Wednesday, October 14, 2026
22.1 C
Odisha

    ବିଭିନ୍ନ ରାଜ୍ୟରେ ବର୍ଷା ବିତ୍ପାତ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ସମଗ୍ର ଦେଶରେ ଏବେ ମୌସୁମୀ ସକ୍ରିୟ ରହଛି। ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ହିମାଚଳ, ପଞ୍ଜାବ, ହରିୟାଣା, ଦିଲ୍ଲୀ, ରାଜସ୍ଥାନ, ମଧ୍ୟପ୍ରଦେଶ ଏବଂ ମହାରାଷ୍ଟ୍ରରେ ପ୍ରବଳ ବର୍ଷା ଲାଗି ରହିଥିବା ବେଳେ ଜୁଲାଇ ୨ ତାରିଖ ପର୍ଯ୍ୟନ୍ତ ଏହି ସବୁ ରାଜ୍ୟରେ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ଅରୁଣାଚଳ ପ୍ରଦେଶ ପାଇଁ ରେଡ୍ ଆଲର୍ଟ ଜାରି ହୋଇଛି। ମେଘାଳୟ, ଅରୁଣାଚଳ, ନାଗାଲାଣ୍ଡ, ମଣିପୁର, ମିଜୋରାମ ଏବଂ ତ୍ରିପୁରାରେ ଜୁନ୍ ୩୦ରୁ ଜୁଲାଇ ୩ ମଧ୍ୟରେ ୬୪.୫ରୁ ୨୦୪.୪ ମିଲିମିଟର ବର୍ଷା ହେବା ସମ୍ଭାବନା ରହିଛି। ଅନ୍ୟପକ୍ଷରେ ମୌସୁମୀର ପ୍ରଥମ ବର୍ଷାରେ ଝାଡ଼ଖଣ୍ଡର ଗିରିଡିହ ଜିଲ୍ଲାରେ ଏକ ନିର୍ମାଣାଧୀନ ପୋଲ ଭୁଶୁଡ଼ି ପଡ଼ିଛି।

    ଗିରିଡିହ ଦେଓରୀ ବ୍ଲକର ଅର୍ଗା ନଦୀ ଉପରେ ସାଢେ ୫ କୋଟି ଟଙ୍କା ବ୍ୟୟରେ ପୋଲ ନିର୍ମାଣ କରାଯାଉଥିଲା। ଶନିବାର ବର୍ଷା ଯୋଗୁଁ ନଦୀର ଜଳସ୍ତର ବୃଦ୍ଧି ପାଇଥିଲା ଏବଂ ରବିବାର ଏହି ପୋଲ ପ୍ରବଳ ସ୍ରୋତରେ ଭାଙ୍ଗି ପଡ଼ିଥିଲା। ଲଗାଣ ବର୍ଷା ଯୋଗୁଁ ହିମାଚଳରେ ଅନେକ ରାସ୍ତା ବନ୍ଦ ହୋଇଯାଇଥିବା ବେଳେ ଉତ୍ତରାଖଣ୍ଡର ଅନେକ ଗ୍ରାମ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି। ଅନ୍ୟପକ୍ଷରେ ଗତ ୩ ଦିନ ଧରି ଲଗାଣ ବର୍ଷା ଯୋଗୁଁ ଆସାମରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଦିବ୍ରୁଗଡ଼ରେ ସିଆରପିଏଫ କ୍ୟାମ୍ପ, ପୁଲିସ କ୍ୟାମ୍ପ ଆଦି ପାଣି ଘେରରେ ରହିଥିବା ବେଳେ ଲକ୍ଷାଧିକ ଲୋକ ବନ୍ୟା ଯୋଗୁଁ ପ୍ରଭାବିତ ହୋଇଛନ୍ତି। ଶତାଧିକ ସ୍ଥାନରେ ରାସ୍ତା ଅବରୋଧ ହୋଇଛି। ବିଦ୍ୟୁତ୍ ସରବରାହ ଅଧିକାଂଶ ଅଂଚଳରେ ବାଧାପ୍ରାପ୍ତ ହୋଇଥିବା ବେଳେ ୪୦ରୁ ଅଧିକ ଗ୍ରାମ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଛି।

    ଜୁନ୍ ୨୭ରେ ମୌସୁମୀ ଉତ୍ତରାଖଣ୍ଡରେ ପ୍ରବେଶ କରିଥିଲା। ମାତ୍ର ୩ ଦିନର ବର୍ଷାରେ ହରିଦ୍ୱାରରେ ଗଙ୍ଗା ନଦୀରେ ବନ୍ୟା ଆସିଛି। ପ୍ରବଳ ଜଳ ପ୍ରବାହରେ ଗତକାଲି ୮ଟି କାର୍ ଭାସି ଯାଇଥିଲା। ସୌଭାଗ୍ୟବଶତଃ ଏହି କାର୍‌ଗୁଡ଼ିକରେ କେହି ନଥିଲେ। ଏହାବ୍ୟତୀତ ତଳିଆ ଅଂଚଳରେ ମଧ୍ୟ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ଏବଂ ଶତାଧିକ ଲୋକ ସ୍ଥାନାନ୍ତର ହୋଇଛନ୍ତି। ତ୍ରିପୁରା ଓ ମିଜୋରାମରେ ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଯୋଗୁଁ ଅତଡ଼ା ଧସି ଯାତାୟତ ବାଧାପ୍ରାପ୍ତ ହୋଇଛି। ଦେଶର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଯୋଗୁଁ ଜୁନ୍ ମାସର ବର୍ଷା ଅଭାବଜନିତ ସ୍ଥିତି ଦୂର ହୋଇଛି। ଗୁରୁବାର ୧୯% ବର୍ଷାଭାବ ସ୍ଥିତି ରହିଥିବା ବେଳେ ଏହା ଗତକାଲି ହ୍ରାସ ପାଇ ୧୪%ରେ ପହଞ୍ଚିଛି। ଗତ ୧୦ ବର୍ଷ ମଧ୍ୟରେ ମାତ୍ର ୪ ଥର ଜୁନ୍‌ରେ ସ୍ୱାଭାବିକଠାରୁ ଅଧିକ ବର୍ଷା ହୋଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    22.1 ° C
    22.1 °
    22.1 °
    91 %
    0.7kmh
    70 %
    Wed
    29 °
    Thu
    30 °
    Fri
    31 °
    Sat
    31 °
    Sun
    31 °

    ସମ୍ବନ୍ଧିତ