୁବ ଓ ଗରୀବକଲ୍ୟାଣକୁ ପ୍ରାଧାନ୍ୟ ଦିଆଯାଇ ଓଡିଶାର ବିକାଶଧାରାକୁ ତ୍ୱରାନ୍ୱିତ କରାଯିବ । ନିର୍ବାଚନୀ ସଂକଳ୍ପପତ୍ରରେ ଥିବା ସମସ୍ତ ସଂକଳ୍ପକୁ ସିଦ୍ଧିରେ ପରିଣତ କରିବା ପାଇଁ ବିଜେପି ସରକାର ସଂକଳ୍ପବଦ୍ଧ । ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଉପସ୍ଥାପିତ ହୋଇଥିବା ପ୍ରଥମ ବଜେଟ୍ ବ୍ୟୟବରାଦରେ ଏହା ସ୍ପଷ୍ଟ ପ୍ରତିଫଳିତ ହୋଇ ଏକ ନୂତନ ପରମ୍ପରା ସୃଷ୍ଟି କରିଛି । ଓଡିଶାର ସାମୁହିକ ଓ ସନ୍ତୁଳିତ ବିକାଶ ପାଇଁ ବିଜେପି ସରକାର ପ୍ରତିଶୃତିବଦ୍ଧ । ବାସ୍ତବରେ ଚଳିତ ବଜେଟରେ ବିକଶିତ ଓଡିଶାର ମୂଳଦୁଆ ସ୍ଥାପନା ହୋଇଛି ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି ।
    ରାୟଗଡା ଗସ୍ତରେ ଥିବା ରାଜ୍ୟ ସଭାପତି ଶ୍ରୀ ସାମଲ ଆଜି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ୨୧ଟି ଲୋକସଭା ଆସନରୁ ୨୦ ଏବଂ ୮୧ଜଣ ବିଧାୟକଙ୍କୁ ଜିତାଇ ଓଡ଼ିଶାରେ ବିଜେପିର ପ୍ରଥମ ସରକାର ପ୍ରତିଷ୍ଠା କରିଛନ୍ତି । ଓଡିଶାବାସୀଙ୍କ ଆସ୍ଥାକୁ ସମ୍ମାନ ଜଣାଇ ପ୍ରସ୍ତୁତ ହୋଇଥିବା ବଜେଟର ପରିମାଣ ଗତ ବର୍ଷ ତୁଳନାରେ ୧୫% ଅଧିକ ବୃଦ୍ଧି ପାଇଛି । ଚଳିତ ବଜେଟ୍‌ରେ “କିଶାନ ସମ୍ମାନ ଯୋଜନା” ପାଇଁ ସର୍ବାଧିକ ବ୍ୟବସ୍ଥା କରାଯାଇଛି । ଏଣିକି ଚାଷୀମାନେ ଧାନ କ୍ୱିଂଇଟାଲ ପିଛା ଓଡିଶାରେ ୩୧ଶହ ଟଙ୍କା ପାଇବେ । ଜଳସେଚନ, ଶୀତଳଭଣ୍ଡାର, ବ୍ୟବସ୍ଥିତ ମଣ୍ଡି ବ୍ୟବସ୍ଥା, କଟନୀ ଛଟନୀରୁ ମୁକ୍ତିକୁ ଅଗ୍ରାଧିକାର ଦିଆଯାଇଛି । ରାଜ୍ୟରେ ନୂତନ ୫୮ଟି ଜାଗାରେ ଶୀତଳ ଭଣ୍ଡାର ଅନୁମୋଦନ ହୋଇଛି । ଧାନ ବ୍ୟତୀତ ମତ୍ସ୍ୟ ସମେତ ଅନ୍ୟାନ୍ୟ ଚାଷ ଉତ୍ପାଦନକୁ ମଧ୍ୟ ପ୍ରାଧାନ୍ୟ ଦିଆଯିବ । ଚଳିତ ବଜେଟରେ ରାୟଗଡା, କୋରାପୁଟ, ମାଲକାନଗିରି, ଗଜପତି ଭଳି ଆଦିବାସୀବହୁଳ ଅଂଚଳର ବିକାଶକୁ ପ୍ରାଧାନ୍ୟ ଦିଆଯାଇଛି । ‘ଫରେଷ୍ଟ ମାଇନର୍ ପ୍ରଡକ୍ଟ’ ବା ଲଘୁଜାତ ବନଦ୍ରବ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ ଦେବାରେ ବିଫଳ ହୋଇଥିଲେ ପୂର୍ବ ବିଜେଡି ସରକାର, କିନ୍ତୁ ବିଜେପି ସରକାର ତାହାକୁ ପୂର୍ଣ୍ଣମାତ୍ରାରେ ଗୁରୁତ୍ୱ ଦେବ । ଖଣିଜ ସମ୍ପଦକୁ ପୂର୍ବ ବିଜେଡି ସରକାର ଶାଗମାଛ ଦରରେ ବିକ୍ରି କରୁଥିଲା, କିନ୍ତୁ ବିଜେପି ସରକାର ଉଚିତ ମୂଲ୍ୟରେ ‘ଭେଲୁ ଏଡିସନ’ କରାଯାଇ ରୋଜଗାର ଏବଂ ସ୍ୱରୋଜଗାରକୁ ପ୍ରାଧାନ୍ୟ ଦିଆଯିବ । ଆଗାମୀ ଦିନରେ ଓଡ଼ିଶାରେ ଶିଳ୍ପର ଅଭିବୃଦ୍ଧି କରାଯିବା ଉଦ୍ଦେଶ୍ୟରେ ଶିଳ୍ପ କରିଡର ପ୍ରତିଷ୍ଠା କରାଯିବ । ଓଡ଼ିଶାର ଯୁବକମାନଙ୍କୁ ଦାଦନ ଖଟିବାକୁ ଆଉ ବାହାରକୁ ଯିବାକୁ ପଡ଼ିବ ନାହିଁ ଏବଂ ସେମାନେ ଓଡ଼ିଶାରେ ହିଁ କର୍ମସଂସ୍ଥାନ ପାଇପାରିବେ । ଏଭଳି ଲୋକାଭିମୁଖୀ ବଜେଟ ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଶ୍ରୀ ସାମଲ ଧନ୍ୟବାଦ ଦେଇଛନ୍ତି ।
    କେନ୍ଦ୍ରୀୟ ବଜେଟରେ ମଧ୍ୟ ଓଡ଼ିଶାର ଆର୍ଥିକ ସ୍ଥିତିକୁ ମଜବୁତ୍ କରିବା ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି । କେନ୍ଦ୍ର ବଜେଟ୍ ଓଡ଼ିଶା ପାଇଁ ଐତିହାସିକ ବଜେଟ୍ ହୋଇଛି । ୧୦ହଜାର କୋଟିରୁ ଊର୍ଦ୍ଧ୍ୱ ଟଙ୍କା କେବଳ ରେଳ ଲାଇନ୍‌ର ବିକାଶ ପାଇଁ କରାଯାଇଛି । ଓଡ଼ିଶାର ସବୁ ଜିଲ୍ଲାରେ ରେଲ୍‌ୱେ ଲାଇନ ହେବ । ରାୟଗଡାରୁ ଆରମ୍ଭ କରି ଓଡ଼ିଶାର ସବୁ ଅଂଚଳରେ ପର୍ଯ୍ୟଟନକୁ ଅଧିକ ଗୁରୁତ୍ୱ ଦେବା ପାଇଁ ଆମ ସରକାର ସଂକଳ୍ପ ନେଇଛନ୍ତି । କେନ୍ଦ୍ର ସରକାରଙ୍କ ଭାରତମାଳା ଯୋଜନା ରାୟଗଡାରେ ପ୍ରତିଫଳିତ ହେବ । ରାୟଗଡାରେ ଡିଆରଏମ୍‌ଓ ଅଫିସ ଖୋଲାଯିବ । ଏହି ଅଂଚଳରେ ତୃତୀୟ ରେଳ ଲାଇନର ବ୍ୟବସ୍ଥା କରାଯାଇଛି । ମାଲକାନଗିରି-ବ୍ରହ୍ମପୁର ରାସ୍ତାକୁ ୪ସ୍ତର କରାଯିବ । ରାୟଗଡାର ବିକାଶକୁ ବଜେଟ୍‌ରେ ଗୁରୁତ୍ୱ ଦିଆଯାଇଛି ବୋଲି ଶ୍ରୀ ସାମଲ କହିଛନ୍ତି ।
    ରାଜ୍ୟରେ ବିଜେପି ସରକାର ଗଠନ ହେବାର ୧ଘଂଟା ଭିତରେ ପ୍ରଥମ ମନ୍ତ୍ରୀମଣ୍ଡଳୀ ବୈଠକ ବସି ଶ୍ରୀମନ୍ଦିରର ଚାରି ଦ୍ୱାର ଖୋଲାଯିବା, ଶ୍ରୀମନ୍ଦିର ପାଇଁ ୫୦୦ କୋଟିର କର୍ପସ ଫଣ୍ଡ, ସୁଭଦ୍ରା ଯୋଜନା ଏବଂ ଧାନ କ୍ୱଂଟାଲ ପିଛା ୩୧୦୦ ଟଙ୍କା ପ୍ରଦାନ କରିବା ଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇଥିଲା । ଚଳିତ ବଜେଟରେ ମାଲକାନଗିରି-ବ୍ରହ୍ମପୁର ରାସ୍ତାକୁ ୪ଲାଇନ ବିଶିଷ୍ଟ କରିବା ପାଇଁ ବ୍ୟୟବରାଦ କରାଯାଇଛି । ଏହା ବ୍ୟତୀତ ଚଳିତ ବଜେଟରେ ଉପକୁଳ ରାଜପଥ ନିର୍ମାଣ, ରାଜ୍ୟର ପ୍ରମୁଖ ପର୍ଯ୍ୟଟନସ୍ଥଳୀର ବିକାଶ କରାଯାଇ ସ୍ଥାନୀୟ ଅର୍ଥନୀତି ବ୍ୟବସ୍ଥାକୁ ସୁଦୃଢ କରିବା, ଶିକ୍ଷା ଓ ସ୍ୱାସ୍ଥ୍ୟର ବିକାଶକୁ ମଧ୍ୟ ଚଳିତ ବଜେଟରେ ପ୍ରାଧାନ୍ୟ ଦିଆଯାଇଛି । ଦୁର୍ନୀତି, ଭ୍ରଷ୍ଟାଚାରକୁ ଆଦୈା ବରଦାସ୍ତ କରାଯିବ ନାହିଁ ବୋଲି ଶ୍ରୀ ସାମଲ କହିଛନ୍ତି ।
    ସେହିପରି ଚିଲିକାକୁ ପର୍ଯ୍ୟଟନ କେନ୍ଦ୍ର କରାଯିବ । ଓଡ଼ିଶାରେ କୋଷ୍ଟାଲ ହାଇୱେ ଘୋଷଣା କରି ଉପକୂଳବର୍ତୀ ଅଂଚଳ ଗୁଡ଼ିକର ବିକାଶ ଉପରେ କେନ୍ଦ୍ର ସରକାର ଗୁରୁତ୍ୱ ଦେଇଛନ୍ତି । ରାଜ୍ୟ ସରକାର ଯେତେ ମେଡିକାଲ କଲେଜ ଖୋଲିବାକୁ ଆବେଦନ କରିଥିଲେ କେନ୍ଦ୍ର ସେ ସବୁକୁ ଅନୁମୋଦନ କରିଦେଇଛନ୍ତି । ଆର୍ôଥକ ୨୦୨୪-୨୫ ପାଇଁ ମୋଟ ୨ଲକ୍ଷ ୬୫ହଜାର କୋଟି ଟଙ୍କା ବଜେଟ ବ୍ୟବସ୍ଥା କରାଯାଇଛି । ବିଜେପି ସରକାର ପ୍ରଥମ ବଜେଟ୍‌ରେ ଶିକ୍ଷା ଉପରେ ବିଶେଷ ଗୁରୁତ୍ୱ ଦେଇଛି । ସ୍କୁଲ୍ ଡ୍ରପଆଉଟ୍ ବନ୍ଦ କରିବା, ଉପସ୍ଥାପନ ବଢ଼ାଇବା ଓ ସବୁ ସ୍କୁଲ୍‌ରେ ଶିକ୍ଷକ ନିଯୁକ୍ତିକୁ ପ୍ରାଧାନ୍ୟ ଦିଆଯାଇଛି । ରାଜ୍ୟରେ ଖାଲି ପଡିଥିବା ସରକାରୀ ପଦବୀ ପୂରଣ କରାଯିବା ସହିତ ୧୬୦୦୦ ଶିକ୍ଷକ ପଦବୀ ପୂରଣ ପାଇଁ ବଜେଟ୍‌ରେ ବ୍ୟବସ୍ଥା କରାଯାଇଛି । ଏହାପରେ ସବୁ ସ୍କୁଲରେ ଯେପରି ଶିକ୍ଷକ ଅଭାବ ଦୂରହେବ ସେଥିପ୍ରତି ଲକ୍ଷ୍ୟ ରଖାଯାଇଛି । ପିଡିଏସ୍ (ପବ୍ଲିକ ଡିଷ୍ଟିବ୍ୟୁସନ ସିଷ୍ଟମ୍‌)କୁ ତ୍ୱରାନ୍ୱିତ କରିବା ଉପରେ ଜୋର୍ ଦିଆଯାଇଛି । ସେମାନକ ଆର୍ଥିକ ଅଭିବୃଦ୍ଧି ପାଇଁ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ଶ୍ରୀ ସାମଲ କହିଛନ୍ତି ।
    ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସାଧାରଣ ସମ୍ପାଦିକା ପୂର୍ଣ୍ଣିମା କେରକେଟା, ରାଷ୍ଟ୍ରୀୟ ଜନଜାତିମୋର୍ଚ୍ଚାର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ କାଳିରାମ ମାଝୀ, ଓବିସି ମୋର୍ଚ୍ଚା ରାଜ୍ୟ ଉପସଭାପତି ରାମଚନ୍ଦ୍ର ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    26.7 ° C
    26.7 °
    26.7 °
    77 %
    4.3kmh
    100 %
    Tue
    26 °
    Wed
    31 °
    Thu
    31 °
    Fri
    31 °
    Sat
    31 °

    ସମ୍ବନ୍ଧିତ